ଅଞ୍ଜଳି ପଟ୍ଟନାୟକ
ବାସ୍ ! ବହୁତ ହେଲା !
ଏବେ ବନ୍ଦ କର
ତୁମର ସହାନୁଭୂତି
ଦରକାର ନାହିଁ ମୋର,
ମତେ ମୋ ହାଲ୍ ରେ ଛାଡ଼ି ଦିଅ
ଶାନ୍ତିରେ ଜୀଇଁ ପାରିଲିନି
କମ୍ ସେ କମ୍ ଶାନ୍ତିରେ
ମରିବାକୁ ତ ଦିଅ………!
ରଖ ତୁମର କବିତା
ଶୁଣିବାକୁ ଆଗ୍ରହ ନାହିଁ ମୋର,
ଅନ୍ତର ତ ଅନ୍ତର
କାନ ବି ଶୁଣିବାକୁ କଷ୍ଟ ପାଏ,
ମୋ କୋମଳ ତନୁ ବଲ୍ଲରୀର
ସମ୍ବେଦନ ଅଙ୍ଗ ଗୁଡ଼ିକର
ବିଭତ୍ସ ବର୍ଣ୍ଣନା,
ସେମାନେ ତ ଥରେ କଲେ
ବିବସନା ମତେ
କରିବାକୁ ପୂର୍ଣ୍ଣ ତାଙ୍କ କୁତ୍ସିତ ବାସନା,
ହେଲେ ତୁମେ ??!!
ଯେତେଥର ଯିଏ
ପଢେ ଏ କବିତା
ସେତେଥର ନିର୍ମମତାରେ
ମୁଁ ହୁଏ ବସ୍ତ୍ରହୀନା,
କାୟା ବିନା
ଭୋଗୁଥାଏ ବାରବାର
ସେ ଦୁର୍ଘଟଣା……..!
ଖୁବ୍ ଦେଖିଛି ତୁମର ଏ
ପ୍ରହସନ,
ପାଇବାକୁ ବାଃ ବାଃ
ଲୁଟିବାକୁ ଯେତେ ତାଳିମାଡ଼,
ଲେଖାରେ ତୁମର ଆଙ୍କୁଥାଅ
ମତେ
କରୁ ଥାଅ ବାରବାର ନଗ୍ନ,
ଅସଫଳ ଯୋଉଠି
ଚିତ୍ରକରର ତୂଳୀ
ସେଠି ତୁମେ ଧର କଲମ ତୁମର ।।
ଅଡିଟ ସୁପରିଟେଣ୍ଡଟ୍, ଦୂର୍ଗାବଜାର, ଢେଙ୍କାନାଳ
ଲେଖକ ପରିଚୟ
କଲେଜ ପଢିଲାବେଳୁ ଲେଖାଲେଖି କରୁଥିଲି ହେଲେ ଏଇ ୫ ବର୍ଷ ହେଲା କବିତା ଲେଖାକୁ ପ୍ରାଧାନ୍ୟ ଦେଇଛି । ପେଶାରେ ସରକାରଙ୍କ ଅର୍ଥ ବିଭାଗରେ ସମୀକ୍ଷା ଅଧିକ୍ଷକ ଭାବେ କାର୍ଯ୍ୟରତ ।