ଦେବେନ୍ଦ୍ର ଲାଲ

ମୋର ଅନେକ ଚିନ୍ତା ଅଛି,
ପୁଅକୁ ନେଇ, ସ୍ତ୍ରୀକୁ ନେଇ, ମାଆକୁ ନେଇ
ଭାଇ, ଭାଉଜ, ଦୁଇ ଝିଆରୀଙ୍କୁ ନେଇ;
ଆଉ ବାପାଙ୍କୁ ନେଇ ବି ଚିନ୍ତା ଥିଲା
ହେଲେ ବାପା ଆଉ ନାହାନ୍ତି
ଆମ ଚିନ୍ତା କରିକରି କେଜାଣି ଏବେ କେଉଁଠି… ?
ମୋର ଅନେକ ଚିନ୍ତା ଅଛି,
ମୋ ସହରକୁ ନେଇ
ମୋର ଆପଣାର ଦେଶ, ପଡ଼ୋଶୀ ଦେଶକୁ ନେଇ
ଶତ୍ରୁକୁ ନେଇ, ମିତ୍ରକୁ ନେଇ
ପୁଣି ଶତ୍ରୁ ସମ ମିତ୍ରକୁ ନେଇ
ମିତ୍ର ସମ ଶତ୍ରୁକୁ ନେଇ …
ମୋର ଅନେକ ଚିନ୍ତା,
ପକ୍ଷୀମାନଙ୍କୁ ବି ନେଇ, ପଶୁମାନଙ୍କୁ ବି ନେଇ
ପାହାଡ଼, ପାଣି, ପବନକୁ ନେଇ
ମାଟିକୁ ନେଇ, ମନ୍ଦିରକୁ ନେଇ, ମସଜିଦ୍ କୁ ନେଇ…
ମୋର ଏତିକି ଚିନ୍ତା ଯେ’ କହିଲେ ନସରେ
ଭୋକଠୁ ଭୂଗୋଳ ଯାଏଁ ଲମ୍ବିଛି…
କାହାକୁ ଛାଡ଼ିବି, କାହାକୁ ରଖିବି
ଚିନ୍ତାରେ ମୁଁ,
କାହାକୁ ହସାଇ ଦେବି
କାହା ପାଇଁ ହେବି ଘୋଡ଼ା, କାହା ପାଇଁ ଗଧ
ଯିବି ଅବନ୍ତି ନା ଯିବି ମଗଧ ?
ଚିନ୍ତାରେ-ଚିନ୍ତାରେ ଝାଳ ସରସର ହୁଏ ଓ ଭାବେ-
ମୁଁ ନକଲେ ଚିନ୍ତା କରିବ କିଏ ?
ସେତିକି ବେଳେ ମନେପଡ଼ି ଯାଆନ୍ତି ଈଶ୍ୱର ଓ
ପୁଣି ମୋର ଚିନ୍ତା ବୃହତ୍କାୟ ହୁଏ ।
କେସିଙ୍ଗା, କଳାହାଣ୍ଡି
ଲେଖକ ପରିଚୟ
ଜଣେ କବି ଯିଏ ଭଲ ପାଇବା ଶିଖୁଛି । ପ୍ରେମକୁ ବୁଝୁଛି । ପାଖାପାଖି ୩୦ ବର୍ଷ ହେବ କବିତା ଲେଖୁଛି ।