‘ମୋର ପ୍ରିୟ ପୁସ୍ତକ’ ଆଲୋଚନାଚକ୍ର

ଭୁବନେଶ୍ୱର : ସ୍ଥାନୀୟ ଶ୍ରୀରାମ ନାଗରସ୍ଥିତ ଖୋର୍ଦ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ‘ମୋର ପ୍ରିୟ ପୁସ୍ତକ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ଐତିହ୍ୟ ଗବେଷକ ଗୋପାଳକୃଷ୍ଣ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ପୁସ୍ତକ କିପରି ଜ୍ଞାନବର୍ଦ୍ଧନ ସହ ଆଲୋକ ଓ ଆନନ୍ଦ ପ୍ରଦାନ କରେ ସେ ସମ୍ପର୍କରେ ସାହିତ୍ୟିକମାନେ ଆଲୋଚନା କରିଥିଲେ । ସମ୍ପାଦକ ଶିଶୁ ସାହିତ୍ୟିକ ବିଭୁ ପ୍ରସାଦ ହରିଚନ୍ଦନ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି କବି ବୈକୁଣ୍ଠନାଥ ରାଜଗୁରୁ ମାଟିର ମହାକବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ଶ୍ରେଷ୍ଠ କୃତି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ‘ପାଣ୍ଡୁଲିପି’ କିପରି ଓଡ଼ିଆ କବିତାର ନୂତନ ମାର୍ଗଦର୍ଶନରେ ଗୁରୁଦାୟିତ୍ଵ ବହନ କରିଥିଲା ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟବକ୍ତା ଶିକ୍ଷାବିତ ସତ୍ୟବାଦୀ ବଳିୟାରସିଂହ, ସମ୍ମାନିତ ଅତିଥି ସୌଦାମିନୀ ପଟ୍ଟନାୟକ, ସଂଘଠନ ସମ୍ପାଦକ ବଂଶୀଧର ଦାସ, ଡ. ରବିନାରାୟଣ ସେନାପତି ପ୍ରମୁଖ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଆଇନଜ୍ଞ ବିଜୟ ସାମନ୍ତସିଂହାର ଓ କବି ବାସୁଦେବ ସାହୁ ପୁସ୍ତକ ପଠନର ଉପଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ ହରିଚନ୍ଦନ ଉପେନ୍ଦ୍ରଭଞ୍ଜଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ ରୀତିଯୁଗର କିପରି ମାର୍ଗଦର୍ଶନ କରିଥିଲା ଓ ପ୍ରଣୟ ତାପସ କବି ମାନସିଂହଙ୍କ ଧୂପ ତାଙ୍କୁ ପ୍ରଭାବିତ କରିଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଉପସଭାପତି ଇତିଶ୍ରୀ ସାହୁ ମତବ୍ୟକ୍ତ କରିବା ସହ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *