ମହେଶ୍ଵର ବିଶ୍ଵାଳ

ଛୁଆବେଳେ କେତେ ଦେଖୁଥିଲୁ ଆମେ
ଆକାଶରେ ଥିଲେ ଆକାଶେ ତାରା
ତାରା ଗଣିଗଣି ଥକି ଯାଉଥିଲୁ
ଖସିଯାନ୍ତି କିଛି ନଦେଇ ଧରା ।

ନାନା ନାମ ନେଇ ତାରା ଖୋଜୁଥିଲୁ
ଦିଗ ଚିହ୍ନୁଥିଲୁ ତାରାକୁ ଦେଖି
ସପ୍ତର୍ଷିମଣ୍ଡଳ ଗଉଡ଼ ଭାରିଆ
ଧ୍ରୁବତାରା ପାଖେ ଅଟକେ ଆଖି ।

ପୁଞ୍ଜିତାରା ଥାଏ ଗେଞ୍ଜିଗେଞ୍ଜି ହୋଇ
ପାହାନ୍ତିତାରା ଯେ ଦିଶଇ ତୋଫା
ଚିହ୍ନାଚିହ୍ନା ତାରା ଧରା ପଡ଼ିଯାନ୍ତି
ଆଖିକୁ ସେମାନେ ଦିଶନ୍ତି ସଫା ।

ଦିଶିଯାଏ ଯେବେ ଲଞ୍ଜାତାରା କେବେ
ଆଖି ପାଏନାହିଁ ଲାଞ୍ଜକୁ ତାର
ନାନା ଉଡ଼ାକଥା କହନ୍ତି ବୁଢ଼ାଏ
ଅମଙ୍ଗଳ ଏବେ ପଶିବ ଘର ।

ଜହ୍ନ ଚାରିପାଖେ ଘେରି ରହିଥାନ୍ତି
କିଏ ମିଞ୍ଜିମିଞ୍ଜି କିଏ ଉଜ୍ଜ୍ୱଳ
ସତେ ସଖୀମାନେ ଜଗି ବସିଛନ୍ତି
ଖେଳିବାକୁ ଧରା ଆଲୋକ ଖେଳ ।

ଆକାଶଟା ସାରା ଛାଇ ଯାଇଥାନ୍ତି
ସତେ କି ଆକାଶେ ଫୁଟିଛି ଛତୁ
ମେଘ ଅନ୍ଧାରରେ ଲୁଚକାଳି ଖେଳ
ତାରା ଦେଖି ଖୁସି ଶରତ ଋତୁ ।

ସଞ୍ଜ ଆକାଶରେ ପୋଖରୀ ହୁଡ଼ାରେ
ସାଙ୍ଗମାନେ ବସି ମାରନ୍ତି ଟେକା
ତାରାମାନେ ସବୁ ପହଁରୁ ଥାଆନ୍ତି
ପୋଖରୀ ପାଣିରେ ହଲିହଲିକା ।

ସେ ଆକାଶେ ଆଜି ମଇଳା ଲାଗିଛି
ଆଖି ପାରେନାହିଁ ଭେଦି ସେ ସ୍ତର
ପରିବେଶ ନଷ୍ଟ ଆକାଶ ବି ତ୍ରସ୍ତ
ପାଠକେ ଭାବନ୍ତୁ ଦୋଷ କାହାର ।

ପୋଖରୀପୁଟ, ଭୁବନେଶ୍ଵର

ଲେଖକ ପରିଚୟ

ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ତର୍କ ଓ ଦର୍ଶନ ଶାସ୍ତ୍ର ବିଷୟରେ ଅଧ୍ୟାପନା କରି ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଅବସର ନେଇଛନ୍ତି । ଓଡ଼ିଆ ସାହିତ୍ୟ ପ୍ରତି ପ୍ରଗାଢ ଆଗ୍ରହ ତାଙ୍କୁ ଗତ ଅଢ଼େଇ ବର୍ଷ ହେବ ବୋଧଗମ୍ୟ ଭାଷାରେ ଓଡ଼ିଆ ଛନ୍ଦ କବିତା ଲେଖିବାକୁ ପ୍ରେରିତ କରିଥିଲା । କବିତା ଲେଖିବା ତାଙ୍କ ପେଶା ନୁହେଁ କି ସେ ଜଣେ ଚିହ୍ନା କବି ମଧ୍ୟ ନୁହନ୍ତି । ମାତ୍ର ଫୁରସତ ମିଳିଲେ କବିତା ଲେଖି, ଓଡ଼ିଆ ସାହିତ୍ୟ ପ୍ରତି ନିଜର ଅବଦାନ ଦେଇ କିଛିଟା ଆତ୍ମସନ୍ତୋଷ ପାଆନ୍ତି ।

Related Posts

Leave a Reply

Your email address will not be published. Required fields are marked *