ଭିନ୍ନ ଏକ ଈଶ୍ୱରଙ୍କ ସେବାରେ

ଶରତ କୁମାର ରାଉତ

ଆଦିବାସୀ ଅଂଚଳରେ ଜନସଚେତନତା ସୃଷ୍ଟି ସହ ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରସାରରେ ଅଗ୍ରଣୀ ଭୂମିକା ରହିଥିଲା ମୋହିତ୍‌ର । ଗଭୀର ସେବା ମନୋଭାବାପନ୍ନ ନବୀନ୍ ସାତବର୍ଷ ତଳୁ ଗାଁ ଛାଡ଼ି ଚାଲିଆସିଥିଲା ଏହି ଆଦିବାସୀ ଅଂଚଳକୁ । ଯୁଗ ପରେ ଯୁଗ ବିତିଚାଲିଥିଲେ ମଧ୍ୟ ସରଳ-ନିରୀହ ଆଦିବାସୀମାନଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ । ଏହାର ମୂଳ କାରଣ, ସଚେତନତାର ଅଭାବ ବୋଲି ସେ ଅନୁଭବ କରିଥିଲା ଓ ଦୀର୍ଘ ଚାରିଶହ କିଲୋମିଟର ଦୂରରୁ ଏଠାକୁ ଚାଲିଆସିଥିଲା । ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ସେ କେବେ ବି ନିଜ କଥା ଓ ନିଜ ପରିବାର କଥା ଭାବି ନାହିଁ । ସେ ଭାବିଛି କେବଳ ଦରିଦ୍ର, ଅସହାୟ, ନିଷ୍ପେଶିତ ମଣିଷର କଥା! ଯେଉଁମାନଙ୍କ ପାଇଁ ଆଜି ଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥାର ବଡ଼ ପଣ୍ଡାମାନଙ୍କ ପାଖରେ ଟିକେ ସମ୍ବେଦନତା,ଅନୁକମ୍ପା କି ସମୟ ନାହିଁ!
ଋରିକୁ ବିବାହ କରିବାର ସାତମାସ ବିତିଗଲାଣି । ମୋହିତ୍‌ର ଇଚ୍ଛା, ଗାଁକୁ ଯାଇ ଋରିକୁ ସାଙ୍ଗରେ ନେଇ ଆସିବ । ଆଦିବାସୀ ଅଂଚଳରେ ଜନସଚେତନତା କାର୍ଯ୍ୟକ୍ରମରେ ଋରି ତାକୁ ସାହାଯ୍ୟ କରିପାରିବ । ଆଉ ଏଠାରେ ଦୁହେଁ ହସ-ଖୁସିରେ ଦିନ ବିତେଇବେ । ମାତ୍ର ମୋହିତ୍‌ର ଏଇ ଭାବନାରେ ବାଧା ଦେଇଥିଲା ଋରି ଭାଇର ଚିଠିଟେ । ଚିଠି ପଢ଼ି ହତବାକ୍ ହୋଇ ଯାଇଥିଲା ମୋହିତ୍ । ଲେଖାଥିଲା – ମୋହିତ୍‌, ନାମ ଲେଖାଇବାକୁ ପତ୍ର ମିଳିବାରୁ ତୁମ ବାପା-ବୋଉଙ୍କୁ ବୁଝାଇ ଋରିର କଟକସ୍ଥିତ ନର୍ସିଂ ଟ୍ରେନିଂ ସେଣ୍ଟରରେ ଆଡ଼୍‌ମିସନ୍ କରାଇ ଦେଇଛି । ହଁ, ଋରି ହଷ୍ଟେଲ୍‌ରେ ରହୁନି । ସେ ଓ ତା’ ଭାଉଜ ମିଶି ନିକଟବର୍ତୀ ହରିପୁରରେ ଭଡ଼ାଘରେ ରହୁଛନ୍ତି । …… ଆଉ କିଛି ପଢ଼ି ପାରିନଥିଲା ମୋହିତ୍ । କାନ୍ଦିଥିଲା ପିଲାଙ୍କ ଭଳି । ……କ୍ରମେ ତା’ ଭିତରେ ଅନେକ ଭୟ-ଆଶଙ୍କା ଉଙ୍କି ମାରିଥିଲେ ।
“ଟ୍ରେନିଂ ପରେ ଚାକିରୀ – ଅଲଗା ଅଲଗା ଜାଗାରେ ରହିବେ । କେବେ କେମିତି ସାକ୍ଷାତ୍ ହେବ ପ୍ରେମିକା ଭଳି! ଚାକିରି ଶେଷବେଳକୁ ହୁଏତ ଜୀବନ ଶେଷ । ଇୟେ କେମିତିକା ସଂସାର ? …….. ସେଦିନ ଅନେକ ସମୟ ଯାଏ ଗାଲରେ ହାତ ଦେଇ ନିଶ୍ଚୂପ୍ ହୋଇ ଯାଇଥିଲା ମୋହିତ୍ । ଚଳଚ୍ଚିତ୍ର ପରିମାନସ ପଟ୍ଟରେ ଭାସିଉଠି ଥିଲା ଦେଶର ସାଂପ୍ରତିକ ବହୁଚର୍ଚ୍ଚିତ ଘଟଣାବଳୀ …….’
ଏକ ସଭ୍ୟ-ସୁଶିକ୍ଷିତ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାରୀନିର୍ଯ୍ୟାତନ ନାରୀଧର୍ଷଣ-ଅପହରଣ ଘଟଣା ରେକର୍ଡ଼ ସୃଷ୍ଟି କରିଛି । ଆଇନ୍ ଶୃଙ୍ଖଳା ବ୍ୟବସ୍ଥାରେ ଅଧଃପତନ ଘଟିଛି । ବିଚାର ବିଭାଗ ପଙ୍ଗୁ ପାଲଟିଛି । ଆଉ ନିଷ୍କ୍ରିୟ ହୋଇଯାଇଛି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା । ତା’ ନହେଲେ ଦିନ ଦ୍ୱିପ୍ରହରରେ ନାରୀ ଧର୍ଷଣ-ଅପହରଣ ଆଉ ହତ୍ୟା, ଲୁଣ୍ଠନ ଓ ବର୍ବରୋଚିତ କାର୍ଯ୍ୟ! କାହିଁକି ଅମଣିଷ ଗୁଡ଼ା ଏମିତି ହୁଅନ୍ତି? ଶାଳଗଜା ପରି ଉଚ୍ଚଶିକ୍ଷିତ ଟୋକାଗୁଡ଼ା ନିଶଦାଢ଼ୀ ଲମ୍ବେଇ ଚୋର-ବଦ୍‌ମାସ ପରି ବୁଲନ୍ତି କାହିଁକି? ଏହି ଭଳି ଉଚ୍ଚଶିକ୍ଷିତ ଟୋକା ମାନେ ମ୍ଲେଛ ନୁହଁନ୍ତି କି?….ଆଜିକାଲି ଧର୍ଷଣ-ଅପହରଣ-ହତ୍ୟା ଓ ଆଇନ-କାନୁନ୍ ବିଗାଡ଼ିବାରେ କୁଆଡ଼େ ବଡ଼ ବଡ଼ ନେତା ଏପରିକି ବିଧାୟକ-ସାଂସଦ ଓଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ପ୍ରଛନ୍ନ ହାତ ରହୁଛି! ଧର୍ମ,ସଂସ୍କୃତି,ଭାଷା-ସାହିତ୍ୟ ଆଦିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପୃଥ୍‌ôବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଏଭଳି ଘଟଣା ଅତି ଲଜ୍ଜା ଓ ଅପମାନର ବିଷୟ! ତଥାପି ଏ ସଂପର୍କରେ ବ୍ୟାପକ ସମୀକ୍ଷା କରାଯାଉନି କି ଏହାକୁ ରୋକିବାର ଉପାୟ ଖୋଜି ବାହାର କରାଯାଉନି! ପ୍ରଥମେ ଅପହରଣ,ତାପରେ ବର୍ବରୋଚିତ ଭାବେ ଧର୍ଷଣ ଓ ବିଭତ୍ସ ଭାବେ ହତ୍ୟା ବାହତ୍ୟା ଉଦ୍ୟମ କରି ଝିଅ-ବୋହୂଙ୍କୁ ଜୀବନ୍ତ ଶବ କରି ଫିଙ୍ଗି ଦିଆଯିବା ଘଟଣା ଏବେ ନିତି ଦିନିଆ ହୋଇଛି ଓ ଆମ ଶାସନ ବ୍ୟବସ୍ଥା ପାଇଁ ସାଧାରଣ ଘଟଣାରେ ପରିଣତ ହୋଇଛି! ଏହା ଅମାନବିକତାର ଚରମ ସୀମାରେ ପହଂଚି ଯାଇଛି! ହେଲେ କାହିଁକି କରାଯାଉନି ନିୟନ୍ତ୍ରଣ ଏହି ମ୍ଲେଛ ମାନଙ୍କୁ??….ରାଜନୀତିକ ବାହୁ ଛାୟା ତଳେ କାହିଁକି ଦିଆଯାଉଛି ଏମାନଙ୍କୁ ସୁରକ୍ଷା???…..ଆରେ ମ୍ଲେଛମାନେ, ତୁମ ମାନଙ୍କ ପାଇଁ ଦେଶରେ ମାଗାଜିନ୍ ଛତୁ ଫୁଟୁଛି, ହଜାର ହଜାର ଲାଇବ୍ରେରୀ, ପଣପଣ ବିଶ୍ୱବିଦ୍ୟାଳୟ, ଚାରିଆଡ଼େ ନୂଆ ଚ୍ୟାଲେଞ୍ଜ, ନୂଆ ଏକ୍‌ସପେରିଏନ୍‌ସ, ହତଭାଗାମାନେ ଏଥିରେ ନମାତି ମୁହଁ ଶୁଖେଇ ଝିଅ-ବୋହୁଙ୍କ ପଛରେ ଗୋଡ଼ାଉଛ କାହିଁକି?…. ଝିଅ-ବୋହୂଙ୍କୁ କମେଟ୍ କଲାବେଳେ ତମେ କ’ଣ ଭାବିପାରୁନ,ସିଆଡ଼େ ତୁମ ମା’ଭଉଣୀଙ୍କୁ ବି ତୁମ ପରି ମ୍ଲେଛ ମାନେ କମେଟ୍ କରି ହଇରାଣ କରୁଥିବେ!…ଏଥିରୁ ପାଉଛ କ’ଣ ?…..ଏହା ତୁମ ପାଇଁ କେବେ ବାହାଦୂରୀ ହୋଇ ପାରେନା! ପାରୁଛ ଯଦି,ମଣିଷକୁ ଭଲ ପାଅ, ଖାଲି ଝିଅ କାହିଁକି ସମସ୍ତେ ତୁମକୁ ଭଲ ପାଇବେ-ନିଜର କରିବେ ଓ ଚିରଦିନ ଧରି ତୁମକୁ ମନେ ରଖିବେ!… ହେଲେ କିଏ ବୁଜୁଝି ଏସବୁ? ବରଂ ବର୍ବରତା, ହିଂସା,ଇର୍ଷାଲୋଭ,ମୋହ ଆଦି ଅମଣିଷତା ଆଗେଇ ଚାଲିଛି ତା’ ବାଟରେ… ସଭ୍ୟତା ସହ ଚ୍ୟାଲେଞ୍ଜ କରି ……..
କୋଡ଼ିଏଟି ବସନ୍ତ ଅତିକ୍ରମ କରିଥିବା ଋରି ଥିଲା ଖୁବ୍ ସୁନ୍ଦରୀ,ସରଳ,ଭଦ୍ର ଓ ନମ୍ର! ଯୌବନୋଚ୍ଛଳ ଦେହ! ତା’ ମୁହଁ, ଆଖି, କାନ ଓ ଓଠ ସୂଚେଇ ଦେଉଥିଲା ତା’ ଅପରୂପ ସୌନ୍ଦର୍ଯ୍ୟତା! ତାକୁ ଦେଖି ଆକର୍ଷିତ ହୋଇଯିବ ତା’ ପ୍ରତି ଯେକେହି ମଣିଷ! ଆଉ ତା’ ପରେ…..’ ଏମିତି ଅନେକ ଆଶଙ୍କା ତରଙ୍ଗାୟିତ ହୋଇଥିଲା ମୋହିତ୍ ମନରେ ସେଦିନ ରାତିତମାମ ……….
