ବିନୟ ମହାପାତ୍ର

ମୁଠାଏ ମାଟି ମୁଁ,
ଉଠାଇଲି ଯେବେ,
ବୋଳି ଦେବି ବୋଲି ମଥାରେ,
ମାଟି ତ ନଥିଲା ମାଆଟିଏ ପରି,
ମୁଠା ଭରିଥିଲା ଅଧା ମାଟି ଆଉ
ଜଳା, ଦରଜଳା,
ବାରୁଦର ମିଠା ବିଷରେ ।
ବଞ୍ଚିବା ପାଇଁ ପୁଳାଏ ପବନ
ଭରିନେଲି ଯେବେ ଛାତିରେ,
ପ୍ରାଣବାୟୁ ନୁହେଁ,
ପବନ ସେ ଥିଲା ଭରିଥିଲା ବିଷ,
ଧୂଳିଧୁଆଁ ଆଉ ଜଳି ଯାଇଥିବା
ବାରୁଦର ତୀବ୍ର ଗନ୍ଧରେ ।
ଦୀପର ଆଲୋକ,
ପୋଛିଲା କି ନାହିଁ ମନରୁ କାଳିମା,
ଜଣା ତ ପଡ଼ିଲା ନାହିଁ,
ଅନ୍ଧାରରୁ କେତେ ଆଲୁଅକୁ ନେଲା,
ଅଜ୍ଞାନତା ନେଇ କେତେ ଜ୍ଞାନ ଦେଲା,
ଭାବନାକୁ କେତେ ପବିତ୍ର କରିଲା,
ତାହାର ହିସାବ,
ଦେଇପାରେ ନାହିଁ କେହି ।
ଚକ୍ ମକ୍ ଏଠି ବିଜୁଳି ଆଲୋକେ
ମିଞ୍ଜି ମିଞ୍ଜି ଦୀପ,
ସରମରେ ଯାଏ ଲିଭି,
ମନର ଶାନ୍ତି, ହୃଦୟ ପ୍ରୀତି,
କହେ ନାହିଁ କେହି, ଶୁଣେ ନାହିଁ କେହି
ବାଣର ଶବଦେ, ସେନେହ ଶରଧା,
ସରମରେ ଯାଏ ହଜି ।
କାଗଜ ଫୁଲରେ ରଙ୍ଗ ବୋଳି ଦେଇ,
ଛିଞ୍ଚି ଦେଇ ଟୋପେ,
ଅତରର ମିଛ ମହକ,
ପରବ ପାଳିବା, ସମାଜରେ ଆଜି
ପ୍ରହସନ ସିନା, ଦେଖାଇ ହେବାକୁ
ମିଛ ମିଛ ପ୍ରେମ,
ମିଥ୍ୟା ପ୍ରଲେପିତ ଆଲୋକ ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

