ଡମ୍ବରୁଧର ବେହେରା

ଜୀବନ ନଈର ମଝିରେ ଗୋଟାଏ ଥୁଣ୍ଟା ଗଛ ଭଳି ମାଗୁଣି । ବିତାଉଛି ନିଜ ଜୀବନ । ଦିନ ଥିଲା ସେ ଖଟୁଥୁଲା, ଖାଉଥିଲା, ଚଳୁଥିଲା, ବଞ୍ଚୁଥିଲା । ସେତେବେଳେ ତା ଦେହରେ ଥିଲା ବଳ, ଯୌବନ ଆଉ ବୟସ । ସେହି ଝାଳବୁହା ଧନରେ ପାଞ୍ଚ ପାଞ୍ଚୋଟି ଛୁଆକୁ ପାଠ ପଢ଼ାଇ ସମାଜ ଆଗରେ ମଣିଷ କଲା ସେ । କହିବାକୁଗଲେ ଅଭାବ ବୋଲି ଏବେ କାହାରି ନାହିଁ । ତଥାପି ଏହି ମିଛମାୟା ସଂସାରରେ କିଏ ବା କାହାର ଯେ ! ପୁଅ ବାପାକୁ ପଚାରେ ନା ସ୍ତ୍ରୀ ସ୍ଵାମୀକୁ ! ଆଶା ଥିଲା, ବୁଢ଼ା ବୟସରେ ହାତ ଧରି ଆଣିଥିବା ସ୍ତ୍ରୀ ମାଳତୀ ସହାୟ ହେବ । ଦୁର୍ଭାଗ୍ୟ ! ତାକୁ ଅକାଳରେ କାଳ ଟାଣିନେଲା । ଯେଉଁ ପୁଅମାନଙ୍କୁ ପାଳିପୋଷି ମୂଲ ଲାଗି ଛୋଟରୁ ବଡ଼ କରିଥିଲା, ସେମାନେ ଚାକିରି କରି ସମସ୍ତେ ରୁହନ୍ତି ବାହାରେ ବିଦେଶରେ, ନିଜ ସ୍ତ୍ରୀ, ଛୁଆପିଲାଙ୍କ ସାଙ୍ଗରେ ।

ତଥାପି ମାଗୁଣି ଜୀବନ ନାଟକରେ ହାରିଯାଇ ନାହିଁ । ବୟସ ପାଖାପାଖି ସତୁରି ଟପିଲାଣି । ଏବେ ଏହି ବୟସରେ ହାତରେ ବାଡ଼ିଟିଏ ଧରି ବାଡ଼ି ଦେହରେ କିଛି ଛୋଟ ଛୁଆଙ୍କ ପାଟି ସୁଆଦିଆ ଖାଦ୍ୟ ଧରି ଗାଁଗାଁ ବୁଲି ବୁଲି ବିକ୍ରି କରି ନିଜେ ବଞ୍ଚିଛି । କାହା ଭାଗରେ ଭାଗ ବସୁଛି ନା ଆଶ୍ରା ଲୁଢୁଥିବା ଲତା ଭଳି କାହା ଉପରେ ମାଡ଼ିମାଡ଼ି ଆଗକୁ ଆଗକୁ ଯାଉଛି । ଜୀବନର ମାନେ ସେ ଠିକ ବୁଝିଛି । ଗୋଟିଏ ପଟେ ଆଶା ଅନ୍ୟପଟେ ନିରାଶା….! ତଥାପି ସେ ଜୀବନ ଯୁଦ୍ଧର ଜଣେ ଯୋଦ୍ଧା ।

ଜଗଦଳପୁର,ବସ୍ତର,ଛତିଶଗଡ଼

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *