ଉତ୍କଳ ଦିବସରୁ ୧୪ ଦିନିଆ ‘ଓଡ଼ିଆ ପକ୍ଷ’

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ‘ଓଡ଼ିଆ ପକ୍ଷ’ । ଅପ୍ରେଲ ୧ ‘ଉତ୍କଳ ଦିବସ’ଠାରୁ ଅପ୍ରେଲ ୧୪ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ । ଗତବର୍ଷ ପ୍ରଥମଥର ପାଇଁ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ’ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଆହୁରି ଭବ୍ୟ ରୂପେ ଯେପରି ପାଳନ କରାଯିବ ସେନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଆୟୋଜନ କରାଇବା ଏବଂ ଏଥିରେ ସମସ୍ତ ଜଣସାଧାରଣଙ୍କ ଅଂଶୀଦାରକୁ ନିଶ୍ଚିନ୍ତ କରାଇବା ଉପରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ଗୁରୁତ୍ଵାରୋପ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ରହିଛି । ଓଡ଼ିଶା ଦିବସ, ଖଡ଼ିଛୁଆଁ ଦିବସ, ପାରମ୍ପରିକ ପୋଷାକ ଦିବସ, ବର୍ଣ୍ଣ ଦିବସ, ଲୋକକଳା ଦିବସ, ପାରମ୍ପରିକ ଖାଦ୍ୟ ଦିବସ, ସ୍ଵଚ୍ଛତା ଦିବସ, ରକ୍ତଦାନ ଅଭିଯାନ, ଓଡ଼ିଆରେ ନାମଫଳକ ଅଭିଯାନ, ଐତିହ୍ୟ ଗଣଦୌଡ଼, ଯୁବ ଲେଖକ ସମ୍ମିଳନୀ ଓ ବରପୁତ୍ରଙ୍କ ଉପରେ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା ରହିଛି ।

ଓଡ଼ିଆ ପକ୍ଷ ପାଇଁ ସ୍ଵତନ୍ତ୍ର ଲୋଗୋ ପ୍ରସ୍ତୁତି ସହ ଏକ ସ୍ଵତନ୍ତ୍ର ୱେବସାଇଟ କରାଯିବ । କୁଇଜ ପ୍ରତିଯୋଗିତା କରାଯାଇ ସମସ୍ତ ପ୍ରତିଯୋଗୀଙ୍କୁ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବ । ଚଳିତ ବର୍ଷ ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ଯୋଜନା ରହିଛି । ଯୁବପିଢି ଓ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଯେପରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ, ଏହା ସୁନିଶ୍ଚିତ କରାଯିବ । ଏହାସହିତ ଓଡ଼ିଶାର ଉପାନ୍ତଅଞ୍ଚଳରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି ।

ଆଜିର ପ୍ରସ୍ତୁତି ବୈଠକରେ ବିଭାଗୀୟ ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ଵତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତାଙ୍କ ସମେତ ସଂସ୍କୃତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *