ବିନୟ ମହାପାତ୍ର

ସେ ଆସିବ ବୋଲି ଏମିତି କିଛି କଥା ଦେଇନଥିଲା । କିନ୍ତୁ ମନ କେବଳ ତାକୁଇ ଖୋଜୁଥିଲା । ଏଇ ଛୁଟିଦିନ ଗୁଡ଼ିକ ସତରେ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ଖଳନାୟକର ସାଜି ଯାଆନ୍ତି । ସେକେଣ୍ଡ ସଟର-ଡେ, ସନ-ଡେ ଦୁଇ ଦିନ ସରକାରୀ ଅଫିସ୍ ରେ ଛୁଟି, ଆଉ ଏଇ ଦୁଇ ଦିନ, ସତରେ ଦୁଇ ବର୍ଷ ପରି ଲାଗେ । ଦି’ଦିନ ଆଗରୁ ଶୁକ୍ରବାର ଦିନ ସଂଧ୍ୟାରେ ତା ସହିତ ଦେଖା ହୋଇଥିଲା ବସଷ୍ଟପ୍ ପାଖରେ । ମୋତେ ଦେଖି ସେ କେତେଥର କଣେଇ ଚାହିଁଥିଲା । ତା ଓଠର ସେଇ ଚିରାଚରିତ ମୃଦୁ ସ୍ମିତ ହସଟା ଏବେ ବି ମୋ ଆଖି ଆଗରେ ନାଚି ଯାଉଛି । ସବୁଦିନ ସଂଧ୍ୟାବେଳେ ସେଇଠି ସେଇ ବସଷ୍ଟପରେ ଆମର ଦେଖା ହୋଇଯାଏ । ତା ସହିତ ମୁଁ କେବେ କିଛି କଥା ହୋଇନି । ଆମେ କେହି କାହାକୁ ଠିକ୍ ଭାବେ ଜାଣିନୁ ବି ଏଯାଏ, କେହି କାହାର ନାଆଁ, ଗାଆଁ, ଠିକଣା କିଛି ବି ଜାଣିନୁ । ଖାଲି ଏଇ ବସଷ୍ଟପରେ ସବୁଦିନ ଏମିତି ଦେଖାଚାହାଁ । ମୋ ଅଫିସ୍ ସରିଲା ପରେ ଘରକୁ ଫେରିବା ପାଇଁ ମୁଁ ଏଇଠୁ ବସ ଧରେ, ସିଏ ବି । ବୋଧହୁଏ ଏଇ ପାଖରେ କୋଉ ବେସରକାରୀ ଅଫିସରେ କାମ କରୁଛି । ବସ ଆସିବା ଭିତରେ ଯେତିକି ସମୟ ଆମ ପାଖରେ ଥାଏ, କେବଳ ସେତିକି ସମୟ ସମସ୍ତଙ୍କ ନଜରକୁ ଲୁଚେଇଲୁଚେଇ ଜଣେ ଆଉ ଜଣକୁ କଣେଇ କଣେଇ ଦେଖୁଥିଲୁ । କେବେକେବେ ଆଖିରେ ଆଖି ମିଶି ଯାଆନ୍ତି । ସମସ୍ତଙ୍କୁ ଲୁଚେଇ ସିଏ ଟିକିଏ  ହସି ଦିଏ, ଆଉ ମୁଁ ବି । ବାସ୍ ଏତିକି ଆମର ଚିହ୍ନାଜଣା ।

ତା ବସ୍ ଆଗ ଆସେ, ସେ ଚାଲିଯାଏ । କିନ୍ତୁ ବସରେ ଚଢିବା ପର୍ଯ୍ୟନ୍ତ ସେ ବୁଲିବୁଲି ମୋ ଆଡ଼କୁ ଦେଖେ । ତା ମୁହଁରେ ଏକ ଅନିଚ୍ଛା ଅନିଚ୍ଛା ବିରକ୍ତିର ଫେଣ୍ଟାଫେଣ୍ଟି ଭାବ ବେସ୍ ସ୍ପଷ୍ଟ ଦିଶିଯାଏ । ସତେଯେପରି ବଡ଼ ଅନିଚ୍ଛା ସତ୍ତ୍ୱେ ତାକୁ ଯିବାକୁ ହେଉଛି । ତା ଆଖିରେ କରୁଣତାର ଭାବ ଉଙ୍କି ମାରେ, ତା’ଛଡା ଆଉ କିଛି ବି ଦିଶେ ସେ ଆଖି ଦୁଇଟିରେ, କିନ୍ତୁ ସେ ଚାହାଣୀରେ ଏକ ନିବେଦନ ଅବା ଆମନ୍ତ୍ରଣ ତାହା ସ୍ପଷ୍ଟ ଭାବେ ବାରି ହୁଏନି । ମୋତେ ଲାଗେ, ସେଇ ନିରିହ ଆଖି ଦୁଇଟି ସତେଯେପରି କହୁଛନ୍ତି, ଏଇ.. କେତେଦିନ ଏମିତି ଲୁଚିଲୁଚି ଆମେ ଜଣେ ଆଉ ଜଣକୁ ଦେଖୁଥିବା ? କେତେଦିନ ତୁମେ ଏମିତି ଦୂରେଇ ଦୂରେଇ ରହିବ ? ପାଖକୁ ନେଇ ଯାଅନା ! ମୁଁ ବି ମନେମନେ ନିରାଶ ହୋଇ ବସ ଡ୍ରାଇଭରକୁ ବହୁତ ଗାଳି ବକିଯାଏ । ସବୁଦିନ ଠିକ୍ ଟାଇମରେ ଏମିତି ଚାଲି ଆସିବାଟା କଣ ଜରୁରୀ ? ପ୍ରେମୀ ମନର ଦରଦକୁ ସେ ଟିକିଏ ବୁଝିପାରନ୍ତା ହେଲେ । ଆଉ ଘଡ଼ିଏ ଡେରିରେ ଆସିଥିଲେ କଣ ତାର ବିଗିଡ଼ି ଯାଇଥାଆନ୍ତା ଭଲା ? ତାର ସେଇ ଲାଜକୁଳି ସୁନ୍ଦର ମୁହଁଟିକୁ ଆଉ ଘଡ଼ିଏ ଦେଖିବାର ସୁଯୋଗ ତ ମିଳିଥିନ୍ତା ।

ଏକୁଟିଆ ବସିଲେ ତା କଥା ଭାବିବାକୁ ବେଶ ଭଲ ଲାଗେ, ଖୁବ୍ ଚିହ୍ନାଚିହ୍ନା ଲାଗେ ସିଏ । କିନ୍ତୁ ମନେପଡ଼େନା, ତାକୁ ମୁଁ କେବେଠାରୁ ଚିହ୍ନିଛି ? ଆଗରୁ କେଉଁଠି କେବେ ଦେଖିଥିଲି କି ନାହିଁ, ମନେପଡ଼େନା ! ତଥାପି ସେ ବହୁତ ଚିହ୍ନାଚିହ୍ନା ଲାଗେ, ଖୁବ୍ ଆପଣାର ଲାଗେ । ଜାଣେନା, ସିଏ ବି କଣ ମୋ କଥା ଏମିତି ଭାବୁଥିବ, ଯେମିତି ମୁଁ ତାର ଭାବନାରେ ସବୁବେଳେ ହଜିଯାଉଛି ଆଉ ତାର ଭାବନା ମୋ ମନ ଭିତରେ କେଉଁ ଏକ ଅଜଣା ଅତରର ମହକ ଭରିଦେଉଛି ! ତା ମନ ଭିତରେ କଣ ଏମିତି କୁହୁକ ହେଉଥିବ, ବିରହର ନିଆଁ କଣ ଏମିତି ଜଳୁଥିବ ? ବହୁତ ଆପଣାର, ଆପଣାର ଲାଗୁଥିଲା ସିଏ, କିନ୍ତୁ କାହିଁକି ? ମୁଁ ଜାଣିପାରେନା, ଭାବେ ସବୁ ପ୍ରଶ୍ନର କଣ ଉତ୍ତର ଥାଏ ? ଯେବେ ବି ଦେଖା ହୋଇଯାଏ ହଠାତ୍ ଛାତି ଭିତରେ ଅତଡ଼ା ଖସିଲା ପରି ଲାଗେ । ଦେହର ସବୁଯାକ ରକ୍ତ ଆସି ମୁଁହରେ ଜମା ହୋଇଯାଆନ୍ତି ଯେପରି । ତା ମୁହଁ ବି ହୋଲିର ଅବିର ଲାଗିଲା ପରି ପ୍ରେମର ରଙ୍ଗରେ ଲାଲ ହୋଇଯାଏ । ତା ଛାତିରେ ବି କଣ ସେମିତି ପ୍ରେମର ଅତଡ଼ା ଖସେ ? ମୋ ପରି ତା ଦେହର ସବୁଯାକ ରକ୍ତ କଣ ତା ମୁହଁରେ ଜମା ହୋଇଯାଏ ? କେଜାଣି, ହୋଇଥିବ ! ତାହା ହେଲେ ତା କୁଆଁରୀ ମନରେ ବି କଣ ଏମିତି ବିରହର ନିଆଁ ଜଳୁଥିବ, ଯେମିତି ମୋ ଛାତି ଭିତରେ ଜଳୁଛି !

ବେଳେବେଳେ ତାକୁ ପଚାରିଦେବାକୁ ମନ ହୁଏ । ମନ ହୁଏ ତା ସାମ୍ନାରେ ଯାଇ ଠିଆ ହୋଇଯିବାକୁ । ତା ମୁହଁକୁ ଚାହିଁ, ତା ଆଖରେ ଆଖି ମିଳେଇ ପଚାରି ଦେବାକୁ । କି ମନ୍ତର ଜାଣିଛି ସିଏ ? ଅବା କେଉଁ ଯାଦୁ ଅଛି ତା ଆଖିରେ ? ଥରଟିଏ ଦେଖାରେ ମୋତେ ଆଉ ମୋ ହୃଦୟକୁ ଏମିତି ପୁରା କିଣିନେଲା ? ମୋ ମନ, ମୋ ହୃଦୟ ଆଉ ମୋ କାବୁରେ ନାହାଁନ୍ତି । ମୋ ଆଖି ମୋ କଥା ମାନୁନି । ବାରମ୍ବାର ତାକୁ ଦେଖିବାକୁ ତାଆରି ଆଡ଼କୁ ବୁଲି ପଡୁଛନ୍ତି । ମୋ ମନ, ମୋ କଥା ମାନୁନି । ସବୁବେଳେ ତାରି ଭାବନାରେ ଡୁବି ରହୁଛି । ବସଷ୍ଟପରେ ଠିଆ ହୋଇ ବସ କଥା ନଭାବି ମୁଁ ତାରି କଥା ଭାବୁଛି । ତାକୁ ଭୁଲିବା ପାଇଁ ମୁଁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ଚେଷ୍ଟାକରେ, ହେଲେ କଣ ହେବ, ଭୁର୍ଭୂବଃ ସ୍ୱଃ ପାଖରେ ଅଟକିଯାଏ ମୋ ମନ୍ତ୍ରପାଠ, ସେଇଠି ତାରି ଭାବନା ମାଡ଼ିବସେ ଗାୟତ୍ରୀମନ୍ତ୍ରର ଜପ ଉପରେ ଆଉ ମୁଁ ହଜିଯାଏ ତାରି ଭାବନା ଭିତରେ ।

××××

ଏମିତି ଭାବୁଭାବୁ କେତେବେଳେ ଯେ ମୁଁ ନଦୀ କୂଳର ସେଇ ଝଙ୍କା ବରଗଛ ତଳେ ପହଞ୍ଚି ଯାଇଥିଲି ଜାଣେନା । ବରଗଛ ତଳର ସିମେଣ୍ଟ ଚଉତରାଟାରେ ବସି ପଡ଼ିଲି, ସଂଧ୍ୟା ହୋଇ ଆସୁଥାଏ, କେହି କୁଆଡ଼େ ନାହିଁ, ଶୂନ୍ ଶାନ୍ ନଦୀ କୂଳଟା । ନଦୀଟା ଏବେ ପ୍ରାୟ ଶୁଖି ଆସିଲାଣି, କେବଳ ଦୁଇ ତିନୋଟି ପତଳା ଜଳଧାରା ବୋହି ଯାଉଥାଏ । ଏପଟ କୂଳକୁ ଲାଗି ଗୋଟିଏ ଧାରା, ସେପଟ କୂଳକୁ ଲାଗି ଆଉ ଗୋଟିଏ ଏବଂ ନଦୀ ମଝିରେ ଗୋଟେ ଦୁଇଟା ପତଳା ଜଳ ଧାରା । ଏପଟ ଧାରାଟି ଟିକିଏ ଅଧିକ ଚଉଡ଼ା, ଗଭୀର ମଧ୍ୟ, ବିନା ଡଙ୍ଗାରେ ମଝି ପଠାଯାଏ ପହଞ୍ଚି ହେବନି । ପଠାଟା କିନ୍ତୁ ବହୁତ ସୁନ୍ଦର ଦିଶୁଛି, କାଶତଣ୍ଡି ଫୁଲରେ ଭର୍ତ୍ତି ହୋଇ ଯାଇଛି, ସତେ ଲାଗୁଛି ଯେପରି ପଠାଟାକୁ କିଏ ଧଳା ଶାଢୀ ପିନ୍ଧେଇ ଦେଇଛି । ପଶ୍ଚିମ ଆକାଶଟାରେ ଲାଲ ରଙ୍ଗ ବୋଳି କିଏ ଯେପରି ସୁନ୍ଦର ପେଣ୍ଟିଙ୍ଗଟିଏ ତିଆରି କରିଦେଇଛି । ଶରତ ରୁତୁର କଳାଧଳା ମିଶା ନିର୍ଜଳା ବାଦଲ, ତା ଉପରେ ଅସ୍ତ ସୂର୍ଯ୍ୟର ନାଳିଆ ମୁରୁଜ ବୁଣି କେତେ ସୁନ୍ଦର ଝୋଟି ତିଆରି କରି ଦେଇଛି । ପଶ୍ଚିମ ଆକାଶଟା ପୁରା ଲାଲ ଦେଖାଯାଉଛି । ଆଖିରେ ଆଖି ମିଶିଗଲେ ସେ ଝିଅଟା ଯେତେବେଳେ ଲାଜେଇ ଯାଏ ଆଉ ତାର ମୁହଁ ଲାଜରେ ଲାଲ୍ ହୋଇଯାଏ, ଠିକ୍ ସେମିତି ଲାଲ ଦିଶୁଥିଲା ପଶ୍ଚିମ ଆକାଶ ।

ଅସ୍ତ ସୂର୍ଯ୍ୟ ପଶ୍ଚିମ ଆକାଶରେ ଲାଲ ବିନ୍ଦୁଟିଏ ପରି ଦେଖାଯାଉଛି, ସତେଯେମିତି ନୂଆବୋହୂ ମଥାର ବଡ଼ ସିନ୍ଦୁର ଟୋପାଟିଏ । ମୁଁ ସେଇ ଲାଲ ସୂର୍ଯ୍ୟର ଚାରି ପାଖରେ ମୋ ଆଖିର ତୁଳୀ ନେଇ ଆକାଶର କାନଭାସରେ ମନର ରଙ୍ଗ ବୋଳି, ମୋର ସେଇ ଅଜଣା ପ୍ରେମିକାର ମୁହଁଟିକୁ ଆଙ୍କିବାକୁ ଚେଷ୍ଟା କରୁଥିଲି । ଆଉ ସେଇ ସୂର୍ଯ୍ୟର ସିନ୍ଦୁର ବିନ୍ଦୁକୁ ତା କପାଳରେ, ଠିକ ତାର ମଥାର ସୁନ୍ଥାଣୀ ତଳେ ସେଟ୍ କରିବାକୁ ଚାହୁଁଥିଲି । ତାକୁ ନୂଆବୋହୂଟିର ରୂପରେ ଦେଖିବାକୁ କଳ୍ପନା କରୁଥିଲି । ନାଲି ଓଢଣୀରେ ଢଙ୍କା ଚାନ୍ଦଟାଏ ପରି ତାର ସୁଢୋଳ ମୁହଁଟା ଚମକୁଥିବ । ଟୋପିଟୋପି ଚନ୍ଦନ ବିନ୍ଦୁ ମଝିରେ ନାଲିଆ ସିନ୍ଦୁର ଟୋପାଟି ଝଟକୁଥିବ, ମଥା ଉପରକୁ ଝୁଲି ପଡ଼ିଥିବ ତାର କେରାକେରା ଚୁର୍ଣ୍ଣକୁନ୍ତଳ । ଗୋଲାପି ଗୋଲାପି ତାର ଓଠରେ ଲାଜରେ ଗାଧୁଆ ସ୍ମିତ ହସର ପତଳା ରେଖାଟିଏ ଚମକି ଯାଉଥିବ ।

ହଠାତ୍ ମୋତେ ଲାଗିଲା, କିଏ ଯେପରି ମୋ ପଛରେ ଠିଆ ହୋଇଛି, ମୋ ସାଥିରେ ମୋ ପ୍ରିୟା ମଥାର ସେଇ ସିନ୍ଦୁର ବିନ୍ଦୁଟିକୁ ନିରଖି ଦେଖୁଛି । ଆକାଶର କାନଭାସରେ ଆଙ୍କିଥିବା କଳ୍ପନାର ମୋ ପ୍ରିୟାକୁ ମୋ ସାଥିରେ ନିରେଖି  ଦେଖୁଛି । ମୁଁ ଚମକି ପଡ଼ିଲି । ପଛକୁ ଫେର ଚାହିଁଲି । ଆରେ……, ତୁମେ ଏଠି ? କଥା ତ ନଥିଲା ଏଇଠି ଏମିତି ଭେଟିବା ବୋଲି ?

ସେ ଲାଜରେ ଆଖି ନୁଆଁଇ ଟିକିଏ ମୁରୁକି ହସିଲା, ଏଇଟି ସେଇ ଏକା ପ୍ରକାରର ହସ, ମୋତେ ଦେଖିଲେ ସବୁବେଳେ ଯେମିତି ହସେ, ଠିକ୍ ସେମିତି ହସ ! ଏଇ ନଈ କୂଳରେ ମୋର ଉପସ୍ଥିତିଟା ସତେଯେପରି ତା’ପାଇଁ ଅସ୍ୱାଭାବିକ ନଥିଲା ! ସେ କଣ ଜାଣିଥିଲା, ମୁଁ ଏଇଠି ତାକୁ ଅପେକ୍ଷା କରିଛି ବୋଲି ? ତଥାପି ତା ମନର ଭାବନାକୁ ଲୁଚେଇ ସେ ତାର ମିଠାମିଠା ସ୍ୱରରେ କହିଲା, ନାଇଁ… ଏମିତି ତୁମ କଥା ଭାବୁଭାବୁ ମୁଁ କେମିତି ଏତେ ବାଟ ଚାଲିଆସିଲି ସେ କଥା ଜାଣି ପାରିଲିନି । ହେଲେ ତୁମେ ଏଇଠି କେମିତି ?? ପ୍ରଥମଥର ପାଇଁ ଶୁଣିଲି ତା କୋକିଳ କଣ୍ଠର କୁହୁକୁହୁ ରାଗିଣୀ, ବୀଣା କଣ ଏମିତି ମଧୁର ସ୍ୱରରେ ବାଜେ ? କବିମାନେ ସେଇଥିପାଇଁ ବୋଧହୁଏ ଉପମା ଦିଅନ୍ତି ବୀଣା ଜିଣା ସ୍ୱର ।

ମୁଁ ତା ପ୍ରଶ୍ନର ଜବାବ ଖୋଜୁଥିଲି । ତାରି କଥାକୁ କେମିତି ତାକୁ ଶୁଣେଇ ଦେବି ? କେମିତି ତାକୁ କହିଦେବି ଯେ ତୁମ କଥା ଭାବୁଭାବୁ ଅଜଣାରେ ମୁଁ ବି ଏତେ ବାଟ ଏମିତି ଚାଲି ଆସିଥିଲି ! ତା କଥା ଶୁଣି ମୋ ଦେହରେ ରୋମାଞ୍ଚ ଖେଳିଗଲା । ଏ କଥା ଜାଣି ଖୁସି ବି ଲାଗିଲା ଆଶ୍ଚର୍ଯ୍ୟ ବି । ଯାହାହେଉ ଏ କଥା ନିଶ୍ଚିନ୍ତ ହୋଇଗଲା ଯେ, ସିଏ ବି ମୋ କଥା ଭାବୁଛି, ଠିକ୍ ଯେମିତି ମୁଁ ତାରି କଥା ସବୁବେଳେ ଭାବୁଛି । ପ୍ରଣୟର ନିଆଁ ଏଠି ବି ଜଳୁଛି, ଏଇ ହୃଦୟରେ, କାମନାର ନିଆଁ ସେଇଠି ବି ଜଳୁଛି ତାରି ମନ ଆଉ ହୃଦୟରେ । ପ୍ରେମର ଛୁଆଁ କଣ ସମସ୍ତଙ୍କ ଅଜାଣତରେ ଏମିତି ଏକାବେଳେ ଦୁଇଟି ହୃଦୟରେ ଏକା ପ୍ରକାରର ପ୍ରଣୟର ନିଆଁ ଲଗାଇ ଦିଏ ?

ଆମେ ଜଣେ ଆଉ ଜଣଙ୍କ ମୁହଁକୁ ସେମିତି ମୁଗ୍ଧ ହୋଇ ଦେଖୁଥିଲୁ । ଦୁଇ ଜୋଡ଼ା ଆଖି ଦେଇ ଜଣେ ଆଉ ଜଣକ ଭିତରେ ହଜି ଯାଇଥିଲୁ ଯେପରି । ସୂର୍ଯ୍ୟର ଲୋହିତ ଆଭାରେ ମୁହଁଟା ତାର ଚମକି ଉଠୁଥିଲା । ମୃଦୁ ପବନରେ ଉଡ଼ି ଯାଉଥିଲା ତାର କେରାକେରା ଚୁର୍ଣ୍ଣକୁନ୍ତଳ । ଓଠ ତାର ନିର୍ବାକ୍ ଥିଲା, କିନ୍ତୁ ଆଖି ତାର ଶୁଣେଇ ଯାଉଥିଲା ତା ହୃଦୟର ଅକୁହା କଥା ସବୁ । ମନ ହେଉଥିଲା ବାହୁ ମେଲାଇ ତାକୁ ଆଲିଙ୍ଗନର ଆମନ୍ତ୍ରଣ ଦେବା ପାଇଁ । ସାଉଣ୍ଟିନେବାକୁ ନିଜର ଛାତି ଉପରେ, ଚାପି ଧରିବାକୁ ନିବିଡ଼ ବାହୁ ବନ୍ଧନରେ ଆଉ ହଜିଯିବାକୁ ତାର ସେଇ ଭସାଭସା ଚାହାଣୀରେ, ଭିଜିଯିବାକୁ ତାର ପ୍ରେମର ଅଗାଧ ସମୁଦ୍ରରେ ।

ତାର ଆଖି ସତେ କଥା କହୁଥିଲା, ଏଇ… ଏମିତି ଚାହିଁ ରହିଛ କ’ଣ ଯେ ? ଏମିତି କଣ ଦେଖୁଛ ମୋତେ । ମୁଁ ଯେ କେବଳ ତୁମର, ମୋତେ ଆପଣାର କରିନିଅ, ଏ ବିରହ ଆଉ ସହି ହେଉନି । ସେତିକିବେଳେ ନୀଡ଼ ବାହୁଡ଼ା ମରାଳ ଯୁଥଟିଏ କଳରବ କରି ଉଡ଼ିଗଲେ । ସେମାନଙ୍କର କଳରବ ବିଶ୍ୱାମିତ୍ରଙ୍କ ତପସ୍ୟା ସତେ ଭାଙ୍ଗି ଦେଲା । ହଠାତ୍ ଚମକି ପଡ଼ିଲା ସିଏ । ଆମେ ଜଣେ ଆଉ ଜଣଙ୍କ ଭିତରେ ସତେଯେପରି ହଜି ଯାଇଥିଲୁ, ଏମିତି ଠିଆ ହୋଇ ଆମେ ଦି’ଜଣ ସପନ ଦେଖୁଥିଲୁ । ସେ ତାର ହାତ ବଢାଇ ମୋ ମୁହଁକୁ ତା ହାତରେ ଛୁଇଁଲା, କହିଲା ସ୍ୱପ୍ନ ଦେଖୁନି ତ ! ତାପରେ ତନ୍ଦ୍ରାଚ୍ଛନ ଆଖିରେ ମୋତେ ଦେଖି କହିଲା “ମୋତେ ଟିକେ ଚିମୁଟି ଦିଅନା’ ! ମୁଁ ପଚାରିଲି କାହିଁକି ?

ସେ ଟିକେ ଲାଜେଇଗଲା । କହିଲା, ମୋର ବିଶ୍ୱାସ ହେଉନି ତୁମେ ମୋ ପାଖରେ ଅଛ, ମୋ ସାଥିରେ ଅଛ, ମୋର ଏତେ ପାଖରେ ଠିଆ ହୋଇଛ ! ମୁଁ ହାତ ବଢାଇ ତାର ନାକକୁ ଚିପି ଧରିଲି, ସେ ମୋ ହାତକୁ ଖପ୍ କରି ଧରି ପକେଇ କହିଲା, ଇସ୍.. ଏତେ ଜୋରରେ ଚିପିବାକୁ ତ କହି ନଥିଲି ତୁମକୁ !

ହଠାତ୍ ସେ ଚମକି ପଡ଼ିଲା, ଦି’ପାଦ ପଛକୁ ଘୁଞ୍ଚିଯାଇ ମୋ ମୁହଁରୁ ଆଖି ଫେରାଇ ନେଲା । ତଳକୁ ମୁହଁକରି ଭୂଇଁକୁ ଦେଖିଲା । ସେଇ ନଈକୂଳର ସରୁ ବାଲି ଉପରେ ତାର ଗୋଡ଼ ଆଙ୍ଗୁଠିରେ ବୃତ୍ତ ଆଙ୍କିବାକୁ ଚେଷ୍ଟା କରୁଥିଲା । ସେମିତି ତଳକୁ ଚାହିଁ ପଚାରିଲା, କିଛି କହିଲେନି ଯେ, ଆପଣ ଏଇଠି କେମିତି ପହଞ୍ଚି ଗଲେ ? ତାର ଏଇ ଆପଣ ଡାକଟା ମୋତେ ମୋଟେ ଭଲ ଲାଗିଲାନି, ମୋତେ ଲାଗିଲା, ସତେଯେପରି ଆପଣ କହି ସେ ମୋତେ ପଛକୁ ଶକ୍ତ ଧକ୍କା ଦେଇଦେଲା । କହିଲି ଆଉ ଆପଣ କାହିଁକି, ତୁମେ ବୋଲି ଡାକ, ଭଲ ଲାଗୁଛି ତୁମର ସେ ‘ତୁମ’ ଡାକଟା । ସେ ସନ୍ତର୍ପଣରେ ମୁହଁ ଉଠାଇ ମୋ ମୁହଁକୁ ଚାହିଁଲା, ଆମ ଆଖି ପୁଣି ଏକାଠି ହୋଇଗଲେ । ସତେ ସେ ମୋ ଆଖିରେ ମୋ ପ୍ରେମର ଗଭୀରତା ମାପିବାକୁ ଚେଷ୍ଟା କରୁଥିଲା । ସେମିତି ମୋ ଆଖିକୁ ଚାହିଁ ଆଉଥରେ ପଚାରିଲା, ତୁମେ କଣ ଜାଣିଥିଲ ମୁଁ ଏଠିକି ଆସିବି ବୋଲି ?

