ବିଶ୍ୱେଶ୍ୱର ମାଝୀ
ତାଙ୍କ ନିକଟ ସହରରେ ବିଖ୍ୟାତ ରାବଣ ପୋଡ଼ି, ବହୁ ଆତସବାଜିର ବର୍ଣ୍ଣବିଭା ସହ ଆକର୍ଷଣୀୟ ମୀନାବଜାର ଓ ଖାଇବାପିଇବା ଭାରି ମଜା । ଇଛା ନଥିଲେ ବି ସାଙ୍ଗମାନଙ୍କ ବାଧ୍ୟବାଧକତାରେ ଯାଇଥିଲା ଅନୁଭା । ପହଞ୍ଚିଲା ପରେ ଅବଶ୍ୟ ସେଠାର ଲୋକାରଣ୍ୟ ଓ ସାଜସଜ୍ଜାରେ ହଜିଯାଇଥିଲା ସେ । ସାଙ୍ଗମାନଙ୍କ ସହ ଖିଆପିଆ ଆରମ୍ଭ କଲା ।
ଆଉ ଅଧ ଘଣ୍ଟା ପରେ ଉତ୍ସବ, ଅତିଥି ଆସି ନିକଟ ଡାକ ବଙ୍ଗଳାରେ ପହଞ୍ଚିଗଲେଣି ବୋଲି ପ୍ରଚାର ହେଉଥାଏ । ସତକୁ ସତ ରାବଣ ପୋଡ଼ିର ଭବ୍ୟ ଆୟୋଜନ ଆରମ୍ଭ ହେଲା । ପ୍ରଥମେ ଅନାବରଣ ହେଲା ବିଶାଳ ରାବଣ ମୂର୍ତ୍ତି । ଦଶ ମଥାରେ ଯେତିକି ଉଚ୍ଚ, ସେତିକି ଚଉଡ଼ା ଦିଶୁଛି ରାବଣ, କେତେ ବିକଟାଳ ସତରେ ! ଅତିଥିଙ୍କୁ ମଞ୍ଚକୁ ପାଛୋଟି ଅଣାଗଲା । ତୀର ମାରି ରାବଣ ମୁହଁରେ ଅଗ୍ନି ସଂଯୋଗ କରିବେ ସେ ।
ହଠାତ୍ ଅନୁଭା ଚିତ୍କାର କରି ମାଡ଼ିଗଲା ମଞ୍ଚ ଆଡ଼କୁ । ତାକୁ ମାଡ଼ିବସିଲେ ତିନି ଚାରିଟା ବଳିଷ୍ଠ ଲୋକ ଓ ପୋଲିସ । ଅନୁଭା କହିବାକୁ ଚାହୁଁଥାଏ ଇଏ ତ ସେଇ ରାବଣ, ତାଙ୍କ ରାଜ୍ୟର ମନ୍ତ୍ରୀ, ଯିଏ ଦିନେ ଆସିଥିଲା ତାଙ୍କ ଅଫିସକୁ । ସିଏ ନୂଆ କରି ଜଏନ୍ କରିଥାଏ ଚାକିରିରେ ଓ ତାକୁ ଦାୟିତ୍ଵ ଦିଆଗଲା ମନ୍ତ୍ରୀଙ୍କୁ ଅଭ୍ୟର୍ଥନାର । ବହୁ ଆଗ୍ରହରେ ସେ ଅଭ୍ୟର୍ଥନା କରିବାକୁ ଫୁଲ ମାଳ ପିନ୍ଧାଇଲା ପରେ, ଗ୍ଲାସରେ ପଇଡ଼ ପାଣି ଧରି ରୁମ ଭିତରକୁ ଗଲା । ଏ କଣ, ପଇଡ଼ ଗ୍ଲାସ ସହ ତା ହାତକୁ ଧରି ପକାଇଲା ପିଶାଚ, ନଛୋଡ଼ବନ୍ଧା । ବଳ ଖର୍ଚ୍ଚ କରି ମୁକୁଳିବାକୁ ଚାହିଁଲାରୁ ଓଲଟା କହିଲା, ଏ ଛୋଟିଆ ଚାକିରିରେ କଣ ଅଛି ? ମୋତେ ଗେଷ୍ଟହାଉସରେ ରାତିରେ ଦେଖା କର, ତୁମ ଜୀବନ ବଦଳି ଯିବ । ଅନୁଭା ତା ହାତ କାମୁଡ଼ି ଦେଇ ଖସି ପଳାଇ ଆସିଲା ଆଉ ସିଧା ଘରେ ହାଜର ।
ସେଇ ଦିନଠାରୁ ଚାକିରି ଛାଡ଼ିଦେଲା, କୋଚିଙ୍ଗ ସେଣ୍ଟରରେ ପାଠ ପଢାଇ ଯାହା ରୋଜଗାର କରେ । କାରଣ ସେ ଜାଣି ପାରିଥିଲା ଯେ ନିଜର ରୂପଲାବଣ୍ୟ ହିଁ ତା ପାଇଁ ଅଭିଶାପ । କେତେ କୁଟିଳ ଚାହାଣୀଙ୍କୁ ସେ କଲେଜ ଦିନରୁ ଚାକିରି ପର୍ଯ୍ୟନ୍ତ ଏଡ଼ାଇ ଆସିଛି, ହେଲେ ଏମିତି ପ୍ରଥମଥର ଘଟିଥିଲା ତା ସହିତ । ରାବଣଠାରୁ ହୀନ ଏପରି ଅଭଦ୍ର ସେ ଦେଖିଥିଲା ପ୍ରଥମଥର । ରାବଣ ତ ସୀତାମାତାଙ୍କୁ ଖରାପ ଦୃଷ୍ଟି ରଖି ଛୁଇଁ ବି ନଥିଲା । ହେଲେ ଏପରି ବାହୁବଳୀମାନେ ରାବଣକୁ ପଛରେ ପକାଇଦେବେ । ଏ କଣ ରାବଣ ପୋଡ଼ି କରିବ ? ତା ସ୍ଵର ମିଳାଇଗଲା ଭିଡ଼ ଭିତରେ ।
ଅନୁଭା ବହୁ ଚେଷ୍ଟା କରି ପାଟି ଫିଟାଇ ପାରିଲାନାହିଁ, ଓଲଟି ରାଗିପାଚି ବେହୋସ ହୋଇଗଲା । ତା’ର ହୋସ ଆସିଲା ବେଳକୁ ମଞ୍ଚ ଶୂନ୍ୟ, ରାବଣ ବି ଜଳି ସାରିଲାଣି । ସାଙ୍ଗମାନଙ୍କ ପ୍ରଶ୍ନର କି ଉତ୍ତର ଦେବ ସେ ?? କହିବ କି, ଏ ମନ୍ତ୍ରୀ ରାବଣଠାରୁ ବହୁତ କଦର୍ଯ୍ୟ, କିଏ ଶୁଣିବ ତା କଥା ?? ଆଉଥରେ ବେହୋସ ହୋଇଗଲା ଅନୁଭା ।
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୧୭୮୪୬୬୧୬୧
ଲେଖକ ପରିଚୟ
ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି । ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।