ସବିତା ସାହୁ

ଲାଜଲାଜ ଏଇ ହେମନ୍ତ ବୁୁକୁରେ ଦୁଷ୍ଟ ପ୍ରଜାପତି ଖେଳ
ଶିଶିର ଭିଜା ତା’ ବିରହୀ ମନରେ ସପନର ମଧୁମେଳ
ସାଉଁଟା ଫୁଲର ମମତାରେ ଗୁନ୍ଥା ମଧୁଝରା ହେମକାନ୍ତି
ମୁକ୍ତା ମାଳ ନାଇ ଘାସ ଫୁଲ ମୁଗ୍ଧେ ଗାଏ ପୂର୍ଣ୍ଣତାର ଗୀତି ।

କହିବାକୁ ଯାହା କହି ସେ ପାରେନି ମନରେ ସାଇତି ଥାଏ
ହେମର ପରଶେ ଫୁଲ ପାଖୁଡ଼ାରେ ମନ କଥା ଆଙ୍କିଦିଏ
ମାଟି ତଳେ ଯେଉଁ ବର୍ଷାର ସନ୍ତକ ଗୋପନେ ସାଇତି ଥିଲା
ସୂରୁଜ ଛୁଆଁରେ ମେଦିନି ଫଟାଇ ଦୁନିଆକୁ ସାଥୀ ଦେଲା ।

କାକର ବେଣୀରେ ଇନ୍ଦ୍ରଧନୁ ରଙ୍ଗ ସୋରିଷ ଫୁଲରେ ହସ
ସ୍ମୃତିରେ ପାର୍ବଣ ଶୀତ ଅନିଶ୍ଚିତ ଫୁଲ ଉପବନେ ରାସ
କାକଳି ଝରରେ ସୂରୁଜ ଉଇଁଲା ଅଙ୍ଗେଅଙ୍ଗେ ହେମଲତା
ଘାସ ପତରରେ ଲେଖୁଛି ଚିଟାଉ ପଢିବ ତା’ ମନକଥା ।

ଅଳିକ ଆନନ୍ଦ ଜୀବନ ଭୋଗର ନୀରବିତ ଚିତ୍ରଲେଖା
ହେମାଳ ବାଆର ହିମ ପରଶରେ କ୍ଷଣିକର ଏଇ ଦେଖା ।

ମୁମ୍ବାଇ, ମହାରାଷ୍ଟ୍ର, ମୋ – ୯୯୩୦୯୭୬୫୯୭

ଲେଖକ ପରିଚୟ

ପିଲାଟିବେଳୁ ଲେଖାଲେଖି ପ୍ରତି ରୁଚି ଥିଲା । ମାତ୍ର ସଂସାର ଜଞ୍ଜାଳ ଭିତରେ ଛନ୍ଦି ହେଇ ଦୂରେଇ ଯାଇଥିଲି କଲମଠୁ । ଦୀର୍ଘ ୨୭ ବର୍ଷର ବ୍ୟବଧାନ ଅନ୍ତେ ପୁଣିଥରେ ଧରିଛି କଲମ । କବିତା ଲେଖିବା ସହିତ ଅନୁବାଦ ମଧ୍ୟ କରେ । ଇଂରାଜୀରେ ଅଧ୍ୟାପନା କରୁଥିଲି ମାତ୍ର ବର୍ତ୍ତମାନ ଜଣେ ଗୃହିଣୀ କେବଳ ।

Related Posts

Leave a Reply

Your email address will not be published. Required fields are marked *