ତାରାପ୍ରସାଦ ଜେନା
ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କ ନାହିଁ ଫୁଙ୍କ ନାହିଁ
ଦାଉଦାଉ ହୋଇ ଜଳିଗଲା ଯେବେ
ପାରିବନି ଧାସେ ରହି
………ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କ ନାହିଁ ଫୁଙ୍କ ନାହିଁ ।୦।
ଉଜ୍ଜ୍ୱଳ ମୁହଁକୁ ଧୂଆଁରେ କାଳିଆ
କରିଦେବ ତୁମେ ବେଶି
ଆଖିର କଜ୍ଜଳ ବତୁରି ପଡ଼ିବ
ଆଖି ହୋଇଯିବ ନେସି
ଅଧା କାନ୍ଦ କାନ୍ଦ କାଶଟା ଉଠିବ
ପାରିବନି ଜମା ସହି
………ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କ ନାହିଁ ଫୁଙ୍କ ନାହିଁ ।୧।
ଆଲୁରି ବାଳଟା ଖେଳେଇ ପଡ଼ିବ
କଳା ଲାଗିଯିବ ହାତେ
ରନ୍ଧା ତୁଣ ପୁଣି ଧୂଆଁ ପଶିଯିବ
ଶୁଣିବାକୁ ଗାଳି କେତେ
ଆଖି ପୋଛୁପୋଛୁ ଫୁଙ୍କ ନଳୀଟାକୁ
ବାଡ଼େଇବ ରାଗେ ଭୂଇଁ
………ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କ ନାହିଁ ଫୁଙ୍କ ନାହିଁ ।୨।
ନିଆଁଲଗା ଏଇ ଜୀବନଟା ସତେ
ଧୂଆଁ ନିଆଁ ବଡ଼ ଖେଳ
ତା’ଭିତରେ ପୁଣି ସ୍ନେହ ଶରଧାର
ଘଟିଥାଏ କେଡ଼େ ମେଳ
ବାହାରି ଯିବାକୁ କୁଆଡ଼େ ହେଉନି
ନିଜ ଘର ସୁଖ ଚାହିଁ
………ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କ ନାହିଁ ଫୁଙ୍କ ନାହିଁ ।୩।
ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ୭୫୨୦୨୬, ଦୂରଭାଷ-୯୩୪୮୦୫୪୩୦୦
ଲେଖକ ପରିଚୟ
ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !
ତାରାପ୍ରସାଦ ଜେନାଙ୍କ କବିତାଟି ଭଲ ଲାଗିଲା । ଲେଖକ ବନ୍ଧୁଙ୍କୁ ଅନେକ ଶୁଭେଚ୍ଛା ।