ହିମାଂଶୁ ପରିଡ଼ା
କିଛି କୁହ ନାହିଁ
କହିବା ବି ଦରକାର ନାହିଁ
କିଛି ନୂଆନୂଆ ରୂପ ବେଶ ନେଇ
ଆସିବା ବି ଲୋଡ଼ା ନାହିଁ
ତୁମେ ଯେମିତି, ସେମିତି ହିଁ ମୋ ପାଇଁ ଯଥେଷ୍ଟ ।
ପିନ୍ଧି ପିନ୍ଧି ପାରୁ ଉଠେଇଦେବା ପୋଷାକ
କି କହିକହି ଅଥର୍ବ ହୋଇଯାଇଥିବା ଶବ୍ଦ
କିଛି ଇଛା ନାହିଁ ମୋର
ସେମିତି ହିଁ ନିରବ ରହ
ଯେମିତି ଅଛ ସେମିତି ଥାଅ
ଆଞ୍ଚ ହୋଇ କୁହୁଳୁ ଥାଅ
କି ନିଆଁ ହୋଇ ଜଳ
କି କଡ଼କଡ଼ ବରଫ ହୋଇ ଶକ୍ତ ଜମାଟ ବାନ୍ଧି ଯାଅ
ଆକାଶକୁ ଅନାଅ
କି ମୋ ଆଡ଼େ ଚାହଁ
କି ସ୍ଥିର ଦୃଷ୍ଟିରେ
ସାରା ଦୃଶ୍ୟକୁ ଚଳୁ କରୁଥାଅ
କିଛିରେ ଫରକ ନାହିଁ
ତୁମ ରୂପ ଦର୍ଶନ ହିଁ ଯଥେଷ୍ଟ ।
ତୁମର ହଲଚଲ
କି ବିବ୍ରତ ହେବାର ଚାଲ
ନିଜକୁ ଠିକ ରୂପେ ପ୍ରସ୍ତୁତ କରିପାରୁନ ବୋଲି
ନିଜ ଭିତରେ ବିବଶତା, ଲାଚାରପଣ
କିଛି ଲୋଡ଼ା ନାହିଁ ମୋର
ତୁମେ ଚୁପଚାପ ରହ
ଟିକେ ବି ହଲଚଲ ହୁଅ ନାହିଁ
ମୋ ଧ୍ୟାନ ଭାଙ୍ଗିବାରେ
ମୋ ଦୃଷ୍ଟି ଭ୍ରମରେ
କାଳେ ତୁମେ ଚହଲି ଯିବ
ଇଡ଼ିଯିବ କି ଢଳିଯିବ ।
ତୁମେ ପ୍ରତିବିମ୍ବ କି ପ୍ରତିଛାୟା
ତରଳ କି ଗାଢ
ଏକ ନିର୍ଦ୍ଦିଷ୍ଟ ଆକାରରେ ବନ୍ଧିତବଦ୍ଧ
ନା ସଦା ପରିବର୍ତ୍ତିତ
ମୋର ତ ଏ ପର୍ଯ୍ୟନ୍ତ ନାହିଁ ଅନୁଭବ !
ମୁଁ ଆଙ୍କୁଚି ମୋ ମନ ଭିତରେ
ତୁମର ସବୁଠୁ ଶ୍ରେଷ୍ଠ ରୂପ
ଓଠରେ ଗାଢ ବିମ୍ବ ଫଳ
ଆଖିରେ ନିଦର ପୂର୍ବାଭାସ
ଦେହରେ ଫୁଟିବାର ଉଲ୍ଲାସ
ସବୁ ଧୀରେଧୀରେ ସଞ୍ଚରିତ
ହେଉଛି ମୋ ଭିତର
ମୋ ରାଣ,
ହଲଚଲ ହୁଅନି
ମୁଁ ଆଙ୍କୁଛି ମୋର ଶ୍ରେଷ୍ଠତମ କଳାକୃତି
ମୋର ସୌନ୍ଦର୍ଯ୍ୟଭାବର ଚରମ ମୂହୁର୍ତ୍ତ ।
ସିଡ଼ିଏ, କଟକ, ମୋ – ୯୪୩୭୨୧୨୮୯୦
ଲେଖକ ପରିଚୟ
ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପରେ ଇଂରାଜୀ ଅଧ୍ୟାପକ ଭାବେ ଯୋଗ ଦାନ । ହେଲେ ଓଡ଼ିଆ ସାହିତ୍ୟ ପ୍ରତି ଦୁର୍ବଳତା । ଏଯାବତ ୬ ଖଣ୍ଡ କବିତା ସଂକଳନ, ୨ ଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ସାହିତ୍ୟ ସମାଲୋଚନାରେ ଏକ ଉଲ୍ଲେଖନୀୟ ବ୍ୟକ୍ତିତ୍ଵ ଭାବେ ଜଣାଶୁଣା । କାବ୍ୟଚର୍ଚ୍ଚା, ମେଟାଫର୍ ତଥା ‘ପାଶ୍ଚାତ୍ୟ ସାହିତ୍ୟକୁ ବିଚାର ମୋହ ‘ ପାଇଁ ସୁବିଦିତ। ସହଧର୍ମିଣୀ ସଂଘମିତ୍ରା ପ୍ରେରଣା ତାଙ୍କ ସାହିତ୍ୟ କୃତିର । ଆଗାମୀ ସମୟରେ ଓଡ଼ିଆ କବିତାର ଗଠନ ଓ ମାନ ନିର୍ଣ୍ଣୟ ଉପରେ କାର୍ଯ୍ୟରତ ସେ ।