ବହି: ଦ ଲଷ୍ଟ ଡାଏରୀ ଅଫ କସ୍ତୁର, ମାଇ ବା
ଲେଖକ: ତୁଷାର ଗାନ୍ଧୀ
ପ୍ରକାଶକ: ହାରପର କଲିନସ
ମୂଲ୍ୟ: ୫୯୯ ଟଙ୍କା

କସ୍ତୁରବା (୧୮୬୯-୧୯୪୪) ମହାତ୍ମା ଗାନ୍ଧୀଙ୍କ ପତ୍ନୀ ଭାବରେ ଅଧିକ ପରିଚିତ । ମାତ୍ର ତେର ଚଉଦ ବର୍ଷ ବୟସରେ ସେମାନଙ୍କର ବିବାହ ହୋଇଥିଲା । ତା ପରଠୁଁ କସ୍ତୁରବା ଗାନ୍ଧୀଙ୍କ ପାଖେ ପାଖେ ତାଙ୍କର ଛାଇହେଇ ସାରା ଜୀବନ କଟେଇଛନ୍ତି । ଏ ପୁସ୍ତକଟି ତାଙ୍କର ଗୋଟେ ଛୋଟ ଡାଏରୀ ଉପରେ ଆଧାରିତ । ଏ ଡାଏରୀରେ ୧୯୩୩ ଜାନୁଆରୀରୁ ସେପ୍ଟେମ୍ବର ଯାଏ- କେବଳ ନଅମାସର କଥା ଅଛି ।

ଏ ଡାଏରୀଟିକୁ ସଂପ୍ରତି ଗାନ୍ଧୀ ରିସର୍ଚ୍ଚ ଫାଉଣ୍ଡେସନର କର୍ମୀମାନେ ଇନ୍ଦୋରର କସ୍ତୁରବା ଆଶ୍ରମର ପୁରୁଣା ଜିନିଷପତ୍ର ଭିତରୁ ଡାଏରୀଟିକୁ ଉଦ୍ଧାର କରିଛନ୍ତି । ୧୯୩୩ର ଡାଏରୀ ତେଣୁ ତାର ଶତଛିନ୍ନ ଅବସ୍ଥା । ତେବେ ଏ ଡାଏରୀର ଲେଖା ଏତେ ମାର୍ମିକ ଏବଂ ଏହା ଭାରତର ସ୍ଵାଧୀନୀତା ସଂଗ୍ରାମ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ତାଙ୍କର ଅଣନାତି ତୁଷାର ଗାନ୍ଧୀ ଏହାକୁ ବହି ଆକାରରେ ପାଠକମାନଙ୍କ ପାଖରେ ପହଞ୍ଚାଇଛନ୍ତି ।

ଏ ଡାଏରିଟି ପଢ଼ିଲେ ଲୋମ ଟାଙ୍କୁରି ଉଠେ । କାରଣ ଏହା ଇତିହାସର ଏକ ବିଶେଷ ସମୟର ଦସ୍ତାବିଜ୍- ଯେତେବେଳେ ଗାନ୍ଧୀ ଭାରତୀୟ ସ୍ଵାଧୀନତା ସଂଗ୍ରାମର ନେତୃତ୍ୱ ନେଉଛନ୍ତି ଏବଂ ବାରମ୍ବାର ଜେଲ ଯାଉଛନ୍ତି । ଗାନ୍ଧୀ ତାଙ୍କର ସଂପୁର୍ଣ୍ଣ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଦେଇଥିଲେ ।

ଏ ଡାଏରୀରେ ଜଣେ ପତ୍ନୀର ସ୍ଵାମୀର ଅବସ୍ଥା କେମିତି ଅଛି, ସ୍ଵାସ୍ଥ୍ୟ କେମିତି ଅଛି – ସେ ସମ୍ପର୍କରେ ଉତ୍କଣ୍ଠା ରହିଛି । ପୁଣି ଜଣେ ସଚ୍ଚା ସ୍ଵାଧୀନତା ସଂଗ୍ରାମୀର ବଳିଷ୍ଠ କଣ୍ଠ ସ୍ଵର ରହିଛି । ଗାନ୍ଧୀଙ୍କ ସହିତ କସ୍ତୁରବା ମଧ୍ୟ ତାଙ୍କ ସାରା ଜୀବନ ଦେଶ ପାଇଁ ଉତ୍ସର୍ଗ କରିଦେଇଥିଲେ ।

ଏ ଡାଏରୀର ଲେଖାଗୁଡ଼ିକ ଛୋଟ । ଭାଷା ଅତ୍ୟନ୍ତ ସରଳ । କିନ୍ତୁ ସେଥିରେ ସ୍ଵାଧୀନତା ଏବଂ ନ୍ୟାୟ ପ୍ରତି ତାଙ୍କର ପ୍ରତିବଦ୍ଧତା ଜଳ ଜଳ ହେଇ ଦିଶିଯାଏ । ଏ ଡାଏରୀ ପଢ଼ିଲେ ଜାଣିହେବ କସ୍ତୁରବା ଜଣେ ମା ଭାବରେ, ଜଣେ ପତ୍ନୀ ଭାବରେ, ଜଣେ କର୍ମୀ ଭାବରେ ଏବଂ ଜଣେ ବ୍ୟକ୍ତି ଭାବରେ ଦେଶ ପାଇଁ କି ପ୍ରକାର ବଳିଦାନ ଦେଇଛନ୍ତି ।

ଏ ଡାଏରୀରୁ ଜାଣିହେବ କସ୍ତୁରବାଙ୍କ ଭଳି ମହିଳାମାନେ ସ୍ଵାଧୀନତା ସଂଗ୍ରାମପାଇଁ କି କଠିନ ପରିଶ୍ରମ କରିଛନ୍ତି! ଏ ଡାଏରୀର ପ୍ରଥମ ଏଣ୍ଟ୍ରି ହେଉଛି ୨୨ ଜାନୁଆରି ୧୯୩୩ର । ଏଥିରେ ସେ ଲେଖିଛନ୍ତି: ଆଶ୍ରମ ଛାଡିଲି ଆଉ ବର୍ଷାତ ତାଲୁକରେ ବୁଲି ବୁଲି ୮.୩୦ ରେ ପହଞ୍ଚିଲି । ଆମେ ଭଦ୍ରାନରେ ସେ ରାତିରେ ଶୋଇଲୁ ।”

ତା ପରଦିନ ସେମାନେ ଭଦ୍ରାନ ଛାଡିଲେ ଗୋଟେ ଶଗଡ ଗାଡିରେ । ପରଦିନ ଞ୍ଚିଲେ ସେମାନେ ବଚାସାନରେ । ସେଠୁ ଧର୍ମାଜ ତାପରେ ବଡାଲା ଆଉ ତା ପରେ ପରେ ଗାଁକୁ ଗାଁ । ଗୁଜୁରାଟର ଗ୍ରାମାଞ୍ଚଳରେ ଏହିଭଳି ଭାବରେ ପ୍ରତିଦିନ ବୁଲି ବୁଲି ଝିଅ ଓ ମହିଳାମାନଙ୍କ ସହିତ ମିଶି ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମ ଏବଂ ସାମାଜିକ ସଂସ୍କାରରେ ଭାଗନେବାପାଇଁ ଉତ୍ସାହିତ କରିବା. ସ୍ଵାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ଅନୁପ୍ରେରିତ କରିବା ଥିଲା ସେମାନଙ୍କର କାମ ।

ଆଉ ଗୋଟିଏ ବିଷୟ ତାଙ୍କ ଡାଏରୀରୁ ଜଣାଯାଏ- ଅନ୍ୟର କଥା ଶୁଣିବାର ଆଗ୍ରହ । ଏହାର ବହୁ ଉଦାହରଣ ଏ ଡାଏରୀରୁ ମିଳେ । ଗୋଟେ ଏଣ୍ଟ୍ରିରେ ଲେଖା ହେଇଛି: ଲିମ୍ବାସିରେ ରହିଲି ସେଠି ଭାଇ ଭଉଣୀମାନଙ୍କ ସୁଖ ଦୁଃଖର କଥା ଶୁଣିଲି ଆଉ ଫେରିଲି । ଏଥିରୁ ଗୋଟେ ବଡ ଶିକ୍ଷା ମିଳେ । ଜଣକ କଥା ଉପରଠାଉରିଆ ଭାବରେ ନୁହେଁ – ମନଯୋଗ ଦେଇ ଶୁଣିବା – ଇଏ ଗୋଟେ ପ୍ରକାରର ଭଲ ପାଇବା । ଇଏ ଗୋଟେ ପ୍ରକାରର ସନ୍ତୋଷ କହୁଥିବା ଲୋକ ତାଙ୍କ ପାଇଁ । ଆଉ ଯଦି ଆପଣ ଏହାକୁ ମନଦେଇ ଅନ୍ତରର ସହିତ ଶୁଣୁଥିବେ ତାହାହେଲେ ଆପଣଙ୍କ ପାଇଁ ବି । କସ୍ତୁରବା ଲୋକଙ୍କ କଥା ଶୁଣିବାକୁ ଭଲ ପାଉଥିଲେ । ତାଙ୍କ ସୁଖଦୁଃଖକୁ ନିଜ ଅନ୍ତରରେ ଅନୁଭବ କରୁଥିଲେ ।

ପ୍ରଥମ ଏଣ୍ଟ୍ରିର କିଛିଦିନ ପରେ ଗୋଟେ ନୋଟ ଆସିଲା ଯେ ଅନ୍ୟାନ୍ୟ କେତେଜଣ ମହିଳାଙ୍କ ସହିତ କସ୍ତୁରବାଙ୍କୁ ଗିରଫ କରାଗଲା । ଡାଏରୀରେ ଲେଖା ଯାଇଛି : ୦୮.୦୨.୧୯୩୩ରେ ବର୍ଷାଦରେ ଆମ କେସ୍ ଉଠିଲା । ୯ ଫେବୃଆରିରେ ସଜା ଶୁଣାଗଲା ଆଉ ୧୦ ଫେବୃଆରିରେ ଆମେ ସକାଳୁ ଛାଡିଲୁ ଏବଂ ଏଠି ପହଞ୍ଚିଲୁ ସନ୍ଧ୍ୟାରେ । ଏଠି ଅର୍ଥାତ ସାବରମତି ଜେଲରେ । ଜେଲରେ ସେ ଭେଟିଲେ ମୀରାବେନ୍ ଙ୍କୁ । ସିଏ ମଧ୍ୟ ସେହିଦିନ ଜେଲରେ ପହଞ୍ଚିଥିଲେ ।

କସ୍ତୁରବା ଲେଖିଛନ୍ତି, ତେଣୁ ମୁଁ ଭାରି ଖୁସି । ଆମେ ଦୁଇଜଣ ସାଙ୍ଗରେ ରହିଲୁ । ଦିନଗୁଡିକ ବିତି ଯାଉଥିଲା ପ୍ରାର୍ଥନାରେ, ବିଭିନ୍ନ କାମ କରିବାରେ, ଗାନ୍ଧୀଙ୍କୁ ଚିଠି ଲେଖିବାରେ (ଏହି ସମୟରେ ସେ ଆଉ ଗୋଟେ ଜେଲରେ ଥିଲେ), ଗୀତା ପଢ଼ିବାରେ ଆଉ ଖବରକାଗଜ ପଢ଼ିବାରେ ।

ଖବର କାଗଜ ଥିଲା କସ୍ତୁରବାଙ୍କ ପାଇଁ ଖବର ଜାଣିବାର ମୁଖ୍ୟ ସୂତ୍ର ଆଉ ବାହାର ଦୁନିଆ ସହିତ ତାଙ୍କର ଯୋଗସୂତ୍ର । ଜାତୀୟ ସଂଗ୍ରାମରେ କଣ ହେଉଛି ସେ ବିଷୟରେ ଜାଣିବାପାଇଁ ମଧ୍ୟ ଇଏ ଥିଲା ଗୋଟିଏ ମାତ୍ର ସୂତ୍ର । ପୁଣି ଚରଖା କାଟିବା ଥିଲା । ୩୦୦ ରୁ ୪୫୦ ପର୍ଯ୍ୟନ୍ତ ଷ୍ଟ୍ରାଣ୍ଡ ଚରଖା ସେ କାଟୁଥିଲେ । ଆଉ ଭଲ ସୂତା ତିଆରି କରିପାରୁଥିଲେ ।
ଯେତେବେଳେ କୋଚରାବ ଆଶ୍ରମର ଗୋଟେ ପରିବାରର ଝିଅଟିଏ ବାହାଘରର ଆଶିର୍ବାଦ ନେବାପାଇଁ କସ୍ତୁରବାଙ୍କ ପାଖରେ ଜେଲ ଖାନାରେ ପହଞ୍ôଚଲେ କସ୍ତୁରବା କହିଲେଯେ ସେ ତାଙ୍କୁ ଦୁଇଟା ଶାଢ଼ି ଦେବେ । “ଏଇ ଜେଲରେ ବସି ଆଉ କିଛି ଜିନିଷ ଦେବାକଥା ମୁଁ ଭାବିବି ପାରୁନି ।”

କସ୍ତୁରବା ଏବଂ ଗାନ୍ଧୀ ତାଙ୍କ ବିବାହିତ ଜୀବନର ଅନେକ ସମୟ ପରସ୍ପରଠୁ ଅଲଗା ବିଭିନ୍ନ ଜେଲରେ କଟେଇଛନ୍ତି । ତାଙ୍କର ବ୍ୟକ୍ତିଗତ ବଳିଦାନ କଥା ଯଦି ଜଣେ ଚିନ୍ତାକରେ ତେବେ ଅବାକ ହୁଏ ଗୋଟେ ପରିବାର ଏତେ ବଳିଦାନ କେମିତି ଦେଇପାରେ । ଗାନ୍ଧୀ ତ ଗାନ୍ଧୀ କସ୍ତୁରବା ମଧ୍ୟ ।

ଏ ଡାଏରୀରେ ଏକଦମ ରୋକଠୋକ ଭାବରେ କସ୍ତୁରବା ଗୋଟେ ଘଟଣାକୁ ବର୍ଣ୍ଣନା କରିଛନ୍ତି । ଘଟଣାଟି ୩୧ ଜୁଲାଇ ରାତିର । “ଗୋଟାଏ ତିରିଶ ବେଳେ ତିନି ଗାଡି ପୋଲିସ ଆସି ପହଞ୍ଚିଲେ । ମୁଁ, ବାଲ ଏବଂ ମହାଦେବ ଭାଇ – ଆମକୁ ଗୋଟେ କାର୍ରେ ପୂରାଇ ଦିଆଗଲା । ବାପୁଜୀଙ୍କୁ ଆଉଗୋଟେ ଗାଡିରେ । ଆଉ ଆମକୁ ଜେଲ ନିଆଗଲା । ଅନ୍ୟାନ୍ୟ ଭଉଣୀ ମାନଙ୍କୁ ଆଶ୍ରମରୁ ହୁଏତ ଗିରଫ କରାଯାଇ ସାରିଲାଣି ଆଉ ଅଣାଯାଇ ସାରିଲାଣି । ସନ୍ଧ୍ୟାବେଳେ ମୁଁ ପୋଟଳର ସୁପ କଲି ବାପୂଜୀଙ୍କ ପାଇଁ ଖାଇବାକୁ ପଠେଇଲି ।

ଆଜି ସନ୍ଧ୍ୟା ୮ଟା ବେଳେ ସେମାନେ ବାପୁଙ୍କୁ ନେଇଗଲେ । ଆମେ ଜାଣିଲୁ ତା ପରଦିନ ଖବର କାଗଜରୁ ଯେ ବାପୁଜୀଙ୍କୁ ମହାଦେବଭାଇଙ୍କ ସହିତ ଏରୱାଡା ଜେଲ (ପୁଣେ)କୁ ନେଇଯାଇଛନ୍ତି ।

ଏହାର କିଛିଦିନ ପରେ କଲେକଟର ଜେଲରେ ଥିବା ମହିଳାମାନଙ୍କୁ ଗୋଟେ ନୋଟିସ୍ ଦେଲେ ଯେ ଜେଲ ଛାଡି ଦିଅନ୍ତୁ ଆପଣମାନେ । କିନ୍ତୁ ସେମାନଙ୍କୁ ଏକଥା ବି ଚେତେଇ ଦେଲେ ଯେ ସେମାନେ ନଈ ପାରିହେବେନାହିଁ । କସ୍ତୁରବା ଏବଂ ଅନ୍ୟାନ୍ୟ ମହିଳାମାନେ ତୁରନ୍ତ କଲେକଟରଙ୍କ ଆଦେଶକୁ ଅମାନ୍ୟକଲେ । ଆଉ ସେମାନଙ୍କୁ ପୁଣି ଜଣେ ମାଜିଷ୍ଟ୍ରେଟଙ୍କ ସାମ୍ନାକୁ ନିଆଗଲା ଏବଂ ସେମାନେ ଜେଲକୁ ଫେରି ଆସିଲେ ।

ଏ ଡାଏରୀରେ ୧୮ ଅଗଷ୍ଟ ୧୯୩୩ରେ ଗୋଟେ ଏଣ୍ଟ୍ରି ଅଛି । ଏଥିରେ ଜଣେ ପତ୍ନୀର ଉତ୍କଣ୍ଠା ପାଠକମାନେ ଅନୁଭବ କରି ପାରିବେ । କସ୍ତୁରବା ଗାନ୍ଧୀଙ୍କର ଅନଶନକୁ ନେଇ ବଡ ଉଦବିଗ୍ନ ଥିଲେ । ସେ ଖବର କାଗଜରେ ପଢ଼ିଥିଲେ ଯେ ଗାନ୍ଧୀ ଅନଶନରେ ବସିଛନ୍ତି । ସେ ଲେଖିଛନ୍ତି, “ଖବର କାଗଜ ଆସିଲା ପଢ଼ି ଜାଣିଲିଯେ ବାପୂଜୀଙ୍କର ଅନଶନ ଜାରି ରହିଛି । ତାପରେ ମୁଁ ତାଙ୍କୁ ଗୋଟେ ଟେଲିଗ୍ରାମ କଲି ରବିବାର ସକାଳେ । ମୁଁ କହିଲି ଯେ ମୁଁ ଜାଣିଲିଯେ ଆଜି ଅନଶନର ତୃତୀୟ ଦିନ, କେମିତି ଅଛ ମୋତେ ଜଣାଅ” । ତାପର ଦିନର ଏଣ୍ଟ୍ରି: କିଛି ଜବାବ ଆସିନି ।

କସ୍ତୁରବା ଜଣେ ଅସାଧାରଣ ମହିଳା ଥିଲେ । ଜଣେ ପତ୍ନୀ, ମା ବନ୍ଧୁ, ସ୍ଵାଧୀନତା ସଂଗ୍ରାମୀ ଏବଂ ସ୍ଵାଧୀନତା ସଂଗ୍ରାମରେ ଲକ ପ୍ରେରଣାଦାୟୀ ମୂର୍ତ୍ତି ।

ଇତିହାସ ପୃଷ୍ଠାରୁ ଯେଉଁ ଶବ୍ଦ ଏ ଡାଏରୀ ମାଧ୍ୟମରେ ଆମ ପାଖକୁ ଆସେ ତାହା ଅତ୍ୟନ୍ତ କୋମଳ ଆଉ ସରଳ । ଭାସି ଆସେ ଆଶା ଏବଂ ବିଶ୍ଵାସର ବାର୍ତ୍ତା । ଏ ସ୍ଵରକୁ ଆମେ ଆହୁରି ଗଭୀରତାର ସହ ଶୁଣିବା ଦରକାର, ଅନ୍ତର ଭିତରକୁ ନେବା ଦରକାର ।

ଏ ବହିଟିକୁ ଆପଣ ନିଶ୍ଚୟ ପଢ଼ନ୍ତୁ ।

++

Related Posts

Leave a Reply

Your email address will not be published. Required fields are marked *