ପ୍ୟାରୀମୋହନ ଆଚାର୍ଯ୍ୟ

ଡ. ରବି ରଞ୍ଜନ ସାହୁ

୧୮୫୨ ମସିହା ଅଗଷ୍ଟ ୫ ତାରିଖରେ କଟକ ଜିଲ୍ଲା କୁଆଁପାଳ ନିକଟ ପଶଲୁଣ୍ଡା ଗାଁରେ ଜନ୍ମଗ୍ରହଣ କରିଥିଲେ ପ୍ରଖ୍ୟାତ ଐତିହାସିକ, ସମ୍ପାଦକ, ଶିକ୍ଷାବିତ, ସମାଜସେବୀ ଓ ସମାଜ ସଂସ୍କାରକ ପ୍ୟାରୀମୋହନ ଆଚାର୍ଯ୍ୟ । ଗାଁରୁ ଚାଟଶାଳୀ ପାଠ ଶେଷ କରି ପ୍ୟାରୀମୋହନ କଟକ ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ । ବିଦ୍ୟାଳୟରେ ପଢୁଥିଲାବେଳେ ଓଡ଼ିଶାରେ ପ୍ରଳୟଙ୍କରୀ ନ’ଅଙ୍କ ଦୁର୍ବିକ୍ଷ ପଡ଼ିଥିଲା । ସେ ଆପଣା ଚେଷ୍ଟାରେ ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । କଲେଜରେ ଅଧ୍ୟୟନ କାଳରେ ପ୍ୟାରୀମୋହନ ମଧୁସୂଦନ ରାଓ, ପଣ୍ଡିତ ଗୋବିନ୍ଦଚନ୍ଦ୍ର ରଥ, ଦ୍ଵିଜେନ୍ଦ୍ର ପାଲ ଆଦି ସହପାଠୀଙ୍କ ସହିତ ମିଶି ‘ଉତ୍କଳପୁତ୍ର’ ସମ୍ବାଦପତ୍ର ପ୍ରକାଶ କରୁଥିଲେ । ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ ସରକାର ବିରୋଧୀ ଲେଖା ପାଇଁ ପ୍ୟାରୀମୋହନଙ୍କୁ କଲେଜ ଛାଡ଼ିବାକୁ ପଡ଼ିଥିଲା । ଓଡ଼ିଶାର ଗରିବଙ୍କ ଉନ୍ନତି ପାଇଁ ସେ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ । ସେ ଥିଲେ ସ୍ଵାଧୀନଚେତା । ବିଦେଶୀ ଶାସନ ଓ ବିଦେଶୀ ମାନସିକତା ବିରୋଧରେ ତାଙ୍କର ଆଭିମୁଖ୍ୟ ଅତି ସ୍ପଷ୍ଟ ଥିଲା । ଶିକ୍ଷାର ଆଲୋକ ସବୁଠି ଓ ସମସ୍ତଙ୍କ ପାଖରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା । ସେହି ଲକ୍ଷ୍ୟ ନେଇ କଟକରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ ସେ, ଯାହା ପରେ ପ୍ୟାରୀମୋହନ ଏକାଡ଼େମୀ ଭାବେ ନାମିତ ହେଲା । ସେ ଓଡ଼ିଶାର ଆଦ୍ୟ ଐତିହାସିକ ଭାବେ ମଧ୍ୟ ପରିଚିତ । ହିନ୍ଦୁ ଧର୍ମରେ ଅନେକ କୁସଂସ୍କାର ରହିଥିବାରୁ ସେ ଏହାକୁ ବିରୋଧ କରୁଥିଲେ ଏବଂ ବନ୍ଧୁ ମଧୁସୂଦନ ରାଓଙ୍କ ଦ୍ଵାରା ପରିଚାଳିତ ବ୍ରହ୍ମ ସମାଜରେ ସାମିଲ ହୋଇଥିଲେ । ମାତ୍ର ୨୯ ବର୍ଷ ୫ ମାସର ଜୀବନକାଳ ମଧ୍ୟରେ ସେ ଯେଉଁ ଅମଳିନ କୀର୍ତ୍ତି ସୃଷ୍ଟି କରିଯାଇଛନ୍ତି ତାହା ଅବିଶ୍ଵାସନୀୟ । ୧୮୮୧ ଡିସେମ୍ବର ୨୮ ତାରିଖରେ ଏହି ମହାପୁରୁଷଙ୍କର ମହାପ୍ରୟାଣ ହୋଇଥିଲା ।   

ଲେଖକ ପରିଚୟ

୧୯୮୯ ରେ କଟକ ଏସ. ସି. ବି. ରୁ ବିଡ଼ିଏସ ପାଠ୍ୟକ୍ରମ ଶେଷ କରି ସ୍ଵାଧୀନ ଭାବରେ ନିଜର କ୍ଲିନିକ କରି ଆଜି ଯାଏଁ ଦନ୍ତ ଚିକିତ୍ସାରେ କାର୍ଯ୍ୟରତ । ନିଜର ବୃତ୍ତି ବ୍ୟତୀତ ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ବିଜ୍ଞାନ ପ୍ରଚାର ସମିତି, ବିଶ୍ଵନାଥ ପଣ୍ଡିତ ସ୍ମୃତି ପରିଷଦ ଆଦି ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ ସଂଗଠନ ସହିତ ମୁଁ ଜଡ଼ିତ । ବିଶେଷ କରି ଓଡ଼ିଶାର ବରପୁତ୍ର ମାନଙ୍କ ସମ୍ପର୍କରେ ଏବଂ ପରଲୋକଗତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମ୍ବନ୍ଧିତ ଆଲେଖ୍ୟ ମୁଁ ଲେଖେ । “ଆମ ଦାନ୍ତ କଥା ଆମେ ବୁଝିବା”, “ତମ୍ବାଖୁର କୁପ୍ରଭାବ”, “ବିଶ୍ଵନାଥ ପଣ୍ଡିତଙ୍କ ଜୀବନୀ” ଭଳି କେତୋଟି ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *