ସତ୍ୟନାରାୟଣ ଗନ୍ତାୟତ

ଏହାର ମାନେ ତେବେ ଏଇଆ ଯେ ଆପଣ ପ୍ରଶ୍ନ ପଚାରିବା ପାଇଁ ମନସ୍ଥ କରିଛନ୍ତି । ନା,ନା, ଆମେ ଏହାକୁ ନାକରା କଥା ମଣୁ ନାହୁଁ । ବରଂ ଭଲ କଥା ଇଏ । କାରଣ ମନରେ ଥିବା କୌଣସି କଥା ବିଷୟରେ କିଛି ଜାଣି ନଥିଲେ କେମିତି ଖୁଜୁବୁଜୁ ଅର୍ଥାତ ଅସହଜ ଲାଗିଥାଏ ତା’ ବରଂ ଆମକୁ ପଚାରନ୍ତୁ, ପଦିଏ ପଚାରିଲେ ଏକାନଟେ ଦଶ ପଦ ଉଗାଳି ପକାଇବୁ ।
ହଁ ଏଥକୁ ଆପଣ ନିଶ୍ଚେ କହିପାରନ୍ତି, “ଏହା ଊଣାଅଧିକ ସଭିଙ୍କ ଅନୁଭବର କଥା ।” କାରଣ ଜିଜ୍ଞାସା ଅର୍ଥାତ ଜାଣିବାର ଇଚ୍ଛା ମଣିଷର ସହଜାତ ପ୍ରବୃତ୍ତି । ଭୂମିଷ୍ଠ ହେବା ପରେପରେ ପ୍ରାକୃତିକ ଭାବେ ଶିଶୁଟି ଜାଣିଯାଏ ତା ଜନ୍ମଦାତ୍ରୀ ମାଆଙ୍କୁ । କ୍ରମେ ତାକୁ ଆକର୍ଷିତ କରେ ତା’ ଚାରିକଡ଼ରେ ଥିବା ଚିଜ୍ ମାନ । ସେ ସେସବୁ ଆଡ଼ିକି ଆକର୍ଷିତ ବୋଲି ତା’ ଅଙ୍ଗଭଙ୍ଗୀ ମାଧ୍ୟମରେ ଜଣାଇବା ଆରମ୍ଭ କରେ । କ୍ରମେ କ୍ରମେ ଗୁରଣ୍ଡି ଉଠି ଠିଆ ହୋଇ ମା…ଆ … ବା…ପା ଆଦି ଡାକି କଥା କହିବା ଭିତରେ ହାତ ଧରି ଥିରିଥିରି ହୋଇ ଚାଲିବା ସହ ଆଙ୍ଗୁଠି ଦେଖାଇ ପଚାରିବା ଆରମ୍ଭ କରେ : ଏଇଟା କ’ଣ ,ସେଇଟା କ’ଣ ? ଏମିତି କେତେ କ’ଣ ଜାଣିବା ନେଇ ସେ ରୀତିମତ ଜିଗର କରେ । କାରଣ ତାକୁ ସବୁ କିଛି ଲାଗୁଥାଏ ନୂଆନୂଆ । ସେ ଚକିତ ହେଉଥାଏ ଅନେକ କିଛି ଦେଖିଦେଖି । ସୁତରାଂ ଅତ୍ୟନ୍ତ କୌତୁହଳବଶତଃ ପଚାରି ଚାଲେ ସେ ଦେଖୁଥିବା ସେଇସେଇ ଚିଜଙ୍କ ସମ୍ପର୍କରେ ।
ଏଥର ଆପଣଙ୍କୁ ନେଇଯିବା ଶୈଶବର ପ୍ରଶ୍ନଙ୍କ ଦୁନିଆକୁ । ଯେଉଁ ଶିଶୁକୁ ମାଆ କାଖେଇ ଖୁଆଇ ଦେବାବେଳେ ଆକାଶର ଜହ୍ନକୁ ଦେଖାଇ “ଆଆ ଜହ୍ନମାମୁଁ ସରଗ ଶଶୀ” ଗୀତ ଗାଇ ଜହ୍ନକୁ ତା ମାମୁଁ ବୋଲି ପରିଚୟ କରାଇଥିବେ, କିଛି ଦିନ ବା ମାସ ପରେପରେ ସେ ତା’ ସତସତିକା ମାମୁଁଙ୍କୁ ବି ଚିହ୍ନିସାରିବା ପରେ ଅଚାନକ ଘରର କାନ୍ଥରେ ଟଙ୍ଗା ହୋଇଥିବା ତା’ ଜେଜେମା’ଙ୍କ ଫଟୋକୁ ଦେଖାଇ ପଚାରିବସେ ତା ତେଜେମା କାହିଁକି ଘରେ ରହୁନାହାନ୍ତି ? ତ ତା’ ମାଆ ପ୍ରଶ୍ନ ଶୁଣି ଚମକି ତୋ ଜେତେମା’ ପରା ଆକାଶରେ ତାରା ହୋଇ ରହିଛନ୍ତି ବୋଲି ବାଆଁରେଇ କହିଦେବେ ସିନା ନିରୀହ ଶିଶୁଟିର ମୁହଁ ତଥାପି ପ୍ରଶ୍ନିଳ ପ୍ରଶ୍ନିଳ ଦିଶୁଥିବ । ଏମିତି ଗମ୍ଭୀର ପ୍ରଶ୍ନ ବାଦ୍ କିଛି ଶିଶୁ ଏଡ଼ିକି ସରସ ଯେ ସେଇ କାନ୍ଥରେ ଟଙ୍ଗା ବାପାମାଆଙ୍କ ବାହାଘର ବେଳର ଫଟୋ ଆଡ଼ିକି ଅନାଇ ଫେର୍ ପଚାରିଥାନ୍ତି : ମାମା ମାମା ! ତମ ଏ ଫଟୋରେ ମୁଁ ଦିଶୁନି କେମିତି ? ମତେ ଛାଡ଼ି ଫଟୋ ଉଠାଇ ଦେଇଥିଲ ନା ? ତ’ ଏଥକୁ ମୁରୁକି ହସିବା ସହ କି ଉତ୍ତର ଦେବେ ଭାବି ଧନ୍ଦି ହେବା ସାର ହୁଏ ସିନା !
ଶୈଶବ ଓ ବାଲ୍ୟକାଳେ ଏମନ୍ତ ପ୍ରଶ୍ନମାନ ମନରେ ଉଙ୍କି ମାରିଥାଏ । ପାଠପଢା ଭିତରେ ଆହୁରି ନାନା ପ୍ରଶ୍ନ ସାମନାକୁ ଆସନ୍ତି ଏବଂ ସେସବୁର ଉତ୍ତର ଜାଣିବା ନିହାତି ଜରୁରୀ ହୋଇଥାଏ । ତେଣୁ ପ୍ରଶ୍ନ ପଚାରିବା ଭଳି ସହଜାତ ପ୍ରବୃତ୍ତି ଅନୁରୂପ ସୁଯୋଗ ମିଳେ ଶ୍ରେଣୀରେ ସାରଙ୍କୁ ପ୍ରଶ୍ନ ପଚାରିବା ପାଇଁ । ଆମ ପିଲାବେଳେ ତ ଆମ ସାରମାନେ ସୁଦ୍ଧା ଆମେ ପାଠ ବୁଝିଛୁ କି ନାହିଁ ତୁରିତେ ପରୀକ୍ଷା କରିବା ଆଳରେ ପ୍ରଶ୍ନ ପଚାରୁଥିଲେ ଓ ଆମେ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରି ହାତଟେକି ଶୀଘ୍ର ସଠିକ ଉତ୍ତର ଦେଇ ପ୍ରଶଂସା ସାଉଁଟି ସାରଙ୍କ ପ୍ରିୟ ଭାଜନ ହୋଇ ପାରୁଥିଲୁ । ପୁନଶ୍ଚ ଆମ ଭଳି ପିଲାଙ୍କ ପାଇଁ “ବିରାଡ଼ି ଚାଲିଲେ ଶବ୍ଦ ହୁଏ ନାହିଁ କାହିଁକି ?”ଠୁ ଆରମ୍ଭ କରି “ସାମାନ୍ୟ ଲୁହା ଖଣ୍ଡେ ପାଣିରେ ପକାଇଲେ ବୁଡ଼ି ଯାଉଥିବାବେଳେ ଶହଶହ ମହଣ ଓଜନର ଜାହାଜ ପାଣିରେ ଭାସିପାରେ କାହିଁକି ?” ଜାତୀୟ ଅନେକ କ’ଣ ଓ କାହିଁକି ସମ୍ବନ୍ଧୀୟ ଆମ ମନଲାଖି ପ୍ରଶ୍ନମାନଙ୍କର ମନମତାଣିଆ ଉତ୍ତରମାନ ଭରି ରହିଥିବା “ପିଲାଙ୍କ କାହିଁକି ?” ଭଳି ସରଳ ଓ ସୁଖପାଠ୍ୟ ବହି ମଧ୍ୟ ଆମ ପିଲାଦିନେ ଉପଲବ୍ଧ ଥିଲା ଓ ଆମେ ତାକୁ ପଢି ଆମ ଜାଣିବାର ଇଚ୍ଛା ଅନାୟାସରେ ପରିପୂରଣ କରି ପାରୁଥିଲୁ ।
ପରେ ବୟସ ବଢିବା ସହ ଜାଣିବାର ଇଚ୍ଛା ଥିଲେ ହେଁ ପ୍ରଶ୍ନ ପଚାରିବା କ୍ରମେ ଦୁଃସହ ହୋଇହୋଇ ଏଇନେ କଦବାକ୍ୱଚିତ କେହି ପଚାରିବା ପରିଦୃଷ୍ଟ ହେଉଛି । ଏଥିପାଇଁ ଆମେ ନିଜ ନିଜକୁ ମିଛେମିଛେ ସବଜାନତା ମଣିବାର ଭ୍ରମ ମୂଳକାରଣ । ଏଥିରୁ ସୃଷ୍ଟ ଅହଂକାର ସହ ସମସାମୟିକ ସାମାଜିକ ଜୀବନରେ “କାଳେ କିଏ କ’ଣ ଭାବି ଦେବେ ?” ଜାତୀୟ ବୃଥା ସଙ୍କୋଚ ଆମକୁ ବାରଣ କରେ ପ୍ରଶ୍ନ ପଚାରିବାକୁ । ଫଳତଃ ପ୍ରଶ୍ନ ପଚାରି ସଂଶୟ ରହିତ ହୋଇ ଅଗ୍ରଗାମୀ ହେବା ବଦଳରେ ଆମେ ସବୁ ଜାଣିଥିବାର ମୁଖା ପିନ୍ଧା ମଣିଷ ବୋଲାଇ ପ୍ରକୃତ ପକ୍ଷେ ଅଜ୍ଞାନାନ୍ଧକାରର ବ୍ୟୁହ ମଧ୍ୟରେ ଅସହାୟ ହୋଇ ରହିଥାଉ । ଆମ ପାଇଁ ଜ୍ଞାନ ଆହରଣ ଦିଗରେ ପାଦେ ସୁଦ୍ଧା ଆଗେଇବା ଅସମ୍ଭବ ହୋଇ ଯାଇଥାଏ ।
ପ୍ରକୃତରେ ପ୍ରଶ୍ନ ପଚାରିବାର ପ୍ରବଣତା ହିଁ ମାନବ ସଭ୍ୟତା ଓ ସଂସ୍କୃତିର ଅଗ୍ରଗତି ସମ୍ଭବ କରାଇ ଆସିଛି । ସେ ‘ଭୂପତିତ ଆପଲ୍ ହେଉ ବା ଫିମ୍ପିମରା ରୁଟି ବା କେଟଲିରୁ ନିର୍ଗତ ବାଷ୍ପ ଏସବୁ କାହିଁକି ଏମିତି ହୁଏ ?” ଭଳି ପ୍ରଶ୍ନମାନଙ୍କ ଦ୍ୱାରା ଉଭୟ ଆଲୋଡ଼ିତ ଓ ଆନ୍ଦୋଳିତ ହେବାରୁ ହିଁ ନିଉଟନଙ୍କ ମାଧ୍ୟାକର୍ଷଣ ଶକ୍ତି, ଆଲେକଜାଣ୍ଡାର ଫ୍ଲେମିଂଙ୍କ ପେନସିଲିନ୍, ଏବଂ ଜେମସ୍ ୱ।ଟଙ୍କ ରେଳଇଞ୍ଜିନ ଆଦି ଉଦ୍ଭବ ହୋଇ ମାନବ କଲ୍ୟାଣାର୍ଥେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି !
ପୁନଶ୍ଚ ଦୁଃଖଙ୍କ କାରଣ ଖୋଜିଖୋଜି ରାଜପୁତ୍ର ସିଦ୍ଧାର୍ଥ ବୁଦ୍ଧ ପାଲଟି ଯାଇଥିବାବେଳେ ଡାଇଓଜିନିସ୍ ମଣିଷ ପରି ମଣିଷ ଖୋଜିବାକୁ ଯାଇ ଦାର୍ଶନିକ ସୁଲଭ ଅହରହ ଲଣ୍ଠନ ଧରି ଘୂରି ବୁଲିଛନ୍ତି ।
ତେବେ ଏବର ଯୁଗ ଆଉ ପ୍ରଶ୍ନ ପଚାରିବା ସହି ପାରେନି । ବୁଦ୍ଧି ଜ୍ଞାନ ବିବେକାଦି ଚାଳିତ ହୋଇ ପ୍ରଶ୍ନ ପଚାରିବା ଏବେ ପ୍ରାୟତଃ ମନା । ଯେଝା ମତେ ଚଉଦ ପା’ ଏଇନେ । ବରଂ ଏନେଇ ସେନେଇ ନାନା ତଥ୍ୟ ଓ ସୂଚନା ହାସଲର କାଟତି ଏବେ ଖୁବ୍ । ଏଥକୁ ଗୁଗୁଲ ଗୁରୁ ଓ ଏ ଆଇ ଆଜ୍ଞା ନିୟତ ସେବା ଯୋଗାଇବାକୁ ପ୍ରସ୍ତୁତ । ଆମେ ବି ପୃଥ୍ଵୀ ଓଲଟାଇ ପକାଇବା ପ୍ରାୟେ ଅନୁଭବି ଏସବୁ ମାଧ୍ୟମରେ କେବଳ ତଥାଚର୍ଚ୍ଚିତ ସର୍ଚ ବା ଖୋଜିବାରେ ଲାଗି ପଡ଼ିଥାଉ । ଆମ ଚିନ୍ତା ଓ ଚେତନା ଭଲା ଏଥିରୁ କିଞ୍ଚିତ ହେଲେ ଲାଭ ପାଉଥାନ୍ତା ! ଆମେ ଗଣତାନ୍ତ୍ରିକ ଶାସନ ମଧ୍ୟରେ ରହିଥାଉ ସିନା ପ୍ରଶ୍ନ ପଚାରିବା ଓ ମୌଳିକ ମତାମତ ଦେବା ଏଠି ଆଉ ବ୍ୟବସ୍ଥାର ଆଧାର ହୋଇ ରହେନି !
କ୍ରମେ ମଣିଷ ଗଳଦଘର୍ମ ହୋଇ ସଦା ଧାବମାନ ପ୍ରାଣୀ ପାଲଟିଯିବା ଭିତରେ ତା’ର ନିମିଷେ ତର ନଥାଏ ନିଜକୁ ନିଜେ ଅନ୍ତତଃ ଏଇ ଗୋଟିଏ ପ୍ରଶ୍ନ ପଚାରିବାକୁ ଯେ ସେ ଏତେ ଦୌଡୁଛି କଣ ପାଇଁ ? ଏତେ ଧାଁଦୌଡ଼ ପରେ ବି କ’ଣ ସେ ତା ତଥା ଈପସିତ ସୁଖରୁ କାଣିଚାଏ ବି ପାଇପାରିଛି ? ଅପରପକ୍ଷରେ ପ୍ରଶ୍ନ ନପଚାରି ଜୀଇଁବା ପରି ଜୀଇଁବା ସମ୍ଭବ ନୁହେଁ । ସରଳ ନିରୀହ ଶିଶୁସୁଲଭ ପ୍ରଫୁଲ୍ଲ ଅଥଚ ସଚେତନ ମନ ନେଇ ପ୍ରଶ୍ନ ପଚରାଯିବା ଅବ୍ୟାହତ ଥିଲେ ହିଁ ଚେତନା ଉଜ୍ଜୀବିତ ହୋଇ ଅସଲ ଅଗ୍ରଗତି ପାଇଁ ପଥ ଫେଇ ହେବ । ଏହା ହିଁ ଜୀବନ ପରି ଜୀବନ । ଅନ୍ୟଥା ସବୁ କିଛି ଶୂନ୍ୟତାର ଘେରରେ ଆପେ ରୁଦ୍ଧ ହେବା ଅବଶ୍ୟମ୍ଭାବୀ ।
ହେଇ ତ, ଆମ ଭିତରର ବୟସ୍କ ଶିଶୁଟି ବି ଦୀର୍ଘକାଳ ଧରି କିଛି ପଚାରିବି ପଚାରିବି ହୋଇ ପଚାରି ନପାରି ସେମିତି ଗୁମସୁମ ହୋଇ ରହିଯାଇଛି ! ଆଉ କାଳ ବିଳମ୍ବ ନକରି ତାକୁ ପ୍ରଶ୍ନ ପଚାରିବାକୁ ଉସକାଇବା ହିଁ ଏବେ ସମୟର ଆହ୍ୱାନ ! ନା, କ’ଣ କହୁଛନ୍ତି ?
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।