ଆମେ ସେମିତି ଜଣେ ଆଉ ଜଣକ ଆଖି ଭିତରେ ହଜି ଯାଉଥିଲୁ, ମୁଁ କହିଲି, ମୁଁ ଯଦି ତୁମକୁ ସେଇ ଏକା ପ୍ରଶ୍ନ ପଚାରେ, ତୁମେ କଣ ଜାଣିଥିଲ ମୁଁ ତୁମକୁ ଏଇଠି ଅପେକ୍ଷା କରିଥିବି ବୋଲି ?? ସେ ଫିକ୍ କରି ହସିଦେଲା ଆଉ ମୁହଁ ବୁଲେଇ ନେଲା ନଈର ପାଣି ଆଡ଼କୁ, ପଚାରିଲା, ତେବେ ଆମେ ଦି’ଜଣ ଏଇଠି ହଠାତ୍ କେମିତି ପହଞ୍ଚିଗଲେ ? କିଏ ଡାକି ଆଣିଲା ଆମ ଦି’ଜଣଙ୍କୁ ଏଇଠିକି, ବିନା କିଛି ପୂର୍ବାଭାଷରେ ହଠାତ୍ ଆମେ ଦି’ଜଣ ଏଇଠି ଏମିତି ଏକାଠି ହୋଇଗଲେ କିପରି ? ଏଇଟା କଣ ସଂଯୋଗ ?

ହଠାତ୍ ମୋ ପାଟିରୁ ବାହାରି ପଡ଼ିଲା, ଆରେ ସେ ତ ଭକତ ଡୋରୀରେ ବନ୍ଧା । ଜଗନ୍ନାଥଙ୍କୁ ଭକ୍ତ ଯେପରି ଖୋଜେ, ଜଗନ୍ନାଥେ ଭକ୍ତକୁ ବି ସେମିତି ଖୋଜୁଥାନ୍ତି, ଆଉ ଏକଥା ଉଭୟ ଜାଣନ୍ତି । ଜଣେ ଯେଉଁ ଦିଗରେ ଯାଏ ଆଉ ଜଣେ ତା ପଛେପଛେ ଟାଣି ହୋଇଯାଏ । ଏଇଟାକୁ ବୋଧେ intuitions କହନ୍ତି, ପ୍ରତ୍ୟେକ ଜୀବ ଭିତରେ ଥାଏ ଏଇ ଗୁଣଟା । ତୁମେ ଯାହାକୁ ଚାହଁ, ତୁମ ଅଜାଣତରେ ତାରି ଆଡ଼କୁ ଟାଣି ହୋଇଯାଅ, ଚୁମ୍ବକର ବିପରୀତ pole ପରସ୍ପରକୁ ଟାଣିଲା ପରି, ରାଧା ବି ଏମିତି କୃଷ୍ଣ ପ୍ରେମରେ ଟାଣି ହୋଇ ଦୌଡ଼ି ଆସୁଥିଲେ ଯମୁନା କୂଳକୁ । ଲୋକେ ତ ମିଛରେ ମୂରଲୀକୁ ବଦନାମ କରୁଥିଲେ, ଦୋଷ ଦେଉଥିଲେ । କିନ୍ତୁ ସିଏତ ପ୍ରେମର ଏକ ଅଦୃଶ୍ୟ ଶକ୍ତି ଥିଲା ଯାହା ରାଧା-ମାଧବଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଥିଲା । ପ୍ରେମ ଅଦୃଶ୍ୟ କିନ୍ତୁ ଅତି ଶକ୍ତିଶାଳୀ, ପ୍ରେମୀ ଯୁଗଳଙ୍କୁ ଟାଣି ଆଣେ ଗୋଟିଏ ବିନ୍ଦୁ ଉପରକୁ, ଯେମିତି ଚୁମ୍ବକ ଟାଣେ । ତୁମେ ଯାହାକୁ ଖୋଜୁଛ ସିଏବି ତୁମକୁ ଖୋଛୁଛି । ତୁମେ ଯେମିତି ଏକ ଅଜଣା ଡୋରିରେ ଏଠିକି ଟାଣି ହୋଇଆସିଛ, ଠିକ୍ ସେଇ ଡୋରୀ ମୋତେ ବି ଟାଣି ଆଣିଥିଲା ଏଇଠିକି ।

