ଗଣମାଧ୍ୟମ ଧାରାର ତଥ୍ୟନିଷ୍ଠ ଆକଳନ

ବହି: ଓଡ଼ିଶା ମିଡିଆ ରିପୋର୍ଟ ୨୦୨୧ (କେବଳ ଇ-କପିରେ ଉପଲବ୍ଧ)
ଲେଖକ: ଡ. ପ୍ରଦୀପ ମହାପାତ୍ର
ପ୍ରକାଶକ: ପି. ଏମ୍‍. ଡିଜିଟାଲ୍‍ ଡକ୍ୟୁମେଣ୍ଟେସନ୍‍, ବ୍ରହ୍ମପୁର
ମୂଲ୍ୟ: ୪୯ଟଙ୍କା ।

ଡ. ପ୍ରଦୀପ ମହାପାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ବରିଷ୍ଠ ଅଧ୍ୟାପକ ପଦରୁ କେଇବର୍ଷ ତଳେ ଅବସର ନେଇଛନ୍ତି । ସମ୍ବାଦବାହୀ ପତ୍ରିକା ପ୍ରକାଶରେ ତାଙ୍କର ଯଥେଷ୍ଟ ଅଭିଜ୍ଞତାରହିଛି । ବିଭିନ୍ନ ସାମ୍ପ୍ରତିକ ଓ ସାମାଜିକ ବିଷୟ ଓ ପ୍ରସଙ୍ଗରେ ସେ ଦୀର୍ଘବର୍ଷ ହେଲା ପ୍ରବନ୍ଧ ଏବଂ ସ୍ତମ୍ଭ ଲେଖିଆସୁଛନ୍ତି ।

ଗତ କେଇବର୍ଷ ଧରି ସେ ଦୁଇଟି ନିର୍ଦ୍ଦିଷ୍ଟ ବିଷୟରେ ନିୟମିତ ସାପ୍ତାହିକ ସ୍ତମ୍ଭ ଲେଖୁଛନ୍ତି : ଗଣମାଧ୍ୟମ ଏବଂ ବାର୍ଦ୍ଧକ୍ୟ । ତାଙ୍କର ଏ ଲେଖାଗୁଡ଼ିକ ଅନଲାଇନ୍‍ରେ ପ୍ରସାରିତ ହେଉଛି ଏବଂ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଛି ।

ଗଣମାଧ୍ୟମ ପ୍ରସଙ୍ଗରେ ସେ ବର୍ଷସାରା ଲେଖିଥିବା ସାପ୍ତାହିକ ସ୍ତମ୍ଭ ଗୁଡ଼ିକର ସମ୍ପାଦିତ ବାର୍ଷିକ ସଙ୍କଳନକୁ ଓଡ଼ିଶା ମିଡିଆ ରିପୋର୍ଟ ଶିରୋନାମାରେ ପ୍ରକାଶ କରାଯାଉଛି । ଏହି ଧାରାରେ ସଂକଳନର ପଞ୍ଚମ ସଂସ୍କରଣ ୨୦୨୧ ଡ଼ିସେମ୍ବର ଶେଷ ସପ୍ତାହରେ ପ୍ରକାଶ ପାଇଛି । ଏଥିପୂର୍ବରୁ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେ ଚାରିଗୋଟି ସଂସ୍କରଣ ପ୍ରକାଶ ପାଇସାରିଛି । ଓଡ଼ିଆ ଭାଷାରେ ସମସାମୟିକ ଗଣମାଧ୍ୟମର ଗତି ପ୍ରକୃତି ଅନୁଶୀଳନାତ୍ମକ ପଠନ ସାମଗ୍ରୀ ପ୍ରସ୍ତୁତିରେ ଏହି ଉଦ୍ୟମ ସମର୍ପିତ । ଭାଷାର ସମୃଦ୍ଧିରେ ସାହିତ୍ୟ ସୃଜନ ସହାୟକ । ବିଶେଷତଃ କ୍ରମବିକଶିତ ବୈଷୟିକ ଜ୍ଞାନକୌଶଳ ଓ ଚଳନ୍ତି ପ୍ରବାହ ସଂପର୍କୀତ ରଚନା ଅଭାବରେ ଅନୁସନ୍ଧିତ୍ସୁ ପଡ଼ୋଶୀ ଭାଷାର ଆଶ୍ରୟନେବା ଭୟ ରହିଥାଏ । ଏହି କାରଣରୁ ଓଡିଆ ଭାଷାର ଶ୍ରୀବୃଦ୍ଧି ଲାଗି ବିଭିନ୍ନ ଅଳ୍ପଆଲୋଚିତ ବିଷୟରେ ସାହିତ୍ୟ ରଚନା ପ୍ରାଥମିକତା ଦାବୀ କରେ ।

ବିଗତ ବର୍ଷମାନଙ୍କର ‘ଓଡିଶା ମିଡିଆ ରିପୋର୍ଟ’ ଭଳି ଏବର୍ଷ ପ୍ରକାଶିତ ସଙ୍କଳନରେ ମଧ୍ୟ ରାଜ୍ୟ, ରାଷ୍ଟ୍ର, ତଥା ଆନ୍ତର୍ଜାତିକ ସ୍ତରରେ ମୁଖ୍ୟତଃ ସାମ୍ବାଦିକତା କ୍ଷେତ୍ରରେ ଚର୍ଚ୍ଚିତ ଘଟଣା ପ୍ରବାହ ସଂପର୍କରେ ସ୍ଥାନୀୟ ଦୃଷ୍ଟିକୋଣ ପ୍ରତିଫଳିତ ।

ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ କ୍ରମବିକଶିତ ସୋସିଆଲ ମିଡିଆ ତୃତୀୟ ଦଶକ ପ୍ରଥମ ଭାଗରୁ ଜନଜୀବନକୁ ବ୍ୟାପକ ମାତ୍ରାରେ ପ୍ରଭାବିତ କରିବାରେ ଲାଗିଛି । ଏ ସଂକଳନରେ ସୋସିଆଲ ମିଡ଼ିଆ ସଂପର୍କରେ ଅର୍ଦ୍ଧାଧିକ ରଚନା ସନ୍ନିବେଶିତ । ଡିଜିଟାଲ ମଞ୍ଚ ତତ୍ତ୍ୱ, ସ୍ଥିତି ଓ ସମ୍ଭାବ୍ୟ ଭବିଷ୍ୟତ ପରିଚିତିରେ ପାଠକଙ୍କ ଲାଗି ଏହି ଉଦ୍ୟମ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରିବ ।

ସାମ୍ପ୍ରତିକ ଗଣମାଧ୍ୟମ-ସମ୍ପର୍କିତ ଖବର ପରିପ୍ରେକ୍ଷୀରେ ଡ. ମହାପାତ୍ରଙ୍କ ତଥ୍ୟନିଷ୍ଠ ଆଲୋଚନା ଓ ଟିପ୍ପଣୀ ଏ ସଙ୍କଳନକୁ ବୌଦ୍ଧିକ ଭାବେ ଋଦ୍ଧିମନ୍ତ କରିଛି । ଉଦାହରଣ ସ୍ୱରୂପ ଜି-ସୋନି ଟିଭି ମିଶ୍ରଣ, ଫେସ୍‍ବୁକ୍‍ର ନୂତନ ଅବତାର ମେଟାଭର୍ସ ଏବଂ ବିଭିନ୍ନ ଦେଶରେ ଫେସ୍‍ବୁକ୍‍ର ପ୍ରଭାବ ଇତ୍ୟାଦି ବିଷୟରେ ଲିଖିତ ପ୍ରବନ୍ଧ । ଡିଜିଟାଲ୍‍ ମିଡିଆ ଆଚରଣ ସଂହିତା, ଆଇନ୍‍ ଇତ୍ୟାଦି ଉପରେ ବେଶ କେତୋଟି ନିବନ୍ଧ ରହିଛି ।

ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି ଓ ଗତି ସମ୍ପର୍କରେ ଅନେକଗୁଡ଼ିକ ନିବନ୍ଧ ରହିଛି ଏ ସଙ୍କଳନରେ । ରହିଛି ଆଫଗାନିସ୍ଥାନୋର ନିହତ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଧିକିଙ୍କ ସମ୍ପର୍କରେ ଗୋଟେ ମାର୍ମିକ ରଚନା । ମନୋଜ ଦାସଙ୍କ ସାମ୍ବାଦିକତା, ସାଲମନ୍‍ ରୁସେଦିଙ୍କ ସପ୍ତମ ତରଙ୍ଗ ଆଦି ନିବନ୍ଧରେ ଡ. ମହାପାତ୍ରଙ୍କ ପର୍ଯ୍ୟବେକ୍ଷଣ ଓ ବିଶ୍ଲେଷଣ କ୍ଷମତାର ପରିଚୟ ମିଳେ । ବେଶ କେତେଗୁଡ଼ିଏ ନିବନ୍ଧରେ (ଉଦାହରଣ ସ୍ୱରୂପ: ସମ୍ପାଦକୀୟ ନୀତି ସଂସ୍କାର, ଲୋକାଭିମୁଖୀ ସାମ୍ବାଦିକତା, ସମ୍ବାଦ ରଚନା ତନଖି, ଇତ୍ୟାଦି) ଡ. ମହାପାତ୍ର ଗଣମାଧ୍ୟମକୁ ଏକ ଦିଶା ନିର୍ଦ୍ଦେଶ କରିବାର ପ୍ରୟାସ କରିଛନ୍ତି ।

ଗଣମାଧ୍ୟମର ଛାତ୍ର, ଅଧ୍ୟାପକ, ଗଣମାଧ୍ୟମ କର୍ମୀମାନଙ୍କ ପାଇଁ ଏ ସଙ୍କଳନଟି ଅବଶ୍ୟପାଠ୍ୟ । ଗଣମାଧ୍ୟମ ଦୁନିଆରେ ରୁଚି ରଖୁଥିବା ପାଠକ ଏ ସଙ୍କଳନରୁ ଅନେକ ତଥ୍ୟ ପାଇବେ ଆଉ ତା ସହିତ ପାଇବେ ପ୍ରେକ୍ଷାପଟ ଏବଂ ପରିପ୍ରେକ୍ଷୀ ସମ୍ପର୍କରେ ତଥ୍ୟନିଷ୍ଠ ଏବଂ ସୁଚିନ୍ତିତ ଆଲୋଚନା- ଯାହା ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକୁ ଭଲ ଭାବେ ବୁଝିବା ପାଇଁ ଏବଂ ତାର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ସହାୟକ ହେବ ।

++

ବହି ଜଗତର ତାଜା ଖବର

ଆସନ୍ତା ନଭେମ୍ବର ମାସରେ ପ୍ରକାଶିତ ହେବ ରତନ ଟାଟାଙ୍କ ଜୀବନୀ । ବହିର ଶୀର୍ଷକ ଏଯାଏ ଯାହା ସ୍ଥିର ହୋଇଛି- ରତନ ଏନ୍‍ ଟାଟା: ଦି ଅଥୋରାଇଜ୍‍ଡ ବାୟୋଗ୍ରାଫି ।

ଭାରତୀୟ ଶିଳ୍ପ ଜଗତରେ ଏକ ସମ୍ମାନନୀୟ ନାଁ, ୮୪ ବର୍ଷ ବୟସ୍କ ରତନ ଟାଟାଙ୍କୁ ନେଇ ବେଶ କେତୋଟି ବହି ଲେଖାହୋଇଛି । ତେବେ ଏ ବହିଟି ହେଲା ତାଙ୍କ ଦ୍ୱାରା ଅନୁମୋଦିତ ।

ଏହାକୁ ଲେଖିଛନ୍ତି ଡ.ଥୋମାସ୍‍ ମ୍ୟାଥୁ । ସେ ଜଣେ ଅବସରପ୍ରାପ୍ତ ପ୍ରଶାସକ । ୧୯୮୩ ବ୍ୟାଚ୍‍ର ଆଇ.ଏ.ଏସ୍‍ ଅଫିସର । ବହିଟିକୁ ଛାପୁଛନ୍ତି ହାର୍ପର କଲିନ୍ସ । ଶୁଣାଯାଏ ଯେ ବହିଟିକୁ ଛାପିବା-ଅଧିକାର (ପବ୍‍ଲିସିଂ ରାଇଟ୍‍) ପାଇଁ ପ୍ରକାଶକ ସଂସ୍ଥା ଦୁଇ କୋଟି ଟଙ୍କା ଦେଉଛନ୍ତି ।

Related Posts

Leave a Reply

Your email address will not be published. Required fields are marked *