ଭୁବନେଶ୍ଵର : ଅନୁଗୁଳ ଜିଲ୍ଲା ପାଠାଗାର ଠାରେ ସଂପାଦିକା ଅନୀତା ପାଣିଙ୍କ ସଂପାଦନାରେ ଶ୍ୱେତପଦ୍ମା ଶାରଦୀୟ ବିଶେଷାଙ୍କ ୨୦୨୫ ଉନ୍ମୋଚନ କରାଯାଇଛି । ଉକ୍ତ ସାରସତ୍ଵ ଉତ୍ସବର ଆଦିପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବରେ ସଭାମୁଖ୍ୟ ଡ଼ଃ ଇନ୍ଦିରା ଦାଶ, ବରେଣ୍ୟବକ୍ତା ସଂଗ୍ରାମ କେଶରୀ ପୃଷ୍ଠି ଓ ଦୁଇ ସଂଯୋଜିକା ଯଥାକ୍ରମେ ଡଃ ଗାୟତ୍ରୀ ପ୍ରିୟମ୍ବଦା ଓ କବୟତ୍ରୀ ନିହାରିକା ସାହୁଙ୍କ ସୁମଧୁର ସଂଯୋଜନା କ୍ରମେ କବିତା ଆସର ଅନୁଷ୍ଠିତ ହୋଇ ଯାଇଥିଲା । କବିତାଗୁଡ଼ିକୁ ସମୀକ୍ଷା କରିଥିଲେ ହିମାଂଶୁ ପରିଡ଼ା ତତସହିତ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟଅତିଥି ରୂପେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ମୂଖ୍ୟବକ୍ତା ରୂପେ ଧରଣୀ ଧର ନାଥ ,ସମ୍ମାନିତ ଅତିଥି ରୂପେ କବି ପିନାକୀ ମିଶ୍ର, ସାହିତ୍ୟିକ ତପନ କୁମାର ଶତପଥି, ସଭାମୁଖ୍ୟ ଭାବେ ଡଃ ପ୍ରଶାନ୍ତ କୁମାର ନାଥ ମହୋଦୟ ସୌଜନ୍ୟ ଉପସ୍ଥିତି ଗୌରବ ମଣ୍ଡିତ କରିଥିଲେ ।
ଉତ୍ୟବସରରେ ମୁଖ୍ୟଅତିଥି ପଣ୍ତିତ ଅନ୍ତର୍ଯ୍ୟାମୀ ମିଶ୍ର ସାହିତ୍ୟ ସାଧନାକୁ ବ୍ରହ୍ମସାଧନା କହି ବ୍ୟାଖ୍ୟା କରିଥିଲାବେଳେ ପିନାକୀ ମିଶ୍ର କବି ଓ କବିତାର ଜନ୍ମ ଇତିବୃତି ପ୍ରସଙ୍ଗ ଉପସ୍ଥାପନା କରି ଥିଲେ । ସେହିପରି ପ୍ରାବନ୍ଧିକ ଶତପଥୀ ଧ୍ଵନି ବିଜ୍ଞାନ, କାବ୍ୟଧ୍ଵନି ଉପରେ ସୁଚନା ଦେଇଥିଲାବେଳେ ଡ଼ଃ ନାଥ ରସଗ୍ରାହି ସମ୍ପର୍କିତ ଅଭିମତ ପ୍ରକାଶ କରିଥିଲେ । ପରେପରେ ଗଳ୍ପରେ ଡ. ସୁଷମା ଚୌଧୁରୀ, କବିତାରେ ଶର୍ମିଷ୍ଠା ସାହୁ, ପ୍ରବନ୍ଧରେ କୁମୁଦ ଚନ୍ଦ୍ର ଦାଶ, ବହୁମୁଖି ପ୍ରତିଭାରେ ମାନମୟୀ ରଥ, ରମ୍ୟରଚନାରେ ଓଁ ଅଭିଜ୍ଞାନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବହୁ ସାହିତ୍ୟ ସାଧକଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କବି ତ୍ରିନାଥ ସାହୁ ମଂଚ ପରିଚାଳନା କରିଥିଲାବେଳେ କବି ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।