ଗଞ୍ଜାମର କବିତାଘର ସାହିତ୍ୟ ସମ୍ମାନ ୨୦୨୪ ଘୋଷଣା

ଭୁବନେଶ୍ୱର : ଓଡ଼ିଶାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ୨୦୨୪ ବର୍ଷ ନିମନ୍ତେ ସାହିତ୍ୟ ପୁରସ୍କାର ଘୋଷଣା କରିଅଛି । ଅନୁଷ୍ଠାନର ଅଧ୍ୟକ୍ଷ ଭାଗୀରଥି ବେହେରା ଏବଂ ସଭାପତି ଡା. ରାଜେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗଞ୍ଜାମର କବିତାଘର କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ମନୋନୀତ ସାରସ୍ଵତ ସ୍ରଷ୍ଟାଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ୨୦୨୪ ବର୍ଷ ପାଇଁ ସାତ ଜଣ ସାହିତ୍ୟିକ ଏହି ପୁରସ୍କାର ଲାଭ କରିବେ ବୋଲି ମାର୍ଗଦର୍ଶକ ଶ୍ରୀ ଗଦାଧର ପାତ୍ର, ସହ ସମ୍ପାଦିକା ଶ୍ରୀମତୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, ସୌଜନ୍ୟ ସମ୍ପାଦିକା ଶ୍ରୀମତୀ ଜୟନ୍ତୀ ବେହେରା, ସୌଜନ୍ୟ ସମ୍ପାଦକ ଶ୍ରୀ ଭାଗୀରଥି ପଣ୍ଡା, ସହ ସମ୍ପାଦକ ଅଧ୍ୟାପକ ତ୍ରିଲୋଚନ ଦାସ, ଧର୍ମାନନ୍ଦ ମହାରଣା ଓ କବି ସୁଦାମ ପାଣିଗ୍ରାହୀ ଆଦି ସହମତି ପ୍ରଦାନ କରିଥିଲେ ।

କବିତା କ୍ଷେତ୍ରରେ ‘ଅଭାବ ଭିତର ଭାବ’, ‘ଛିଣ୍ଡା ଆକାଶ’, ‘ପୁଣ୍ୟରୋଧ’, ‘ମାର୍ଫତରେ ମୁଁ’ ଆଦି କବିତା ସଙ୍କଳନର ସ୍ରଷ୍ଟା କୋରାପୁଟ ମାଟିର କବି ଇଂ ସରୋଜ ମହାପାତ୍ର ତାଙ୍କରି କବିତା ‘ସରୋଜ ସାୟରୀ’ ନିମନ୍ତେ ‘ରାଜ୍ୟସ୍ତରୀୟ କବିତା ସମ୍ମାନ-୨୦୨୪’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ‘ଝର୍କା ସେପାଖ ପୃଥିବୀ’, ‘ବେଙ୍ଗୁଲୀ ରାଣୀ କହଇ ବାଣୀ’ ଆଦି ସଙ୍କଳନର ସ୍ରଷ୍ଟା ଗଞ୍ଜାମ ଜିଲ୍ଲା ଗୌରାଙ୍ଗପାଟଣା, ରମ୍ଭା ମାଟିର କବି ଶେଷଦେବ ବେହେରା ତାଙ୍କରି କବିତା ‘ସ୍ଵପ୍ନର ସାମ୍ରାଜ୍ୟ’ ନିମନ୍ତେ ‘ଜିଲ୍ଲାସ୍ତରୀୟ କବିତା ସମ୍ମାନ-୨୦୨୪ ’ ନିମନ୍ତେ ସ୍ଥିର କରାଯାଇଅଛି ।

ଖଲ୍ଲିକୋଟ ମାଟିର ସାହିତ୍ୟିକ ସୁଧାଂଶୁ ଶେଖର ସାହୁଙ୍କ ମାତାଙ୍କ ସ୍ମୃତିରେ ପ୍ରଦତ୍ତ ‘ସ୍ଵର୍ଗତା ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ-୨୦୨୪’ ନିମନ୍ତେ କବିତା ସଂକଳନ ‘ଯୁଗ୍ମଭାବ’ର କବିଦ୍ୱୟ ଯଥା ଡା. ସହଦେବ ସ୍ଵାଇଁ ଓ ଜ୍ଞାନ ରଞ୍ଜନ ସ୍ଵାଇଁ, ଡା. ରାଜେନ୍ଦ୍ର କୁମାର ବେହେରାଙ୍କ ମାତାଙ୍କ ସ୍ମୃତିରେ ପ୍ରଦତ୍ତ ‘ସ୍ଵର୍ଗତା ରୁକୁଣା ବେହେରା ପୁସ୍ତକ ସ୍ମୃତି ସମ୍ମାନ-୨୦୨୪ ’ ନିମନ୍ତେ କବିତା ସଂକଳନ ‘ଈଶ୍ଵରୀ ଓ ଅନ୍ୟାନ୍ୟ କବିତା’ର କେନ୍ଦ୍ରାପଡାରୁ କବି ଇଂ ନଳିନୀକାନ୍ତ ନାୟକ ଓ ଡା. ସହଦେବ ସ୍ଵାଇଁଙ୍କ ମାତାଙ୍କ ପ୍ରଦତ୍ତ ‘ଶ୍ରୀମତୀ ପ୍ରମିଳା ସ୍ଵାଇଁ କବିତା ପୁସ୍ତକ ସମ୍ମାନ-୨୦୨୪’ ନିମନ୍ତେ କବିତା ସଂକଳନ ‘ଈପ୍ସିତ ବେଦନା’ର କବୀ ଶ୍ରୀମତୀ ନର୍ମଦା ଦେବୀ ମନୋନୀତ ହୋଇଛନ୍ତି ।

ଉତ୍ତମ ପ୍ରକାଶନୀ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରକାଶକ ସମ୍ମାନ-୨୦୨୪ ’ ନିମନ୍ତେ ଶ୍ରୀ ଅଶୋକ ମହାନ୍ତି, ପଶ୍ଚିମା ପବ୍ଲିକେଶନ୍ସ, ଭୁବନେଶ୍ଵର ଯୋଗ୍ୟ ବିବେଚିତ ହୋଇଥିବା ବେଳେ ‘ଶ୍ରେଷ୍ଠ ସମ୍ପାଦକ ସମ୍ମାନ’ ରେ ସମ୍ମାନିତ ହେବେ ଦ୍ଵିଭାଷୀ ସାହିତ୍ୟ ପତ୍ରିକା ‘ବିଶ୍ଵମୁକ୍ତି’ର ସମ୍ପାଦକ, ସାହିତ୍ୟିକ ତଥା ଅଧ୍ୟାପକ ଶ୍ରୀ ଶଶାଙ୍କ ଚୂଡାମଣି ।

ଘୋଷିତ ଲେଖକଙ୍କୁ ଟ୍ରଷ୍ଟ ତରଫରୁ ଅକ୍ଟୋବର ମାସରେ ବ୍ରହ୍ମପୁର ଠାରେ ଏକ ଭବ୍ୟ ସାହିତ୍ୟିକ ଆୟୋଜନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି । ସମ୍ପାଦକ ଭାଗୀରଥି ବେହେରା ସମସ୍ତ ବିବେଚିତ ସମ୍ମାନିତ ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଛା ଜଣେଇବା ସହ ବିଚାରକ ମଣ୍ଡଳୀ କବି ଦେବେନ୍ଦ୍ର କୁମାର ବାଉରୀ, କବି କୈଳାସ ଚନ୍ଦ୍ର ସାହାଣୀ, କବି ବିଦେଶୀ ନାୟକ, କବୀ ଜ୍ୟୋତ୍ସ୍ନା ରାଣୀ ଦେବୀ, କବୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଓ କବି ଗୋପୀନାଥ ଦାଶଙ୍କୁ ଧନ୍ୟବାଦ ଦେଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *