ଫ୍ରାନସିସ ଶତପଥୀ
“ଛୁଆମାନେ ମା’କୁ ଖୁଆଇ ଦିଅନ୍ତି ନାହିଁ..” ଥିଲା ସେଦିନ ଡାଇନିଂ ଟେବଲ୍ ଉପର ଆଲୋଚନାର ବିଷୟବସ୍ତୁ । ରୋଜ୍ ଖାଇଲାବେଳେ ସନ୍ଦିପ ଓ ସୋନାଲି ଧରି ନିଅନ୍ତି କିଛିକିଛି ହାଲକା ଟପିକ୍, ଯାହା ଖାଇବା ଟେବଲ୍ ରେ ଦିଏ ଖଟିର ନିଆରା ମଜା । କେତେବେଳେ ଫିସ୍ ଫାସ୍ ତ କେତେବେଳେ ଝିକ୍ ଝାକ୍ ବନିଯାଏ ସେ ନରମ ଚର୍ଚ୍ଚାର ଗରମ ନିର୍ଯ୍ୟାସ । କେତେବେଳେ ସାଦା ତରକାରୀ ଦିଏ ଦମାଦମ୍ ମସଲାର ସ୍ଵାଦ ତ କେତେବେଳେ ରାଗରାଗ ମାଂସ ଝୋଳ ପାଲଟିଯାଏ ସୁଦୁ ସାଦା ନିରାମିଷ ସନ୍ତୁଳା ସେ ଡାଇନିଂ ଟେବଲ୍ ଉପର କପଲ୍ ଲାଇଭ୍ ଟକ୍ ସୋ’ରେ ।
-“ବୁଝିଲ, ଗୁଡୁ ମୋତେ ଖୁଆଇ ନଦେଲେ ମୋତେ ଭାରି ଖୁସି ଲାଗୁଚି ।” ସୋନାଲି ମଟନ ନଳି ପିସ୍ ଟା ପାଟିରେ ସୋଷାଡ଼ି କହିଲା ।
-“କାହିଁକି?” ସନ୍ଦିପର ପ୍ରଶ୍ନ ।
-“ଆକ୍ଚୁଆଲି ମୋର ପିଲାବେଳ କଥା ମନେ ପଡ଼ିଯାଉଛି । ଜାଣିଛ ମମିକୁ ତ ମୁଁ ଖୁଆଇ ଦିଏନି । ଘରେ ମଟନ ହେଲେ ଆଗେ ମୁଁ ଖାଇବି । ପୁଣି ମମି କି ପାପା ଖାଇବାବେଳେ ତାଙ୍କ ସାଙ୍ଗରେ ବସି ଆହୁରି ଖାଏ । ମମି ଖାଲି ଝୋଳ ଆଉ ହାଡ଼ ଚୁଚୁମି ଖାଏ । ବାକିସବୁ ମୁଁ ଖତମ କରିଦିଏ ।” ହସି ପକେଇଲା ସୋନାଲି ।
-“ଦେଖ ମୋ ପୁଅ ଏବେ ସେୟା କରୁଛି । ପ୍ରତିଶୋଧ ନେଉଛି ତା ଆଈଙ୍କ ପାଇଁ ।” ହସିହସି ଉତ୍ତର ରଖିଲା ସନ୍ଦିପ ।
-“ସେମିତି ହିଁ ହୁଏ । ତୁମେ ବି ସେୟା କରୁଥିବ । ବୋଉଙ୍କର ବି ସେମିତି ଅବସ୍ଥା ହୋଇଥିବ ଯେ..!”
ଅନ୍ୟମନସ୍କ ଭାବରେ ‘ହଁ’ ଭରିଲା ସନ୍ଦିପ । ତା’ ଆଖି ଆଗରେ ନାଚି ଯାଉଥିଲା ମାଟି ପିଣ୍ଡାରେ ବାପା ଓ ସେ ଛାଡ଼ି ଯାଇଥିବା ବାଇଗଣପୋଡ଼ା ମୁଣ୍ଡିଟାକୁ ଲୁଣ ପାଣି ଦେହରେ ଘଷିଘଷି ପଖାଳ ଭାତ ଖାଉଥିବା ତା’ ବୋଉର ମୁହଁ ।
କଟକ – ୧୪, ମୋ – ୯୮୬୧୪୪୩୯୧୦
ଲେଖକ ପରିଚୟ
ଜେଜେବାପା କବି ସ୍ଵର୍ଗତ ନରସିଂହ ଶତପଥୀ ଥିଲେ ଆଦ୍ୟ ସାରସ୍ଵତ ଗୁରୁ । ଜେଜେବାପାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ଚତୁର୍ଥ ଶ୍ରେଣୀରୁ ଏକ ଛୋଟ କବିତାରୁ ଆରମ୍ଭ କରନ୍ତି ପ୍ରଥମ ସାରସ୍ଵତ ଯାତ୍ରା । ପ୍ରଥମେ ପ୍ରଥମେ ଯଦିଓ କବିତା ବି ଲେଖୁଥିଲେ ହେଲେ ପରବର୍ତ୍ତୀ ସମୟରେ କେବଳ ଗପରେ ଜୀବନ, ଜୀବନରେ ଗପ ହେଲା କଥାକାରଙ୍କ ଲେଖାର ବିଶେଷତା । ଏହି କ୍ରମରେ ୨୦୧୯ ମସିହାରେ ଜନ୍ମ ନିଏ ତାଙ୍କ ପ୍ରଥମ ଗଳ୍ପ ସଂକଳନ ‘ଟ୍ୱିଷ୍ଟ୍’ ।