ନାୟକ ଅକ୍ଷୟ ରାଜହସ୍ତୀ

ବେଡ୍ ଉପରେ ଶୋଇରହିଛି ପ୍ରୀତି l ଯଦିଓ ନିଦ ଭାଙ୍ଗିସାରିଥିଲା ତଥାପି ରାତିରେ ହାଇ ସ୍ପିଡ୍ ଫ୍ୟାନ୍ ପବନରେ ଦେହ ଅବଶ ଲାଗୁଥାଏ ତାର l ସମୟ ପାଖାପାଖି ସକାଳ ଆଠଟା l ହଷ୍ଟେଲ ଛୁଟି ହେବାପରେ ଘରେ ଶୋଇବାର ମଜା ସବୁଠୁ ନିଆରା । ସେଇଥିପାଇଁ ବୋଉଙ୍କୁ ବିଭିନ୍ନ ବାହାନା ଦେଖାଇ ପ୍ରୀତି ଚାଲିଯାଏ ସିଧା ଶୋଇବା ପାଇଁ । ଝରକା ଫାଙ୍କ ଦେଇ ସୂର୍ଯ୍ୟଙ୍କ ସୁନେଲୀ କିରଣ ଅମାନିଆ ହୋଇ ପ୍ରବେଶ କରିବାକୁ ଚେଷ୍ଟା କରୁଥାଏ l ବିତି ଯାଇଥିବା ଦିନରେ ସମୁଦ୍ରକୁଳିଆ ପବନର ଶିହରଣ ପରି ସ୍ମୃତି ସବୁ ଆଖି ଆଗରେ ଯା’ଆସ କରୁଥାନ୍ତି । ପ୍ରୀତି ପ୍ରଥମଥର ପାଇଁ ଅନୁଭବି ଥିଲା ସେ ଶିହରଣ । ବିଗତ ଦିନର ସ୍ମୃତିର ସ୍ପର୍ଶ  l କଡ଼ ଲେଉଟାଇ ତେଣୁ ସ୍ମୃତିର ଅନ୍ଧାରିଆ କୋଠରୀକୁ ମାରି ଚାଲିଥିଲା ଭାବନାର ଟର୍ଚ୍ଚ l

ସେଦିନ ଥିଲା ଭାଲେଣ୍ଟାଇନ୍ ଡେ’ର ପୁର୍ବଦିନ । ପାଶ୍ଚାତ୍ୟ ସଭ୍ୟତାର ଅନ୍ଧମୋହରେ ମୋହିତ ନହେବାକୁ ଯୁବବର୍ଗକୁ ସବୁ ବର୍ଷ ସଚେତନ କରାଯାଉଥିଲେ ହେଁ ଅନେକେ ସେଇ ମୋହରେ ମୋହିତ । ତେବେ ସେଦିନ ବି ପଥପ୍ରାନ୍ତ ନାଟକ ମାଧ୍ୟମରେ ଏକ ସଚେତନ କାର୍ଯ୍ୟକ୍ରମ ଚାଲିଥାଏ । ପୁରୀ ବେଳାଭୂମି ମୁଖରିତ ହେଉଥାଏ ପର୍ଯ୍ୟଟକମାନଙ୍କ ଉପସ୍ଥିତିରେ l

ହାତରେ ଗୋଟେ ସଦ୍ୟ ନାଲି ଗୋଲାପ କଢି ଧରି ମଞ୍ଚ ଉପରେ ଅଭିନୟ କରୁଥିଲେ ଜଣେ ବାଇଶି ବର୍ଷୀୟ ଯୁବକ । ଯୁବକର ନାଟକୀୟ ନାଆଁ ଥିଲା ପୀୟୂଷ l କି ଚୁମ୍ବକୀୟ ସଂଳାପ ! ମନ୍ତ୍ରମୁଗ୍ଧ ହେଇଥିଲା ପ୍ରୀତି । କୌଣସି ଏକ ସମବୟସ୍କା ଯୁବତୀଙ୍କୁ ପିୟୁଷ ପ୍ରେମ ନିବେଦନ ପୂର୍ବକ ଯେତେବେଳେ “ଏଇ ନିଅ… ତୁମ ପାଇଁ ଏଇଟା ମୋ ଉପହାର” ବୋଲି କହୁଥିଲେ,  ସେଇ ପହିଲି ଦେଖାରେ ତାଙ୍କ ଆଡ଼କୁ ଢଳିବାକୁ ଲାଗିଥିଲା ପ୍ରୀତି । ସତେଯେମିତି ସେ ପ୍ରୀତିକୁ ହିଁ ଲକ୍ଷ୍ୟ କରି ବାକ୍ୟ ବିନ୍ୟାସ କରୁଛନ୍ତି l

ସେଇ ଦୃଶ୍ୟ ମନରୁ ଭୁଲି ହେଉ ନଥିଲା । ଅଭିନୟ ଶେଷ ହେବା ପୂର୍ବରୁ ବାଧକ ଆସିଲା ସାଙ୍ଗସାଥିଙ୍କ ଡାକ ।

– ଡେରି ହୋଇଗଲାଣି । ଚାଲ୍ ଯିବା ।

କଲେଜର ଦି’ଚାରି ଜଣ ସାଙ୍ଗ କହିବାରୁ ପଥପ୍ରାନ୍ତ ନାଟକ ଛାଡ଼ି ସମସ୍ତେ ଅନ୍ୟ ଜାଗାକୁ ଗଲେ l କିନ୍ତୁ ମନଟା ଥିଲା ସେ ମଞ୍ଚ ପାଖରେ l ତହିଁ ପରଦିନ ଫେରିବାର ଥିଲା ଭୁବନେଶ୍ୱର । ଏକ୍ସପ୍ରେସରେ ବସିଲା ପରେ ସାଙ୍ଗସାଥୀମାନେ ନିଜନିଜ ମୋବାଇଲରେ ବ୍ୟସ୍ତ ରହିଲେ । ଟ୍ରେନ୍ ଆସିବା ବିଷୟରେ ପଚାରିଲେ ବି କେହି କିଛି କହୁନଥାନ୍ତି l  ସେମାନଙ୍କ ଉପରେ ବିରକ୍ତ ହୋଇ ଟ୍ରେନ କେତେବେଳେ ଆସିବ ମନେମନେ ହୁରୁଗୁଣି ହେଉହେଉ ଶେଷରେ ପାଟିରୁ ବାହାରି ପଡ଼ିଲା,

– ଇସ୍ …! ଉଃ ..! କେତେବେଳେ ଯେ ଟ୍ରେନ୍ ଆସିବ ???

– ବ୍ୟସ୍ତ ହୁଅନ୍ତୁ ନାହିଁ । ଅଧ ଘଣ୍ଟାଏ ବିଳମ୍ୱରେ ଆସିବ ଆଜ୍ଞା ।

ସେ ଭାବିଥିଲେ ମୁଁ ତାଙ୍କୁ ପଚାରୁଛି l ସେଇ ସ୍ଵର ପୁଣି… l ପଛକୁ ବୁଲି ଦେଖେ ତ ସେଇ ମଞ୍ଚ ପୁରୁଷ l ତାଙ୍କୁ ଆଉଥରେ ପାଖରେ ପାଇ ମନ ଭିତରେ ଆଉ କିଛି ଅଧିକ କଥା ହେବା ପାଇଁ ଇଚ୍ଛା ହେଲା ପ୍ରୀତିର । କିନ୍ତୁ ହେଇପାରିଲା ନାହିଁ । ହଠାତ୍ ଭିଡ଼ ଭିତରେ କେଉଁଆଡ଼େ ଉଭେଇ ଗଲେ ଉକ୍ତ ଯୁବକ ଜନକ l ବାସ୍ ସେତିକି…।

 ରେଶମୀ କମ୍ବଳ ସହ ଏକାକାର ହୋଇ ଭାବି ଚାଲିଥିଲା ପ୍ରୀତି ।  

ନା, କିଛି ଜାଣିନି ତମ ବିଷୟରେ । ତମ ଘର, ତମ ଠିକଣା, ତମ ଅତୀତ-ବର୍ତ୍ତମାନ, ତମ କାର୍ଯ୍ୟ କିମ୍ବା ତମ ଉଦ୍ଦେଶ୍ୟ । ଖାଲି ଜାଣେ, ତମ ଭିତରେ ନିଜକୁ ଖୋଜିପାଏ ବୋଲି । ଖାଲି ଜାଣେ, ତମ ସହିତ ଟିକେ କଥା ହେଇଗଲେ ଦେହକୁ ଶକ୍ତି ମିଳେ ଆଉ ମନକୁ ବଳ । ଖାଲି ଜାଣେ, ତମ ସ୍ଥିତିର ଅନୁଭବ ମୋତେ ଏକ୍ଲାପଣରୁ ନିବୃତ୍ତ କରେ । ଖାଲି ଜାଣେ, ତମେ ବହୁ ଦୂରେ ଥାଇ ବି ମୋ ଖୁବ ପାଖରେ ଥାଅ । ଖାଲି ଜାଣେ, ତମ ହୃଦୟ ପ୍ରେମର ଟୁବି ଗାଡ଼ିଆ ନୁହେଁ ଅଥଳ ସମୁଦ୍ର । ଖାଲି ଜାଣେ, ତମ ଧମନୀ ଆଉ ଶିରାରେ ରକ୍ତ ନୁହେଁ ଅପର ପାଇଁ ଯତ୍ନ ବହେ । ଖାଲି ଜାଣେ, ତମ କଷ୍ଟକୁ ତମେ ହୁଇସିଲ ମାରି ଉଡ଼େଇ ଦେଇପାର । ଖାଲି ଜାଣେ, ତମ କଷ୍ଟକୁ ତମେ ରାତି ଆକାଶର ତାରା ଓ ଜହ୍ନଙ୍କୁ ଯାଚି ଦେଇପାର । ଖାଲି ଜାଣେ, ତମେ ପ୍ରତିଥର ମୋତେ କିଛି କହିବାକୁ ଚାହଁ, କିନ୍ତୁ ପୁଣି ଅଟକିଯାଅ । ଖାଲି ଜାଣେ, କର୍ତ୍ତବ୍ୟ ବାଧ୍ୟ କରି କରିହୁଏ ସିନା ଅଧିକାରଟାକୁ କାହାକୁ କେବେ ଯାଚି ଦେଇ ହୁଏନି । ଏମିତି ଅନେକ କଥା ସବୁ ଜାଣିଛି ତମ ବିଷୟରେ l କହି ଚାଲିଥିଲେ ସରିବନି l ନକହିଲେ ବି ଚାରା ନାହିଁ ଆଉ l ମନେମନେ ଖାଲି ହୁରୁଗୁଣି ହେବା କଥା l କାହିଁକିନା ସେଇ ତ ମୋର ଉପଲବ୍ଧି l ଯିଏ ଯାହା କହୁପଛେ ମୁଁ କେବଳ ମୁଁ… । ଆଉ କା ସଙ୍ଗେ ନିଜକୁ ତୁଳନା କରି ହେବନି l ବହୁତଥର ଭାବିଛି ଏକାକାର ହେବାକୁ ତୁମ ସହ l କିନ୍ତୁ …

