ଗଣେଶ୍ଵର ସାହୁ
ସଖୀ ତୁମ ପ୍ରେମ
ଠିକ୍ ଏ କୁହୁଡ଼ି ପରି
ଭିନ୍ନ ଏକ ଭ୍ରମ ।
ଅଦୃଶ୍ୟ ତା’ ଛଳର ଆର୍ଦ୍ରତା
ଭିଜେଇ ଦେଇପାରେ ଦୁଇ ଆଖିପତା
ତୃଷାର୍ତ୍ତ ଚର୍ମ
ଆଉ ଚର୍ମ ତଳ ଗୋଟିଗୋଟି ସତ୍ତା ।
ଅଦୃଶ୍ୟ ତା’ ତାତିର ତାଡ଼ନା
ପୋଡ଼ିଦିଏ ହୃଦ-କୁମୁଦର କୋମଳ କାମନା
ଜାଳିଦିଏ ପରାଗସଙ୍ଗମର ସ୍ୱପ୍ନରେ ମାତାଲ୍
ଚର୍ମ ଭେଦି ବଉଳିଥିବା
ନବଜାତ ବଉଳର ପ୍ରତିଟି ବାସନା !
ଶକ୍ତ ତା’ର ଧୂସର ପ୍ରାଚୀର
ପଛରେ ଛାଡ଼ିଥିବା ସ୍ମୃତି
ଆଗକୁ ଲମ୍ବିଥିବା ପଥ
ଉଭୟ କରାୟତ ତା’ର
ଘୁଞ୍ଚିବାର ପ୍ରଶ୍ନ ଉଠୁ ନାହିଁ
ବନ୍ଦୀହେବା ବିବଶତା ମୋର ।
ସଖୀ ତୁମ ପ୍ରେମର କୁହୁଡ଼ି
ଦୁର୍ଭେଦ୍ୟ ଏକ ଚକ୍ରବ୍ୟୁହ
ବୁଝିପାରେନା କି ଭେଦିପାରେନା
କେମିତି ଏ ଅପୂର୍ଵ ସର୍ଜନା !
ତୁମ ଇପ୍ସିତ ସ୍ୱାର୍ଥର ଚରିତାର୍ଥ ପାଇଁ
ତୁମେ ପବନରେ ଭସେଇଦେଇଛ ବିନ୍ଦୁବିନ୍ଦୁ ଛଳନା !
ସଖୀ ତୁମ ପ୍ରେମର କୁହୁଡ଼ି
ବାସ୍ …
ଲାଗେ ଖାଲି ମିଠା ପ୍ରତାରଣା
ନା ସେ ବାଷ୍ପ
ନା ସେ ସୁଶୀତଳ ଜଳ
ତୃଷା ମୋର ମେଣ୍ଟାଇ ପାରେନା !
ତୁମର ଏ ପ୍ରେମର କୁହୁଡ଼ି
କେବେ ଲାଗେ ଅସହ୍ୟ ଯାତନା
କେବେକେବେ ମୃଦୁ ସମ୍ବେଦନା
ତଥାପି ଇଚ୍ଛା ହୁଏ
ଥରେଥରେ ହେବାକୁ ନିନ୍ଦିତ
ଏମିତି ତୁମ ପ୍ରେମ-କୁହୁଡ଼ି ପହଁରୁଛି ବୋଲି
ହଲେ କାହିଁକି ? ଉତ୍ତର ପାଏନା !
କେବେକେବେ ଚେତନା ଚମକେ
ମିଳେ କ୍ଷୀଣ ଆଶାର ଆଲୋକ
ତନୁମନ ଚେତାନା କୁହନ୍ତି
ପ୍ରକୃତି ଆବର୍ତ୍ତନେ ସ୍ଥିର ଯେ
କୁହୁଡ଼ିର ଜୀବନ ଜାତକ !
ସବୁ ସତ୍ତ୍ୱେ ଆଶା ଭର୍ତ୍ତି ଏ’ ମୋ ଅନ୍ତର
ଚେତନା-ସୂର୍ଯ୍ୟର ତେଜରେ
ଭଗ୍ନ ହେବ କୁହୁଡ଼ି-ପ୍ରାଚୀର
ପୁଣି ଦିଶିବ ପଥ
ବନ-ଗିରି-ସବୁଜ ପ୍ରାନ୍ତର
ମହଣ ମହଣ ଫୁଲ ପଟୁଆର
ଚନ୍ଦ୍ର ବିରହୀ କୁମୁଦ ଆସର
କଷିରେ ଭର୍ତ୍ତି ବଉଳ
ଆଉ କାକର ବିନ୍ଦୁରେ ପ୍ରତିବିମ୍ବିତ
ଝାପ୍ସାଝାପ୍ସା ସ୍ମୃତି
ଅଭୁଲା ଅତୀତର ।
ନଡ଼ା, ଜଗନ୍ନାଥପ୍ରସାଦ, ଗଞ୍ଜାମ
ଲେଖକ ପରିଚୟ
ପ୍ରତିଦିନର ନୂଆ ପରିସ୍ଥିତି ହିଁ ମୋର ପ୍ରେରଣା । ତଥାପି ମୋ ସଂଗୀତ ଗୁରୁ ଶ୍ରୀ ଲୋକନାଥ ମହାନ୍ତି ଓ ଘୁମୁସରର ମାଟିର ବରପୁତ୍ର କବିସମ୍ରାଟ ଉେପେନ୍ଦ୍ର ଭଞ୍ଜଙ୍କୁ ମୋର ପ୍ରେରଣାର ମୂଳଉତ୍ସ ବୋଲି କହିବି । କେବେଠୁ ଲେଖା ଆରମ୍ଭ କରିଛି ମନେନାହିଁ । ତଥାପି ଆନୁମାନିକ ୨୦୦୮ କଲେଜ ଶେଷ ବର୍ଷ ବେଳକୁ । ଏଯାବତ କୌଣସି ପ୍ରକାଶିତ ପୁସ୍ତକ ନାହିଁ । ବ୍ୟଥା ହେଉ କି ସୁଖ କିମ୍ବା ଭାବାବେଗ, କାହାକୁ ତ ବାଣ୍ଟିବି ? ତେଣୁ କବିତା ତା’ର ମାଧ୍ୟମ ।