ଇଟିକିଲି ମିଟିକିଲି ପକ୍ଷରୁ ଶିଶୁ କଥା ଦିବସ

ଭୁବନେଶ୍ଵର : ଗତକାଲି ଇନ୍ଫୋସିଟି ସ୍ଥିତ ଇଟିକିଲି ମିଟିକିଲି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ କରାଯାଉଥିବା ଓଡ଼ିଆ ପକ୍ଷ ୨୦୨୬ର ସପ୍ତମ ଦିବସରେ ଶିଶୁକଥା ଦିବସ ପାଳନ କରାଯାଇଛି ।

ଅନୁଷ୍ଠାନର ଉପସଭାପତି ଚିତ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିଶୁକଥା ଦିବସ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ଓ ଗୁରୁ ରାମହରି ଦାସ, କବି ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସଦସ୍ୟ ଅରୁଣ କୁମାର ସାହୁ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଇଟିକିଲି ମିଟିକିଲି ସଚିବ ଶରତ କୁମାର ନାୟକ ସ୍ଵାଗତ ସୂଚନା ପ୍ରଦାନ କରିବା ସହିତ ପିଲାମାନଙ୍କୁ ଅବସର ସମୟରେ ଜେଜେବାପା ଜେଜେମା ଓ ବାପାମାଆ ମାନେ ଗପ ଶୁଣାଇବା ତଥା ପଢିବାର ସୁଯୋଗ ଦେଲେ ପିଲାମାନେ ମୋବାଇଲ ଠାରୁ ଦୂରେଇ ରହିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ପଚିଶ ଜଣ ପିଲା ପଚିଶଟି ଗପକୁ ଚମତ୍କାର କହିଥିବା ବେଳେ ପନ୍ଦର ଜଣ ଅଭିଭାବକ ପନ୍ଦରଟି ଗପ ଓ ଦଶ ଜଣ ଶିଶୁ ସାହିତ୍ୟିକ ଦଶଟି ଗପ, ଏହିଭଳି ଭାବରେ ମୋଟ ପଚାଶ ଗପ କହିଥିଲେ ଓ ସମସ୍ତେ ମଧ୍ୟ ଏସବୁ ବେଶ ଆଗ୍ରହର ସହ ଶୁଣିଥିଲେ । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରାପ୍ରଦତ୍ତ ‘ବର୍ଣ୍ଣବୋଧ’ ଓ ପିଲାଙ୍କ ପତ୍ରିକା ‘ଶିଶୁଲେଖା’ର ବନ୍ଦେ ମାତରମ ସଂଖ୍ୟା, ଗପ କହିଥିବା ପିଲା, ଅଭିଭାବକ ଓ ଶିଶୁ ସାହିତ୍ୟିକମାନଙ୍କୁ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ରଜନୀକାନ୍ତ ରାଉତ, ପ୍ରତ୍ୟୁଷିନୀ ମହାନ୍ତି, ଶିଳ୍ପିତା ବିଶ୍ଵାଳ, ଜ୍ୟୋତ୍ସା ବେହେରା ଓ ପ୍ରିୟଦର୍ଶୀ ସୌମ୍ୟକାନ୍ତ ପ୍ରମୁଖ ଶିଶୁକଥା ଦିବସ ପାଳନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *