ବେବିନା ରଥ
କେଉଁ ଆଲୋକର ମୋହରେ
ଜୀବନର ସହରକୁ
ଆକସ୍ମିକ ପଶିଆସେ ଅନ୍ଧାରର ନଈ
ତାସ୍ ଘର ଭଳି ଭୁଶୁଡି ପଡ଼େ
ଛାତି ଭିତରର ଇମାରତ
ଯେଉଁ ଇମାରତ ଗଢିଥିଲୁ ଆମେ
ପୂର୍ବଜଙ୍କ ରକ୍ତ ଓ ସ୍ୱେଦରେ ।
ମଦଭାଟିରେ ମୁହ୍ୟମାନ ମାନବିକତା
ନିଶାଗ୍ରସ୍ତ ହୋଇ ଦେଖୁଥାଏ ସ୍ୱପ୍ନ-
କେଉଁ ଏକ ଅମରାବତୀର,
ଯେଉଁ କଳ୍ପିତ ଅମରାବତୀ ଚିତ୍ରିତ
ହେଉଥାଏ ଭୂତଳରେ ଥିବା
ସନ୍ଥ ସରୀସୃପଙ୍କ ଦ୍ୱାରା ।
ସେ କେଉଁ ଆଲୋକ
ଯାହା କଳ୍ପଲୋକରୁ ବାସ୍ତବକୁ ଆସେ
ବିଭତ୍ସ ଅଗ୍ନିଶିଖାର ରୂପ ନେଇ ?
ସେ କେଉଁ ଆଲୋକର ମୋହ
ଯାହା ସ୍ତିମିତ କରିଦିଏ
ଆକାଶର ସୂର୍ଯ୍ୟ ଚନ୍ଦ୍ର ତାରାଙ୍କ ଜ୍ୟୋତିକୁ
ବିଭୀଷିକାର ଦାବାନଳରେ ?
ସେ ଆଲୋକ କଣ
କିଛି ଚତୁର ଅନ୍ଧଲୋକଙ୍କ ପରିକଳ୍ପନା ?
ନା କେଉଁ ଅସହାୟ ଈଶ୍ୱରଙ୍କ ଦୀର୍ଘଶ୍ୱାସରୁ ଜାତ
ଏକ ଅଭିଶାପର ଅଗ୍ନି ?
ସେ କେଉଁ କଳ୍ପିତ ଆଲୋକର ମୋହରେ
ଅହରହ ନିର୍ବାପିତ ହେଉଥାଏ
ବାସ୍ତବ ଜୀବନର ଆଲୋକ
ଉତ୍ତର ଖୋଜିଲେ ମିଳେନା …
ସେଦିନ ପୁଲୱାମାର ରାସ୍ତାରେ
ରଦ୍ଦି ଗୋଟାଳି ଭଳି ବୁଲୁଥିଲା ମୃତ୍ୟୁ
କାନ୍ଧରେ ବସ୍ତା ଝୁଲାଇ
ଗୋଟେଇ ନେଉଥିଲା କଟାହାତ
ବିକ୍ଷିପ୍ତ ଛିନ୍ନ ଦେହ ।
ବିଷ୍ଫୋରକର ଆଲୋକରେ
ଅନ୍ଧ ହୋଇଥିବା ରକ୍ତାକ୍ତ ଅନ୍ଧାର
ଚାଲୁଥିଲା ଲାଠି ଧରି
ପ୍ରଶ୍ନ ଶୁଣି ହସିଲା ସେ
କହିଲା ଯିଏ ପ୍ରଶ୍ନ କରିବା କଥା
ତାକୁ ପୁଣି ଉତ୍ତର ମାଗୁଛ ?
ଭି.ଏସ୍. ଏସ୍. ନଗର, ଭୁବନେଶ୍ୱର
ଲେଖକ ପରିଚୟ
ସ୍କୁଲରେ ପଢିଲା ବେଳଠୁ ଲେଖାଲେଖି ଆରମ୍ଭ । କିନ୍ତୁ ବାହାଘର ପରେ କିଛି ବର୍ଷ ପାଇଁ ସ୍ଥଗିତ ରହିଲା ଓ ପୁଣି ଏଇ ପ୍ରାୟ ୧୦ ବର୍ଷ ହେବ ଆରମ୍ଭ ହେଲା ଲେଖାଲେଖି । କିନ୍ତୁ ସକ୍ରିୟତା ମାତ୍ର ଚାରି ପାଞ୍ଚର । ବର୍ତ୍ତମାନ “ଖରାର ବୟସ ଯେବେ କମି କମି ଆସେ” ଶୀର୍ଷକରେ କବିତା ସଂକଳନଟିଏ ପ୍ରକାଶିତ ହେବା ଅପେକ୍ଷାରେ ।
ଖୁବ ସୁନ୍ଦର ଲେଖିଛନ୍ତି mam…