ମଧୁମିତା ମିଶ୍ର

ସେ ଗାଈଆଳ ଟୋକାର ବଂଶୀସ୍ଵର ତ ଶୁଭୁ ନଥିଲା..!
କି ସେ ଯମୁନାଟି କୁଳୁକୁଳୁ ହୋଇ ବହିଯାଉ ନଥିଲା..!!
କାଖରେ ମାଠିଆ ନଥିଲା କି ଗଭାରେ ଫୁଲଟେ ବି ନଥିଲା..!
ପାଉଁଜି ବାଲିରେ ପୋତି ହୋଇ ନିଜ ଅସ୍ତିତ୍ଵକୁ ଅଣ୍ଡାଳୁ ନଥିଲା..!!

ନଥିଲା ଅଳତା ପାଦର ଅଳସ କି ଯୌବନର ମାଦକ ବୟସ..!
କିନ୍ତୁ ଗୋଧୂଳି ଆସିଥିଲା ତା’ ସଙ୍ଗେ ନେଇ କିଛି ଅସମାପ୍ତ ଅବଶୋଷ..!!
ସେମିତି ଗାଈଗୋଠ ଫେରୁଥିଲେ ଅମାନିଆ ହୋଇ ସବୁଦିନ ପରି..!
ଆଉ ଗାଁ ଦାଣ୍ଡରେ ଧୂଳି ଉଡ଼ି ଚାଲିଥିଲା ଘରବାହୁଡ଼ା ସମୟଟିକୁ ଡରି ..!!

ହଠାତ୍ ମୋ ନଜର ଯାଇ ମିଶିଗଲା ତୁମର ସେହି ଯାଦୁଭରା ଚାହାଣୀରେ..!
ଯେତେବେଳେ ଖୋଲିଦେଲ ତୁମେ ଛତାଟି ବର୍ଷାକୁ ଅଟକାଇବା ଠାଣିରେ..!!
ଅଳ୍ପ ଅଳ୍ପ ବର୍ଷୁଥିଲା ମେଘ ଛିଟିକା ଟିକେ ମୋ ଉପରେ ବି ପଡ଼ିଥିଲା..!
କିନ୍ତୁ ସେଦିନ ମୋ ଦେହ ଅପେକ୍ଷା ମନଟା ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା..!!

ତୁମେ ଚାଲିଗଲ ସେହି ଗୋଧୂଳି ସହ ଏକାକାର ହୋଇଯାଇ ଗାଁର ମାଟିରେ..!!
ଆଜି ବି ଖୋଜୁଛି ସେହି ବର୍ଷାଭିଜା ଗୋଧୂଳିକୁ ମୁଁ ଶୂନ୍ୟ କଂକ୍ରିଟ ପିଠିରେ..!!

ଭୁବନେଶ୍ଵର, ଖୋର୍ଦ୍ଧା

ଲେଖକ ପରିଚୟ

“ଲେଖକର କେବଳ ବ୍ୟକ୍ତିତ୍ୱ ଥାଏ…ବ୍ୟକ୍ତିଗତ ବୋଲି କିଛି ନଥାଏ” ଏହି ସିଦ୍ଧାନ୍ତ ସହ ଆଗେଇ ଚାଲିଥିବା ଲେଖିକା ମଧୁମିତା ମିଶ୍ର ନିଜ ଲେଖନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଯଥାସାଧ୍ୟ ଉନ୍ନତି କରିବାକୁ ସର୍ବଦା ପ୍ରଚେଷ୍ଟାରତ । ତାଙ୍କ ଲିଖିତ ଗଳ୍ପ,କବିତା, ଏବଂ ଧାରାବାହିକ କାହାଣୀ ବିଭିନ୍ନ ପତ୍ରପତ୍ରିକା, ଅନଲାଇନ୍ ସାଇଟ ତଥା podcast ରେ ପ୍ରକାଶ ପାଇ ପାଠକୀୟ ସ୍ଵୀକୃତି ଲାଭ କରୁଛି ।

Related Posts

Leave a Reply

Your email address will not be published. Required fields are marked *