ମନୋଜ ଦାସ
ଏ ପଥର ଶେଷ କାହିଁ ? ଏ ପ୍ରଶ୍ନର ଅସଂଖ୍ୟ ଉତ୍ତର
କର୍ମୀ କହେ ଜନପଦ, ଦାର୍ଶନିକ ଅରଣ୍ୟ ପ୍ରାନ୍ତର,
ଭାବୁକ ଦେଖାଇ କହେ ଦୂର ଦିଗବଳୟ
ତହିଁ ଏକ ପରୀ ରାଜ୍ୟ, ଏ ପଥର ସେଇଠି ବିଲୟ ।
କଦାଚିତ୍ ନୀଳାକାଶେ ଇନ୍ଦ୍ରଧନୁ ହେଲେ ପ୍ରତିଭାତ,
ତା’ ରଙ୍ଗରେ ପଢି ହୁଏ ଏ ପଥର ଗୋପନ ସଙ୍କେତ
ଅକାତରେ ପାନ୍ଥ କିନ୍ତୁ ଯାଇପାରେ ଭୁଲି
ଗତିର ଗନ୍ତବଯ ଥିବା ଅନିର୍ବାରର୍ଯ୍ୟ ବୋଲି ।
ଏ ପଥର ଶେଷ କାହିଁ ? ଜୀବନ ଓ ମୃତ୍ୟୁ ଉପକଣ୍ଠେ ?
ମୋକ୍ଷ ବା ନିର୍ବାଣେ ? ଅବା କୈଳାଶେ ବୈକୁଣ୍ଠେ ?
କେବେ କେବେ ହୃଦୟର ଅମା ଅନ୍ଧକାର
ଚିହ୍ନ ଶୂନ୍ୟ କରିଦେଲେ ଯାବତୀୟ ଶ୍ରେୟ, ପ୍ରେୟ,
ରୂପରେଖ, ଆକାର ପ୍ରକାର ।
ଅଚାନକେ ଚେତନାର ବିଦ୍ୟୁତ ବିଚିତ୍ର,
ଆଙ୍କିଦିଏ ଏ ପଥର ଗୁପ୍ତ ମାନଚିତ୍ର,
ସେ ଦୃଶ୍ୟରେ ବିହ୍ୱଳ, ଅଥୟ
ଏ ପାନ୍ଥ ବିସ୍ମରିଯାଏ ଆତ୍ମ-ପରିଚୟ
କେଉଁଠି ସମ୍ଭବି ଥିଲା ଯାତ୍ରାରମ୍ଭ, କେତେ ଯୁଗ ତଳେ ?
ଅଜ୍ଞାନ ଅନ୍ଧାରେ ଅବା ସଜ୍ଞାନ ସକାଳେ ?
ଅବା ତାହା ସମୟର ହିସାବ ବାହାରେ ?
ସ୍ତବ୍ଧ ପାନ୍ଥ ମତିଭ୍ରାନ୍ତ ରହସ୍ୟର ଅତଳ ଗହ୍ୱରେ ।
କ୍ରମେ ସେ ସ୍ତବ୍ଧତା ହୁଏ ପରିଣତ ନିଶ୍ଚଳ ପ୍ରତ୍ୟୟେ,
ପାନ୍ଥ କରେ ଅନୁଭବ ପୁଲକ-ବିସ୍ମୟେ
ପ୍ରଶ୍ନ ହିଁ ଏ ପ୍ରଶ୍ନଟିର ଏକମାତ୍ର ଉତ୍ତର ଯଥାର୍ଥ
ଯା’ର ଆଦି ନାହିଁ, ତା’ର ଅନ୍ତ ପାଇଁ ଅନେଷ୍ୱଣ ବ୍ୟର୍ଥ ।
—
'ପଥ' କବିତାଟି ମନୋଜ ଦାସଙ୍କ 'ଉତ୍ତର-ଉପନିବେଶ' ସଙ୍କଳନରେ ସ୍ଥାନିତ ।