“ସତ କହୁଛି, ତୁମକୁ ସାହାଯ୍ୟ କରିବା ପାଇଁ ଏ ନିଷ୍ପତି ନେଇଛି ମୁଁ! ବାହାଘର ପୂର୍ବରୁ ଆମଘରେ ନର୍ସିଂ ଟ୍ରେନିଂ ପାଇଁ ଆବେଦନ କରିଥିଲି । ଦୁଃଖ କରନି, ମୋ ପରି ଅନେକ ବିବାହିତା, ଗର୍ଭପାତ କରି ଆଡ୍‌଼ମିସନ୍ ନେଇଛନ୍ତି ପରା…. ମତେ କ’ଣ ଭଲ ଲାଗୁଥିଲା ଏସବୁ । କେବଳ ଆମରି ଭବିଷ୍ୟତ ପାଇଁ…..” ଋରି ଠାରୁ ଏକଥା ଶୁଣି ହତବିମ୍ବ ହୋଇଗଲା ମୋହିତ୍ । ସେ ଜଣେ ସ୍ୱେଚ୍ଛାସେବୀ, ଟେନିଂ ପାଇଁ ଋରି ଯେ ୬ ମାସର ଗର୍ଭସ୍ଥ ଭ୍ରୁଣ ନଷ୍ଟ କରିଛି, ସେ ଏହା ସହି ପାରୁ ନଥିଲା! ତଥାପି ସେ ନିଜକୁ ନିୟନ୍ତ୍ରଣ କରିନେଲା । ଯେହେତୁ ଋରି ପ୍ରତି ତା’ର ଯଥେଷ୍ଟ ଦୁର୍ବଳତା ଥିଲା । ଋରି ସହ ତା’ର ପ୍ରଥମ ଭେଟରୁ ହିଁ ସେ ଲକ୍ଷ୍ୟ କରିଥିଲା ତା’ ଭିତରର ସ୍ତ୍ରୀତ୍ୱ! ଋରିର ଆଚରଣ ଥିଲା ସ୍ପଷ୍ଟ – ସୁନ୍ଦର ଓ ଅଭିମାନ ଶୂନ୍ୟ । ବିଶେଷ କରି ମୋହିତ୍‌୍‌କୁ ଭଲ ପାଇବା, ସବୁ କାମରେ ସାହାଯ୍ୟ କରିବା, ତା’ର ଟିକେ ଦୁଃଖ ପାଇଁ ଛାତି ଫଟେଇ କାନ୍ଦିବା, ଆଉ ତା’ର ବିଜୟ ପାଇଁ ଗଭୀର ଭାବେ ଆଶା କରିବା ଥିଲା ତା’ର ପ୍ରଥମ କାମ । ପରିବାରର ସମସ୍ତଙ୍କ ପାଖେ ସେ ଥିଲା ସ୍ନେହୀ । ତା’ ଭଳି ସରଳା, ନିରୀହାର ପାଣି ଗ୍ରହଣ କରିଥିବାରୁ ନିଜକୁ ଗର୍ବିତ ମନେ କରୁଥିଲା ମୋହିତ୍ ।
ନିଜ ଭିତରର ସବୁ ଭୟ ଆଶଙ୍କା ଛାତିରେ ଚାପି ରଖି ମନେମନେ ହସିଥିଲା ମୋହିତ୍ । ବଧେଇ ଜଣେଇଥିଲା ତା’ର ଆନ୍ତରିକତା ପାଇଁ । ଏମିତି କେତେଜଣ ଆଗେଇ ଆସନ୍ତି ସ୍ୱାମୀଙ୍କୁ ସାହାଯ୍ୟ କରିବାକୁ?…. କିନ୍ତୁ ମର୍ମାହତ ହୋଇ ପଡ଼ିଥିଲା ଗର୍ଭସ୍ଥ ଭ୍ରୁଣର ନଷ୍ଟ ପାଇଁ । ଏଥିପାଇଁ ତା’ସହ ଭାଗୀ ହୋଇଥିଲା ଋରି । ଦୁହେଁ ଅନେକ ସମୟଯାଏ କାନ୍ଦିଥିଲେ ପିଲାଙ୍କ ଭଳି ।
ପ୍ରତିଦିନ ସକାଳେ ମୋହିତ୍ ବି ଟ୍ରେନିଂ ସେଂଟର ପର୍ଯ୍ୟନ୍ତ ଯାଏ ଋରି ସହ । ଋରିକୁ କ୍ଲାସ୍ ରୁମ୍ ଭିତରେ ଛା’ଡ଼ି ଅପେକ୍ଷା କରେ ନବା ପାନ ଦୋକାନ କି ଭୀମା ଚା’ଦୋକାନ ପାଖରେ । ଏମିତି କିଛିଦିନ ଭିତରେ ସେ ଅନୁଭବ କଲା, ସେ ଦେଖିଥିବା ସହର ମାନଙ୍କ ଭିତରେ କଟକ ଭଳି କୋଉଠି ସେ ଦେଖିନି! ଏଠାରେ ଅପରାଧୀ, ବର୍ବର ଓ ଅସାମାଜିକ ବ୍ୟକ୍ତିଙ୍କ ଉତ୍ପାତ ଯଥେଷ୍ଟ ଅଧିକ! ପ୍ରଶାସନିକ ନିୟନ୍ତ୍ରଣର ବାହାରେ ସେମାନେ!….. ତା’ଆଶଙ୍କା ସହ ଖାପ ଖାଇ ଗଲା ଏଠାକାର ପରିବେଶ । ସନ୍ଦିହାନ୍ ହୋଇଗଲା । କରିବ କ’ଣ ସେ?….ତାକୁ ତ ଫେରିବାକୁ ହେବ ତା’ କର୍ମ କ୍ଷେତ୍ରକୁ ।……
ମୋହିତ୍ ବାହାରିବା ବେଳେ ଯଥେଷ୍ଟ ସାହସ ଦେଇଥିଲା ଋରିକୁ ।…. ସୁନ୍ଦର ଓ ସ୍ପଷ୍ଟ ଆଚରଣ ଦ୍ୱାରା ସେ ସନ୍ତୁଷ୍ଟ କରୁ ତା’ ପାଖର ମଣିଷ ମାନଙ୍କୁ । ପାଖରୁ ଛାଡ଼ିବାକୁ ପ୍ରସ୍ତୁତ ନଥିବା ଋରି ମଧ୍ୟ ନିଜକୁ ବୁଝେଇ ପାରିନଥିଲା । ଅବଶେଷରେ ଦୁହିଁଙ୍କ ଭିତରୁ ସ୍ପଷ୍ଟ ହୋଇଥିଲା ଏକା କଥା । ଯେମିତି ହେଲେ ମାସରେ ଆଠ ଦଶଦିନ ଏଠାରେ ରହିବ ମୋହିତ୍‌! ଟ୍ରେନିଂ ପରେ ଋରିର ଚାକିରୀ ଜୀବନ ଆରମ୍ଭ ହେବ ସେହି ପରିଚିତ ଆଦିବାସୀ ଅଂଚଳରେ!…. ଏହି ନିଷ୍ପତ୍ତି ପରେ ଦୁହିଁଙ୍କ ଭିତରୁ ଉଭେଇ ଯାଇଥିଲା ସବୁ ଭୟ-ଆଶଙ୍କା-ଅସହାୟତା! ଖୁବ୍ ଆନନ୍ଦରେ କୋଳାକୋଳି ହୋଇଯାଇଥିଲେ କିଛି ସମୟ । ଏହି ମନୋରମ ମୁହୂର୍ତରେ ମୋହିତ୍ ଭାବି ପକେଇଥିଲା ଅନେକ କିଛି ।….. ଋରି ସେଠାରେ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଆଦିବାସୀ ମଣିଷର ସେବା ବି କରିପାରିବ! ସେବା ଓ ସଚେତନତା କାର୍ଯ୍ୟକ୍ରମରେ ଋରି ମଧ୍ୟ ତାକୁ ସହାୟତା କରିପାରିବ! ଦୁହେଁ ଆଦିବାସୀ ମଣିଷ ମାନଙ୍କର ନିକଟତର ହୋଇ ସେମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ! ଏଇତ ତା’ର ମୂଳ ଲକ୍ଷ୍ୟ! ମଣିଷର ସେବା ତ ଈଶ୍ୱର ସେବା! ଏହାଠାରୁ ଜୀବନରେ ଆଉ ବା କ’ଣ ବଡ଼ କାମ ଥାଇପାର ?…. ସତରେ କ’ଣ ଦୁହେଁ ମିଶି ଆଦିବାସୀ ମଣିଷ ମାନଙ୍କୁ ସଚେତନ କରାଇ ପାରିବେ?…..ଅତି କମ୍‌ରେ ସେମାନେ କ’ଣ ନିଜର ଅଧିକାର ଓ କ୍ଷମତା ସଂପର୍କରେ ସଚେତନ ହେବେ??…… ଏମିତି କେତେ କଅଣ ଭାବି ଚାଲିଥିଲା ମୋହିତ୍ ।


କୋରିଆପଲ୍ଲା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡା, ମୋ-୯୩୩୭୩୬୯୪୪୮

Related Posts

Leave a Reply

Your email address will not be published. Required fields are marked *