ନିବେଦିତା ମିଶ୍ରଗୁରୁ

ସେ ଯେତେ କୋଲପ ମାରି
ଲୁଚେଇ ରଖିଲେ ବି
ମତେ ଆଦୌ ଅଛପା ନଥିଲା
ତା ଦୁଃଖ, ତା ଲୁହ, ତା ଦୀର୍ଘଶ୍ୱାସ
ଅବା ସେ ଗୋପନରେ ହତ୍ୟା
କରିଥିବା ତା ପ୍ରିୟ ଇଚ୍ଛାମାନଙ୍କୁ
ତା ଆଦରର ସ୍ଵପ୍ନମାନଙ୍କୁ
ସେଥିପାଇଁ ତ
ମୁଁ କେବେ ବି ଚାହିଁ ନଥିଲି
ମୋ ବୋଉ ପରି ହବାକୁ !
ବୋଉ ନିଜେ ଯେମିତି ହବାକୁ
ଚାହିଁ ହେଇ ପାରିନଥିଲା
ବୋଧେ ଠିକ୍ ସେମିତି
ହବାକୁ ଚାହୁଁଥିଲି ମୁଁ …
କେବେ ପୁଣି ଭାବିଥିଲି
ମୋ ନିଜ ପରି ହବାକୁ
ଯେମିତି ମୁଁ ଚାହୁଁଥିଲି …
ହଠାତ୍ ଦିନେ ଜାଣିଲି ନିଜକୁ
ନା ମୁଁ ବୋଉ ପରି ହେଇ ପାରିଚି
ନା ସେ ଯେମିତି ନିଜେ ହବାକୁ ଚାହୁଁଥିଲା
ସେମିତି ହେଇ ପାରିଚି
ନା ନିଜେ ଯେମିତି ହବାକୁ
ଚାହୁଁ ଥିଲି ସେମିତି ବି …
ଅନିଚ୍ଛା ସତ୍ତ୍ୱେ
ମୁଁ ବି ବେଶ୍ ସହଜରେ
ଗୋପନରେ ହତ୍ୟା କରିଥିଲି
ବୋଉ ପରି ମୋର ଅନେକ
ପ୍ରିୟତମ ସ୍ଵପ୍ନମାନଙ୍କୁ
ମୋର ଆନ୍ତରିକ ଇଚ୍ଛାମାନଙ୍କୁ
କିନ୍ତୁ ଆଜି ଆଦୌ ଚାହେଁନା ମୁଁ
ମୋ ଝିଅ ମୋ ବୋଉ ପରି ହଉ
ମୋ ପରି ହଉ ଅବା
ମୁଁ ନିଜେ ଯେମିତି ହବାକୁ
ଚାହୁଁଥିଲି ସେମିତି ସେ ହଉ …
ମୁଁ ଚାହେଁ ସେ କେବେ
କାହା ପରି ହିଁ ନହେଉ
କେବେ ହତ୍ୟା ନହେଉ
ତାର କୌଣସି ସ୍ୱପ୍ନର
ତା ନିଜ ଦ୍ଵାରା ଅବା ଆଉ କାହା ଦ୍ଵାରା
ସେ କେବଳ
ତା ନିଜ ପରି ହଉ
କେବଳ ତା ନିଜ ପରି …
ଯେମିତି ସେ ଚାହେଁ
ଆକାଶ ତାର ସେତିକି ବିଶାଳ ହେଉ
ଯେମିତି ସେ ଚାହେଁ ।
ମାଲାଡ, ମୁମ୍ବାଇ
ଲେଖକ ପରିଚୟ
ମାଆ ଶିଶୁକୁ ଆଦରରେ ଆହାର ଯୋଗାଇଲା ପରି ଶୈଶବରେ ବାପା ବେଶ ଯତ୍ନର ସହିତ ଯୋଗାଇଥିଲେ ସାହିତ୍ୟର ଖୋରାକ । ସପ୍ତମ ଶ୍ରେଣୀରେ ପ୍ରଥମ କବିତା ଲେଖିଥିଲି । ସ୍କୁଲ, କଲେଜ ଓ ପରେ ଜଣେ ଗୃହିଣୀର ଜୀବନ ସହ ସାହିତ୍ୟ ଛଳଛଳ ଛୋଟ ଏକ ଝରଣା ହେଇ ସଦା ଆଗେଇ ଚାଲିଚି ମୋ ସାଥିରେ । ‘ଅନ୍ଧାର ଓ କିଛି ନିଖୋଜ ମୁହୂର୍ତ୍ତ’ ଏକ ମାତ୍ର କବିତା ସଂକଳନ ଯାହା ପ୍ରକାଶିତ ହୋଇଛି । ଏକାନ୍ତ ସମୟରେ କେବେ କେମିତି ଲିଖିତ ମୁଷ୍ଟିମେୟ କବିତା ମୋର ପାଠକମାନଙ୍କୁ ଛୁଇଁ ପାରିଚି କି ନା ଜାଣେନା କିନ୍ତୁ ଜୀବନକୁ ମୋର ଭରିଦେଇଛି ଅପୂର୍ବ ଆଲୋକରେ, ଆବେଗରେ, ତୃପ୍ତିରେ, ନିଜସ୍ଵ ଶିଶୁ ପରି । ସାହିତ୍ୟ ବିନା ଜୀବନ କାହିଁ ?