ବିପ୍ଳବ ରାଉଳ


ପ୍ରେମ ବଡ଼ ଅଜବ ନିଶାଟେ। ଷୋହଳରୁ କୋଡିଏ ଭିତରେ। ଅଥୟ ବୟସଟା । ଭାରି ଅମାନିଆ ସମୟ। ନା କାହା କଥା ଶୁଣି ହୁଏ, ନା ମନ ନିୟନ୍ତ୍ରଣରେ ଥାଏ।
ସ୍କୁଲ୍ ପଢ଼ା ସରିଥାଏ । କଲେଜରେ ନୂଆ ନୂଆ ପାଦ ପଡିଥାଏ । କଲେଜରେ ପ୍ରଥମେ ଭାରି ଅବାଗିଆ ଲାଗୁଥାଏ । ଆସ୍ତେ ଆସ୍ତେ ବାର ଆଡର ନୂଆ ନୂଆ ମୁହଁ ସହ ଦେଖା ସାକ୍ଷାତ ହୁଏ । ପରିଚୟ ବଢେ । ବନ୍ଧୁତା ବି । ପରେ ସବୁ ସ୍ୱାଭାବିକ ହୁଏ । ଆଉ ଅଞ୍ଜୁତୁରିଆ ଲାଗେନା । ସବୁ ଦିନ ତାଙ୍କରିମାନଙ୍କ ସଙ୍ଗେ ସମୟ କଟେ । ଖଟିରେ ଗପ ଚାଲେ । ଲାଇନ ମରା ବି ହୁଏ ବହୁ ମାତ୍ରାରେ। ସମସ୍ତେ ନିଜ ନିଜ ଗର୍ଲ୍ ଫ୍ରେଣ୍ଡ୍ ବିଷୟରେ କହିବା ଆରମ୍ଭ କରନ୍ତି । ଆଉ ମୁଁ ଶୁଣେ । ଧୀରେ ଧୀରେ ଏ ଦୁଷ୍ଟ ବୟସଟା ବି ମୋତେ ସେଇଆଡକୁ ଟାଣି ନିଏ । ପ୍ରେମରେ ପଡ଼ିବାକୁ ଭାରି ଇଚ୍ଛା ହୁଏ ।
ଏମିତିରେ ଯୁକ୍ତ ଦୁଇ ସରିଯାଇଥାଏ । ଦେହରୁ ସ୍କାଇ ରଙ୍ଗର ସାର୍ଟ ଉତୁରି ଫିକା କମଳା ରଙ୍ଗ ଚଢି ଥାଏ । ଆଉ ଜୁନିଅର ନୁହେଁ ସିନିଅର ହେଇଥାଉ । ପ୍ଲସ ଥ୍ରୀ ପିଲା ।
ଦିନେ ମୁଁ କଲେଜରୁ ସାଇକେଲ ଧରି ଗଡୁଥାଏ ତଳକୁ । ଆମ କଲେଜଟା ପୂରା ମୁଣ୍ଡିଆ ଉପରେ । ବଜାରଠୁ ବହୁ ଉଚ୍ଚରେ । ଉଠିକି ଗଲା ବେଳକୁ ଭାତ ହଜମ ହୋଇଯାଇଥାଏ । ହଠାତ ଦୁଇ ତିନି ଜଣ ଝିଅ ସେପଟୁ ଆସୁଥାଆନ୍ତି ସାଇକେଲ ଚଢି । ସାଇଡରେ ଧୋବ ଫରଫର କମ ଉଚ୍ଚତାର ଝିଅଟି ତାଙ୍କ ସାଙ୍ଗରେ ଥାଏ । ନଜର ସେଇଠି ଲାଖି ଯାଇଥାଏ । ତାକୁ ଚାହିଁ ସାଇକେଲ ଚଲଉଥାଏ । ତା’ ଭିତରେ ମୋ ଭଙ୍ଗା ଧତରା ସାଇକେଲ ଯାଇ ଆଉ ଜଣକ ସହ ଧକ୍କା ହେଇଯାଇଥାଏ । ମୋ ନଜର କିନ୍ତୁ ତାଠୁ ଯାଉନଥାଏ। ଆଖି ତା’ ଉପରୁ ହଟୁ ନଥାଏ । ସେମିତି ତା’ କଳା ଆଖିକୁ ଚାହିଁ ରହିଥାଏ ।

ତାପରେ ସେଇଠୁ ସେ ଚାଲି ଯାଏ ଆଉ ମୁଁ ବି । ତା’ ଚେହେରା ମୋ ଛାତି ଭିତରେ ଧସେଇ ପଶି ସାରିଥାଏ । ବାସ୍ ମନ ତାକୁ ଖାଲି ଚାହୁଁଥାଏ । କଲେଜ ଗୋଟା ଖୋଜି ବୁଲୁଥାଏ ତାକୁ । ଟିକେ ଦେଖିବା ପାଇଁ । ତା’ର ଝଲକ ପାଇବା ପାଇଁ । ଦେଖା ହେଇଗଲେ ମନ ଆକାଶରେ ଉଡିଯାଏ । ଯୋଉ ଦିନ ନମିଳେ ଭାରି ଅବସ ଲାଗେ । ଦିନଟା ଜମା ଯାଏନି ।
ଦିନ ପରେ ଦିନ ଗଡ଼ିଲା । ମୋ ମନେ ତା’ ପାଇଁ ଗୋଟେ ଜାଗା ସାଇତି ହେଇଗଲା । ଧୀରେ ଧୀରେ ତା’ ପଛରେ ପଡ଼ିଗଲି । ଆଗ ପଛ କିଛି ନ ବୁଝିକି । ଏମିତି ଚାଲିଲା । ସମସ୍ତେ ଜାଣିଲେ । ସାଙ୍ଗ, ସାଥୀ ବହୁତ୍ ବି ଚିଡେ଼ଇଲେ । ବହୁତ୍ ଦିନ ମୋ ମନ କଥା ଲୁଚେଇ ରଖିଲି। କିଛି କାହାକୁ କହିଲିନି । ଶେଷରେ ବାଧ୍ୟ ହେଇ କହିଲି । ହଁ ମୋର ସେ ପସନ୍ଦ । ସେବେଠୁ ଆମ ବାଳୁଙ୍ଗା ଗ୍ୟାଙ୍ଗରେ ତାକୁ କେମିତି ପଟେଇ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହେଲା ।
ଭାରି ଭଲ ଝିଅଟା । ଯେତିକି ସୁନ୍ଦର ସେତିକି ଶାନ୍ତ । ବହୁତ ନମ୍ର। ସାଇକେଲ ନେଇ କଲେଜ ଆସେ । ଚୁପକି ଆସେ, କ୍ଲାସ କରି ତୁନି କି ଘରକୁ ଚାଲିଯାଏ।
ଘର ଅଂଶୁପା ଲାଇନରେ । ଗୋଟେ ଗାଁରେ ।

ତା’ ପଛରେ ପଡ଼ିବାର ଅଭ୍ୟାସ ହୋଇଯାଇଥାଏ । ସେ ସାଇକେଲ ନେଇ ଗଲେ ମୁଁ ବି ତା’ ପଛରେ ଯାଏ । ତାକୁ ଅନୁସରଣ କରି । ପ୍ରାୟ ନିଇତି । ଅନେକ ଦିନ ଏମିତି କରେ । କ୍ଲାସ୍ କରେନାହିଁ । ଏମିତି କି କମ୍ପ୍ୟୁଟର କ୍ଲାସରେ ବହୁତ୍ ଅନୁପସ୍ଥିତ ରହିଲି । କାରଣ ତା’ ନିଶା ମୋତେ ପୂରା ଘାରି ସାରିଥାଏ।
ମନ କଥା କହିବାକୁ ବାଟ ଖୋଜୁଥାଏ । ହେଲେ ପାରେନା । ସାଙ୍ଗମାନଙ୍କଠୁ ବହୁ ଉପଦେଶ ବି ଶୁଣେ । ଗୁଡ଼ାଏ ମାନେ, ଗୁଡେ ମାନେନି । ସାହସ ପାଏନି କହିବା ପାଇଁ ।
ଏମିତିରେ ଦିନ ପରେ ଦିନ ମାସ ପରେ ବର୍ଷ ବିତି ଗଲା । ତା’ ଅନର୍ଷ କଡ଼ରେ ମୋର । ହେଲେ କଥା ହେବାକୁ ସାହସ ପାଏନା। ଖାଲି ଯାହା ସାଉଁଟି କରି ତା’ର ଅନେକ ଛବି ରଖିଥାଏ । ତାକୁ ହିଁ ଦେଖୁଥାଏ । କେତେ ଗୀତ ଯୋଗାଡ଼ କରି ଶୁଣୁଥାଏ, ତାକୁ ମନେ ପକେଇ । ଏମିତି ଚାଲିଥାଏ । କେତେ ବାହାନା ଖୋଜି ତାକୁ ଟିକେ ଦୂରରୁ ଲୁଚିକରି ଦେଖେ ।
ତାଙ୍କ ଘର ଆଗରେ ଗୋଟେ ଭଲ ବରା ଦୋକାନ ଥାଏ । ତିନି ଟଙ୍କାରେ ଏଡେ ବଡ଼ ବଡ଼ ବରା ମିଳେ । ସବୁ ସେଇଠି ମାଡ଼ ହୁଅନ୍ତି । ଯେତେ କଟକରୁ ନରସିଂହପୁର ଯାଆନ୍ତି ।ଆମ ପାଇଁ ସେଇଟା ଗୋଟାଏ ଭଲ ଜାଗା ହେଲା । ବରା ଦୋକାନରେ ଲାଇନ ମରା । ସେ ରାସ୍ତା ନିତିଦିନିଆ ହୋଇଯାଇଥାଏ । ଏମିତି ନିଇତି ଚାଲିଲା । ଦି ବର୍ଷ ଅଢେଇ ବର୍ଷ । ତାକୁ ପଦଟିଏ ବି କହିପାରିଲିନି । ସାମାନ୍ୟ ଝିଅ ଟାକୁ ।
ସେଦିନ ଗ୍ରାଜୁଏସନର ଶେଷ ପରୀକ୍ଷା ଥାଏ । ଦ୍ଵିତୀୟ ଦିନ । ସବୁ ବସି ସାଂସ୍କୃତିକ ମଣ୍ଡପରେ ଗପ ମାରୁଥାଉ। ସବୁ ଥିଲେ ଥିଲେ କହିଲେ ଛି ଗୋଟେ ଝିଅକୁ ପଦେ କଥା କହିପାରୁନୁ ଲମ୍ବା ଭାଷଣ ମାରୁଛୁ । ମୁଁ ଭଲ ଭାବରେ ଜାଣିଥାଏ ଏମାନେ ମୋତେ ଟିହାଉଛନ୍ତି। ହେଲେ ମୁଁ ତାଙ୍କ କଥା ଶୁଣୁ ନଥାଏ । ଏପଟେ ପୂରେଇ ସେପଟେ ବାହାର କରୁଥାଏ । ସେମାନେ ଚିଡ଼େଇ ଚାଲିଥାନ୍ତି । ମୁଁ ସେମିତି ଶୁଣୁ ଥାଏ । କହିଲି ପରୀକ୍ଷାକୁ ଆଉ ଅଧ ଘଣ୍ଟାଏ ବାକି ଅଛି । କାଲି କହିବି । ଆଜି ହବନି । କିନ୍ତୁ ସେମାନେ ତାଙ୍କ ଜିଦିରେ ଅଟଳ । ଥୟ ଧରୁ ନଥାନ୍ତି । କେତେ କଣ କହିଗଲେ ।
ଭାରି ବାଧିଲା ଆଉ ସହି ହେଲାନି । ଶେଷରେ ଚାଲିଲି ପ୍ରପୋଜ ମାରିବାକୁ । ମନେ ଅଛି ଚାରି ଥର ଫେରିଛି ଅଧା ବାଟରୁ । ଯିବି ନ ଯିବି ଭାବି ଭାବି । ବାପି ମୋ ପଛରେ ଥାଏ । ମୋତେ ଟିହାଉ ଥାଏ । ଚୁପ୍ କରି ଯାଉନୁ ଯାଉନୁ କହୁଥାଏ । ପିଠିକୁ ଧରି ପଛରୁ ଠେଲୁଥାଏ ।
ସେ ଆସୁଥାଏ ଅନର୍ଷ ବ୍ଲକ୍ ପଟରୁ । ମୁଁ ଏ ପାଖରୁ ଯାଉଥାଏ । ଛାତି ଧଡ ଧଡ ହେଉଥାଏ । ଭାରି ଜୋରସେ । କାହିଁ ଏମିତି କେବେ ହୋଇନଥାଏ । ରକ୍ତ ପୂରା ଗୋଟା ଶରୀର ଯାକ ଖେଳୁଥିବାର ଅନୁଭବ ହେଉଥାଏ । ଦିହ ମୁଣ୍ଡ ଝାଳ ହୋଇଯାଇଥାଏ।ପାଟିରୁ କଥା ବାହାରୁ ନଥାଏ।ଏପେଟେ ପରୀକ୍ଷା ଆଉ କୋଡ଼ିଏ ମିନିଟ ପରେ।ତା ଆଉ ମନରେ ନଥାଏ।
ଆସ୍ତେ କିନା ତା ପାଖକୁ ଗଲି।ଯେତିକି ଭୟ ସେତିକି ସାହାସ ନେଇ । କହିଲି “ଏ ଟିକେ ଶୁଣିବ କି”! ସେ ଗୁଣୁ ଗୁଣୁ ହେଇ ଶୁଣିଵନି ବୋଲି ଏମିତି କିଛି କହି ସେଠୁ ଚାଲିଗଲା।ଯେତେ ଡାକିଲି ଶୁଣିଲାନି । ପଛକୁ ନ ଚାହିଁ ଆଗ ମୁହାଁ ହୋଇ ଚାଲିଗଲା।
ଫେରି ଆସିଲି । ମନ ଦୁଃଖରେ । ହୃଦୟ ଭାଙ୍ଗି ଯାଇଥାଏ । ସାଙ୍ଗମାନେ ପଚାରିଲେ କଣ କହିଲା । ମୁଁ ସେମିତି ନିରବ ରହିଲି । କୋହକୁ ଜାକି । ଲୁହକୁ ଆଖିରେ ଚାପି । କିଛି କହିଲିନି । ପରୀକ୍ଷାରେ ଆଉ ମନ ନଥାଏ । ପରେ ପରୀକ୍ଷା ହଲକୁ ପଶିଲି । ବାସ୍ ଅଧ ଘଣ୍ଟଏ ଓରାକୁ ଚାହିଁଲି । ପାଣି ମଗେଇ ପିଇଲି । ପରୀକ୍ଷା ଦେଲି । ମନକୁ ବାହାରେ ଥୋଇ ।
ଅସ୍ଥିର ମନକୁ ବୁଝେଇବା ସେଦିନ ବେଶ୍ କଷ୍ଟ ଲାଗିଥିଲା । ତାକୁ ମନରୁ କାଢ଼ିବା ଏତେ ସହଜ ନ ଥିଲା ।
କଲେଜ ସେଇଠି ସରିଗଲା । ସେ କୁଆଡେ ଉଭେଇ ଗଲା । ଆଉ ମୁଁ ବି ଏ ଅମାନିଆ ଅବୁଝା ମନକୁ ବୁଝେଇ ଦେଲି ।

ବିପ୍ଳବ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳରେ ସାମ୍ବାଦିକତା ଶିକ୍ଷାଲାଭ ପରେ ଏବେ ଇଲେକ୍ଟ୍ରୋନିକ୍ସ ମିଡିଆରେ ସାମ୍ବାଦିକତା କରୁଛନ୍ତି । 'ଅର୍ଗସ' ନ୍ୟୁଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି । ସାମ୍ବାଦିକତା ସହ ସେ ନୂଆ ନୂଆ ଗପ ଲେଖୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *