ଦେବବ୍ରତ ଜେନା
ଗୋଟେ ପାଗଳ କବି
ଏଇଠି ବସିଥିଲା ଟିକେ ଆଗରୁ ।
କହୁଥିଲା ରାତି ଗୋଟେ ନଈ ।
ତା’ ସେପାରିକୁ ନେବାର ଅଛି
ନିଦ
ନିଆଁ
ନକ୍ଷତ୍ର ।
କହୁଥିଲା ମୁଠେ ପୋଡ଼ା ଘାସ ବନ୍ଧା ପକେଇ
ଜହ୍ନରୁ ଆଣିଥିଲା ବୋଲି
କ୍ରମଶଃ ତରଳି ଯାଉଥିବା ତାତି ।
କହୁଥିଲା, ବଡ଼ ମନସ୍ତାପ ଭିତରେ ଅଛି
ଯାହାଠୁ ଯାହା ଆଣିଥିଲା
ସେସବୁ ନଫେରେଇ ପାରିଥିବାରୁ ଏଯାଏ ।
କହୁଥିଲା
ମେଘକୁ ଫେରେଇବାର ଅଛି ବୋଲି
ତୃପ୍ତି
ତୃଷ୍ଣା ।
ହଳେ ଲାଜପିଆ ପାଦକୁ
ଫେରେଇବାର ଅଛି ତା’ ଚପଳତା
ମାଛିଅନ୍ଧାରିଆ ସଞ୍ଜରେ ଦେଉଳ ଭିତରେ
ଦାଉଦାଉ ଜଳୁଥିବା ଠାକୁରାଣୀକୁ
ଫେରେଇ ଦେବାର ଅଛି କାଳେ ତା ଭାଗ୍ୟ ।
କହୁଥିଲା,
ରାତିକୁ ଫେରେଇବାର ଅଛି
ତା ନିଟୋଳ ନୀରବତା ଅକ୍ଷତ ।
ଭୋରକୁ ତା’ ପାପହୀନ କୁଆଁରୀ ପବନ ।
କହୁଥିଲା ତ
କାହାକୁ କଣ କଣ ଦେବାର ଅଛି
ଟିପି ରଖିଛି କୁହୁଡ଼ି ଖାତାରେ,
ଯାହାର ପ୍ରଥମ ପୃଷ୍ଠା ଲିଭିଯାଏ
ସେ ଯେବେ ଆଖିର ଲୁହକୁ
ଟିପରେ ମାରି ଓଲଟାଏ ଦ୍ଵିତୀୟ ପୃଷ୍ଠା ।
ଭାରି କଷ୍ଟ କାଳେ
ଏମିତି ଗୋଟେ ଟିପାଖାତା ସମ୍ଭାଳି ରଖିବା ।
ଗଲାବେଳେ କହିଗଲା
“ହଁ ଆଉ କେତେଟା ଦିନ କି ?
ଯାହାଠୁ ଯାହା ଆଣିଥିଲି
ସବୁ ସୁଝି ଦେବି କିସ୍ତିରେ
କବିତା ଲେଖି ।
ତା’ପରେ ମୁଁ କିଏ ନା ମୋ ଋଣ କିଏ
କେହି ତ ଜଣେ ଆସିବ ମୋ ପରେ
ହିସାବ କରିବ … ଆଉ କହିବ
ନା … ସବୁ ସୁଝି ଦେଇ ଯାଇଛି
କିଛି ଆଉ ବାକି ନାହିଁ ତା’ ଉପରେ”
କୁଆଡ଼େ ଗଲା କେଜାଣି ସେ ପାଗଳ କବି ?
ଏଇଠି ତ ବସିଥିଲା ଟିକେ ଆଗରୁ ।
ସୁନ୍ଦରପଦା, ଭୁବନେଶ୍ୱର
ଲେଖକ ପରିଚୟ
ଲେଖାଲେଖି ସ୍କୁଲ ସମୟରୁ । ପ୍ରଥମେ ସ୍କୁଲ ଆଉ କଲେଜ ପତ୍ରିକା, ତାପରେ ବିଭିନ୍ନ ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଓ ପତ୍ରିକାରେ ଲେଖା ପ୍ରକାଶ । ତେବେ ବିଧିବଦ୍ଧ ଭାବେ ଲେଖାଲେଖି ୧୯୯୬ ରୁ । ଏଯାବତ ଦୁଇଟି କବିତା ସଂକଳନ ‘ଖରାପ ପିଲାର ପ୍ରେମ କବିତା’, ‘ଏଡ଼ୱାର୍ଡର ମୁହଁ’ ପାଠକାର୍ପଣ ହୋଇଛି । ଯେମିତି ସଙ୍ଗୀତ ମୋତେ ଖୁସି ଦିଏ ମୋତେ ଉଖୁରାଏ, ସେମିତି ସାହିତ୍ୟ ବି ମୋତେ ଖୁସି ଦିଏ । ମୋ ଖୁସି ପାଇଁ, ମୋତେ ଭଲ ଲାଗୁଚି ବୋଲି ସାହିତ୍ୟରେ ମୁଁ ଅଛି ।