ଡମ୍ବରୁଧର ବେହେରା

ମନରେ ନାଚିଛି/ ପାଦର ଅଳତା/ ଚାରିଆଡ଼େ ତୁମ ତାତି
ଲଗାଣ ଝଡ଼/ ଅନ୍ଧାର ଧରଣୀ/ ଶିହରଣେ ଥରେ ଛାତି
ମନେ ପଡୁଛି ନା/ ସମୁଦ୍ର ଲହରୀ/ ଧରା ଶ୍ରାବଣର ପାଣି
ଭଲ ପାଇବାର/ ଛତା ତଳେ ଆମ/ ଅଙ୍କାବଙ୍କା ଅଙ୍ଗ ଠାଣି ।

କଥାରେ କଥାରେ/ ତୁମର ତୁଣ୍ଡରେ/ ଥିଲା ଫୁଲର ମହୁ
ସଜଳ ସଜଳ/ ଦେହର ଛୁଆଁରେ/ ଥିଲା ମହକ ବହୁ
ଆଖି ଚାହାଣିରୁ/ ଛୁଟୁଥିଲା ତମ/ ତୀବ୍ର ଦେହର ଗନ୍ଧ
ମହମହ ହୋଇ/ ଦେହ ଜାଳୁଥିଲା/ ମନକୁ କରି ମୋ ଅନ୍ଧ ।

ଓଦା ଏଠି ମୋର / ଆଖିର ପଲକ/ ପୋଛିବାକୁ ନାହିଁ କେହି
ତମେ ତ ଯାଇଛ/ ଅନେକ ଦିନରୁ/ ଡାକିବି କାହାକୁ ଯାଇ
ମେଘର ମଲ୍ଲାର/ ଛିଟିକି ପଡୁଛି/ ଟିକିଟିକି ଘାସପରେ
କିଏ ବୁଝାଇବ/ ପିଠି ଥାପୁଡ଼ାଇ/ ଅଛି ଅଛି କହି ଦୂରେ ।

ଆଖିର ଲୁହରେ/ ମେଘର ଛିଟାରେ/ ଦେହ ସିନା ଭିଜୁ ନାହିଁ
କେତେ କହିଲେ ବି/ ଅମାନିଆ ମନ/ ଜମାରୁ ଯେ ବୁଝୁ ନାହିଁ ।

ଜଗଦଳପୁର, ବସ୍ତର, ଛତିଶଗଡ଼, ସମ୍ପର୍କ: ୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *