ଉତ୍ତମ ସ୍ଵାସ୍ଥ୍ୟ ସନ୍ଧାନରେ

ବହି: କ୍ଵେଷ୍ଟ ଫର୍‍ ଗୁଡ୍‍ ହେଲ୍‍ଥ
ଲେଖକ: ବିମଳ ଚନ୍ଦ୍ର ମହାପାତ୍ର
ପ୍ରକାଶକ: ପବ୍ଲିକେଶନ ଡିଭିଜନ୍‍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର
ମୂଲ୍ୟ: ୩୨୦ ଟଙ୍କା

କଥାରେ ଅଛି: ସ୍ଵାସ୍ଥ୍ୟ ହିଁ ସମ୍ପଦ । ସମସ୍ତେ ଚାହାନ୍ତି ଭଲ ସ୍ଵାସ୍ଥ୍ୟ । କିନ୍ତୁ ଭଲ ସ୍ଵାସ୍ଥ୍ୟ କହିଲେ ଯେ ଠିକ୍‍ କ’ଣ ବୁଝାଯାଏ- ଡାକ୍ତରୀ ବିଦ୍ୟା ପରିପ୍ରେକ୍ଷୀରେ ସେକଥା ଅନେକଙ୍କୁ ହୁଏତ ଜଣାନାହିଁ । ଭଲ ସ୍ଵାସ୍ଥ୍ୟ ପାଇଁ କ’ଣ କ’ଣ କରିବା ପାଇଁ ପଡ଼ିବ ବା କରିବା ଉଚିତ ନୁହେଁ? ମା’ ଗର୍ଭରେ ବଢ଼ୁଛି ପିଲା, ତା’ର ଭଲ ସ୍ଵାସ୍ଥ୍ୟ ପାଇଁ କ’ଣ କରିବାକୁ ପଡ଼ିବ, ବଡ଼ ହେଲା ପରେ କ’ଣ କରିବା ପାଇଁ ପଡ଼ିବ, ଶରୀର ସହିତ ମନର କ’ଣ ସମ୍ପର୍କ ରହିଛି, ଦେହକୁ ଭଲ ରଖିବା ପାଇଁ ଗଲେ ମନକୁ କେମିତି ଭଲ ରଖିବା ପାଇଁ ପଡ଼ିବ, ମନ ଭଲ ରଖିବା ସହିତ ଆଧ୍ୟାତ୍ମିକତାର କଣ ସମ୍ପର୍କ ରହିଛି- ଏସବୁ ବିଷୟରେ ଅତ୍ୟନ୍ତ ସୁନ୍ଦର ବହିଟିଏ କ୍ଵେଷ୍ଟ ଫର୍‍ ଗୁଡ୍‍ ହେଲ୍‍ଥ ।

ଏ ବହିର ଲେଖକ ବିମଳ ଚନ୍ଦ୍ର ମହାପାତ୍ର, ପେସାରେ ଡାକ୍ତର । ଆଧୁନିକ ଚିକିତ୍ସା (ଆଲୋପାଥି) ବିଦ୍ୟା ଛଡ଼ା ଆୟୁର୍ବେଦ, ୟୁନାନୀ ଏବଂ ଅନ୍ୟାନ୍ୟ ପ୍ରାଚୀନ ଚିକିତ୍ସା ପଦ୍ଧତି ସମ୍ପର୍କରେ ମଧ୍ୟ ତାଙ୍କର ଭଲ ପ୍ରବେଶ ରହିଛି । ଏ ପୁସ୍ତକରେ ତେଣୁ ସେ କେବଳ ଆଲୋପାଥି ଡାକ୍ତରୀ ବିଦ୍ୟା ଦୃଷ୍ଟିରୁ ସ୍ଵାସ୍ଥ୍ୟକୁ ଦେଖିନାହାନ୍ତି, ବରଂ ଆୟୁର୍ବେଦ, ୟୁନାନୀ ଏବଂ ପ୍ରାଚୀନ ଯେଉଁ ପଦ୍ଧତିଗୁଡ଼ିକ ରହିଛି ତାକୁ ମଧ୍ୟ ସେ ଏ ପୁସ୍ତକରେ ସାମିଲ କରିଛନ୍ତି ଏବଂ ସେଥିରୁ ମଧ୍ୟ ଆବଶ୍ୟକ ତଥ୍ୟ ଓ ଜ୍ଞାନ ଏ ପୁସ୍ତକରେ ରଖିଛନ୍ତି ।

ଏ ପୁସ୍ତକରେ ଗୋଟିଏ ବଡ଼ କଥା କୁହାଯାଇଛି ଯେ, ଶରୀର ସହିତ ମନର ଏକ ଗହନ ସମ୍ପର୍କ ରହିଛି । ଉତ୍ତମ ସ୍ଵାସ୍ଥ୍ୟ ସହିତ ସୁଚିନ୍ତା ଏବଂ ଆଧ୍ୟାତ୍ମିକତାର ବି ସମ୍ପର୍କ ରହିଛି ।

ଏ ପୁସ୍ତକର ଭାଷା ଅତ୍ୟନ୍ତ ସରଳ । ପ୍ରତ୍ୟେକ ଅଧ୍ୟାୟରେ ଆଲୋପାଥି ଚିକିତ୍ସା ଶାସ୍ତ୍ରର ବର୍ଣ୍ଣନା ସହିତ ଆୟୁର୍ବେଦ ଏବଂ ପ୍ରାଚୀନ ସଂସ୍କୃତ ଶ୍ଳୋକ ସାହାଯ୍ୟରେ ତାକୁ ସପ୍ଲିମେଣ୍ଟ କରାଯାଇଛି ।

ଏ ପୁସ୍ତକରେ ଏମିତି ଅନେକଗୁଡ଼ିଏ ପ୍ରଶ୍ନର ଉତ୍ତର ପାଠକ ପାଇପାରିବେ, ଯାହାର ଉତ୍ତର ସେମାନେ ସଚରାଚର ପାଆନ୍ତି ନାହିଁ ବା ସେଥିପାଇଁ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବା ପାଇଁ ପଡ଼େ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ସେମାନେ ସଙ୍କୋଚ ବୋଧ କରନ୍ତି । ଯେମିତି ବିବାହର ଆଦର୍ଶ ବୟସ କେତେ ହେବ, ମା’ ହେବା ପାଇଁ ଗଲେ ତା ପୂର୍ବରୁ ଆପଣଙ୍କୁ କ’ଣ କ’ଣ ପ୍ରସ୍ତୁତି ନେବାକୁ ପଡ଼ିବ, ଗର୍ଭରେ ପିଲା ଆସିଲେ ତା’ର କେମିତି ଯତ୍ନ ନେବାକୁ ପଡ଼ିବ, ପିଲା ଜନ୍ମବେଳେ କ’ଣ ଯତ୍ନ ନେବାକୁ ପଡ଼ିବ, ଜନ୍ମ ହେଲା ପରେ କ’ଣ ଯତ୍ନ ନେବାକୁ ପଡ଼ିବ । ପିଲାଙ୍କୁ କେମିତି ଲାଳନପାଳନ କରିବା ପାଇଁ ପଡ଼ିବ । ଏ ସବୁ ବିଷୟ ସମ୍ପର୍କରେ ଅତ୍ୟନ୍ତ ସରଳ ଏବଂ ପ୍ରାଞ୍ଜଳ ଭାବରେ ଏ ପୁସ୍ତକରେ ଲେଖାଯାଇଛି । ଡାକ୍ତର ମହାପାତ୍ରଙ୍କ ମତରେ ପିଲାଙ୍କୁ ଲାଳନପାଳନ କରିବା, ଗୋଟିଏ କାଦୁଅ ପେଣ୍ଡୁଳାରୁ ମୂର୍ତ୍ତି ବନେଇବା ଭଳି କାମ ନୁହଁ । ବରଂ ଗୋଟେ ଗଛକୁ ଲାଳନପାଳନ କରି ତାକୁ ବଢ଼େଇବା ଏବଂ ଯେତିକି ତା’ର ସମ୍ଭାବନା ସେପର୍ଯ୍ୟନ୍ତ ପହଞ୍ଚେଇବା ।

ଭାକ୍ସିନ୍‍ ବା ଟିକା ସମ୍ପର୍କରେ ଅନେକଙ୍କର ବିଭିନ୍ନ ଏବଂ ବିଚିତ୍ର ପ୍ରକାର ଧାରଣା ରହିଛି । ଏ ପୁସ୍ତକରେ ସେ ସମ୍ପର୍କରେ ମଧ୍ୟ ବିଶଦ ଭାବରେ ଲେଖାଯାଇଛି । ଭାକ୍ସିନ୍‍ କାହିଁକି ଜରୁରୀ, କି କି ପ୍ରକାରର ଭାକ୍ସିନ ବା ଟିକା ଅଛି, ଟିକାଦାନ ପରେ କ’ଣ ହେଇପାରେ, ତା’ ପାଇଁ କ’ଣ କରିବା ପାଇଁ ପଡ଼ିବ, ଏସବୁ ସମ୍ପର୍କରେ ମଧ୍ୟ ଲେଖା ଯାଇଛି । ଟିକା ସମ୍ପର୍କରେ ଅନେକ ଭୁଲ ଧାରଣା ସମ୍ପର୍କରେ ମଧ୍ୟ ଏଥିରେ ସୂଚନା ଦିଆଯାଇଛି ।

ଏ ବହିରେ ଗୋଟେ ଅଧ୍ୟାୟ ଅଛି: ଭଲ ସ୍ଵାସ୍ଥ୍ୟ ପାଇଁ ଖାଦ୍ୟ । ଏ ଅଧ୍ୟାୟଟିରେ ଡାକ୍ତର ମହାପାତ୍ର କ’ଣ ଖାଦ୍ୟ ଗ୍ରହଣ କରିବା ଉଚିତ ଆଉ କେତେବେଳେ ଗ୍ରହଣ କରିବା ଉଚିତ, ସେକଥା ପ୍ରାଞ୍ଜଳ ଭାବରେ ଲେଖିଛନ୍ତି । ନ୍ୟୁଟ୍ରିୟଣ୍ଟ୍‍ସ ବା ଖାଦ୍ୟରେ ପୁଷ୍ଟି କ’ଣ, କେଉଁ ଖାଦ୍ୟରୁ କେତେ ଖାଇବା କଥା, କେଉଁ ଖାଦ୍ୟରେ ଶରୀରରେ କ’ଣ ଲାଭ ହୁଏ, ନହେଲେ କ’ଣ କ୍ଷତି ହେବ, ଏସବୁ ମଧ୍ୟ ଏ ପୁସ୍ତକରେ ଲେଖାଯାଇଛି ।

୧୧ଟି ଅଧ୍ୟାୟରେ ବିଭକ୍ତ ଏ ପୁସ୍ତକରେ ଶେଷ ଦୁଇଟି ଅଧ୍ୟାୟ ଦୁଇଟି ବଡ଼ ଇଣ୍ଟରେଷ୍ଟିଂ । ଗୋଟେ ହେଉଛି- ବି ହାପି ଆଣ୍ଡ ଲିଭ୍‍ ଲଙ୍ଗ, ଖୁସି ହୁଅନ୍ତୁ ଆଉ ଦୀର୍ଘଜୀବୀ ହୁଅନ୍ତୁ । ଆଉ ଶେଷଟି ହେଉଛି- ଦି ଷ୍ଟୋରୀ କଣ୍ଟିନିଉଜ୍‍ । ଖୁସି ହୁଅନ୍ତୁ ଏବଂ ଦୀର୍ଘଜୀବୀ ହୁଅନ୍ତୁ ଅଧ୍ୟାୟଟିରେ ଖୁସି ହେବା ପାଇଁ ପ୍ରଶାନ୍ତି ଓ ସନ୍ତୁଷ୍ଟିର ଗୁରୁତ୍ଵକୁ ରେଖାଙ୍କିତ କରାଯାଇଛି । ଡାକ୍ତର ମହାପାତ୍ରଙ୍କ ମତରେ ଜୀବନରେ ପ୍ରଶାନ୍ତି ଏବଂ ସନ୍ତୁଷ୍ଟି ନ ରହିଲେ, ସ୍ଵାସ୍ଥ୍ୟ ଉପରେ ତା’ର ବିରୁପ ପ୍ରଭାବ ପଡ଼େ। ଏ କ୍ଷେତ୍ରରେ ଆଧ୍ୟାତ୍ମିକତାର ମଧ୍ୟ ଏକ ବଡ଼ ଭୂମିକା ରହିଛି। ଡାକ୍ତର ମହାପାତ୍ର ଆଧୁନିକ ଚିକିତ୍ସା ବିଦ୍ୟା ଏବଂ ଆୟୁର୍ବେଦ ଏବଂ ଅନ୍ୟାନ୍ୟ ପ୍ରାଚୀନ ଚିକିତ୍ସା ବିଦ୍ୟା ଏବଂ ପ୍ରାଚୀନ ଭାରତୀୟ ଗ୍ରନ୍ଥମାନଙ୍କରେ ଲେଖାହେଇଥିବା ଶ୍ଳୋକକୁ ଉଦ୍ଧାର କରି ଏ କଥାକୁ ରେଖାଙ୍କିତ କରିଛନ୍ତି ।

ଉତ୍ତମ ସ୍ଵାସ୍ଥ୍ୟରକ୍ଷା ପାଇଁ ଏ ବହିଟି ଏକ ମ୍ୟାନୁଆଲ୍‍ ବା ନିର୍ଦ୍ଦେଶିକା ଭାବରେ କାମ କରିବ ।

+++

Related Posts

Leave a Reply

Your email address will not be published. Required fields are marked *