ବାଂଲା ଦେଶର ଅର୍ଦ୍ଧ ଶତାବ୍ଦୀ: ଅର୍ଦ୍ଧ ଶତାବ୍ଦୀର ଗଳ୍ପ

ପୁସ୍ତକ: ଦି ଡେମୋନେସ୍‍: ଦି ବେଷ୍ଟ୍‍ ବାଂଲାଦେଶୀ ଷ୍ଟୋରିଜ୍‍ ୧୯୭୧-୨୦୨୧ (ଅସୁରୁଣୀ: ବାଂଲାଦେଶର ଶ୍ରେଷ୍ଠ ଗଳ୍ପ ୧୯୭୧-୨୦୨୧)
ଭାଷା: ଇଂରାଜୀ
ସମ୍ପାଦକ: ନିଆଜ୍‍ ଜମାନ
ପ୍ରକାଶକ: ଆଲେଫ୍‍


ଏବର୍ଷ ୨୦୨୧ରେ ସ୍ୱାଧୀନ ବାଂଲା ଦେଶର ଅର୍ଦ୍ଧ ଶତାବ୍ଦୀ ପୁରୁଛି । ସେହି ଅବସରରେ ପ୍ରସିଦ୍ଧ ଅନୁବାଦିକା ତଥା ସାହିତ୍ୟିକା ନିଆଜ ଜମାନ ବାଂଲାଦେଶର ପ୍ରତିନିଧି ସ୍ତରୀୟ ଏକ ଗଳ୍ପ ସଂକଳନ ପ୍ରକାଶ କରିଛନ୍ତି । ଏଥିରେ ୨୭ଟି ଗଳ୍ପ ରହଛି । ଗଳ୍ପ ଗୁଡ଼ିକ ବାଂଲା ଦେଶର ଇତିହାସ, ସଂସ୍କୃତି ଓ ସମାଜ ଜୀବନ ଆଧାରିତ ।
ଦି ଡେମୋନେସ୍‍ (ଅସୁରୁଣୀ) ଗଳ୍ପଟି ବାଂଲା ଦେଶର ଜାତୀୟ କବି କାଜି ନଜରୁଲ୍‍ ଇସଲାମ୍‍ଙ୍କ ଦ୍ୱାରା ଲିଖିତ । ଏ ଗଳ୍ପରେ ନାରୀ ଜୀବନର ଦୁଃଖ ଏବଂ ନାରୀର କ୍ରୋଧକୁ ବର୍ଣ୍ଣନା କରାଯାଇଛି । ଜଣେ ନାରୀର ସ୍ୱାମୀ ଯେତେବେଳେ ଆଉଥରେ ବିବାହ କଲେ ସେତେବେଳେ ତା’ର ମାନସିକ ଅବସ୍ଥା କଣ ହୁଏ- ତାହାହିଁ ଏ ଗଳ୍ପର ବିଷୟବସ୍ତୁ ।
ଅତ୍ୟନ୍ତ ବେଦନା ଦାୟକ ପରିସ୍ଥିତିରେ ବାଂଲା ଦେଶର ଜନ୍ମ ହୋଇଥିଲା । ପଶ୍ଚିମ ପାକିସ୍ଥାନର ସୈନ୍ୟମାନେ ପୂର୍ବ ପାକିସ୍ଥାନ (ପରବର୍ତ୍ତୀ ସମୟରେ ଯାହା ବାଂଲା ଦେଶ ହେଲା)ର ଲୋକମାନଙ୍କ ଉପରେ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ହତ୍ୟା, ଧର୍ଷଣ, ଲୁଣ୍ଠନ କରିଥିଲେ । ଅନୁମାନ କରାଯାଏ ଯେ ୨ଲକ୍ଷରୁ ୪ ଲକ୍ଷ ନାରୀଙ୍କୁ ଏ ସମୟରେ ପାକିସ୍ଥାନର ସେନାବାହିନୀ ଧର୍ଷଣ କରିଥିଲେ । ଅନେକ ନାରୀଙ୍କୁ ହତ୍ୟା କରା ଯାଇଥିଲା । ଏହି ପ୍ରେକ୍ଷାପଟରେ କେତେଗୁଡ଼ିଏ ଗଳ୍ପ ଏ ସଂକଳନରେ ରହିଛି । ରିଜିଆ ରହମାନଙ୍କ ଲିଖିତ ଗୋଟିଏ ଗଳ୍ପ ରହିଛି, ଶୀର୍ଷକ ହେଲା- ହ୍ୱାଟ୍‍ ପ୍ରାଇସ୍‍ ଅନର । ସମ୍ମାନର ଦାମ୍‍ । ୧୯ ବର୍ଷର ଝିଅଟିଏ ନିଜ ସମ୍ମାନ ବଞ୍ଚାଇବା ପାଇଁ ନିଆଁକୁ ଡ଼େଇଁ ପଡୁଛି ଏବଂ ବଞ୍ଚି ଯାଉଛି । ତାକୁ ନେଇକି ଏ ଗଳ୍ପ । ଝରଣା ରହମାନ୍‍ଙ୍‍କ ଗୋଟେ ଗଳ୍ପ ଅଛି: ଦି ପୟଜନସ୍‍ ହିବିସ୍‍କସ୍‍ । ବିଷାକ୍ତ ମନ୍ଦାର । ଏଥିରେ ଯୁଦ୍ଧର ଭୟାବହତା ଓ ନିଷ୍ଠୁ ରତା କଥା ବର୍ଣ୍ଣନା କରାଯାଇଛି । ଗଳ୍ପର କାହାଣୀ ଗୋଟିଏ ମା-ଝିଅ ର ସମ୍ପର୍କ ଉପରେ ପର୍ଯ୍ୟବେସିତ । ଝିଅଟିର ମା’କୁ ଧର୍ଷଣ କରାଯାଇଥିଲା ଏବଂ ସେ ଧର୍ଷଣର ଫଳସ୍ୱରୁପ ଏ ଝିଅ ଜନ୍ମ ହୋଇଥିଲା। ତେଣୁ ମା’ର ଜନ୍ମିଲା ଝିଅପ୍ରତି ଭଲପାଇବା ବି ଅଛି କିନ୍ତୁ ଧର୍ଷଣରୁ ଜନ୍ମବୋଲି ଘୃଣା ମଧ୍ୟ ରହିଛି। ଏକ ବିଚିତ୍ର ମାନସିକ ସ୍ଥିତିକୁ ନେଇ ଏ ଗଳ୍ପ ।
ଏ ସଙ୍କଳନର କେତେକ ଗଳ୍ପ ବିବାହ ଏବଂ ବୈବାହିକ ସଂପର୍କ ଉପରେ ପର୍ଯ୍ୟବେସିତ । ସେଲିନା ହୁସେନ୍‍ଙ୍କ ଗୋଟେ ଗଳ୍ପ ଅଛି- ମୋତିଜାନ୍‍ସ ଡଟର୍‍ସ । ମୋତିଜାନର ଝିଅମାନେ । ସେଲିନା ହୁସେନ୍‍ ବର୍ତ୍ତମାନ ବାଂଲା ଦେଶର ଜଣେ ଅତ୍ୟନ୍ତ ସମ୍ମାନନୀୟା ଲେଖିକା ।
ପୁରବୀ ବସୁଙ୍କର ଗୋଟେ ଲେଖା ଏ ସଂକଳନରେ ଅଛି । ତାକୁ ଗଳ୍ପ କିମ୍ବା ଲଳିତ ଗଦ୍ୟ ଉଭୟ କୁହାଯାଇପାରେ । ଶୀର୍ଷକ ହେଲା ରାଧା ଉଇଲ୍‍ ନଟ୍‍ କୁକ୍‍ ଟୁଡେ । ରାଧା ଆଜି ରାନ୍ଧିବ ନାହିଁ । ଗଳ୍ପର କାହାଣୀଟି ବଡ଼ ଚମତ୍‍କାର । ଗଳ୍ପର ନାୟିକା ରାଧା ଦିନେ ସକାଳେ ଉଠୁଛି ଏବଂ ସ୍ଥିର କରୁଛି ଯେ ଆଜିଠାରୁ ସେ ଆଉ ରାନ୍ଧିବ ନାହିଁ । ତା’ପରେ କ’ଣ ହେଉଛି ତାକୁହିଁ ନେଇ ଏ ଗଳ୍ପ ଗଢ଼ି ଉଠିଛି ।
ସେମିତି ଜାହାନାରା ନୌସିନ୍‍ ଗୋଟେ ଗଳ୍ପ ଅଛି: ଦି ୱମ୍ୟାନ୍‍ ହୁ ଆଟ୍‍ ଦି କୁକିଂ ପଟ୍‍ସ । ହାଣ୍ଡି ଖାଇଥିବା ମହିଳା । ଏଥିରେ ମଧ୍ୟ ନାରୀ ଜୀବନର ସଂଘର୍ଷ କଥା ବର୍ଣ୍ଣନା କରାଯାଇଛି ।
ସାହିନ୍‍ ଅଖ୍‍ତରଙ୍କ ଗୋଟେ ଗଳ୍ପ ଏଥିରେ ଅଛ: ଦି ମେକ୍‍-ଅପ୍‍ । ପ୍ରସାଧନ । ଏ ଗଳ୍ପର ନାୟିକା ମଲ୍ଲିକା ତାର ସାନ ଭଉଣୀକୁ କବର ଦେଇ ପାରୁନିା ହସ୍‍ନାଥ ଅବ୍‍ଦୁଲ ହାଇଙ୍କର ଗୋଟେ ଗଳ୍ପ ଅଛ: ଦି ଗାର୍ଲ ଇନ୍‍ ଫ୍ରଣ୍ଟ୍‍ ଅଫ ଦି କ୍ୟାମେରା । ଟିଭି କ୍ୟାମେରା ସାଂମ୍ନାରେ ଝିଅଟିଏ । ଜଣେ ସ୍ତ୍ରୀ ଲୋକର ଏକକ ସଂଳାପରେ ଏ ଗଳ୍ପଟି ଲେଖାଯାଇଛି । ମି ଠୁ ଭଳି ବର୍ତ୍ତମାନ ସମୟର କେତେଗୁଡିଏ ନାରୀ ଆନ୍ଦୋଳନର ଏ ଗଳ୍ପରେ ଉଲ୍ଲେଖ ରହିଛି । ଏ ଗଳ୍ପର କଥନ-ଶୈଳୀ ଏକ ଭିନ୍ନ ମାତ୍ରାର ।
ସୌକତ ଅଲିଙ୍କର ଫାଇନାଲ୍‍ ରେଷ୍ଟିଂ ପ୍ଲେସ୍‍ (ଶେଷ ବିଶ୍ରାମ ସ୍ଥଳି) ଏ ସଂକଳନର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଗଳ୍ପ । ଜଣେ ବୟସ୍କ ପୁରୁଷ ଏବଂ ଜଣେ ମହିଳା ପରଷ୍ପରର ବନ୍ଧୁ ହୁଅନ୍ତି । ସେମାନେ ପରସ୍ପରର ସ୍ତ୍ରୀ ଏବଂ ସ୍ୱାମୀର କବର ପାଖକୁ ନିୟମିତ ଯାଆନ୍ତି । ବୟସ୍କମାନଙ୍କ ବନ୍ଧୁତ୍ୱକୁ ନେଇ ଏ ଗଳ୍ପ ।
ଏ ସଂକଳନଟିରେ ଗତ ୫୦ ବର୍ଷ ଭିତରେ ବାଂଲା ଦେଶର ଗଳ୍ପ ଧାରାର ଏକ ଆକଳନ କରିହେବ । ନିଆଜ ଜମାନ ଏ ଧରଣର ବେଶ୍‍ କିଛି ସଂକଳନ ପୂର୍ବରୁ ପ୍ରକାଶ କରିଛନ୍ତି । ସେ ନିଜେ ବି ଜଣେ ଓøପନ୍ୟାସିକା ଏବଂ ଗାଳ୍ପିକା । ଢାକା ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଥିଲେ ।
ବାଂଲା ଦେଶର ପ୍ରତିନିଧି ସ୍ଥାନୀୟ ଗଳ୍ପ ପଢ଼ିବା ପାଇଁ, ସେଠାକାର କଥାସାହିତ୍ୟର ଧାରାକୁ ଜାଣିବା ପାଇଁ ଏବଂ ବାଂଲା ଦେଶର ସଂସ୍କୃତି ଏବଂ ଇତିହାସର ଏକ ଝଲକ ପାଇବା ପାଇଁ ଏ ବହିଟିକୁ ଆପଣ ପଢ଼ି ପାରନ୍ତି ।


+++

Related Posts

Leave a Reply

Your email address will not be published. Required fields are marked *