କଥା ବୁଲାଇ ସେ ଡୁବିଲା ସୂର୍ଯ୍ୟକୁ ଚାହିଁ ମୋତେ ପଚାରିଲା, ମୁଁ ଆସିବା ପୂର୍ବରୁ ତୁମେ ସଂଧ୍ୟାର ଏଇ ସୂର୍ଯ୍ୟକୁ ଦେଖୁଥିଲ ନା’ ?

: ହଁ, ସୂର୍ଯ୍ୟକୁ ଦେଖୁଥିଲି, ନଦୀକୂଳରେ ଏଇ ସଂଧ୍ୟା ଦୃଶ୍ୟ ଖୁବ୍ ସୁନ୍ଦର ନା’ ? ନଈ ଆରପାଖର ସେଇ ପାହାଡ଼ ସନ୍ଧିରେ ସୂର୍ଯ୍ୟ ଧୀରେଧୀରେ ଅସ୍ତ ହୋଇଯିବାର ଦୃଶ୍ୟ ଖୁବ୍ ରୋମାଣ୍ଟିକ୍ ।

ସେ କହିଲା, ହଁ ଖୁବ୍ ସୁନ୍ଦର, ପିଲାଦିନେ ସୂର୍ଯ୍ୟାସ୍ତର ଅନେକ ଚିତ୍ର ଆଙ୍କିଛି, ମୋତେ ବହୁତ ଭଲ ଲାଗେ । ହେଲେ ତୁମେ ଆଉ କିଛି ଦେଖୁଥିଲ ଏଇ ଅସ୍ତ ସୂର୍ଯ୍ୟରେ । ଗଭୀର ଭାବନାରେ ହଜି ଯାଇଥିଲ, ସେଇ ସୂର୍ଯ୍ୟକୁ ଦେଖି, କଣ ଭାବୁଥିଲ ?

ମୁଁ ତା ପାଖକୁ ଘୁଞ୍ଚି ଆସିଲି, ଯେପର୍ଯ୍ୟନ୍ତ ସିଏ ମୋତେ ପଛ କରି ନଦୀ ଆଡ଼କୁ ମୁହଁ ବୁଲାଇ ଠିଆ ହୋଇଥିଲା । ମୁଁ ମୋର ଦୁଇ ହାତ ତା କାନ୍ଧ ଉପରେ ରଖି ତାକୁ ବୁଲେଇ ଦେଲି ମୋ ଆଡ଼କୁ, ଆମେ ସାମ୍ନାସାମ୍ନି ହୋଇଗଲୁ । ତା ମୁହଁକୁ ଚାହିଁ କହିଲି, ସେଇ ଅସ୍ତ ସୂର୍ଯ୍ୟ ସତେ ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଛି । ଆଉ ମୁଁ ସେଇ ସିନ୍ଦୁର ବିନ୍ଦୁର ଚାରି ପାଖରେ ମୋ ପ୍ରିୟାର ମୁହଁଟା ଆଙ୍କୁଥିଲି । ମୁଁ ଚାହୁଁଛି ସେଇ ସିନ୍ଦୁର ବିନ୍ଦୁ ମୋ ପ୍ରିୟାର ମଥାରେ ପିନ୍ଧେଇ ଦେବାକୁ, ଏକଥା କହିବା ଭିତରେ ମୋ ହାତର ଟିପ ତାର ମଥା ଛୁଇଁ କଳ୍ପନାର ସିନ୍ଦୁର ବିନ୍ଦୁଟିଏ ପିନ୍ଧାଇ ଦେଉଥିଲା ତାର ଶୂନ୍ୟ ମଥାରେ । ସେ ଆଉଜି ପଡ଼ିଲା ମୋ ଛାତି ଉପରକୁ, ଆଉ ମୋର ବାହୁ ସାଉଣ୍ଟି ନେଉଥିଲା ପ୍ରିୟାକୁ ନିଜର ନିବିଡ଼ ବାହୁ ବନ୍ଧନରେ । ବିରହାନ୍ତେ ପ୍ରେମୀ ଯୁଗଳ ଯେପରି ସାଗର ସଙ୍ଗମ ପରି ଦୁଇ ପୃଥକ ଜଳରାଶି ଏକାକାର, ଏକ ମନ, ଏକ ଶରୀର ହୋଇଯାଆନ୍ତି ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *