#ଯାତ୍ରା_ମହିଳା_ଅନ୍ଧ ବିଶ୍ବାସ

ଅନୁଜ ଦାସ

ବାରିପଦା ବାରିପଦା
କେନ୍ଦ୍ରାପଡା କେନ୍ଦ୍ରାପଡା
କେନ୍ଦୁଝର କେନ୍ଦୁଝର
ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଶୁଭୁଥାଏ ଏମିତି ସ୍ବର ।
ଶୀତ ହେଉ ବା ଖରା ଦିନ ସୂର୍ଯ୍ୟ ବାହାରିବା ପୂର୍ବରୁ ବରମୁଣ୍ଡା ବସ ଷ୍ଟାଣ୍ଡରୁ ବାହାରି ପଡେ ଶହ ଶହ ବସ । ଯାତ୍ରୀଙ୍କୁ ଧରି ଗନ୍ତବ୍ୟ ସ୍ଥଳ ଆଡକୁ ଗଡିଚାଲେ ବସ ।
ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଆନନ୍ଦପୁର ଯିବାର ଥାଏ । ପହିଲି ବସ ଧରିବା ପାଇଁ ମୁଁ ଆଉ ମା ସକାଳ ୬ଟାରେ ବରମୁଣ୍ଡା ବସ ଷ୍ଟାଣ୍ଡରେ ପହଞ୍ଚିଗଲୁ । ସକାଳୁ ଭୁବନେଶ୍ୱରରୁ ବାହାରିପଡିଲେ ଘରେ ଠିକ ସମୟରେ ପହଞ୍ଚିଯିବେ ଭାବିକି ମାଙ୍କୁ ବଡି ଭୋରରୁ ଆଣିଥିଲି ।
କେନ୍ଦୁଝର କେନ୍ଦୁଝର …
ବସ ପାଖରେ ପହଞ୍ଚିବା ପୂର୍ବରୁ ଆମକୁ ଦେଖି ଏମିତି ଡାକ ପକାଉଥାଏ କଣ୍ଡକ୍ଟର ।
କୁଆଡେ ଯିବେ ?
ଆନନ୍ଦପୁର
କେତେ ଜଣ
ମା ଏକା ଯିବେ
ଓ…
ଚାଲ …ବ୍ୟାଗ ଧରି ବସ ଭିତରକୁ ଯିବା ପାଇଁ ମାଙ୍କୁ କହୁଥାଏ ।
ଭାଇ ରୁହ ରୁହ …
ହଠାତ ଆମକୁ ବସ ଷ୍ଟାଫ ଅଟକାଇଦେଲେ ।
ଟିକେ ରହିଯାନ୍ତୁ
କଣ ହେଲା କହୁନାହାନ୍ତି …
ମୋ କଥାକୁ ଗୁରୁତ୍ୱ ନଦେଇ ହେଲ୍ପର କେନ୍ଦୁଝର କେନ୍ଦୁଝର ଡାକୁଥାଏ ।
ଆରେ ଭାଇ , ମା ବେଶୀ ସମୟ ଛିଡା ହୋଇପାରିବେନି , ଭିତରେ ବସିଥିବେ ।
ନା ନା …ଏବେ ବସି ହେବନି । ଅପେକ୍ଷା କରନ୍ତୁ ।
କି ଅଜବ କଥା ହୋ । ଯାତ୍ରୀଙ୍କ ପାଇଁ ବସ ଛିଡା ହୋଇଛି । ଯାତ୍ରୀ ଯିବା ପାଇଁ ପ୍ରସ୍ତୁତ ଅଛି । ତମର କଣ ଅସୁବିଧା ଯେ ।
କେନ୍ଦୁଝର କେନ୍ଦୁଝର…
ମୋ କଥାକୁ ଖାତିର ନକରି କଣ୍ଡକ୍ଟର ମହାଶୟ ଅନ୍ୟ ଯାତ୍ରୀଙ୍କୁ ଡାକୁଥାନ୍ତି ।
ମୁଁ ବିରକ୍ତ ହେବାରୁ କଣ୍ଡକ୍ଟର କହିଲେ …
ଭାଇ , ଆମେ ମହିଳାଙ୍କୁ ପ୍ରଥମେ ବସାଉନାହୁଁ । ଜଣେ ପୁରୁଷ ଯାତ୍ରୀ ଚଢନ୍ତୁ ତା ପରେ ମାଉସୀ ବସିବେ । ଟିକେ ଅପେକ୍ଷା କରିଯାନ୍ତୁ ।
କଥାଟି ଭାରି ଅଡୁଆ ଅଡୁଆ ଲାଗିଲା । ପୁରୁଷଙ୍କର ଯେତିକି ଭଡା ମହିଳାଙ୍କର ବି ସେତିକି ଭଡା । ତେବେ ଏ ତାରତମ୍ୟ କାହିଁକି । କଣ୍ଡକ୍ଟରଙ୍କୁ ପଚାରିଲି ।
ଭାଇ ତମର ଏ କି ବ୍ୟବସ୍ଥା ?
ମାଉସୀ ଅଛନ୍ତି ତ , ନହେଲେ କହିଥାନ୍ତି ।
ଏମିତି କହି ଅନ୍ୟ ଯାତ୍ରୀଙ୍କ ପାଖକୁ ଚାଲିଗଲେ କଣ୍ଡକ୍ଟର ବାବୁ ।
କିଛି ସମୟ ପରେ ଜଣେ ଦି ଜଣ ପୁରୁଷ ଯାତ୍ରୀ ଚଢିବା ପରେ ମା ବି ନିଜ ସିଟରେ ବସିଲେ ।
ଡ୍ରାଇଭର ବାବୁ ବି ଗାଡି ଚଳାଇବା ପାଇଁ ପ୍ରସ୍ତୁତ ହୋଇଗଲେ । ଧୂପ ଲଗାଇ ପ୍ରଥମେ ଦେବାଦେବୀଙ୍କ ଫଟୋକୁ ମୁଣ୍ଡିଆ ମାରିଲେ ।
ଫଟୋ ଉପରେ ମୋ ନଜର ପଡିଲା । ମା ତାରିଣୀଙ୍କ ଫଟୋ ସାଙ୍ଗକୁ ଦେବୀ ଲକ୍ଷ୍ମୀଙ୍କ ଫଟୋ ବି ଥାଏ । ଗାଡି ଗଡିଲା । ମାଙ୍କୁ ବିଦାୟ ଦେଇ ଘରକୁ ଫେରୁଥାଏ ।
କିନ୍ତୁ ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ।
ଲୋକେ ତ ଗାଡିକୁ କାଳି ଗାଡି କହନ୍ତି । ଗାଡି ଗଡିବା ପୂର୍ବରୁ ଦେବୀଙ୍କ ଫଟୋରେ ଫୁଲ ଚଢାଇଲେ ଡ୍ରାଇଭର । ଏତେ ସବୁତ ହେଉଛି । ତେବେ ଜଣେ ମହିଳା ପ୍ରଥମ ଯାତ୍ରୀ ଭାବେ କାହିଁକି ବସିପାରିବନି ଯେ । ରେଳ ଓ ବିମାନରେ ଯାତ୍ରା କଲାବେଳେ ଏଭଳି କେବେ ଅନୁଭବ କରିନି । ତେବେ ଏ ନିୟମ କଣ କେବଳ ବସ ପାଇଁ ହୋଇଛି । ନିୟମ କରିଛି କିଏ ? ମହିଳା ଜାତି ପାଇଁ ଏହା ଅପମାନ ନୁହେଁ କି ?
କୌଣସି ସ୍କୁଲରେ ତ ଏଭଳି ଶିଖେଇ ନାହାନ୍ତି । ଏମାନଙ୍କୁ ଏ ପାଠ ପଢାଇଲା କିଏ ?
ଖଣ୍ଡଗିରି ଅତିକ୍ରମ କଲାବେଳକୁ ନୀଳ ଆକାଶ ଉପରକୁ ନଜର ପଡିଲା । ଆକାଶରେ ଲମ୍ବା ଉଡାଜାହାଜ ଟିଏ ଯାଉଥାଏ । ଉଡାଜାହାଜକୁ ଦେଖି ଭାବୁଥାଏ ଯାହା ହେଉ ବିମାନରେ କାମ କରୁଥିବା କର୍ମଚାରୀଙ୍କ ମନ ବି ଏହି ଆକାଶ ଭଳି ବିଶାଳ । ଏଠି ନାହିଁ ଅନ୍ଧବିଶ୍ୱାସ ।
ଏଭଳି ସଙ୍କୀର୍ଣ୍ଣ ଚିନ୍ତାଧାରା ଲୋକଙ୍କ କଥାରୁ ଯାହା ଅନୁମାନ କଲି ଋତୁସ୍ରାବକୁ ନେଇ ଏବେବି ଏମାନଙ୍କ ମନରେ ବହୁ ଅନ୍ଧବିଶ୍ୱାସ ରହିଛି । ଆରେ ଭାଇ , ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ଋତୁସ୍ରାବ ନିୟମିତ ହେଲେ ହିଁ ଗୋଟିଏ ମହିଳା ଗର୍ଭବତୀ ହୋଇପାରିବେ । ତେବେ ଏହାକୁ ନେଇ ଏତେ ଅନ୍ଧବିଶ୍ୱାସ କାହିଁକି ।

କଟକ, 8249230671
ଅନୂଜ ଜେଣ ସାମ୍ବାଦିକ । ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିବା ସହ ସୃଜନଶୀଳ ସାହିତ୍ୟ ରଚନା କରିଆସୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *