ସୁପ୍ରିୟା ପ୍ରଶାନ୍ତ

ଭାଗ -୩

ସଂଗୀତ ଅଭ୍ୟାସ

ସନ୍ଧ୍ୟା ବେଳକୁ ରମେଶ ଆସି ପହଞ୍ଚିଲା। ବର୍ଷା ଛାଡିଯାଇଥାଏ। ରଥଯାତ୍ରାକୁ ଆଉ ମାସେ ପାଖାପାଖି ବାକି। ଆମର କେତେଗୁଡେ ସଂଗୀତ କାର୍ଯ୍ୟକ୍ରମ ପରକୁ ପର ଅଛି। ସ୍ନାନପୂର୍ଣିମା ଦିନ ଦୂରଦର୍ଶନରେ ସଂଗୀତ ସନ୍ଧ୍ୟାଟିଏ ଅଛି। ସେଥିପାଇଁ ଆମେ ପ୍ରସ୍ତୁତି କରୁଛୁ।  

ଟିକେ ପରେ ରଘୁ ଭାଇନା ଆସି ପହଞ୍ଚିଲେ, ସେ ଆମ ଦଳର ତାନପୁରା ବାଦକ। ସେ ସିନ୍ଥେସାଇଜର ବଜାଇବା କାମ ମଧ୍ୟ ଦରକାର ବେଳେ କରନ୍ତି। ଆମ ଏଇ ଦଳଟି ଆମ ତିନିଜଣଙ୍କୁ ନେଇ ଗଢିଛୁ। ପ୍ରାୟ ସାତ ବର୍ଷ ହେଇଗଲାଣି। ମୁଁ ଏଇ ଭଡା ଘରେ ରହିବା ଦିନୁଁ ଆମେ କିଛି ସଂଗୀତ ସନ୍ଧ୍ୟା ନ ଥିଲେ ଅଭ୍ୟାସ କରୁ। ରଘୁ ଭାଇନା ଅନ୍ୟ ଦୁଇ ଦଳ ସହ ବି କାମ କରନ୍ତି। ତାଙ୍କୁ ଗତ ମାଘରେ ବାଉନ ବର୍ଷ ହେଲା, କିନ୍ତୁ ଦେଖିଲେ ମନେ  ହେବ ଯେମିତି ଚାଳିଶି ପୁରିଲା। ସବୁବେଳେ ମୁଣ୍ଡବାଳ ଓ ନିଶରେ କଳାମରା ହେଇଥିବ। ଗାଢରଙ୍ଗର ସମ୍ବଲପୁରୀ ପଞ୍ଜାବୀ ସାଙ୍ଗକୁ ଧଳା ପାଇଜାମା ତାଙ୍କର ପରିଧାନ। ଆମ ସଂଗୀତ ଜଗତର ସମସ୍ତଙ୍କର ପରିଚିତ, ଆଦରଣୀୟ ରଘୁ ଭାଇନା। ମୋ ପ୍ରତି ତାଙ୍କ ଅହେତୁକ ସ୍ନେହ; ସେଥିପାଇଁ ମୋର କିଛି କାର୍ଯ୍ୟକ୍ରମ ଥିଲେ ଅଭ୍ୟାସ କରିବା ସମୟରେ ଜମା ଢିଲା ମାରନ୍ତିନି, ଆଉ ସବୁ କାମ ପଛରେ ପକାଇ ଆସନ୍ତି। 

“ଭାଇନା ନମସ୍କାର।” ମୁଁ ଓ ରମେଶ ଏକସ୍ୱରରେ ଅଞ୍ଜଳି ମୁଦ୍ରା କରି କହିଲୁ। ସେ “ନମସ୍କାର” “ନମସ୍କାର” କହି ଆସି ଚୌକିରେ ବସିଲେ, ଆଉ ଗୋଟେ ପାନ ଚୋବେଇ ପଚାରିଲେ, “ଆଉ କଣ ଖବର?” 

“ନବରଙ୍ଗପୁରରୁ ଗୋଟେ ଅନୁରୋଧ ଆସିଛି। ଆପଣ ଯିବେ ତ? ଦୂର୍ଗାପୂଜା ବେଳେ।” ରମେଶ ଆଜି ସକାଳର ଏ ଖୁସି ଖବରଟିକୁ ଜଣାଇଲା। 

“ଦୂର୍ଗାପୂଜାରେ? ଧେତ୍, ଏଥର ପିଲେ ଲଗେଇଛନ୍ତି, ଚାଲ, କଲିକତା ବୁଲି ଯିବା, ଦୁର୍ଗାପୂଜା ଦେଖିବା। ମୁଁ ଅବଶ୍ୟ ହଁ ହଁ କହି ଟିକେଟ୍  ଏ ଯାଏଁ କରିନି। ହଉ ଦେଖିବା, ସମୟ ଅଛି।”  ରଘୁ ଭାଇନା ସବୁବେଳେ ଏମିତି, ସବୁ କଥା ଯେମିତି ହଉ ସମ୍ଭାଳି ନିଅନ୍ତି।

ମୁଁ କିଛି ନ କହୁଥିବା ଦେଖି ସେ ପଚାରିଲେ, “କିରେ କଲ୍ୟାଣ, ତୋର କଣ ଆଜି ମୌନବ୍ରତ? କଣ ହେଇଛି କି?”

“ନାଇଁ, କିଛି ନାଇଁ ତ,” ମୁଁ କହିଲି ଯଦିଓ ମୁଁ ଯେ ଶ୍ରୀକୁ ନେଇ ଅନ୍ୟମନସ୍କ ମୁଁ ନିଜେ ବି ବୁଝି ପାରୁଥିଲି। 

ରମେଶ ଅଭ୍ୟାସ ଘରଟିକୁ ପରିଷ୍କାର କରି ମସିଣାଟିଏ ପକେଇ ଦେଲା। ନିଜ ଡୁବି ତବଲା ଆଣି ଠୁକ୍ ଠୁକ୍ କରି ସୁର ପାଇଁ ସଜାଡିଲା । ରଘୁ ଭାଇନା ତାନପୁରା କାଢି ବସିଲେ। ମୁଁ ହାରମୋନିଅମଟି ଖୋଲି ତା ଉପରେ ଆଙ୍ଗୁଳି ଚଳେଇଲି। ସ୍ନାନଯାତ୍ରା ପାଇଁ ତିନିଟି ଭଜନ ଗାଇବାକୁ ଦୂରଦର୍ଶନରୁ ଅନୁରୋଧ ଅଛି। ଅଧଘଣ୍ଟିଆ ସଂଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା ସାତଟା ବେଳର ମୁଖ୍ୟ ସମାଚାର ପୂର୍ବରୁ ସିଧା ପ୍ରସାରଣ ହେବ। 

ମୁଁ ସୁର ତୋଳିଲି। 

“ଥକା ମନ ଚାଲ ଯିବା, ଚକା ନୟନ ଦେଖିବା

ଶଂଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା…”

କିଛି କ୍ଷଣ ଭିତରେ ରଘୁ ଭାଇନା, ରମେଶ ଓ ମୁଁ  ନିଜ ନିଜ ବାଦ୍ୟଯନ୍ତ୍ରକୁ ନେଇ ମଜ୍ଜିଗଲୁ। ସଂଗୀତର କାଉଁରୀ ସ୍ପର୍ଶରେ ବାହାର ଜଗତ ଯେମିତି ଉଭେଇ ଗଲା। ମନେ ହେଲା ଏଇ ସଂଗୀତର ମୂର୍ଚ୍ଛନା ଆମକୁ ବେଢେଇ ରହିଛି, ଆମକୁ ସୁରକ୍ଷା ଦେଉଛି ସଂସାରର ଯେତେ ନିର୍ମମତାଠୁଁ। 

ପ୍ରଯୋଜକ ଦେବେନ୍ଦ୍ର ରଥ ମୋତେ କେତୋଟି  ଲୋକପ୍ରିୟ ଭଜନ ଗାଇବାକୁ କହିଥିଲେ। ସେ ମୋତେ “ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି” ଗାଇବାକୁ ବିଶେଷ ଅନୁରୋଧ କରିଥିଲେ।  ଏଇ ଗୀତଟି ଶ୍ରୀର ଭାରି ପ୍ରିୟ। ମୋତେ ସବୁବେଳେ ଗାଇବାକୁ କହୁଥିଲା। ମୁଁ ଗାଇଲେ ସେ ଏକ ଲୟରେ ଶୁଣିଲା ବେଳେ ଯେମିତି କେଉଁ ଭାବନାରେ ବୁଡିଯାଉଥିଲା।  ଯଦିଓ ଶ୍ରୀ ଓ ମୁଁ ଅଲଗା ହେବାପରେ ମୁଁ ଏ ଗୀତଟି ଗାଇଲା ବେଳେ କିଛି ବି ଅନୁଭବ କରେନା। ହୁଏତ ମୁଁ ଏକବାରେ ପେଷାଦାର ହେଇଯାଇଛି, କୌଣସି ଗୀତ ସହ ଥିବା ସ୍ମୃତି ମୋତେ ଆଦୌ ବିବ୍ରତ କରୁନି। କିମ୍ବା ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବର କ୍ଷମତା ମୁଁ ହରାଇ ବସିଛି। ସେମିତିରେ ବି  ଅନୁଭବହୀନ ବଞ୍ଚିବା ଅର୍ଥ ଜୀବନରେ କମ୍ ଯନ୍ତ୍ରଣା ପାଇବା, ସେ ଗୋଟେ ଦୃଷ୍ଟିରୁ ଭଲ।

ମୁଁ  ହାରମୋନିଅମରେ ସୁର ବଦଳାଇଲି।  ହାରମୋନିଅମ ଉପରେ ମୋ ଗୀତ ଖାତାରେ ଭଜନଟିକୁ କାଢି ଆଖି ପକେଇଲି। ଶ୍ରୀ ହାତ ଲେଖା ସେ ଖାତାଟିରେ ଭଜନଟି  ଗୋଲ ଗୋଲ ଅକ୍ଷରରେ ଲେଖା ହେଇଛି ନୀଳ ରଙ୍ଗର କାଳିରେ। 

“ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି…”

ରମେଶ ମୋ ଗୀତ ସହ ତବଲାରେ ତାଳ ଦେଲା। ରଘୁ ଭାଇନା ତାନପୁରାରେ ଆଙ୍ଗୁଳି ଚଳାଇ ଆଖି ବନ୍ଦ କରି ମୁଣ୍ଡ ହଲଉଥାନ୍ତି। 

“ବଳବନ୍ତ ପ୍ରଭୁ ବୋଲି ବଳେ ମୁହିଁ ଆଶ୍ରା କଲି,

ଦେଖୁଁ ଦେଖୁଁ ଭାସିଗଲି, କେ ଏଥୁଁ କରିବ ପାରି…

ଦିନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି,

ହେଲ କି ନିଷ୍ଠୁର ଚିତ୍ତ ନିଳାଚଳେ ବିଜେ କରି,

ଦୀନବନ୍ଧୁ ଦଇତାରୀ…”

ଗୀତଟି ବୋଲା ସରିଲାରୁ ରମେଶ ଉଠି ରୋଷେଇ ଘରକୁ ଗଲା। ସେ ଇଲେକଟ୍ରୋନିକ୍ କେଟଲୀରେ ପାଣି ପୁରେଇ ଗରମ କଲା। ରଘୁ ଭାଇନା ଉଠି ପାନଛେପ ପକାଇବାକୁ ଗାଧୁଆ ଘରକୁ ଗଲେ। ତାଙ୍କ ଗଳାଧୁଆ ଶବ୍ଦ ଶୁଣା ଯାଉଥାଏ। 

ରମେଶ ତିନିଟା କପରେ ନାଲି ଚା ଆଣି ଥୋଇଲା। ପୁଣି ଯାଇ ଡବା ଅଣ୍ଡାଳି ବିସ୍କୁଟ ଆଉ ଟିକେ ଚୁଡା ଭଜା ବି ଆଣିଲା। ଆମେ ତାକୁ ପାଟିରେ ପକାଇ ଚା ପିଇ ଆମ ସଂଗୀତ ଜଗତର ଗୁଲିକଥା ହେଲୁ। କିଏ କୋଉଠିକି ଯାଉଛି, କାହାକୁ କି ପୁରସ୍କାର ମିଳିଲା, କିଏ କାହାକୁ ଧରିଛି ଏମିତି ସବୁ କଥା। କଳାର ଜଗତ ଖାଲି କଳା ନୁହେଁ, ନାନା ରଙ୍ଗବେରଙ୍ଗର ଚରିତ୍ରଙ୍କୁ ନେଇ ବୈଚିତ୍ରମୟ। ସେ ସବୁ ଚରିତ୍ରଙ୍କ କଥା ହେଲାବେଳେ ମୁଁ ଭାବେ ଯେମିତି ମୁଁ ସେମାନଙ୍କଠୁଁ ଭିନ୍ନ, ସ୍ୱତନ୍ତ୍ର। ହୁଏତ ତାହା ମୋର ନିଜକୁ ନେଇ ମତ, ମୋତେ ଅନ୍ୟମାନେ ଆଦୌ ସେମିତି ଭାବୁ ନଥିବେ। ମୁଁ ଯେମିତି ସେମାନଙ୍କୁ ଦେଖି ଭାବୁଛି—“ଓଃ, କି ବିଚିତ୍ର ପ୍ରାଣୀ ସବୁ, ମନେ ମନେ କଳାକାର”, ସେମାନେ ବି ମୋତେ ନେଇ ହୁଏତ ଠିକ୍ ସେୟା ଭାବୁଥିବେ, “କି ବିଚିତ୍ର ପ୍ରାଣୀଟିଏ ସତେ, ମନେ ମନେ କଳାକାର!”  

ଚା’ ପିଇବା ପରେ ସନ୍ଧ୍ୟାର ଗୁରୁତ୍ୱପୂର୍ଣ୍ଣ ସମୟଟି ଆସିଯାଏ ଯେତେବେଳେ ମୁଁ  ରାଗ ଭୈରବ ଗାଏ। ଏଥିରେ ରମେଶ ଓ ରଘୁ ଭାଇନା ମୋତେ ସହଯୋଗ କରନ୍ତି। କେବଳ ମୋ ଗଳାରେ ଭୈରବ ଶୁଣିବା ପାଇଁ ରଘୁ ଭାଇନା ମୋତେ ସବୁଠୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ସେ ଏଥିପାଇଁ ସମସ୍ତଙ୍କ ଆଗରେ ମୋର ପ୍ରଶଂସା କରିବାରେ କେବେ କାର୍ପଣ୍ୟ କରନ୍ତିନି। ତାଙ୍କ ଭଳି ଗୁଣଗ୍ରାହୀ କଳାକାର ଆଜିକାଲି  ସତରେ ଦୁର୍ଲଭ। ମୋ ବୋଉର ଦେହାନ୍ତ ପରେ ଅସୁସ୍ଥତା କାରଣରୁ ନନା ପ୍ରାୟ ମୋ ସାନ ଭଉଣୀ ପାଖରେ ବାଙ୍ଗାଲୋରରେ ରହୁଥିଲେ। ମୁଁ ଏକୁଟିଆ ରହୁଥିବାରୁ ଅନେକ ସମୟରେ କାମକୁ ନେଇ କିଛି ସମସ୍ୟା ଉପୁଜିଲେ ରଘୁ ଭାଇନାଙ୍କୁ କହିଥାଏ। ସେ  ଅଭିଭାବକର ସ୍ଥାନଟି ସ୍ୱତଃ ନେଇ ଯାଇଥାନ୍ତି। 

ରମେଶ ଚା’ କପ୍, ଥାଳି ନେଇ ଧୋଇବା ସ୍ଥାନରେ ଥୋଇକି ଆସିଲା। 

ଆମେ ତିନିହେଁ ନିଜକୁ ଅଧ ଘଣ୍ଟାର ଅବିରତ ଗାୟନ ପାଇଁ ପ୍ରସ୍ତୁତ କଲୁ। ମୁଁ ଗଳା ଝାଡି  ଆଳାପ ଆରମ୍ଭ କଲି।  ଭୈରବ ଏକତାଳ।  

ଆଜିର ସନ୍ଧ୍ୟାରଅଭ୍ୟାସ ଶେଷ।  ରଘୁ ଭାଇନା ଉଠିଲେ।  ତାଙ୍କର ଆଉ ଦୁଇଟା ଜାଗାରେ ସହଯୋଗ କରିବାକୁ ଅଛି। ରମେଶ ଓ ମୁଁ ଉଠି ତାଙ୍କୁ ବାଟେଇ ଦେଇ ଆସିଲୁ। ରଘୁ ଭାଇନା ପୁରୁଣା ଧଳା ମାରୁତି ସୁଜୁକି ଗାଡି ଚଳେଇ ନିଜର ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଚାଲିଲେ। ଆମେ ଦୁହେଁ ଘର ଭିତରକୁ ଆସିଲୁ। ଭଲ ପାଗ ହେଇଥିଲେ ଆମେ ଟିକେ ଛକ ଆଡେ ଚାଲି ଚାଲି ଯାଇଥାନ୍ତୁ। କିନ୍ତୁ ବର୍ଷା ବନ୍ଦ ହେଲେବି ବାତାବରଣ ଆଦ୍ର। ଥଣ୍ଡାକାଶକୁ ଭୟ। ଗଳା ଧରିଲେ ଅଭ୍ୟାସ ବନ୍ଦ! ଆଗକୁ ପୁଣି ଦୂରଦର୍ଶନ କର୍ଯ୍ୟକ୍ରମ ଅଛି।  

ରମେଶ ପୁଣି ରୋଷେଇ ଘର ଭିତରକୁ ଗଲା। ସେ ମୋ ଘରର କୋଉଠି କଣ ଅଛି ସବୁ ସହ ପରିଚିତ। ସତ କହିବାକୁ ଗଲେ ମୋ ଘରକରଣା କଥା ମୋଠୁଁ ବେଶୀ ସେ ଜାଣେ। ଏଇ ଭଡା ଘରଟି ମୁଁ ଯେବେଠୁ ଆଚାର୍ଯ୍ୟ ବିହାରରେ ନେଇଛି, ସେ ପ୍ରାୟ ପ୍ରତିଦିନ ଆସୁଛି। ସେ ବି ଅଳ୍ପ ଦୂରରେ ରହେ। ଘରେ ତାର ମା’ ବାପା, ବଡଭାଇ ଓ ଭାଉଜ। ଛଅମାସ ତଳେ ତାର ଝିଆରୀଟିଏ ହେଇଛି। ରମେଶ ଘର କାମରେ ତା ମା’ ଓ ଭାଉଜଙ୍କୁ ସାହାଯ୍ୟ କରେ। ମୋର ରାତି ଖାଇବାକୁ ଭାତ ହେଉ, ରୁଟି ହେଉ ସେ କରିଦିଏ। ଆମେ ଦୁଇଜଣ ପ୍ରାୟ ଏକାଠି ଖାଉ। ପୂଜାପର୍ବରେ ସେ ତାଙ୍କ ଘରୁ ପିଠାପଣାବି ମୋ ପାଇଁ ନେଇକି ଆସେ। ରମେଶର ରନ୍ଧାହାତ ଭଲ। ହରଡ ଓ ବୁଟଡାଲିରେ ବୋଈତାଳୁ, ପୋଟଳ, ବାଈଗଣ, ମାଟିଆଳୁ ପକେଇ ଗୁଆଘିଅରେ ଜୀରା ଛୁଙ୍କ ଦେଇ, ଶେଷକୁ ନଡିଆ କୋରା ଦେଇ ସେ ଯୋଉ ଡାଲମା ତିଆରି କରେ, ସତରେ ଦିବ୍ୟ ଡାଲମା। ଯିଏ ତାର ସ୍ୱାଦ ପାଇଛି, ସେ କେବେ ଭୁଲିପାରିନି।

ରମେଶ ଅଟା ଡବାରୁ ଅଟା ଗୋଟେ ବେଲାରେ ଢାଳିଲା। ଲୁଣ ଡବାରୁ ଟିପେ ଲୁଣ ପକାଇ ଗରମ ପାଣି ଢାଳି ଅଟା ଚକଟି ରଖିଲା। ତା ରୁଟି ବେଲା ବି ଦେଖିବା କଥା। ଛୋଟ ଛୋଟ ଗୁଲା କରି ଥରେ ଗୋଟେ ପଟକୁ, ପୁଣି ଓଲଟେଇ ଆଉ ଗୋଟେ ପଟକୁ ବେଲଣା କାଠିରେ ମାଡିଦେବ। ତତକ୍ଷଣାତ୍ ଗୋଲ ଗୋଲ ରୁଟି ବେଲା ହୋଇଯିବ। କିନ୍ତୁ ସେ ଆଗେ ରୁଟି କରେନି। ଅଟା ଚକଟି ଘୋଡେଇ ରଖେ, ଆଉ ପରିବା କଟାରେ ଲାଗିଯାଏ। 

ସେ ଡବା ଝଡାଝଡି କରି ଦେଖିଲା। 

“ଧେତ୍, ଭୁଲିଗଲି। ଡାଲି ସରିଯାଇଛି, ଆସିଲା ବେଳକୁ ଦୋକନରୁ ନେଇଆସିଥାନ୍ତି ହେଲେ! ଆଜି ଆଉ ଡାଲମା ହେଇ ପାରିବନି। ଭାଇ, ଆଜି ଖରାବେଳେ କଣ ଖାଇଲ?”

“ସକାଳେ ତ ଡେରିରେ ଉଠିଲି। ଆମଲେଟ୍ କରି ଖାଇଥିଲି। ଆଉ କିଛି ଖାଇବାକୁ ଇଛା ହେଲାନି। ଗତ କାଲିର ମଟର ତରକାରୀ ଗରମ କରି ମୁଢି ପକେଇ ଖାଇଦେଲି।”

“ମୁଁ ଯାଉଛି ତା ହେଲେ ସାଙ୍ଗେ ସାଙ୍ଗେ ହରଡ ଆଉ ବୁଟ ଜାଇ କିଣି ଆଣେ।” ରମେଶ କହିଲା।

“ନାଁ, ନାଁ, ଯାହା ଅଛି ସେଇଥିରେ କାମ ଚଳେଇ ଦେବା।”

ରମେଶ ପରିବା କାଟିକୁଟି ମିଶାମିଶି ସନ୍ତୁଳାଟେ ବସେଇଲା। ରୁଟି ବେଲି ଦଶଟା ରୁଟି କଲା। ରୋଷେଇ ସରିଲା। ଆମେ ଦୁହେଁ ଖାଇ ବସିଲୁ।  ମୋ ଜୀବନରେ ଏଇ ସାନଭାଇଟି ଯେ ଜୁଟିଛି, କେଡେ ଭାଗ୍ୟର କଥା!

ରମେଶ ଯିବା ପରେ ମୁଁ କବାଟ ବନ୍ଦ କରି ମୋ ଶୋଇବା ଘରକୁ ଫେରିଲି। କାମ ନ ଥିଲେ ଖଟରେ ଶୋଇ ଶୋଇ ମୁଁ  ଗୀତ ଶୁଣେ। ଏଇ ବର୍ଷା ରାତିରେ ଭୀମସେନ ଯୋଶୀଙ୍କ ଗଳାରେ ରାଗ ମଲହାର ଶୁଣିବାକୁ ଭାରି ମନହେଲା ।

ଗରଜେ ଘଟ ଘନ କରେ କି କରି…

ଧୀରେ ଧୀରେ ମଲହାର ମୋ ଅବଚେତନର କେତେ ଅଜଣା ବନ୍ଦ ଦ୍ୱାରକୁ ଠେଲି ତା ଭିତରେ ଘୂରି ବୁଲିଲା।

(କ୍ରମଶଃ)

ପ୍ରତିମାସ ପ୍ରଥମ ଓ ତୃତୀୟ ଶୁକ୍ରବାରରେ ପଢନ୍ତୁ ବିଶିଷ୍ଟ ଲେଖିକା ତଥା ଅନୁବାଦିକା ସୁପ୍ରିୟା ପ୍ରଶାନ୍ତଙ୍କ ଏହି ନୂତନ ଉପନ୍ୟାସ କେବଳ www.odishasahitya.com ରେ

Related Posts

5 thoughts on “ଅସମାପ୍ତ

Leave a Reply

Your email address will not be published. Required fields are marked *