ସମାଜ ସଂସ୍କାର, ସମାଲୋଚନାଧର୍ମୀ କବିତା ପାଇଁ ସବୁଜକବି ବୈକୁଣ୍ଠନାଥ ସ୍ମରଣୀୟ

ଭୁବନେଶ୍ଵର : ବଡ଼ମ୍ବା ଟେନିସ ପଡ଼ିଆ ସ୍ଥିତ ବୈକୁଣ୍ଠ ସ୍ମୃତି ସଦନ ପରିସରରେ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜନ୍ମମାଟିରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ବୈକୁଣ୍ଠ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୈକୁଣ୍ଠ ସାହିତ୍ୟ ସଂସଦ ସଭାପତି କବି ଜଗନ୍ନାଥ ବାରିକ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟିକ ଡ. ବାବାଜୀ ଚରଣ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଡ. ରଞ୍ଜିତ କୁମାର ପରିଡ଼ା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ବାଗ୍ମୀ ଦୁର୍ଯ୍ୟୋଧନ ବରାଳ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥିମାନେ ସବୁଜକବି ବୈକୁଣ୍ଠନାଥଙ୍କ ଜୀବନଚର୍ଯ୍ୟା ସହ କବିଙ୍କ କୃତି, ଉତ୍ତରାୟଣ ମହାକାବ୍ୟ ଏବଂ ବିଭିନ୍ନ ଭାଷାର ସମାଜ ସଂସ୍କାର ଦିଗରେ ସମାଲୋଚନା ଧର୍ମୀ କବିତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଜଗନ୍ନାଥ ବାରିକଙ୍କ ସ୍ଵରଚିତ କବିତା ପୁସ୍ତକ ‘ଗୋବିନ୍ଦ ଚନ୍ଦ୍ରିକା’ର ଲୋକାର୍ପଣ ଅତିଥିମାନଙ୍କ ଦ୍ଵାରା କରାଯାଇଥିଲା ।

ଏତଦବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ କଳାତୀର୍ଥ ସଙ୍ଗୀତ ଅନୁଷ୍ଠାନର କଣ୍ଠଶିଳ୍ପୀମାନଙ୍କ ଦ୍ଵାରା କବିଙ୍କ କାଳଜୟୀ କବିତା ସମେତ ସ୍ଵାଗତ ବନ୍ଦନା ଗାନ କରାଯାଇଥିଲା । ସାହିତ୍ୟ ଏକାଡ଼େମୀ ଓଡ଼ିଶାର ସହକାରୀ ସଚିବ ସଞ୍ଜୟ କୁମାର ଛୁଆଳସିଂହ ସ୍ଵାଗତ ଭାଷଣ ଦେଇଥିବାବେଳେ ବୈକୁଣ୍ଠ ସାହିତ୍ୟ ସଂସଦର ସମ୍ପାଦକ ଆଇନଜୀବୀ ଗିରିଜା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂସ୍କୃତ ବିଭାଗ ଅଧ୍ୟାପକ ସାରଦାନନ୍ଦ ଦାଶ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୀତା ପ୍ରଚାର ସମିତି ସଭାପତି ସଚ୍ଚିତାନନ୍ଦ ଦାଶ, ପ୍ରଫେସର କୁଳମଣି ବାରିକ, କାଳନ୍ଦୀ ଚନ୍ଦ୍ର ମିଶ୍ର, ଶିକ୍ଷାବିତ ମନମୋହନ ରାଉତ, ସରୋଜକାନ୍ତ ବଳିଆରସିଂହ, ବାଙ୍କୀର ସମ୍ପର୍କ ସାହିତ୍ୟ ଅନୁଷ୍ଠାନ ସମ୍ପାଦକ ରବି ନାରାୟଣ ମଙ୍ଗରାଜ, ସାହିତ୍ୟିକ ବିଦ୍ୟାଧର ଖଟୁଆ, ଶିକ୍ଷାବିତ ସୁଦାମ ସୋଲମାନ ଗୋଚ୍ଛି, ନାରାୟଣ ପାତ୍ର, ପ୍ରଭାକର ମହାପାତ୍ରଙ୍କ ସମେତ ବହୁ ସାହିତ୍ୟିକ ଓ କବି ଯୋଗ ଦେଇଥିଲେ । ବୈକୁଣ୍ଠ ସାହିତ୍ୟ ସଂସଦର ଉପଦେଷ୍ଟା ଅମ୍ବିକା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *