ଗୌରପ୍ରିୟା ଦାଶ

କାହିଁ କେଉଁ କାଳୁ
ଆଣ୍ଠୁ ମାଡ଼ି ବାଲିକୁ ଜାବୁଡ଼ି
ବେଳାଭୂମି ପରେ ଆଁ କରି ପଡ଼ିଛି ସେ
କାଠଗଣ୍ଡି ନୁହଁ ଖାଲି…
ମୂକସାକ୍ଷୀ ସିଏ ବିତା ସମୟର
ଦଣ୍ଡ, ଦିନ, ମାସ ଓ ବର୍ଷର ।

ହିସାବ ରଖିଛି
ଗୋଟିଗୋଟି ବନ୍ୟା, ବାତ୍ୟା,
ଝଡ଼ ତୋଫାନର ।
ଭଟା ଓ ଜୁଆର ସହ
ଆସି ପୁଣି ଫେରିଯାଉଥିବା
ଅଗଣିତ ଲହରୀମାଳର ।

ଦେହରେ ତା’ କରିଛନ୍ତି ଘର
ସମୟର ଶ୍ୟାମଳ ଶିଉଳି
କୁନିକୁନି ଶଙ୍ଖ, ଶାମୁକା ଓ ଗେଣ୍ଡା
ଜମେଇ ଆସର
ବସିଛନ୍ତି ତା’ ଉପରେ
ନିଜନିଜ
ଗପର ପସରା ଖୋଲି ।

ତଥାପି ସେ ନିରବ ନିଶ୍ଚଳ
ମୋହମୁକ୍ତ ସିଦ୍ଧଯୋଗୀ ପରି
କେହି କେବେ ପଚାରେନା ତାକୁ
କେଉଁଠୁ ସେ ଆସିଅଛି ଭାସି
କେଉଁଠି ତା’ ଘର
ଦେଖୁଛି ସେ ନିର୍ବିକାରେ ଦିବାନିଶି
ଏ ସଂସାରର ସ୍ନେହପ୍ରେମ,
ସୁଖଦୁଃଖ ଖେଳ ।

ସତ୍ୟବିହାର, ଭୁବନେଶ୍ୱର

ଲେଖକ ପରିଚୟ

ସ୍କୁଲ ସମୟରେ ଗଳ୍ପ, କବିତା ଲିଖନ ପ୍ରତିଯୋଗିତାରେ ଭାଗ ନେଇଥିଲି । କେବେ ପ୍ରଥମ କେବେ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କାର ଲାଭ କରିଥିଲି । ସେବେଠୁ ଲେଖିବା ପ୍ରତି ଦୁର୍ବଳତା ଆସିଥିଲା । କିନ୍ତୁ କଲେଜ ସମୟରେ ସମୟ ଅଭାବରୁ ଅଭ୍ୟାସ ଛାଡ଼ି ଯାଇଥିଲା । ପୁଣି ୩ ବର୍ଷ ହେବ, ଲେଖାଲେଖି କରିବା ସହ ଏକ ସାହିତ୍ୟ ପତ୍ରିକା ‘ଆଭା’ ର ସମ୍ପାଦନା କରୁଛି ।

Related Posts

Leave a Reply

Your email address will not be published. Required fields are marked *