ବିଶ୍ୱଜିତ ପାଣି
ମନେନାହିଁ ମୋର ମନମୟୂରୀକୁ ମନ ଦେଇଥିଲି କେବେ….
ମେଘ ଘୋଟିଥିଲା, ତାରା ଫୁଟିଥିଲା, ଜହ୍ନ ଉଠୁଥିଲା ନଭେ…!
କାକରଭିଜା ସେ ପାହାନ୍ତି ଅନ୍ଧାରେ ଅବା ବତୀ ଯେବେ ଲିଭେ….
କିବା ସଞ୍ଜବେଳେ ମନ୍ଦିରରୁ ଯେବେ ମଙ୍ଗଳଆଳତୀ ଶୁଭେ….।୧।
ବର୍ଷଣ ମୁଖର ଦି’ପହର ଅବା ଛାଇ ଲେଉଟାଣି ବେଳ….
ମନେନାହିଁ ମୋର ଆମ୍ବତୋଟା କି ସେ ବୁଲାଣିଆ ନଈକୂଳ…!
ଜାଗର ରାତି ନା ଶ୍ରୀପଞ୍ଚମୀ ତିଥି ହେଲାପରେ ଆଢୁଆଳ….
ଦୋଳ ମେଳଣରେ ଅବା ଚାଲିଥିଲା ଫଗୁଣର ଫଗୁ ଖେଳ….।୨।
ଗାଁଆ ଅପେରା ନା ଯାତ୍ରା ଭିଡ଼ରେ ଆଖି ମିଶିଥିଲା କେବେ….
ଲାଜରେ ମୁହଁକୁ ଲୁଚେଇଥିଲ କି କିଏ କାଳେ ଦେଖିନେବେ…!
ପଛକୁ ବୁଲିକି ଚାହିଁଲ କି ନାଇଁ ମନେନାହିଁ ମୋର ତେବେ….
ଚମକିଥିଲ କି ଡରିଯାଇଥିଲ ଆଜି ବି ସେକଥା ଭାବେ….।୩।
ମନ୍ଦିରକୁ ଯିବା ବାଟରେ କି କେବେ ହୋଇଥିଲା ଆମ ଭେଟ….
ସାଙ୍ଗ ହୋଇ ଆମେ ଚାଲିଥିଲେ କି ନା ଅଳ୍ପଦୂର କିଛି ବାଟ…!
ପିନ୍ଧିଥିଲ ଅର୍ଖ ନାଲି ରଙ୍ଗ ଶାଢ଼ୀ ଅବା ହଳଦିଆ ପାଟ….
ଫୁଲ ଖୋସିଥିଲ ଗଭାରେ କି ଅବା ବେଣୀ ରଖିଥିଲ ମୋଟ….।୪।
ପ୍ରଥମ ଦେଖାରେ ଫୁଲ ଦେଇଥିଲ ଅବା ଦେଇଥିଲ ଚିଠି….
ଏକା ଥିଲ ଅବା ସାଙ୍ଗମେଳ ହୋଇ ମନେନାହିଁ ଗୋଟିଗୋଟି…!
ଇସାରାରେ କିଛି କହିଥିଲ ଅବା ଚାଲିଗଲ କରି ପିଠି….
ରଜନୀଗନ୍ଧା କି ମଲ୍ଲୀର ଅତର ବାସୁଥିଲା ଫେଣ୍ଟାଫେଣ୍ଟି….।୫।
ମନେନାହିଁ କେବେ ଆଙ୍କି ହୋଇଗଲା ହୃଦୟରେ ତୁମ ଛବି….
ମନେନାହିଁ କେତେଥର ତୁମ କଥା ଏକାନ୍ତରେ ହୁଏ ଭାବି…!
ଜାଣିଜାଣି ଯଦି ପଚାରିବ ମୋତେ ଆଉ କି ଉତ୍ତର ଦେବି….
ତୁମକୁ ପାଇ କି ଭୁଲିଛି ମୁଁ ଯାହା କେତେ ମନେ ପକେଇବି….।୬।
କୁଜଙ୍ଗ, ଜଗତସିଂହପୁର, ଦୂରଭାଷ- ୯୭୭୬୬୪୮୩୧୫
ଲେଖକ ପରିଚୟ
ମୋତେ ପିଲାଟିବେଳୁ ପଢିବାକୁ ଭଲଲାଗେ । ଗଳ୍ପ, କବିତା, ଉପନ୍ୟାସ ସହିତ ଭ୍ରମଣ କାହାଣୀ, ଦେଶ-ବିଦେଶର ଲୋକକଥା, ଅନୁବାଦ ଗଳ୍ପ, ଆତ୍ମକଥା, ବିଜ୍ଞାନ ବିଷୟବସ୍ତୁ, ପୁରାଣ, ଇତିହାସ ଆଦି ପଢିବାର ସୁଯୋଗ ମୁଁ କେବେ ବି ହାତଛଡ଼ା କରେନାହିଁ । ତେଣୁ ଲେଖିବାକୁ ଇଚ୍ଛା ହୁଏ । ପଦକୁ ପଦ ଯୋଡ଼ି ସୁନ୍ଦର କବିତାଟିଏ ଲେଖିପାରିଲେ ଆତ୍ମତୃପ୍ତି ଲାଗେ । ଆଉ କେହି ମୋ କବିତାକୁ ପଢି-ବୁଝି-ଅନୁଭବ କରିପାରିଲେ, ମୋ ପରିଶ୍ରମ ସାର୍ଥକ ହେଲା ବୋଲି ଭାବେ ।