ସତ୍ୟନାରାୟଣ ଗନ୍ତାୟତ

ପଛରେ ବୋଇଲେ ମଣିଷ ପଛରେ ହିଁ ବୋଲି ଜାଣିବା କଥା ! ଏ ପ୍ରସଙ୍ଗ ଉଠିଛି ମାନେ ଜଣେ ସଚଳ ଅଛି । ତେବେ ଏନେଇ ଅନେକ କଥା ମନକୁ ଆସେ । ଏଇ ଯେମିତି : ପିଲାବେଳେ ହାତ ଧରି ଚାଲିବା ଶିଖାଇଦେବା ପରେ ତେଣିକି ନିଜେ ନିଜେ ଚାଲିବା ଅଭ୍ୟାସ ହୋଇଯିବା କଥା । ଏମିତି ଜୀବନ ପଥରେ ଆଗେଇ ଠାଏ ପହଞ୍ଚିଯିବା ପରେ ପ୍ରଶ୍ନ ଉଠେ, ତୁମର ଏ ଯାତ୍ରା ପଛରେ କିଏ ? କେଉଁ କାରଣରୁ ଏତେ ସରି ହୋଇପାରିଛ ବା ଏତେ ପଥ ଅତିକ୍ରମ କରି ଆସିଲଣି ? ଏଥୁତ୍ତାରେ ଏଣିକି ତେଣିକି ଆଉ ନଅନାଇ ନିଶ୍ଚେ ପଛ ଆଡ଼ିକି କ୍ଷଣେ ଅନାଇବା ଅବଶ୍ୟମ୍ଭାବୀ ହୋଇପଡ଼େ ।
କିଞ୍ଚିତ ଗମ୍ଭୀର ହୋଇ ଗଭୀରକୁ ଯାଇ ଚିନ୍ତିଲେ ଲାଗେ ଏଠି କେହି ବି ଆଦୌ ଏକା ହୋଇ ନଥାନ୍ତି । ବାହ୍ୟତଃ ସେମନ୍ତ ପ୍ରତେ ହେଉଥିଲେ ହେଁ ଅସଲରେ ତା’ ପଛରେ ଥାଏ କିଛି ନା କିଛି, ରହିଥାନ୍ତି କେହି ନା କେହି ନିଶ୍ଚିତ ଭାବରେ । ସେ ଦୃଶ୍ୟମାନ ହେଉ ବା ଅଦୃଶ୍ୟ !
ପଛରେ ତ ନିଶ୍ଚିତ, ମଣିଷ ଭିତରେ ବି କ’ଣ କମ୍ ଚିଜ ମହଜୁଦ ରହିଥାନ୍ତି କି ? ଆଶା, ଆକାଂକ୍ଷା, ଆତ୍ମବିଶ୍ୱାସ, ସ୍ୱପ୍ନ ଓ ଅଭିଳାଷ ଭଳି ଅନେକ କିଛି ଆସ୍ଥାନ ଜମାଇ ରହିଥାନ୍ତି ମଣିଷ ମନରେ ! ଏସବୁ ଯେଉଁମାନଙ୍କ ସୂତ୍ରରୁ ଆନୀତ ସେମାନେ ତ’ ଥାନ୍ତି ପଛରେ, ହୁଏତ ଅନନୁଭୂତ ବା ସଂଗୁପ୍ତ ଭାବରେ । ସଦା ସ୍ନେହମୟୀ ମାଆଙ୍କ ମମତା, ଉପରେ କଡ଼ା ଭିତରେ କୋମଳ ବାପାଙ୍କ ତାଗିଦ୍, ସ୍ୱତଃପ୍ରବୃତ୍ତା ଅର୍ଦ୍ଧାଙ୍ଗିନୀଙ୍କ ନିରବ ସହଯୋଗ, ସନ୍ତାନ ସନ୍ତତିଙ୍କ ସ୍ୱାଭାବିକ ଆଶା, ବନ୍ଧୁବର୍ଗଙ୍କ ବିଶ୍ୱାସ, ଗୁରୁଙ୍କ ଉପଦେଶ ଏବଂ ସର୍ବୋପରି ଉଭୟ ସ୍ମରଣୀୟ ଓ ବିସ୍ତୃତ ଅଗଣିତ ଶୁଭଚିନ୍ତକଙ୍କ ସୁମନାସାଦି ନେଇ ରହିଥାନ୍ତି ଅନେକ ।
ମଣିଷ ଚଳମାନ ଓ ଚଳଚଞ୍ଚଳ ରହି ଜୀବନପଥରେ ନିଜକୁ ଆଗୁଆ କରିବାରେ ଏକରକମ ଲାଡ଼ିପଡ଼ି ଅବଶେଷେ ଠାଏ ପହଞ୍ଚେ । ସେଠି ଦୁଇଟି ସମ୍ଭାବନା ସୃଷ୍ଟି ହୁଏ । ପହିଲେ, ସେ ଭାବି ନେଇପାରେ ଯେ ତା ଭିତରର ‘ମୁଁ’ଟି ହିଁ ଏକା ସବୁକିଛି କରିଛି । ଦୁଜେ, ସେ ବାହାରକୁ ଲୋକ ଦେଖାଣିଆ ଭାବରେ ସେମିତି ହାବଭାବ ଦେଖାଇଲେ ହେଁ ତା ପଛରେ ଥିବା ଅଦୃଶ୍ୟ ସହଯୋଗୀମାନଙ୍କ ଉଦାର ଉପସ୍ଥିତି ଅଚିରେ ତା ଗୋଚରକୁ ଆସିଯାନ୍ତେ ସଜାଗ ହୋଇ ଭାବେ “ଆରେ ହେ, ମୋତେ ଏମିତି ଆଗୁଆ ଦେଖିବା ପଛରେ ଗୋପନ ଭାବେ ସତରେ କେତେ କଣ ନ ରହିଛି !” ମନେ ପଡ଼ିଯାଏ ପହିଲି ସଫଳତାରେ କିଏ ତା’ ପିଠି ଥାପୁଡ଼େଇ ଥିଲେ, “ତୁ ପାରିବୁ” ଏହି ଦୁଇଟି ଅତ୍ୟନ୍ତ ପ୍ରେରକ ଶବ୍ଦଙ୍କ ସହୃଦୟ ଉଚ୍ଚାରଣ କରତଃ କିଏ କେମିତି ଅଭାବିତ ଭାବେ ଆସି ତା ମଥାରେ ଆଉଁଷି ଦେଇ ଯାଇଥିଲେ ଏଭଳି ଅନେକଙ୍କ ଅଭୁଲା ଅବଦାନ ! ସେ ତା ସାଫଲ୍ୟର ଛବି ଉତ୍ତୋଳନ ହୁଏ ତ କରି ସାରିଥାଏ ତା’ ଏକକ ପ୍ରୟାସର ପ୍ରତିଛବି ଭାବରେ, ହେଲେ ଶୀଘ୍ର ଜାଣେ ଯେ ଅସଲ ନିୟାମକ ଓ କହିବାକୁ ଗଲେ ନିୟନ୍ତ୍ରକମାନେ ଏମିତି ଆଢୁଆଳରେ ରହିଯିବା କଦାଚିତ ଉଚିତ ନୁହଁଇ ।
ଅତଃ ଏକଥା ନିଶ୍ଚିତ ଯେ ପଛରେ ଥିବା କାହାର ନା କାହାର ଆଶା ଆକାଂକ୍ଷା ମଣିଷକୁ ସଚଳ କରାଇଥାଏ । ଏମିତିରେ ତ ଶୁଣିବାକୁ ମିଳେ ଯେ ଜଣେ କେମିତି ତା ପୂର୍ବଜଙ୍କ ଅଧୁରା ସ୍ୱପର ପରିପୂରଣାର୍ଥେ ହିଁ ନିଜକୁ ଐକାନ୍ତିକ ଭାବେ ନିୟୋଜିତ କରିଚାଲିଛି । ଏମିତି ଅସୁମାରୀ ଆଶା, ଅଗଣନ ସ୍ୱପ୍ନମାନେ ହିଁ ମଣିଷକୁ ଏକରକମ ଠେଲାଠେଲି କରତଃ ଆଗକୁ ଆଗକୁ ନେଇଥାନ୍ତି ।
ମଣିଷ ଜୀବନ କେବଳ ବର୍ତ୍ତମାନ ଭିତ୍ତିକ ହୋଇ ନଥାଏ । କାରଣ ବର୍ତ୍ତମାନ ସହିତ ଯାହା ମଣିଷ ସହ ରହି ତାକୁ ପଛକୁ ଅନାଇବାକୁ ଖୁବ୍ ବେଶୀ ଉସକାଉଥାଏ ତାହା ହେଲା ତା’ ଅତୀତ । ଏହି ଅତୀତ ଦୃଶ୍ୟମାନ ହେଉ ନଥିଲେ ହେଁ ମଣିଷ ସହ ନିଦିପ୍ରତି ତା ଭଳିକିଭଳି ସ୍ମୃତିରାଜିଙ୍କ ସମାହାର ନେଇ ରହିଥାଏ ଚଳମାନ ହୋଇ । ମନରେ ସାଇତା ଏହି ସ୍ମୃତି କେବେ ସୁମଧୁର ତ କେବେ କଟୁତିକ୍ତ । ସରସାନୁଭୂତି ଆଗ୍ରହୋଦ୍ଦୀପକ ହୋଇଥିବାବେଳେ ତିକ୍ତାନୁଭବ ବି ପୁନଃପୁନଃ କେଞ୍ଚାକେଞ୍ଚି କରି ସୁଧାରିବାରେ ଲାଗିଥାଏ । ଏମାନେ ପ୍ରକୃତ ପକ୍ଷେ ମଣିଷ ଜୀବନର ଗତିପଥରେ ଛାୟା ପ୍ରାୟେ ରହିଥାନ୍ତି ।
ଗତିଶୀଳ ରହିବା ଭିତରେ ମଣିଷ ଯେ ଅବଶ ହୁଏନି, ଥକି ଯାଏନି ଏମନ୍ତ ତ ଆଦୌ ହୋଇ ନଥାଏ । ବରଂ ଏଭଳି ମୂହୁର୍ତ୍ତ ଆସେ, ଯେତେବେଳେ ସେ ଯାବତ ଭାବିଥିବା ପ୍ରେମ ଯେ ତୁଚ୍ଛା ଭ୍ରମ ଥିଲା ଏମନ୍ତ ମନେହୁଏ । ଠକି ହୋଇଯିବା ଭଳି, ଜିତାପଟ ହଜି ହାରିବା ସୁନିଶ୍ଚିତ ହୋଇଯିବା ଭଳି ଲାଗେ ଓ ସେହି ମୂହୁର୍ତ୍ତରେ କୁଆଡ଼େ ଥାଏ କେଜାଣି ନୈରାଶ୍ୟ ଧସେଇ ପଶି ଅସହାୟ କରି ପକାଏ । ହେଲେ ସେହି ଦୁଃସ୍ଥିତି ବେଳେ ମନ ଭିତରୁ କେହି ଉପରେ ପଡ଼ି କହେ : “ଜଣେ ଅଛି । ଏହା ଟାଳିଦେବ ସିଏ । କାରଣ ଏସବୁ ଯାହାର ଭିଆଣ, ସେହି ଏକା ସିନା କରିପାରେ ଆନ !” ସମସ୍ତ ଦ୍ୱାର ବନ୍ଦ ବେଳେ ସୁଦ୍ଧା କିଞ୍ଚିତ ଦିବ୍ୟ ଅଭୀପ୍ସା ବଳରେ ଅବିଳମ୍ବେ ତା’ ମନରେ ଯେଉଁ ଦ୍ୱାରଟିଏ ଛାଏଁ ଖୋଲା ହୋଇଯାଏ, ତାହା ବିଶ୍ୱାସର ଦ୍ୱାର । ଏହି ବିଶ୍ୱାସର ପ୍ରତୀକକୁ କେହି ବିଧାତା କହେ ତ କିଏ କହେ ପରମାତ୍ମା, କେହି ପୁଣି ପ୍ରକୃତି କହିବାବେଳେ ଆଉ କେହି ନିଜଠି ହିଁ ତାକୁ ଅନୁଭବି କହିଥାଏ ଅନ୍ତରାତ୍ମା । ଏଣୁ ତ କୁହାଯାଇଛି, “ବିଶ୍ୱାସେ ମିଳନ୍ତି ହରି, ତର୍କେ ବହୁଦୂର ।” ବୋଲିବା ବାହୁଲ୍ୟ, ଏହି ବିଶ୍ୱାସାଶ୍ରୟୀ ମଣିଷ ଅସହଜାବସ୍ଥାରେ ସୁଦ୍ଧା ସଚଳ ରହେ । କାରଣ ସେ ମୃହୁର୍ମୁହୁ ଅନୁଭବ କରୁଥାଏ ଯେ ତା ପଛରେ ଯିଏ ଅଛନ୍ତି ସିଏ ତା ଅନ୍ତରର ଫି’ କଥା ଜାଣନ୍ତି । ତା ଲୁହ ଓ କୋହ ଭିଜା ନିରବତାକୁ ବି ନିରବଧି ଶୁଣିବାକୁ ସେ ଜାଗ ତିଆର ହୋଇ ରହିଛନ୍ତି !
ସୁତରାଂ ମଣିଷ ହୃଦବୋଧ କରିବା କଥା ଯେ ଯାବତ ସମ୍ପର୍କ, ସ୍ମୃତିରାଜି, ଲବ୍ଧ ସଂସ୍କାର, ଶିକ୍ଷା, ଅନୁଭୂତି, ଆନ୍ତରିକ ଆଶା, ବିଶ୍ୱାସ, ପ୍ରେରଣା ଓ ଏଭଳି ଅନେକାନେକ ଏହି ଅଦୃଶ୍ୟ ସ୍ରଷ୍ଟାଙ୍କ ଅବଦାନ । ଏହି ସବୁର ସମ୍ମିଳିତ ଶକ୍ତି ହିଁ ତାକୁ କେବଳ ସଚଳ ରଖି ନଥାଏ, ବରଂ ସତତ ଚଳଚଞ୍ଚଳ କରାଇଥାଏ ।
ହଁ, ମଣିଷ ଏକା ହୋଇ ଆସିଥାଏ, ଯାଏ ବି ଏକା ହୋଇ ହିଁ । କିନ୍ତୁ ଏହି ଆସିବା ଯିବା ଭିତରେ ଚଳମାନାବସ୍ଥାରେ କିନ୍ତୁ ସେ କଦାପି ଏକା ବୋଲି କହିହେବ ନାହିଁ । କାରଣ ତା ପଛରେ ଚଳମାନ ହେଉଥାନ୍ତି ଅନେକ ଅନେକ ସହାୟତାର ହାତ, ଅନେକ ହୃଦୟ ନିଃସୃତ ଶୁଭାକାଂକ୍ଷା ଏବଂ ସର୍ବୋପରି ଜାଗ୍ରତ ଥାଏ ତା ମନ, ଯେଉଁଠି ସତେ ଅବା ଆସ୍ଥାନ ଜମାଇ ରହିଥାଏ ଏକ ସମ୍ଭାବନାମୟ ସଦା ସୁନ୍ଦର ସଂସାର !
ଏମିତିରେ ମନ ହିଁ ତ ମଣିଷର ଅତି ଆପଣାର ଗୁରୁ, ଯାହାର ମୂଳରେ ଏ ସାରା ଜଗତ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

