ଶୁଭଶ୍ରୀ ମହାରଣା

ବିଶ୍ଵାସର ତାରବାଡ଼ରେ
ବନ୍ଧା ରହିଛି ଆମ ସମ୍ପର୍କ
ଯୋଉଠି ସନ୍ଦେହ ଓ ଅବିଶ୍ଵାସର ସ୍ଥାନ ନାହିଁ
ବସ୍ ର ସିଟ୍ କୁ ରୁମାଲ ପକାଇ
ଅକ୍ତିଆର କଲାପରି
ରଖିଛି କେବଳ ଚେନାଏ ହସ
ଓ ମୁଠାଏ ଆତ୍ମବିଶ୍ଵାସ ।

କେବେକେବେ
ତା’ର ଶାଣିତ ଶବ୍ଦକୁ
ମୋର ମୁରୁକି ହସରେ
ମୁଁ ବଶ କରିନେଇଛି
ତ କେବେକେବେ
ମୋର ଅଭିମାନକୁ
ସେ ତା’ର ଶବ୍ଦ ଚାତୁରୀରେ
ଚୁମ୍ବନ ଦେଇଛି ।

ଏମିତି ହିଁ ଆମର ସମ୍ପର୍କ …
କେବେକେବେ ଧୂଳି ଧୂସରିତ
ତ ପୁଣି କେତେବେଳେ ଚନ୍ଦନ ଚର୍ଚ୍ଚିତ ।

ପୁଞ୍ଜାପୁଞ୍ଜା କରି ଗାଁ ତୋଟାରେ
ଆମ୍ବକୁ ଭାଗ ବାଣ୍ଟିଲା ପରି
ଆମେ ଭାଗବାଣ୍ଟି ଦେଉ ଦୁଃଖକୁ,
ସୁଖକୁ ମୁଁ ଗଣ୍ଠି ପକାଇଦିଏ କାନିରେ
କେବଳ ତା’ ପାଇଁ
ଟି’କେ ସ୍ଵାର୍ଥପର ଭାବରେ,
ହଁ, ତା’ ସୁଖରେ ତ ମୋ ହସ ବନ୍ଧା ପଡ଼ିଥାଏ ।

ସେ ସେମିତି ହିଁ
ବାନ୍ଧି ରଖିଥାଏ ମତେ
ଆକଟ ଆଖିରେ ନୁହେଁ
କି ତା’ର ପୁରୁଷପଣରେ ନୁହେଁ,
ସେ ବାନ୍ଧି ରଖିଥାଏ ମତେ
ମୋ ଇଚ୍ଛା ମୁତାବକ
ବାନ୍ଧି ରଖିଥାଏ ମତେ
ତା’ ପ୍ରଶ୍ଵାସ ସହିତ ।।

ବିଡ଼ାନାସୀ, କଟକ

ଲେଖକ ପରିଚୟ

ଶିକ୍ଷକତାକୁ ନିଜର ବୃତ୍ତି କରି କବିତା ପଢ଼ିବା ଓ ଲେଖିବାରେ ଆତ୍ମସ୍ଥ ରହିବାକୁ ଭଲପାଏ । ଦୁଃଖ, ପ୍ରେମ, ପ୍ରାପ୍ତି ଓ ପ୍ରାପ୍ତି ପରର ଦୁଃଖ ହିଁ କବିତାର ମୁଖ୍ୟ ସ୍ଵର । ଦୁଇଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଥିବା ବେଳେ ପ୍ରଥମା ପୁରସ୍କାର ପ୍ରାପ୍ତ କବିତା ସଂକଳନ “ଶାଶ୍ଵତୀ” ଏବଂ ଦ୍ଵିତୀୟ କବିତା ସଂକଳନ “ମୋହମଗ୍ନା” । “ଝଙ୍କାର” ପତ୍ରିକା ସହିତ ଅନ୍ୟାନ୍ୟ ପତ୍ରପତ୍ରିକାରେ ଅନେକ କବିତା ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *