ଗଣମାଧ୍ୟମର ସାମ୍ପ୍ରତିକ ଧାରା

ବହି: ସ୍ଵାବଲମ୍ବୀ ସମ୍ବାଦମଞ୍ଚ
ଲେଖକ: ଡ. ପ୍ରଦୀପ ମହାପାତ୍ର
ପ୍ରକାଶକ: ପିଏମ୍‍ ଡିଜିଟାଲ୍‍ ଡକ୍ୟୁମେଣ୍ଟେସନ୍‍, ବ୍ରହ୍ମପୁର
ମୂଲ୍ୟ: ୧୯ ଟଙ୍କା । ପ୍ରଥମ ପ୍ରକାଶ: ୨୦୨୧

କରୋନା ମହାମାରୀ ଆମ ଜୀବନ ଓ ସମାଜର ସବୁ ଦିଗକୁ ପ୍ରଭାବିତ କରିଛି। ଅର୍ଥନୀତିର ଅଗ୍ରଗତି ବ୍ୟାହତ ହୋଇଛି। ଦାରିଦ୍ର୍ୟ ଓ ବେରୋଜଗାରି ବଢ଼ିଛି । ସାମାଜିକ ଜନଜୀବନର ମାନ ନିମ୍ନଗାମୀ ହୋଇଛି । କରୋନା ମହାମାରୀ, ସାମ୍ବାଦିକତା ପାଇଁ ଖବର ଯୋଗାଇବାର ଏକ ବଡ଼ ସୁଯୋଗ ହୋଇଥିଲାବେଳେ ଗଣମାଧ୍ୟମ ବ୍ୟବସାୟକୁ ନକାରାତ୍ମକ ଭାବେ ପ୍ରଭାବିତ କରିଛି । କିନ୍ତୁ ଏ ସମୟରେ ଗଣମାଧ୍ୟମ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ିଛି । ଏହାକୁ ସୁଯୋଗ ଭାବରେ ଗ୍ରହଣ କରି ଅନେକ ସମ୍ବାଦମଞ୍ଚ କ୍ରମଶଃ ଗ୍ରାହକ-ଚାନ୍ଦା ଭିତ୍ତିକ ଆୟକୁ ବଢ଼େଇବାର ଚେଷ୍ଟା କରୁଛନ୍ତି । ଅନେକେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଏହା ପଳରେ ପାରମ୍ପରିକ ଭାବେ ବିଜ୍ଞାପନ ଭାବେ ଖବରବାହୀ ଗଣମାଧ୍ୟମର ରେଯଉଁ ନିର୍ଭରଶୀଳତା ରହୁଥିଲା- ତାହା କେତେକାଂଶରେ କମିଛି । ଗଣମାଧ୍ୟମର ସ୍ୱାଧୀନତା ପାଇଁ ଏହା ଏକ ଶୁଭ ସୂଚନା ।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଡ. ପ୍ରଦୀପ ମହାପାତ୍ର ଗଣମାଧ୍ୟମର ବିଶେଷ କରି ଓଡ଼ିଆ ଗଣମାଧ୍ୟମର ସ୍ଥିତି, ଧାରା ଓ ଭବିଷ୍ୟତକୁ ନେଇ ଗତ କିଛି ବର୍ଷ ହେଲା ନିୟମିତ ଭାବେ ଓଡ଼ିଆ ଭାଷାରେ ନିବନ୍ଧମାନ ଲେଖୁଛନ୍ତି । ଓଡ଼ିଶାର ଅନେକ ପ୍ରମୁଖ ପତ୍ରପତ୍ରିକାରେ ତାହା ପ୍ରକାଶିତ ହେଉଛି । ମହାମାରୀ ସାମ୍ବାଦିକତାକୁ କିପରି ଭାବେ ପ୍ରଭାବିତ କରିଛି- ସେ ସମ୍ପର୍କରେ ଦଶଟି ପ୍ରବନ୍ଧର ଏକ ଇ-ସଙ୍କଳନ ‘ମହାମାରୀ ପ୍ରଭାବିତ ସାମ୍ବାଦିକତା’ ଏବଂ ଗଣମାଧ୍ୟମରେ ପାଠକ ସମ୍ପୃକ୍ତି କେମିତି ବଢ଼ୁଛି ସେ ବିଷୟରେ ‘ସ୍ୱାବଲମ୍ବୀ ସମ୍ବାଦମଞ୍ଚ’ ଶୀର୍ଷକ ଏ ଇ-ସଙ୍କଳନ ସମ୍ପ୍ରତି ପ୍ରକାଶ ପାଇଛି ।
‘ମହାମାରୀ ପ୍ରଭାବିତ ସାମ୍ବାଦିକତା’ ସଙ୍କଳନରେ ଗଣମାଧ୍ୟମ କ୍ଷେତ୍ରରେ ନୂଆ କରି ଆସିଥିବା ମଞ୍ଚ- ଓଟିଟି, ସାମାଜିକ ଗଣମାଧ୍ୟମ (ସୋସିଆଲ୍‍ ମିଡିଆ) ଇତ୍ୟାଦି ବିଷୟରେ ବେଶ କେତେଗୁଡ଼ିଏ ପ୍ରବନ୍ଧ ଏଥିରେ ରହିଛି । ଗଣମାଧ୍ୟମ ଶିଳ୍ପ କିଭଳି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି, ବର୍ତ୍ତମାନର ସ୍ଥିତି କଣ ଏବଂ ଭବିଷ୍ୟତରେ କଣ ହେବାର ଆଶଙ୍କା ରହିଛି, ସେ ସମ୍ପର୍କରେ ଦୁଇଟି ପ୍ରବନ୍ଧ ରହିଛି । ଡିଜିଟାଲ୍‍ ମିଡିଆର ନୂଆ ନିୟମ ଏବଂ ତାହାକୁ ନେଇ ଯେଉଁ ବିବାଦ ଦେଖା ଦେଇଛି ତାକୁ ନେଇ ଦୁଇଟି ପ୍ରବନ୍ଧ ରହିଛି ।
ଗଣମାଧ୍ୟମ ବିଶେଷ କରି ମୁଦ୍ରିତ ଗଣମାଧ୍ୟମ ବ୍ୟବସାୟରେ ଆଗାମୀ ଦିନମାନଙ୍କରେ ଯେଉଁ ବୁନିଆଦି ପରିବର୍ତ୍ତନ ହେବାକୁ ଯାଉଛି ସେ ବିଷୟରେ ଗୋଟେ ପ୍ରବନ୍ଧ ରହିଛି ଏ ସଙ୍କଳନରେ । ବିଜ୍ଞାପନ-ନିର୍ଭରତା କମ କରି ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ୍‍ଗୁଡ଼ିକପ କ୍ରମଶଃ ଗ୍ରାହକ ଚାନ୍ଦା ନିର୍ଭର ହେବାରେ ଲାଗିଛନ୍ତି । ସାରା ପୃ୍‍ଥିବୀରେ ଏ ଧାରା ଆରମ୍ଭ ହୋଇଛି । ମହାମାରୀକାଳରେ ଏ ଧାରା ଆହୁରି ବେଗବତୀ ହୋଇଛି । ଗଣମାଧ୍ୟମ ବ୍ୟବସାରେ ଏ ପରିବର୍ତ୍ତନ ସାମ୍ବାଦିକତା ପାଇଁ ଶୁଭଙ୍କର ହେବ ବୋଲି ଡ. ମହାପାତ୍ର ଆଶା ପ୍ରକାଶ କରିଛନ୍ତି ।
ଏ ପୁସ୍ତିକାଟି ଆଧୁନିକ ଗଣମାଧ୍ୟମର ସ୍ଥିତି ଓ ଧାରାକୁ ବୁଝିବା ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଗଣମାଧ୍ୟମ ଛାତ୍ର ଏବଂ ଗଣମାଧ୍ୟମ-କର୍ମୀ ତ ନିଶ୍ଚୟ ଗଣମାଧ୍ୟମରେ ରୁଚି ରଖୁଥିବା ସାଧାରଣ ଲୋକମାନେ ମଧ୍ୟ ଏ ପୁସ୍ତିକାଟି ପଢ଼ିଲେ ଭଲ ।

ବିନା ଦେୟରେ ଏ ପୁସ୍ତିକାର ଇ-କପି ପାଇବା ପାଇଁ ମୋତେ ଇ-ମେଲ୍‍ କରି ପାରନ୍ତି ।
mrinalchatterjeeiimc@gmail.com

Related Posts

Leave a Reply

Your email address will not be published. Required fields are marked *