ପୁରସ୍କୃତ ହେବେ ୨୪ ଭାରତୀୟ ଯୁବ ଲେଖକ
ଭୁବନେଶ୍ଵର : ଆସନ୍ତା ୧୨ ଓ ୧୩ ତାରିଖରେ ଭୁବନେଶ୍ୱର ଠାରେ ସାହିତ୍ୟ ଏକାଡ଼େମୀର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ୧୨ ତାରିଖ ସନ୍ଧ୍ୟା ୫ ଟାରେ ଉତ୍କଳ ବିଶ୍ଵବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆୟୋଜିତ ସମାରୋହରେ ସାହିତ୍ୟ ଏକାଡ଼େମୀ ସ୍ୱୀକୃତି ୨୪ ଟି ଭାରତୀୟ ଭାଷାର ଯୁବ ଲେଖକଙ୍କୁ୨୦୨୪ ବର୍ଷର ଯୁବ ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ କବି ଡ. ମାଧବ କୌଶିକ । ମୁଖ୍ୟ ଅତିଥି ଭାବେ ଇଂରାଜୀ କବି ଜେରି ପିଣ୍ଟୋ ଯୋଗ ଦେବେ । ସଭାରେ ଏକାଡ଼େମୀର ଉପସଭାପତି ପ୍ରଫେସର କୁମୁଦ ଶର୍ମା ସମାପନୀ ବକ୍ତବ୍ୟ ଏବଂ ସଚିବ ଡକ୍ଟର କେ ଶ୍ରୀନିବାସ ରାଓ ସ୍ଵାଗତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ୧୩ ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଭୁବନେଶ୍ଵରର ବୁଦ୍ଧ ମନ୍ଦିର ସଭାଗୃହରେ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପୁରସ୍କାର ଗ୍ରହଣ କରିଥିବା ଯୁବ ଲେଖକ ଲେଖିକାମାନେ ନିଜ ସାରସ୍ଵତ ଅନୁଭୂତି ବାଣ୍ଟିବେ । ଏହି ସମ୍ମିଳନୀରେ ଆଧ୍ୟକ୍ଷତା କରିବେ ସାହିତ୍ୟ ଏକାଡ଼େମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ।
ଓଡ଼ିଆ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ବାଲେଶ୍ଵର ଜିଲ୍ଲାର ଯୁବ ଲେଖକ ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ) ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଭୁବନେଶ୍ୱରରେ ଦ୍ଵିତୀୟ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଯୁବ ପୁରସ୍କାର ସମାରୋହ ଆୟୋଜିତ ହେଉଛି । ଏହି ଉତ୍ସବରେ ଯୋଗ ଦେବା ପାଇଁ ଲେଖକଲେଖିକା ତଥା ସାହିତ୍ୟପ୍ରେମୀମାନଙ୍କୁ ସାହିତ୍ୟ ଏକାଡ଼େମୀ ତରଫରୁ ଅନୁରୋଧ କରାଯାଇଛି ।