ଶିବାଶିଷ ପାଢ଼ୀ

ବାଜୁଥିଲା କଳଙ୍କର ଛିଟା ! କିଛି କରି ନଥିଲେ କିମ୍ବା ସେମିତି କିଛି କଳ୍ପନା ବି କରି ନଥିଲେ ସୁଦିପବାବୁ । ହଁ ସେ କେବଳ ଅଫିସରେ ନୂଆ କରି ଜଏନ କରିଥିବା ରୋଶନି ମାଡାମଙ୍କ ସୁବିଧା-ଅସୁବିଧା ହିଁ ବୁଝୁଥିଲେ ।

ତାଙ୍କ କ୍ୱାଟରରେ କିଭଳି ବିଦ୍ୟୁତ ସଂଯୋଗ ହେବ । ଭାଙ୍ଗି ଯାଇଥିବା ପାଣି ପାଇପର ମରାମତିଠୁଁ ନେଇ କ୍ୱାଟରର ସଫାସୁତୁରା ଯାଏଁ  । ପୁଣି ତାଙ୍କ ପୁଅର ଆଡ଼ମିସନ ଏବଂ ଯାବତୀୟ ସୁବିଧା କଥା । ସେପୁଣି ସେମିତି ଖାଲିଟାରେ ନୁହେଁ । ରୋଶନିମାଡାମଙ୍କ ସ୍ଵର୍ଗୀୟ ସ୍ୱାମୀ ଅନିକେଶବାବୁଙ୍କ ସହ ସାମାନ୍ୟ ଚିହ୍ନାଜଣା ଥିଲା ବୋଲି ।

ଅନୁକମ୍ପା ଯୋଜନା ମାଧ୍ୟମରେ ପୋଷ୍ଟିଙ୍ଗ ହୋଇଥିବା ରୋଶନିମାଡାମଙ୍କୁ ସେ ଆଗରୁ କେବେ ଦେଖି ବି ନଥିଲେ କିନ୍ତୁ ତାଙ୍କ କଥା ଜାଣିଥିଲେ ମାଡାମ ଏବଂ ସେ ଆସିଲାବେଳେ ତାଙ୍କର ଠିକଣା ହିଁ ନେଇକି ଆସିଥିଲେ । କହିବାକୁ ଗଲେ ଏ ଅଜଣା ସହରରେ ସୁଦିପବାବୁ ହିଁ ଥିଲେ ତାଙ୍କର ଏକମାତ୍ର ଭରସା ।

ଏମିତିରେ ତାଙ୍କ ଭରସା ହେବାକୁ ତ ରୀତିମତ ପ୍ରତିଯୋଗିତା ଚାଲିଥିଲା ଅଫିସରେ । ଖୋଦ ବଡ଼ବାବୁ ଠିକ ତାଙ୍କ ସାମ୍ନାରେ ମାଡାମଙ୍କ ବସିବା ବ୍ୟବସ୍ଥା କରିଥିଲେ । ହେଲେ ସୁଦିପବାବୁଙ୍କ ଛଡ଼ା କାହାକୁ ବିଶ୍ୱାସ କରି ପାରୁ ନଥିଲେ ରୋଶନି । ସେଇଥିପାଇଁ ସେଇମାନଙ୍କ ଦ୍ଵାରା ହିଁ ରଟା ଯାଉଥିଲା ଏସବୁ ବାଜେ କଥା ! କଥା କେବଳ ଅଫିସରେ ବି ସୀମିତ ନଥିଲା ! ଘର ପର୍ଯ୍ୟନ୍ତ ବି ଆସିଥିଲା । ଅନ୍ୟ କେହି କିଛି କହିବା ଆଗରୁ ନିଜେ କହିଥିଲେ ସୁଦିପବାବୁ । କାରଣ ଦୀକ୍ଷାଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ଥିଲା ! ଆଉ ତାଙ୍କ ବିଶ୍ୱାସକୁ ବି ଅକ୍ଷୁର୍ଣ୍ଣ ରଖିଥିଲେ ଦୀକ୍ଷା । ଜିନ୍ତୁ ଭୀଷଣ ଚିନ୍ତିତ ହୋଇଥିଲେ ଦୀକ୍ଷା । ତାର କାରଣ ହେଲା ବିଗତ କିଛି ମାସର ଘଟଣାକ୍ରମ ।

ଚିନ୍ତିତ ତ ପ୍ରଦୀପବାବୁ ବି ଥିଲେ ହେଲେ ତାର କାରଣ ଏ କଳଙ୍କ ନଥିଲା । ତାର କାରଣ ଥିଲା ପ୍ରାୟ ବର୍ଷେ ହେବ ସେ ସାମ୍ନା କରୁଥିବା ପରିସ୍ଥିତିକୁ । ନିଜେ ଠିକ ଥିଲେ ବି କେଜାଣି କାହିଁକି ସବୁ ଖରାପର ସାମ୍ନା କରୁଥିଲେ ସେ ! ଛୋଟଛୋଟ ଘଟଣା କଥା କଟାକଟିରୁ କିଛି ବନ୍ଧୁ ଦୂରେଇ ଯାଇଥିଲେ । ନ୍ୟାୟୋଚିତ ଥିଲେ ବି ତାଙ୍କ ପଦୋନ୍ନତି ଘୁଞ୍ଚି ଚାଲିଥିଲା ଏବଂ ତାର କାରଣ ସାଜୁଥିଲେ ବିନା କାରଣ ବା ସାମାନ୍ୟ କାରଣରୁ ସଦ୍ୟସଦ୍ୟ ଶତ୍ରୁ ପାଲଟିଥୁବା ସେ ପୂର୍ବତନ ବନ୍ଧୁମାନେ । ଅଫିସରେ ବି ସବୁକିଛି ଠିକ ନଥିଲା ବରଂ ବିନା କାରଣରେ ବାରମ୍ବାର ଅପମାନିତ ହେବାକୁ ପଡୁଥିଲା ତାଙ୍କୁ ।

ସତକୁ ସତ କହିବା ଏବଂ ମିଛକୁ ମିଛ କହିବା ଯେତେବେଳେ ଦୁରୂହ ହୋଇଯାଏ । ନିଜେ ଠିକ ରହିବାର ଭରପୁର ଚେଷ୍ଟା କଲେ ବି ଯେତେବେଳେ ପରିସ୍ଥିତି ପ୍ରତିକୂଳ ହୋଇ ଚାଲିଥାଏ, ସେତେବେଳେ ହାତ ଟେକିଦିଏ ମଣିଷ ! ଚେଷ୍ଟାକରେ ସୁଅ ମୁହଁରେ ଭାସି ଚାଲିବା ପାଇଁ । ଠିକ ଏଇ ପରିସ୍ଥିତିର ସାମ୍ନା କରୁଥିଲେ ସୁଦିପବାବୁ ।

ସବୁକିଛିକୁ ଜାଣୁଥିଲେ ଦୀକ୍ଷା । ସୁଦିପବାବୁ ତ ଚୁପ ଥିଲେ କିନ୍ତୁ ଦୀକ୍ଷା ତାଙ୍କ ଯୋଗାଡ଼ଯନ୍ତ୍ରରେ ଲାଗି ପଡ଼ିଥିଲେ । ପୂଜାପାଠ ବି କରାଇଥିଲେ, ଲାଗିଥିଲେ ବିଭିନ୍ନ ଜ୍ୟୋତିଷଙ୍କ ପିଛାରେ । ଅନେକ ଚେଷ୍ଟା ପରେ ସେ ଜାଣିବାକୁ ପାଇଥିଲେ ଯେ ଗ୍ରହନକ୍ଷତ୍ର ଠିକ ନାହାନ୍ତି ! ପ୍ରତିକାର ଲୋଡ଼ା ।

ପୂର୍ବରୁ ହାତ ଟେକି ସାରିଥିଲେ ସୁଦିପବାବୁ । ଏଣୁ ଦୀକ୍ଷାଙ୍କ କଥା ନମାନିବାର କୌଣସି କାରଣ ନଥିଲା ।

ଜଣେ ନିହାତି ଗରିବ ଲୋକକୁ କଳା କମ୍ବଳଖଣ୍ଡେ ଦାନ ଦେବାପାଇଁ ଆଜି ନିର୍ଦେଶ ଦେଇଥିଲେ ଦୀକ୍ଷା । ଆଉ ସେଇଥିପାଇଁ ବାଇକ ଡ଼ିକିରେ କମ୍ବଳଟିକୁ ରଖି ଉପଯୁକ୍ତ ଲୋକର ସନ୍ଧାନରେ ବାହାରିଥିଲେ ସେ । ଆଜି ହିଁ ସେ କାମ ସାରିବା ପାଇଁ କଡ଼ା ତାଗିଦ କରିଥିଲେ ଦୀକ୍ଷା ।

ସନ୍ଧ୍ୟା ହୋଇଆସୁଥିଲା ! ସହରରେ ସାଧାରଣ ଟ୍ରାଫିକ ଥିଲା ! କିନ୍ତୁ ଛକରେ ରୁଣ୍ଡ ହୋଇଥିଲେ ଲୋକେ । କଣ ହୋଇଛି ? ଜାଣିବା ପାଇଁ ରହିଗଲେ ସୁଦିପବାବୁ । ବିଶେଷ କିଛି ହୋଇ ନଥିଲା । ଜଣେ ବୁଢ଼ାଲୋକକୁ ଧକ୍କା ଦେଇ ଚାଲି ଯାଇଥିଲା କେଉଁ ଏକ ବାଇକ ।

ବୁଢ଼ାଙ୍କୁ ସାଙ୍ଗେସାଙ୍ଗ ଚିହ୍ନି ପକାଇଲେ ସୁଦିପବାବୁ ! ସବୁଦିନ ଅଳ୍ପ କିଛି ପରିବା ଧରି ଡେଲି ମାର୍କେଟର ଗୋଟେ କୋଣକୁ ବସୁଥିଲେ ସେ ବୁଢା ଲୋକ । ବୟସ ଅଶୀ ଉପରେ ହେବ । ତଥାପି ବି ବାଇକ୍ ଧକ୍କାକୁ ସମ୍ଭାଳି ନେଇଥିଲେ ସେ ! ବିଶେଷ ଆଘାତ ବି ପାଇ ନଥିଲେ  । ଲୋକେ ତାଙ୍କୁ ଉଠାଇ ବସାଇ ଦେଇଥିଲେ ସେଇ ରାସ୍ତାକଡ଼ରେ । ଆହାଃ ଚୁ ଚୁ କହି ଯେଯାହା ବାଟରେ ଯିବା ଉପରେ ଥିଲେ । ବୁଢ଼ା ସେସବୁ ଶୁଣୁ ନଥିଲେ ବରଂ ତାଙ୍କ ନଜର ବ୍ୟାକୁଳ ହୋଇ ଖୋଜୁଥିଲା କିଛି ଗୋଟିଏ ଜିନିଷକୁ ।

ସେ ତ ଦେଖି ପାରି ନଥିଲେ କିନ୍ତୁ ତାଙ୍କ ଆଖିକୁ ପିଛା କରି ସୁଦିପବାବୁ ଦେଖିଥିଲେ ସେ ଇପ୍ସିତ ଜିନିଷକୁ । କାହା ଚପଲ ଚାପାରେ ଭାଙ୍ଗି ଯାଇଥିଲା ବୁଢ଼ାଙ୍କ ଚଷମାଟି । କେବେଠୁ ପୁରୁଣା ହୋଇ ସାରିଥିବା ସେଇ ପୁରୁଣା ଚଷମା କାଚ ତଥାପି ଠିକ ଥିଲା । ତାକୁ ନଇଁ ପଡ଼ି ଗୋଟାଇ ଥିଲେ ସୁଦିପବାବୁ । କିନ୍ତୁ ବୁଢ଼ାଙ୍କୁ ସେଇଟା ଦେବା ପାଇଁ ତାଙ୍କ ହାତ ଯାଉ ନଥିଲା । ଲୋକେ ଯାଇ ସାରିଥିଲେ । ବୁଢ଼ାଙ୍କୁ ବାଇକରେ ବସାଇ ସିଧା ଚଷମା ଦୋକାନକୁ ଯାଇଥିଲେ ସୁଦିପବାବୁ ।

ପ୍ରାୟ ଅଧଘଣ୍ଟା ସମୟ ଏବଂ ଶହେ ଟଙ୍କା ବିନିମୟରେ ଠିକ ହୋଇଯାଇଥିବା ଚଷମାଟି ବୁଢ଼ାଙ୍କ ଚେହେରାରେ ଯେଉଁ ଖୁସି ଚହଟାଉ ଥିଲା ତାହା ଅବର୍ଣ୍ଣନୀୟ ଥିଲା । ଗଭୀର ପ୍ରଶାନ୍ତି ଯେମିତି ସୁଦିପବାବୁଙ୍କୁ କହୁଥିଲା ଏଇଠି ହିଁ ହୋଇଗଲା ସମସ୍ତ ପ୍ରତିକାର ! କମ୍ବଳ କଥା ପୁରା ଭୁଲି ଯାଇଥିଲେ ସେ !

ବୁଢ଼ା ଯାଇ ସାରିଥିଲେ ! ତଥାପି ବସ୍ତି ଆଡକୁ ମୁହାଇଥିଲେ ସୁଦିପବାବୁ । କାରଣ ମନେ ପଡୁଥିଲେ ଦୀକ୍ଷା ଏବଂ ଦୀକ୍ଷାଙ୍କ ତାଗିଦ୍ !!!

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ତିନୋଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ‘ସାରା ଆକାଶ’ ନାମକ ସଂକଳନ ପ୍ରକାଶିତ ହେବାକୁ ଯାଉଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା  !!!

Related Posts

Leave a Reply

Your email address will not be published. Required fields are marked *