– ମୁଁ ବି ସନ୍ଦେହରେ । ତମର ହେବା ପାଇଁ ମୁଁ ଯୋଗ୍ୟା କି ନାହିଁ ସେଇଟା ସମୟ କହିବ l ଜାଣିଛ, ତମ ସହ ଭାବ ବିନ୍ୟାସ କରିବାକୁ ଜମାରୁ ରଖେଇ ଦିଏନା ମୁହୂର୍ତ୍ତ l ସେ ସଖୀଟିଏ ସେ ସାକ୍ଷୀଟିଏ l କି ଖରା କି ତରା !! କି ଝଡ଼ି କି ବରଷା !! ସବୁ ବେଖାତିର କରି ଡାହାଣ ପାଦ ଓ ହାତ ଉଭୟେ ମନରେ ଦିଅନ୍ତି ସାହସ, ପ୍ରେରଣା । ଠିଆ ହୋଇ ରହିଲେ କଣ ହେବ ??? ଯାଉନୁ ଯା’ । ଏଇତ ଆରମ୍ଭ ମାତ୍ର । ଶେଷ ହେବ ମିଳନରେ, ମଧୁ ବର୍ଣ୍ଣବୋଧରେ । ନିଃଶ୍ଵାସ କହେ ବିଶ୍ଵାସକୁ କରିବାକୁ ??? ଛଳଛଳ କଳକଳ ସବୁ ଝରଣା ପାଣି ସମୁଦ୍ରରେ ମିଶନ୍ତି କି ??? ଲକ୍ଷ୍ୟପଥରେ ଆଗକୁ ଆଗକୁ ଗଲାବେଳେ ଯେମିତି କିଛି ରହିଯାଆନ୍ତି ହରିଣୀର ତୃଷା ନିବାରଣରେ ଅବା କେଉଁ ସ୍ଵାର୍ଥ ହାସଲ ନିମିତ୍ତ ପ୍ରତିବନ୍ଧକରେ, ବାଡ଼ି ବଗିଚାରେ । ମଳିନ ହୁଏ ମିଳନ ମୁହୂର୍ତ୍ତ । ଠିକ୍ ସେମିତି ମୁଁ କାଳେ ହେଇଯିବି ବୋଲି ସବୁବେଳେ ଚିନ୍ତାରେ ଥାଏ ମୁହୂର୍ତ୍ତ । କିନ୍ତୁ ତମ କଥା ଭାବିଲେ ସେସବୁ ଉଭାନ୍ ହୁଏ । ଇଛା ହୁଏ ଅନ୍ତସତ୍ତ୍ଵା ହେବାକୁ ତମ ଅଦୃଶ୍ୟ ଆହ୍ଵାନରେ l ଯାହା ବି ହେଉ ତମ ପ୍ରତି ସମର୍ପିତ ପ୍ରତି ସ୍ପନ୍ଦନ, ଯୁଗଯୁଗ ପାଇଁ ପ୍ରୀତି ଇନ୍ଧନ । ମନ କାନ୍ଭାସରେ ତମର ସ୍ଵାକ୍ଷରିତ ପ୍ରତି ସ୍ୱାକ୍ଷର, ହେଉ ମୋହର ମୋ ବକ୍ଷର ।

ଠିକ ଏତିକି ବେଳକୁ ପ୍ରୀତି… ଏ ପ୍ରୀତି…  କହି ମାଆ କବାଟ ବାଡ଼େଇ ଚାଲିଥିଲେ… l

ମେରାମଣ୍ଡଳୀ, ଢେଙ୍କାନାଳ

ଲେଖକ ପରିଚୟ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରିୟ ମୁଁ । ବର୍ତ୍ତମାନ ଜଣେ ସାମ୍ୱାଦିକ ଭାବେ କାର୍ଯ୍ୟରତ ।

Related Posts

Leave a Reply

Your email address will not be published. Required fields are marked *