ବହି: ହୋୟାର ପିପୁଲ ମ୍ୟାଟର: ସିକ୍ସଟି ଇୟର୍ସ ଅଫ୍ ଲୋକସେବା ଭବନ
ଅବଧାରଣା ଓ ସଂପାଦନା: ସୁକାନ୍ତ କୁମାର ପଣ୍ଡା
ଲେଖକ: ଅମରଜ୍ୟୋତି ମହାପାତ୍ର
ପ୍ରକାଶକ: ପିଆରଏସଆଇ, ଭୂବନେଶ୍ୱର
ଡିଜାଇନ: ଜ୍ୟୋତି ରଞ୍ଜନ ସ୍ୱାଇଁ
ଫଟୋ: ରାଜୁ ସିଂ ଏବଂ ସଞ୍ଜୀବ ମୁଖାର୍ଜୀ
ଏହି ଚିତ୍ରିତ ବହିଟି (ଏ ଧରଣର ବହିକୁ କଫି-ଟେବୁଲ୍ ବୁକ୍ କୁହାଯାଏ) ଲୋକସେବା ଭବନ ୬୦ ବର୍ଷର ଇତିହାସର ଏକ ଦଲିଲ୍ । ଲେଖା, ଐତିହାସିକ ଦସ୍ତାବିଜ୍ ଏବଂ ଫଟୋ ମାଧ୍ୟମରେ ଏ ଭବନର ଇତିହାସକୁ ମୂର୍ତ୍ତ କରାଯାଇଛି ଏ ବହିଟିରେ । ତା ସହିତ ସଚିବାଳୟର ଇତିହାସର ଏକ ସଂକ୍ଷିପ୍ତ ରୂପରେଖ ମଧ୍ୟ ଦିଆଯାଇଛି ।
ଲୋକସେବା ଭବନର ପୂର୍ବ ନାଁ ଥିଲା ସଚିବାଳୟ । ୨୦୧୯ ଜୁଲାଇ ୨୯ ତାରିଖରେ ଏହାର ନୂଆ ନାମକରଣ କରାଗଲା । ଏ ପରିବର୍ତ୍ତନର ଅବଧାରଣା ହେଲା: ସଚିବାଳୟ ଭବନଟିକୁ ରାଜ୍ୟର ଶକ୍ତିକେନ୍ଦ୍ର ଭାବେ ବିଚାର କରାଯାଏ । ତେବେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରକୃତ କ୍ଷମତା ରହିଛି ଲୋକଙ୍କ ପାଖରେ । ଆଉ ପ୍ରଶାସନର କାମ ହେଲା ଲୋକଙ୍କର ସେବା । ଏଇ ଧାରଣାକୁ ରେଖାଙ୍କିତ କରିବା ପାଇଁ ଭବନର ନାମ ପରିବର୍ତ୍ତନ କରାଗଲା ।
ଏ ଭବନ ନିର୍ମାଣ ପଛରେ ଏକ ଲମ୍ବା ଇତିହାସ ରହିଛି । ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେଲା ୧୯୩୬ରେ । ବିଧାନସଭା (ଲେଜିସଲେଟିଭ ଆସେମବ୍ଳି) ତିଆରି ହେଲା ୧୯୩୭ରେ । ୧୯୪୫ ବେଳକୁ ଚିନ୍ତା କରାଗଲା ଯେ ଓଡ଼ିଶାର ଗୋଟେ ନୂଆ ରାଜଧାନୀ ଦରକାର । ଏଥିପାଇଁ ସୃଷ୍ଟିହେବ । ଜେ ଏଲ ଭାଜଙ୍କୁ ୧୯୪୫ରେ ଏହାର ଆର୍କିଟେକ୍ଟ ଭାବେ ନିଯୁକ୍ତ କରାଗଲା । ୧୯୪୬ରେ ଭୁବନେଶ୍ୱରରେ ରାଜଧାନୀ ହେବ ବୋଲି ସ୍ଥିର ହେଲା । ସେକ୍ରେଟେରିଏଟ ଏବଂ ବିଭିନ୍ନ ବିଭାଗର ଭବନ ତିଆରି ପାଇଁ ୨୪ ଲକ୍ଷ ଟଙ୍କାର ଆକଳନ କଲେ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ ୧୯୪୬ରେ । ୧୯୪୮ରେ ଭୁବନେଶ୍ୱରର ମାଷ୍ଟରପ୍ଲାନ୍ ତିଆରି କଲେ ଜର୍ମାନର ଆର୍କିଟେକ୍ଟ ଓଟୋ ଅନିକସବର୍ଜର । ସେହି ବର୍ଷ ଭୁବନେଶ୍ୱରର ମାଷ୍ଟର ପ୍ଲାନ୍ର ଶିଳାନ୍ୟାସ ହେଲା । ସଚିବାଳୟ ଭବନର ଶିଳାନ୍ୟାସ କରାଗଲା ୧୯୫୬ରେ । ତିନିବର୍ଷ ଲାଗିଲା ତାର ପ୍ରଥମ ବିଲ୍ଡିଂ ତିଆରି କରିବା ପାଇଁ । ୧୯୫୯ରେ ପ୍ରଥମ ଭବନର ଉନ୍ମୋଚନ ହେଲା । କ୍ରମଶଃ ସଚିବାଳୟ କମ୍ପ୍ଲେକ୍ସ୍ ଭିତରେ ଅନ୍ୟାନ୍ୟ ଭବନମାନ ତିଆରି ହେଲା । ୧୯୯୫ରେ ନର୍ଥ ଏବଂ ସାଉଥ ଟାୱାର ତିଆରି ହେଲା । ପରେ ପରେ ଅନ୍ୟାନ୍ୟ ଭବନମାନ ।
୨୦୧୯ ଜୁଲାଇ ୨୯ରେ ଏହାର ନୂତନ ନାମକରଣ କରାଗଲା ଲୋକସେବା ଭବନ । ଲୋକସେବା ଭବନ କମ୍ପେ୍ଲକ୍ସର ଆକାର ହେଉଛି ୨୬ ଏକର । ଲୋକସେବା ଭବନରେ ୧୪୪୦ରୁ ଅଧିକ ରୁମ୍ ଅଛି । ଏହାର ଉଚ୍ଚତା ହାଇଏଷ୍ଟ ପଏଣ୍ଟ୍ରେ ୭୦ଫୁଟ୍ । ଏହାର ଯେତିକି କରିଡର ଅଛି ତାହାର ଲମ୍ବ ପ୍ରାୟ ୮୮୦ ଫୁଟ୍ । ପଚାଶ ହଜାର ବର୍ଗ ମିଟର ଜାଗାରେ ଏ ଭବନ ରହିଛି । ଚଟାଣରୁ ସିଲିଂ ପର୍ଯ୍ୟନ୍ତ ଏହାର ଉଚ୍ଚତା ତଳ ମହଲାରେ ରହିଛି ୧୬ ଫୁଟ୍ ଏବଂ ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଏହା ୧୩ ଫୁଟ ୬ ଇଞ୍ଚ । ଏମିତି ଉଚ୍ଚା ସିଲିଂ କରିବାର ଉଦ୍ଦେଶ୍ୟ ଥିଲାଯେ ଗ୍ରୀଷ୍ମପ୍ରବଣ ଭୁବନେଶ୍ୱରରେ ରୁମ୍ ଗୁଡିକୁ ଖରା ମାସରେ ଥଣ୍ଡା ରଖିବା । ପ୍ରଥମେ ଏହାର ଚଟାଣ ଥିଲା କୃତ୍ରିମ ପଥର ଆଉ ମୋଜାଇକରେ କିନ୍ତୁ ୨୦୦୦ରୁ ୨୦୦୭ ଭିତରେ ସେଥିରେ ଭିଟ୍ରିଫାଇଡ୍ ଟାଇଲ୍ ବସାଗଲା ।
ଏହା ଯେତେବେଳେ ଆରମ୍ଭ ହେଲା ତା ପରଠୁ ଲୋକସେଭା ଭବନର କମ୍ପେ୍ଲକ୍ସରେ ଧିରେ ଧିରେ ଭବନ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ୧୩ଟି ବିଲ୍ଡିଂ ଏହା ଭିତରେ ଅଛି ।
ଏ ଭବନଟିରେ କାମ କରିବାପାଇଁ ଯେମିତି ପରିବେଶ ତିଆରି କରାଯାଇଛି, ସେମିତି ଏହା ଭିତରେ ଅନେକ କଳାକୃତି ମଧ୍ୟ ରଖାଯାଇଛି । ଏହା ଭିତରେ ଅନେକ ଗୁଡ଼ିଏ ଜାଗାର ଐତିହାସିକ ଗୁରୁତ୍ୱ ରହିଛି । ଏହାର ତୃତୀୟ ତାଲା ବର୍ତ୍ତମାନ (ଯେଉଁଠି ମୁଖ୍ୟମନ୍ତ୍ରୀଙ୍କର ଅଫିସ୍), ସେଟା ପ୍ରକୃତରେ ରାଜ୍ୟପାଳଙ୍କ ଅଫିସ ହେବାପାଇଁ ଠିକ୍ ହୋଇଥିଲା । କିନ୍ତୁ ନିୟୁ ସେକ୍ରେଟେରିଏଟ ଯେତେବେଳେ କମ୍ପ୍ଲିଟ୍ ହୋଇଗଲା ସେତେବେଳେ ଗଭର୍ଣ୍ଣରଙ୍କ ଅଫିସ ତାଙ୍କ ବାସଭବନ ରାଜଭବନକୁ ଚାଲିଗଲା । ଆଉ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଚାଲିଆସିଲା ତିନିତାଲାକୁ । ତିନିତାଲାରେ ଗୋଟେ କନଫରେନସ ହଲ ବି ଅଛି, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ରକମର ମିଟିଂ କରନ୍ତି ।
ଏ ପୁସ୍ତକରେ ଅନେକ ତଥ୍ୟକୁ ନଥିଭୁକ୍ତ କରି ରଖାଯାଇଛି ଯେଉଁଟା ଏ ପୁସ୍ତକର ଏକ ବଡ ସଂପଦ । ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାଠୁ ୧୯୩୬ରୁ ଓଡିଶାର ଚିଫ୍ ସେକ୍ରେଟାରୀମାନଙ୍କ ତାଲିକା- ଏଥିରେ ଦିଆଯାଇଛି । ଅନେକେ ହୁଏତ ଜାଣିନଥିବେ ଯେ ଓଡ଼ିଶାର ପ୍ରଥମ ଚିଫ୍ ସେକେ୍୍ରଟାରୀ ଥିଲେ ପି ଟି ମ୍ୟାନସଫିଲଡ୍ ତାଙ୍କ ପରେ ବେଶ୍ କେତେଜଣ ବ୍ରିଟିଶ୍ ଲୋକ ଚିଫ୍ ସେକ୍ରେଟାରୀ ଥିଲେ । ପ୍ରଥମ ଭାରତୀୟ ଚିଫ୍ ସେକ୍ରେଟାରୀ ହେଲେ ବି ସି ମୁଖାର୍ଜୀ ୧୯୪୮, ୫ ଡିସେମ୍ବରରେ ।
ଏଥିରେ ଆହୁରି ଅନେକ ରୋଚକ ତଥ୍ୟ ଅଛି । ଅନେକେ ହୁଏତ ଜାଣିନଥିବେ ଯେ ଓଡ଼ିଶା ସେକ୍ରେଟେରିଏଟକୁ କିଛି ସମୟ ପାଇଁ ସମ୍ବଲପୁରକ ଉଠେଇ ନିଆଯାଇଥିଲା ।
ଏ ପୁସ୍ତକଟିର ପ୍ରଡକ୍ସନ୍ ଖୁବ ଭଲ । ଲେଖା, ଛବି ତ ଭଲ । ମୁଦ୍ରଣ, ବନ୍ଧେଇ ବି ଖୁବ ଭଲ । ଲୋକସେବା ଭବନର ନଥିଭୁକ୍ତ ଇତିହାସ ଭାବରେ ଏ ପୁସ୍ତକର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ।
++