ବନ୍ଦେ ଉତ୍କଳ ଜନନୀ

ବିନୟ ମହାପାତ୍ର

ଧନ୍ୟ ହୋଇ ଗଲା ଜୀବନ
ଜନମି ତୋ କୋଳେ ଆମେରେ ଓଡ଼ିଆ
ଏ ମାଟିର ବୀର ସନ୍ତାନ ।

ବଡ ଦିଅଁ ଯା’ର ଜଗତର ନାଥ
ମନ୍ଦିର ଯାହାର ବଡ଼ ଦେଉଳ
ପବିତ୍ର ଯାହାର ପାଣି ପବନ,
ତୋହରି କୋଳରେ ଜନମି ମାଆ ଗୋ
ଧନ୍ୟ ହୋଇ ଗଲା ଜୀବନ ।

ସେହି ଆମ ମାଆ, ଆମେ ତାର ସାହା
ବିଶ୍ୱ ଦରବାରେ ଉଚ୍ଚା କରିବା ତା ନାଆଁ
କରି କିଛି କାମ କରିବା ତା ନାମ ଉଜ୍ଜଳ,
ବୀର ପ୍ରସବିନୀ ସେଇ ମୋର ମାଆ ଉତ୍କଳ ।

ଭାଷା ତା ଶାସ୍ତ୍ରୀୟ, ଚାରୁକଳା ଶ୍ରେଷ୍ଠ
ଶାସ୍ତ୍ରୀୟ ତା ନୃତ୍ୟ ସୁମଧୂର ଗୀତ,
କବି ଲେଖନୀରୁ ଝରଇ ଅମୃତ
ଗଙ୍ଗା ଗୋଦାବରୀ ଏକାକାର କରି
ରଚି ବୀରଗାଥା ଇତିହାସ ଯା’ର ପୃଷ୍ଟ
ବୀର ପ୍ରସବିନୀ ସେଇ ମୋର ମାଆ ଉତ୍କଳ
କରି କିଛି କାମ କରିବା ତା ନାମ ଉଜ୍ଜଳ ।

ତେଜି ଭେଦଭାବ ପ୍ରାନ୍ତୀୟ ଭାବନା
ଆମେ ଯେତେ ସବୁ ଓଡ଼ିଆ,
ଆସ ଗଢି ଯିବା ନୂତନ ଉତ୍କଳ
ନିଜ ସାଧ୍ୟ ମତେ କରି ଶ୍ରମ ଦାନ
ଆମେରେ ଓଡ଼ିଆ ସାରା ଦୁନିଆରେ
ସବୁଠାରୁ ଆମେ ବଢିଆ ।

ଆମେ ସବୁ ଫୁଲ ଉପବନ ଏକ
କେତେ ଆମ ରଙ୍ଗ ମହକ ଅନେକ
ହୃଦୟେ ସାଇତା ମାଆର ମମତା
ପ୍ରତି ହୃଦୟରେ ଭରି ପ୍ରେମ ମଧୁ
ବାଣ୍ଟି ଯିବୁ ପ୍ରିତି ପ୍ରତିଟି ପ୍ରାଣରେ
ଆମେ ପ୍ରଣୟର ସିନ୍ଧୁ ।

ସେନେହ ମମତା ସୁତ୍ରରେ ବାନ୍ଧି
ବୁଣି ଯିବୁ ଆମେ ପ୍ରେମର ଚାଦର
ସେଇ ଚାଦରରେ ସାଉଣ୍ଟି ସଭିଙ୍କୁ
ଗଢି ଯିବୁ ଆମେ ନୂତନ ଓଡ଼ିଆ ସଂସାର
ବୀର ପ୍ରସବିନୀ ସେଇ ମୋର ମାଆ ଉତ୍କଳ
କରି କିଛି କାମ କରିବା ତା ନାମ ଉଜ୍ଜଳ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *