ଭୁବନେଶ୍ଵର : ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ଵାରା ଲିଖିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ବୁଧବାର ଦିନ ଉନ୍ମୋଚିତ ହୋଇଯାଇଛି । ଖୋର୍ଦ୍ଧା ପୂର୍ବରୁ ଋତୁରାଜ କନ୍ଧମାଳରେ ଜିଲ୍ଲାପାଳ ଭାବେ ନିଯୁକ୍ତ ଥିଲେ । କନ୍ଧମାଳରେ ଥିଲାବେଳେ ସେ କୁଟିଆ କନ୍ଧଙ୍କ କନ୍ଧମାନଙ୍କର ଜୀବନଚର୍ଯ୍ୟା, ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହିତ ଆତ୍ମୀୟତା ସବୁକୁ ଖୁବ ନିକଟରୁ ଦେଖିଥିଲେ ଓ ତାକୁ ନିଜ ଉପନ୍ୟାସରେ ଜୀବନ୍ୟାସ ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଅଡ଼ିଟୋରିୟମ ଠାରେ ଉପନ୍ୟାସଟି ଉନ୍ମୋଚିତ ହୋଇଯାଇଛି ଯେଉଁଠାରେ ଔପନାସିକା ସରୋଜିନୀ ସାହୁ, କବି ଅଜୟ ସ୍ଵାଇଁ, ଉପନ୍ୟାସର ପ୍ରକାଶକ ଆଦିତ୍ୟ ଭାରତ ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦ୍ରସିଂ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ ଉପନ୍ୟାସ ଲେଖିଲାବେଳେ ଜିଲ୍ଲାପାଳ ଋତୁରାଜ ଅନେକ ପ୍ରାମାଣିକ ତଥ୍ୟ ମଧ୍ୟ ଉତଥାପନ କରିଛନ୍ତି । ବିଶ୍ଵାସ ଓ ଅନ୍ଧବିଶ୍ୱାସ ସାଙ୍ଗକୁ କୁଟିଆ କନ୍ଧଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟକୁ ମଧ୍ୟ ସାମ୍ନାକୁ ଆଣିଛନ୍ତି । ସେମାନଙ୍କ ସଂସ୍କୃତି, ପରମ୍ପରା, ଜୀବନର ଧାରାକୁ ଉପନ୍ୟାସ ଜରିଆରେ ସମାଜ ସମ୍ମୁଖରେ ରଖିବାକୁ ଚେଷ୍ଟା କରିଛନ୍ତି । ଉନ୍ମୋଚନ ଉତ୍ସବରେ ଅତିଥିମାନେ ଏଭଳି ଏକ ଉପନ୍ୟାସକୁ ପ୍ରଶଂସା କରିବା ସହିତ ଜିଲ୍ଲାପାଳଙ୍କ ପ୍ରୟାସକୁ ଧନ୍ୟବାଦ ଦେଇଛନ୍ତି । ଏଭଳି ଉପନ୍ୟାସ ପାଠକମାନଙ୍କ ପାଖରେ କେବଳ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବ ତାହା ନୁହେଁ ବରଂ କୁଟିଆ କନ୍ଧ ଜନଜାତି ବର୍ଗର ଜୀବନଧାରା, ସଂସ୍କୃତି, ପରମ୍ପରା ସମ୍ପର୍କରେ ଅନେକ କଥା ଅନେକ ଅବଗତ କରାଇବ ବୋଲି ସେମାନେ କହିଛନ୍ତି ।
କିଭଳି ଭାବରେ ପ୍ରଶାସନିକ ବ୍ୟସ୍ତତା ମଧ୍ୟରେ ମଧ୍ୟ ସମୟ ବାହାର କରି ସେ ସେହି ଜନଜାତି ବର୍ଗର ଲୋକଙ୍କୁ ଭେଟୁଥିଲେ, ସେମାନଙ୍କ ସହିତ ସମୟ ବିତାଉଥିଲେ ଓ ସେମାନଙ୍କ ଜୀବନଧାରାକୁ ବୁଝିବାକୁ ପ୍ରୟାସ କରୁଥିଲେ । ତାଙ୍କ ଦ୍ୱାରା ଲିଖିତ ଉକ୍ତ ଉପନ୍ୟାସଟି ଲେଖକ ଆଦୃତ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି ।
