ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ରାଜ୍ୟ ସଂଗ୍ରହାଳୟରେ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ୧୫ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ‘ଟିପିକାଲ୍‌ ସିଲେକସନ୍ସ ଫ୍ରମ୍‌ ଓଡ଼ିଆ ଲିଟେରେଚର’ର ଭାଗ-୧ ଏବଂ ଭାଗ-୨ ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଉଦ୍ଘାଟକ, ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା ଏବଂ ତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶିକା ଅତସି ଦାସ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏପରି ପ୍ରୟାସ ଦ୍ୱାରା ଆମର ପ୍ରାଚୀନ ଦୁର୍ଲଭ ପୋଥି ସଂରକ୍ଷିତ ରହିବା ସହ ଆମର ଗୌରବମୟ ଇତିହାସ ବାବଦରେ ବିଶ୍ୱବାସୀ ଜାଣିପାରିବେ ଏବଂ ଅଧିକ ଗବେଷଣା ନିମନ୍ତେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଗ୍ରହାଳୟରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ସୂଚନା ମିଳିଛି । ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡିରେ ଅଧ୍ୟୟନରତ ପ୍ରାୟ ୯୪ ଜଣ ବିଦ୍ୟାର୍ଥୀ ଯୋଗଦେଇ ପ୍ରାଚୀନ ପୋଥିଗୁଡ଼ିକର ସଂରକ୍ଷଣ ନିମନ୍ତେ ବ୍ୟବହାରିକ ତାଲିମ ଗ୍ରହଣ କରିବେ ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ତାଳପତ୍ର ପୋଥିର ସଂରକ୍ଷଣ ଏବଂ କୁ୍ୟରେଟର ଭାରତୀ ପାଲ୍‌ ଓଡ଼ିଆ ଲିପିର କ୍ରମବିକାଶ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାମହରି ଜେନା, ନିବେଦିତା ମହାନ୍ତି, ମମତା ଦାଶ ପ୍ରମୁଖ ଉପସ୍ଥିତ ରହି ଏଭଳି ଅଭିନବ ପ୍ରୟାସ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *