ଶରତ କୁମାର ରାଉତ
ମୋବାଇଲ୍ ରିଙ୍ଗ୍ ବାଜିବାରେ ଲାଗିଛି । ସରୋଜ ବାଥ୍ ରୁମ୍ରେ ।
ଦିଲ୍ଲୀରେ ମଇ ଓ ଜୁନ୍ ମାସରେ ଚଳିବା ଭାରି କଷ୍ଟ । ଦିନ ଓ ରାତିର ତାପମାତ୍ରା ପ୍ରାୟ ସମାନ । ସକାଳୁ ସକାଳୁ ଗରମ ହାୱା ଆରମ୍ଭ ହୁଏ । ସକାଳେ ଗାଧୋଇ ଥିଲା । ପାଖ ଖବରକାଗଜ ଷ୍ଟଲକୁ ଯାଇ କେତୋଟି ହିନ୍ଦି କାଗଜ ଦେଖିଲା । ଭଲ ଲାଗୁଥିବା ତିନିଟି କାଗଜ ଧରି ଫେରିଲା । ଅସହ୍ୟ ଗୁଳୁଗୁଳିରେ ପୁଣି ଗାଧୋଇବାକୁ ଇଚ୍ଛା ହେଲା । ବାରମ୍ବାର ବୁଝେଇଥିଲା ମିତାକୁ । ଏବେ ବାହାରକୁ ବୁଲିଯିବା ସମୟ ଓ ପରିବେଶ ନୁହେଁ । ଏହି ସମୟରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରାଞ୍ଚଳରେ ପ୍ରବଳ ଗରମ । ବାହାରକୁ ବାହାରି ହୁଏନି । ଯାତ୍ରା ଆନନ୍ଦଦାୟକ ନୁହେଁ । ମିତା ଓ ପୁଅଝିଅ କେହି କିଛି ଶୁଣିଲେନି । ସହଜେ ଦିଲ୍ଲୀରୁ ଝିଆରୀ ଓ ଝିଆରୀ ଜୋଇଁଙ୍କର ଘନ ଘନ ଡ଼ାକରା, କେବେ ବାହାରୁଛ ?
ବୈଷ୍ଣୋଦେବୀ, ଋଷିକେଶ, ହରିଦ୍ୱାର, ଆଗ୍ରା ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନ ବୁଲି ଦେଖିବାକୁ ପନ୍ଦର ଦିନର ଯାତ୍ରା ତାଲିକା । ପ୍ରଥମ ତିନି ଚାରି ଦିନ ଦିଲ୍ଲୀରେ କେତେକ ଅଫିସ୍ ବିଶେଷ କରି ଖବରକାଗଜ ଅଫିସ୍ରେ ସରୋଜର ବ୍ୟକ୍ତିଗତ କାମ । ସରୋଜ ଦିଲ୍ଲୀର ଦୁଇଟି ହିନ୍ଦି ଖବରକାଗଜ ପାଇଁ ଓଡ଼ିଶାର ପ୍ରତିନିଧି । ଗୋଟିଏରେ ସ୍ଥାୟୀ, ଅନ୍ୟଟିରେ ଅସ୍ଥାୟୀ । ଗୋଟିଏର ବାର୍ଷିକ ଉତ୍ସବ ଥିଲା । ଏ କାମ ସାରିଦେବା ପରେ ପ୍ରଥମେ ଦିଲ୍ଲୀର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର ଯୋଜନା ।
ବାଥରୁମରୁ ଆସି ଦେଖିଲା, ଭୁବନେଶ୍ୱରରୁ ରାକେଶ ଭାଇର ମିସ୍ କଲ୍ । ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଜଣେ ପଦସ୍ତ ଅଧିକାରୀ । ମନଟା ଗୁଡ଼େଇତୁଡ଼େଇ ହେଲା । କିଛି ଅଘଟଣ ନୁହେଁ ତ ? ହସ୍ପିଟାଲ୍ରେ କ’ଣ ପୁଣି କିଛି କାଣ୍ଡ ଘଟିଲା ? ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ଭୁବନେଶ୍ୱର ମହାନଗରର ଏକ ପ୍ରମୁଖ ସରକାରୀ ହସ୍ପିଟାଲ୍ ଅଛି । ଅନେକ ଡ଼ାକ୍ତର, ସେବିକା ଓ କର୍ମଚାରୀ କାମ କରୁଛନ୍ତି । ସମୟ କ୍ରମେ କେହିକେହି ବଦଳି ହୋଇ ଅନ୍ୟତ୍ର ଯାଆନ୍ତି ଓ ନୂଆ ମୁହଁ ଏଠାରେ ଦେଖା ଦିଅନ୍ତି । ହେଲେ ସେବିକା କବିତାର ବଦଳି ହୁଏନା । ପ୍ରଥମ କରି ସେଠାରେ ଯୋଗ ଦେବାବେଳେ ସେ ଖୁବ୍ ଶାନ୍ତ ଓ ସରଳ ସ୍ୱଭାବର ଥିଲା ବୋଲି ପୁରୁଣା କର୍ମଚାରୀମାନେ କୁହନ୍ତି । ସେ କୁଆଡ଼େ ନିଜ ପରିବାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲା । ବିବାହ କରି ନଥିଲା । କିନ୍ତୁ ଏମିତି ଏକ ଦୁର୍ବଳ ମୁହୂର୍ତ୍ତରେ କବିତା ରୋଗୀ ସେବା କରୁକରୁ ତା’ଠାରୁ ଅଠର ବର୍ଷ ବୟସର ଅଧିକ ଜଣେ ବୟସ୍କ ରୋଗୀ ଶ୍ୟାମ ସୁନ୍ଦର ଠାକୁରର ପ୍ରେମ ଜାଲରେ ଫସିଗଲା । ଏହା ସ୍ୱାଭାବିକ । ଯୌବନଚ୍ଛୋଳ ଦେହକୁ ସତରେ କ’ଣ ନିୟନ୍ତ୍ରଣରେ ରଖା ଯାଇପାରେ ? ସିଏ କ’ଣ କେଉଁ ପୁରୁଷର ଅନୁପସ୍ଥିତିରେ ଛଟପଟ ହୁଏନା ? ଚାଇଁ ଚାଇଁ ହୁଏନା ତା’ କଅଁଳ ମନ ? ତା’ ଗୋରା ଗୋରା ଦେହରେ ତରଙ୍ଗାୟିତ ହୁଏନା ଯୌବନର ଢେଉ ? କେଉଁ ଜଣେ ପୁରୁଷ ପାଇଁ ତାର ଜନ୍ମ ବୋଲି ଭାବେନି ସେ ? କୌଣସି ପୁରୁଷ ତା’ ଦୃଷ୍ଟିକୁ ଆସିଲେ, ତା’ ମନ କ’ଣ କହେନା, ଆସ…ଆସ, ମୋ ପାଖକୁ ଆହୁରି ଲାଗି ଆସ, ତୁମ ବାହୁ ବନ୍ଧନରେ ଭିଡ଼ି ନିଅ ମତେ…..! ନିବିଡ଼ ଭାବରେ ଖୋଲି ଦିଅ ମତେ……ମୋ ଭିତରର ଅବ୍ୟକ୍ତ ଭାଷାକୁ ପଢି ଯାଅ…..ଦେଖ, ମୋ ସାରା ଅଙ୍ଗରେ ରୋମାଞ୍ଚ ! ଆସ……ଆସ……..ମୋ ଯୌବନାଶିକ୍ତ ଦେହରେ ବର୍ଷଣ କର ଚୁମ୍ବନ ବୃଷ୍ଟି……….!
ଝିଅଟିଏ ନିଜକୁ ପ୍ରକାଶ କରେଇବାର ବୟସରେ ପହଞ୍ଚିଗଲେ, ସେ ଚାହେଁ ମନ ଭରି ଚୁମା ଦେବାକୁ ପୁରୁଷକୁ । ତା’ କୋଳରେ ଶୋଇ ମତୁଆଲା ହେବାକୁ ଚାହେଁ ସାରା ରାତି । ନିଜ ଭିତରେ ଅନୁଭବ କରିବାକୁ ଚାହେଁ ପୁରୁଷର ରକ୍ତକୁ । ବୟସର ମଧ୍ୟାହ୍ନରେ ପହଞ୍ଚିଗଲେ ମଧ୍ୟ କବିତାର ସାରା ଅଙ୍ଗରେ ଯୌବନର ପ୍ରଲେପ । ସିଏ ବି ଅନୁଭବ କରେ ତା’ବକ୍ଷକୁ ଚାହିଁ ଦେଇ ଚମକି ପଡ଼ନ୍ତୁ ପୁରୁଷ ମାନେ । ହେଲେ ସେ ବିବାହ ନକରି ପରିବାର ପାଇଁ ଜୀବନ ଉତ୍ସର୍ଗ କରିଥିବାରୁ ତାକୁ ନିୟନ୍ତ୍ରଣରେ ରହିବାକୁ ହିଁ ପଡ଼େ ।
ବୈଦିକ ଋତିରେ ବିବାହ ହୋଇ ନାହିଁ । ମଥାରେ ସିନ୍ଦୁର ନାହିଁ କି ହାତରେ ଶଙ୍ଖା । ତଥାପି ତା’ ସରକାରୀ ଘରେ ଶ୍ୟାମ ସୁନ୍ଦର ରହିଲା । କବିତା ପାଲଟିଗଲା ଶ୍ୟାମର ରକ୍ଷିତା । ରକ୍ଷିତା କୁହା ଯିବନି ତ ଆଉ କ’ଣ ?
କିଛି ଦିନ ପରେ କବିତା ଜାଣିଲା, ଶ୍ୟାମର ସ୍ତ୍ରୀ, ବଡ଼ ବଡ଼ ପୁଅ, ଝିଅ ଓ ଏକ ପରିବାର ଅଛି ବୋଲି । ତାକୁ ପ୍ରେମ ଜାଲରେ ଫସେଇବାକୁ ହିଁ ସେ ମିଛ ଚିକିତ୍ସା ଆଳରେ ହସ୍ପିଟାଲ୍ ଆସେ । ଶ୍ୟାମର କିଛି କାମଧନ୍ଦା ନାହିଁ । ପ୍ରାୟତଃ ସେ ଅସାମାଜିକ କାର୍ଯ୍ୟରେ ଲିପ୍ତ । ମିଥ୍ୟା ପ୍ରଲୋଭନ ଦେଖାଇ ସରଳ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଠକି ନିଏ । ଗୁଣ୍ଡାରାଜ୍ ଚଳାଏ । ସରକାରୀ କର୍ମଚାରୀ ମାନଙ୍କୁ ନେତା, ମନ୍ତ୍ରୀ ଓ ସଚିବାଳୟର ଭୟ ଦେଖାଇ ନିଜର ବଶୀଭୂତ କରାଏ । ନିଜେ ନକଲି ନେତା, ମନ୍ତ୍ରୀ ଓ ଅଫିସର ସାଜି ତଳ ସ୍ତରର ବିଭିନ୍ନ ସରକାରୀ ଅଫିସ୍କୁ ଫୋନ୍ରେ ଧମକ୍ ଦିଏ । କେତେକ ଅନଭିଜ୍ଞ ତଥା ଦୁର୍ନୀତିଗ୍ରସ୍ତ ନେତା ଓ ଅଫିସରଙ୍କୁ ପ୍ରଭାବିତ କରି ଅନେକ ଙ୍କର ସର୍ବନାଶ କରେ । ପ୍ରଥମେ ପ୍ରଥମେ କବିତାକୁ ଏସବୁ ଭଲ ଲାଗେ ନାହିଁ । ବିରୋଧ ବି କରି ପାରେ ନାହିଁ । ମାତ୍ର ପରେପରେ ସବୁକିଛି ଦେହସୁଆ ହୋଇଗଲା ତାର ।
ସତର ବର୍ଷ ତଳେ ଶ୍ୟାମର ଚେଷ୍ଟାରେ ମଞ୍ଚେଶ୍ୱର ହସ୍ପିଟାଲ୍କୁ ବଦଳି ହୋଇ ଆସିଥିଲା କବିତା । ସେଦିନୁ ଏହି ହସ୍ପିଟାଲଟି କୌଣସି ଦିନ କିଛି ନା କିଛି ବିବାଦରୁ ମୁକ୍ତ ନୁହେଁ କି କର୍ମଚାରୀ ମାନେ ଶାନ୍ତିରେ ନାହାନ୍ତି । ଅସାମାଜିକ କାର୍ଯ୍ୟକଳାପ ଢେର ବଢିଛି । ହସ୍ପିଟାଲ୍ ପ୍ରଶାସନର ବିଭିନ୍ନ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଶ୍ୟାମର ଅଭ୍ୟାସରେ ପରିଣତ ହୋଇଛି । କେତେବେଳେ କାହାକୁ ସମର୍ଥନ କରି ଅନ୍ୟକୁ ଗାଳିଗୁଲଜ ତ ଅସଦ୍ ବ୍ୟବହାର କିମ୍ବା ମାଡ଼ପିଟ୍ । ସମାଜର କିଛି ଲୋକେ ବି ଅସାମାଜିକତାକୁ ପ୍ରୋତ୍ସାହିତ କରନ୍ତି-ସମର୍ଥନ ଦିଅନ୍ତି । ହୁଏତ ଏହା ସେମାନଙ୍କର ସ୍ୱଭାବ କି ଭୟ କି ମନୋରଞ୍ଜନ ପାଇଁ ହୋଇପାରେ । ହସ୍ପିଟାଲ୍ର ଅଧିକାଂଶ କର୍ମଚାରୀ ତାକୁ ଭୟ କରନ୍ତି । କେତେକ ତା’ ଅସାମାଜିକତା ପାଖରେ ଆତ୍ମ ସମର୍ପଣ କରନ୍ତି । ଅନ୍ୟଥା ସେମାନଙ୍କ ନାଁରେ ବିଭାଗୀୟ ଅଧିକାରୀଙ୍କ ପାଖରେ ପ୍ରତିବାଦ୍ ହୋଇପାରେ କିମ୍ବା ସାଧାରଣ ଜନତା କି ରୋଗୀ ମାନଙ୍କ ନାଁରେ ବେନାମୀ ଅଭିଯୋଗ ପତ୍ର ଉପର ମହଲକୁ ପଠା ଯାଇପାରେ । ସହଜେ ଅନ୍ଧ ପ୍ରଶାସନ ଅଭିଯୋଗର ତଦନ୍ତ ପ୍ରକ୍ରିୟାକୁ ନଯାଇ ସିଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଅତୀତରେ ଏହି ହସ୍ପିଟାଲ୍ ର ଅନେକ ଡ଼ାକ୍ତର ଓ କର୍ମଚାରୀ ମଧ୍ୟ ଏହି ନ୍ୟାୟରେ ଅକାରଣେ ବଳି ପଡ଼ିଛନ୍ତି । କେତେକ ଚାକିରିରୁ ନିଲମ୍ବନ ହୋଇଛନ୍ତି । ଆଉ କେତେକ ବେଆଇନ ଭାବେ ଅନ୍ୟତ୍ର ବଦଳି ହୋଇଛନ୍ତି । ସମାଜ ଭୟ କରିଥାଏ ଅସାମାଜିକତାକୁ,ଅପରାଧକୁ ଓ ଆତଙ୍କବାଦ୍କୁ । ପ୍ରଚଣ୍ଡ କ୍ଷମତାଶାଳୀ ବ୍ୟକ୍ତି ମଧ୍ୟ ଅସାମାଜିକତା ପାଖରେ ହାର ମାନନ୍ତି । ଦେଶ ବିଦେଶର ଅନେକ ବଡ଼ବଡ଼ ନେତା ଅସାମାଜିକତାର ପ୍ରଚଣ୍ଡ କୂଟନୀତି ବା ଧ୍ୱଂସର କବଳରେ ପଡ଼ି ଛଟପଟ ହୋଇଛନ୍ତି, ପ୍ରାଣବଳି ଦେଇଛନ୍ତି । ଏହାକୁ ବୁଦ୍ଧିମାନ୍ର କାମ ବୋଲି କୁହାଯାଏ ନାହିଁ । ଏହା କେବଳ ବର୍ବର ମାନଙ୍କର କାର୍ଯ୍ୟ ବୋଲି ସମାଜ କହେ ।
ମିତା ଏହି ହସ୍ପିଟାଲ୍ ର ଜଣେ ସେବିକା । ବିବାହ ପର୍ଯ୍ୟନ୍ତ ବାପା ଓ ଭାଇମାନେ ମିତା ଚାକିରି କରିବାର ସ୍ୱପ୍ନ ବି ଦେଖି ନଥିଲେ । ଭାଇମାନେ ଉଚ୍ଚଶିକ୍ଷା ପରେ ଚାକିରି ଖୋଜିଖୋଜି ନୟାନ୍ତ ହୋଇ ଯାଇଥିଲେ । ଘରକାମ ଦେଖାଶୁଣା କରୁଥିଲେ । ବାପା ଚାକିରିରୁ ଅବସର ନେବାପରେ ପରେ ମିତାର ବିବାହ କାର୍ଯ୍ୟ ସାରିଦେଲେ । ବିବାହର ମାତ୍ର ଚାରି ମାସ ପରେ ସରୋଜର ଚେଷ୍ଟାରେ ମିତା ସରକାରୀ ନର୍ସିଂ ତାଲିମ ନେଲା । ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ହେଲେ । ତାଲିମ୍ ସରିବାର ଛଅ ବର୍ଷ ପରେ ସାତ ଶହ କିଲୋମିଟର ଦୂରଏକ ଆଦିବାସୀ ଅଞ୍ଚଳରେ ମିତା ପ୍ରଥମ କରି ସରକାରୀ ଚାକିରିରେ ଯୋଗ ଦେଲା । ଛଅ ବର୍ଷ ପରେ ସେଠାରୁ ବଦଳି ହୋଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଡ଼ାକ୍ତରଖାନାରେ କାର୍ଯ୍ୟ କଲା । ତିନି ବର୍ଷ ତଳେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ସିଡ଼ିଏମ୍ଓ) କବିତାକୁ ଗ୍ରାମାଞ୍ଚଳର ଏକ ଡ଼ାକ୍ତରଖାନାକୁ ବଦଳି କରିଥିଲେ । ସେହି ପଦବୀରେ ମିତାକୁ ଅବସ୍ଥାପିତ କରାଇ ଥିଲେ । ସେତେବେଳେ ମିତା ଓ ସରୋଜ ଶ୍ୟାମର ଅସାମାଜିକତା ସଂପର୍କରେ ହସ୍ପିଟାଲର କର୍ମଚାରୀଙ୍କ ଠାରୁ ଶୁଣିଲେ । ଜାଣିଥିଲେ ବି ମିତା କବିତା ସ୍ଥାନକୁ ବଦଳି ହୋଇ ଆସିଥିବାରୁ ଶ୍ୟାମ ସେମାନଙ୍କୁ ଟାର୍ଗେଟ କରିଛି । କୌଣସି ସମୟରେ ସେ ସେମାନଙ୍କୁ ଆକ୍ରମଣ କିମ୍ବା କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି ।
ଇତି ମଧ୍ୟରେ କବିତାର ସରକାରୀ ଘରେ ଏକ ଅଘଟଣ ଘଟିଲା । ଶ୍ୟାମର ପୁଅ ଓ ବୋହୂ ଗାଁରେ । ସ୍ତ୍ରୀ ଓ ଝିଅ ସହ ସେ କବିତା ଘରେ । ଦିନେ ଅପରାହ୍ନ ଦୁଇଟାରେ ଘରେ କେହି ନଥିଲେ । ତା’ଝିଅ ରୁନୁକୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କଲା । ଶ୍ୟାମ, ତା’ ସ୍ତ୍ରୀ ଓ କବିତାର ବୟାନ ଅନୁଯାୟୀ ପୋଲିସ୍ କେତେଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲଣ କଲା । କିନ୍ତୁ ଏହି ହତ୍ୟାକାଣ୍ଡ ପଛରେ ସ୍ୱଂୟ ଶ୍ୟାମ ସଂପୃକ୍ତ ଥିବା ଆଲୋଚନା ହେଉଥିଲା । ସେ କୁଆଡ଼େ ନିଜ ଝିଅକୁ ଦେଖାଇ ଅନେକ ଯୁବକଙ୍କୁ ପ୍ରଭାବିତ କରେ । ଆମନ୍ତ୍ରଣ କରେ ନିଜ ଘରକୁ । ଝିଅଟି ବାପର ଏଭଳି ଆଚରଣକୁ ତୀବ୍ର ବିରୋଧ କରେ । ଜଣେ ଛୋଟ ଜାତିର ପୁଅ ସାଙ୍ଗରେ ବାହା ଦେବାକୁ ଶ୍ୟାମ ଠିକ୍ କରି ନେଇଥିଲା । ସେହି ଯୁବକର ବାପା ଜଣେ ବ୍ୟାଙ୍କ ଅଫିସର ଓ ଅଚଳାଚଳ ସମ୍ପତ୍ତିର ମାଲିକ । କିନ୍ତୁ ଝିଅଟି ନିଜ ପାଇଁ ଯୋଗ୍ୟ ଭାବୁଥିବା ମାନସ ନାମକ ଜଣେ ଯୁବକକୁ ଭଲ ପାଉଥିଲା । ତା’ ସହିତ ବିବାହ କରିବାକୁ ଜିଦି ଧରିଥିଲା । ଏଥିରେ ଶ୍ୟାମର ଆସୁରିକ ପ୍ରବୃତ୍ତି ଚରମ ସୀମା ପାର କରିଥିଲା । ଯୋଜନା ବଦ୍ଧ ଭାବେ ନିଜେ ନିଜ ଝିଅକୁ ବିଭତ୍ସ ଭାବେ ହତ୍ୟା କଲା ପରେ ସେଠାରୁ ଚାଲି ଯାଇଥିଲା । ମାତ୍ର ସେତିକିବେଳେ ମାନସ ଘଟଣା ସ୍ଥଳରେ ପହଞ୍ଚି ରୁନୁ ଛଟପଟ ହେଉଥିବା ଦେଖିଲା । ସମସ୍ତଙ୍କୁ ତୁରନ୍ତ ଖବର ଦେଲା । କିଛି ସମୟ ଭିତରେ ଘର ଲୋକେ ପହଞ୍ଚିବା ସହିତ ପୋଲିସ୍ ବି ପହଞ୍ଚି ଯାଇଥିଲା । ଆଉ ମାନସ ସମେତ ତା’ର କେତେଜଣ ସାଙ୍ଗଙ୍କୁ ଗିରଫ୍ କରିଥିଲା ।
ବର୍ଷକ ପରେ କବିତା ପୁଣି ବଦଳି ହୋଇ ଆସିଲା ମଞ୍ଚେଶ୍ୱର ହସ୍ପିଟାଲ୍କୁ । ପୂର୍ବପରି ହସ୍ପିଟାଲ୍ ପ୍ରଶାସନର କାର୍ଯ୍ୟରେ ଉଭୟଙ୍କର ଆରମ୍ଭ ହେଲା ଅଯଥା ହସ୍ତକ୍ଷେପ ଓ କୂଟନୀତି । ମିତା ସମେତ କେତେକ ସେବିକା ଓ କର୍ମଚାରୀଙ୍କୁ ବଦଳି କରାଇବାର ଚିରାଚରିତ ରଣନୀତି । ଏବେ ମିତା ଓ ସରୋଜ ନିଜର ଜନ୍ମଗତ ସ୍ୱଭାବ ପାଇଁ ସମସ୍ତଙ୍କର ପ୍ରିୟପାତ୍ର । ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତି । ସବୁ ମଣିଷଙ୍କୁ ଆପଣାର କରିବାର ଗୁଣ ସେମାନଙ୍କ ଭିତରେ ଜୀବନ୍ତ । ଶ୍ୟାମ ଓ କବିତାର ନାନାଦି ଗାଳି ଗୁଲଜ ଓ ହତ୍ୟା ଧମକ ମିତା ଓ ସରୋଜକୁ ଆଦୌ ବିଚଳିତ କରୁନଥାଏ । ବରଂ ଗଣତାନ୍ତ୍ରିକ ଢଙ୍ଗରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଲେ ।
ସ୍ୱାସ୍ଥ୍ୟ ପ୍ରଶାସନ କିପରି ଅସାମାଜିକତା ଓ ଆତଙ୍କବାଦ୍ କବ୍ଜାରେ ରହି କାମ କରୁଛି, ସରକାରୀ ଆଇନ ଉଲଂଘନ କରାଯାଇ ବର୍ଷକ ଭିତରେ କବିତାକୁ କିପରି ଉକ୍ତ ସ୍ଥାନକୁ ବଦଳି କରାଗଲା, ସେ ସଂପର୍କରେ ସମ୍ବାଦପତ୍ର ପୃଷ୍ଠା ମଣ୍ଡିତ ହେଲା ।
ଏଥର ଆହୁରି ଚରମ ସୀମାକୁ ଟପିଗଲା ଶ୍ୟାମର ଅସାମାଜିକତା । ପରଦିନ ହସ୍ପିଟାଲ୍ର ରୋଗୀ ୱାର୍ଡ଼ ଭିତରେ ପ୍ରବେଶ କଲେ ଶ୍ୟାମ ଓ କବିତା । ମିତା ଡ୍ୟୁଟିରେ ଥିଲା । ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମରଣାନ୍ତକ ଆକ୍ରମଣ କଲେ । କିଛି କର୍ମଚାରୀ ହସ୍ତକ୍ଷେପ କରିବାରୁ ମରଣ ମୁହଁରୁ ବଞ୍ଚିଗଲା ମିତା । ହସ୍ପିଟାଲ୍ କର୍ତ୍ତୁପକ୍ଷ ହୁଏତ ଶ୍ୟାମର ଗୁଣ୍ଡାରାଜ୍ କୁ ଡ଼ରି କୌଣସି ପ୍ରକାର ତଦନ୍ତ ସାରିଦେଲେ । କବିତା ଆଉ ଭୁଲ୍ କରିବ ନାହିଁ ବୋଲି ଏକ ଲିଖିତ ପ୍ରତିଶୃତି ଦେଇଥିବା କଥା ଉଲ୍ଲେଖ ଥାଇ ଏକ ରିପୋର୍ଟ ଧରାଇ ଦିଆଗଲା ମିତାକୁ । ସରକାରୀ ନିୟମାନୁଯାୟୀ ଡ୍ୟୁଟିରେ ଥିବା ଜଣେ ମହିଳା କର୍ମଚାରୀଙ୍କୁ ହସ୍ପିଟାଲ୍ ଭିତରେ ପଶି ଆକ୍ରମଣ ଓ ଗାଳି କରିବା ଏକ ଗର୍ହିତ ଅପରାଧ । ଏ ସଂପର୍କରେ କର୍ତ୍ତୂପକ୍ଷଙ୍କ ଦ୍ୱାରା ସଙ୍ଗେସଙ୍ଗେ ପୋଲିସ୍ ଥାନାରେ ଏତଲା ଦିଆଯିବାର କିମ୍ବା ପୀଡ଼ିତା ନିଜେ ଥାନାରେ ଏତଲା ଦେବାକୁ ଅନୁମତି ଦିଆ ଯିବାର ସରକାରୀ ବ୍ୟବସ୍ଥା ଅଛି । କିନ୍ତୁ ନିରବ ରହିଲେ କର୍ତ୍ତୂପକ୍ଷ । ମିତା ଓ ସରୋଜ ବି ଘଟଣାକୁ ଆଉ ବଢେଇବାକୁ ଚାହିଁଲେନି । ସାମାଜିକ ପ୍ରାଣୀ ସର୍ବଦା ଧୀର, ଗମ୍ଭୀର, ଶାନ୍ତ ପରିବେଶ ଓ ଟେନ୍ସନ୍ ମୁକ୍ତ ରହିବାକୁ ଚାହିଁଥାଏ । ସହଜେ ପ୍ରଶାସନ ଯେତେବେଳେ ଅପରାଧକୁ ସିଧା ସମର୍ଥନ ଓ ପ୍ରୋତ୍ସାହିତ କରୁଛି, ବିରୋଧ କରିବା ଅର୍ଥ ସମସ୍ତଙ୍କ ବିରୋଧରେ ଯିବା । ଏହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ହେଲେ ମଧ୍ୟ ସେମାନେ ପ୍ରତିବାଦରୁ ନିବୃତ୍ତ ରହିଲେ । ଏହାର ଠିକ୍ ମାସେ ପରେ ସ୍ୱାସ୍ଥ୍ୟ ସଚିବଙ୍କ ପାଖରୁ ଏକ ବେନାମୀ ଅଭିଯୋଗ ପତ୍ର ପହଞ୍ଚିଲା ଏହି ହସ୍ପିଟାଲ୍ରେ । ତଦନ୍ତ ପାଇଁ ମିତା ସମେତ ଅନ୍ୟ କେତେକ ସେବିକା ଓ ଡ଼ାକ୍ତରଙ୍କୁ ନୋଟିସ୍ ହେଲା । ସରକାରୀ ନିୟମ ଉଲଂଘନ କରି ତଦନ୍ତ ସିନା ହେଲା, କିନ୍ତୁ ଅଭିଯୋଗକାରୀ କେହି ନଥିଲେ । ତଦନ୍ତରୁ କିଛ ଫଳ ମିଳିଲା ନାହିଁ । ଏହା ଏକ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ବୋଲି ରିପୋର୍ଟ ପ୍ରକାଶ ପାଇଲା । ଏତିକିବେଳେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ସରକାର ଓ ସାଧାରଣ ପ୍ରଜାଙ୍କୁ ନେଇ ସରୋଜ ମନରେ ଉଙ୍କି ମାରିଲା ଅନେକ ପ୍ରଶ୍ନ । ‘ସତରେ କ’ଣ ଅସାମାଜିକତାକୁ ସମାଜର କିଛି ଲୋକ ସମର୍ଥନ କରନ୍ତି ? ମୁଣ୍ଡ ନୁଆନ୍ତି ସର୍ବୋଚ୍ଚ ଅଧିକାରୀମାନେ ? ଏପରିକି ଗଣତନ୍ତ୍ର ରାଷ୍ଟ୍ରର ପ୍ରଶାସନ ବି ?’ ତାଜୁବ୍ ଲାଗିଲା ତାକୁ । ତଥାପି ସତ୍ୟ-ନ୍ୟାୟର ଯୁଗେଯୁଗେ ଜୟ ଓ ଆତଙ୍କବାଦ୍ର ସାମୟିକ ବିଜୟ, ଏଥିରେ ସେ ନିଶ୍ଚିତ ଥିଲା । ଆଦୌ ବିଚଳିତ ହେଲାନି । ପୂର୍ବର ଘଟଣା ଗୁଡ଼ିକୁ ମନେପକାଇଲା, ଜଳଜଳ ଦେଖାଗଲା, ସେମାନଙ୍କ ଦ୍ୱାରା ସୃଷ୍ଟି ଆତଙ୍କବାଦ୍ ର ଅସ୍ତ୍ର ଯେମିତି ସ୍ୱଂୟ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଚାଲିଛି ।
ହସ୍ପିଟାଲ୍ରେ ପୁଣି କିଛି ଅଘଟଣ ହୋଇଥିବା ସରୋଜର ମନେହେଲା । ଇତି ମଧ୍ୟରେ ମୋବାଇଲ୍ ତିନି ଥର ବାଜି ବାଜି ବନ୍ଦ ହୋଇଯାଇଛି । ସେ କଲ୍ କଲା । ରାକେଶ ଭାଇର ସ୍ୱର ଶୁଭିଲା । ସେ ଯେଉଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ, ତାହା ତା’ ପାଇଁ ଅତ୍ୟନ୍ତ ମର୍ମାନ୍ତିକ, ଚିନ୍ତାଜନକ ଓ ଆଶଙ୍କିତ ହେବାକୁ ଯଥେଷ୍ଟ । ପରେ ପରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଜଣେ ବରିଷ୍ଠ କର୍ମଚାରୀ ଅକ୍ଷୟ ବାବୁ ମଧ୍ୟ ସମାନ ଧରଣର ସୂଚନା ଦେଲେ । ବିଚଳିତ ନହେବାକୁ ପରାମର୍ଶ ଦେଲେ । ଉଭୟଙ୍କର ସୂଚନା ଅନୁଯାୟୀ, ହସ୍ପିଟାଲ୍ ର କେହି ଜଣେ ରୋଗୀକୁ ମିତା ଦିଦି, ସାରତୀ ଦିଦି ଓ ଫାର୍ମାସିଷ୍ଟ କେଶବ ସାମଲ ଅସଦ୍ ବ୍ୟବହାର କରିଛନ୍ତି । ଆଉରି ବି ନିଜେ ସରୋଜ ୱାର୍ଡ଼ରେ ପଶି ସେହି ରୋଗୀକୁ ଦୁର୍ବ୍ୟବହାର କରିଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି । ହେଲେ ଏହା ଏକ ଭିତ୍ତିହୀନ ଅଭିଯୋଗ ପତ୍ର ଭଳି ଲାଗୁଛି ! ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉପ ଶାସନ ସଚିବ ଉକ୍ତ ଅଭିଯୋଗ ପତ୍ରଟିକୁ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ନିକଟକୁ ପଠାଇଛନ୍ତି । ବଦଳି ଋତୁ ଥିବାରୁ ଅଭିଯୁକ୍ତ କର୍ମଚାରୀଙ୍କୁ ବଦଳି କରିବା ପାଇଁ ଏକ ପ୍ରକାରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିର୍ଦ୍ଦେଶ ବୋଲି ବୁଝା ଯାଇପାରେ ।
ବାଘ ଘରେ ମିରିଗ ନାଟ ଭଳି ଅବସ୍ଥା । ସେ ଓ ମିତା ଦିଲ୍ଲି ଯାଇଛନ୍ତି । ଏହାର ସୁଯୋଗ ନେଇ ଏଭଳି ଏକ ହୀନ ଷଡ଼ଯନ୍ତ୍ର ହୋଇଛି ବୋଲି ସରୋଜ ଭାବିଲା । ଏ ବିଷୟରେ କିଛି ବି କହିଲା ନାହିଁ ମିତାକୁ । ପ୍ରସ୍ତାବିତ କାର୍ଯ୍ୟ ସୂଚୀ ଅନୁଯାୟୀ ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ଦେବୀ ଦେବତାଙ୍କ ପବିତ୍ର ପୀଠସ୍ଥଳ ବୁଲି ଦେଖିଲେ । ନିର୍ଦ୍ଧାରିତ ତାରିଖରେ ଫେରିଲେ ଭୁବନେଶ୍ୱର ।
ଏଥର ଅନୁସନ୍ଧାନ କରିବାର ସମୟ ସରୋଜର । ଅତି ସହଜରେ ଉକ୍ତ ଅଭିଯୋଗ ପତ୍ର ସହ ଉପ ସଚିବଙ୍କ ଦ୍ୱାରା ପ୍ରେରିତ ଚିଠିର ନକଲ ସଂଗ୍ରହ କରି ନେଲା । ତାର ଦୀର୍ଘ ସାମ୍ବାଦିକତା ଅଭିଜ୍ଞତା ତଥା ସଚିବାଳୟରେ ସରକାରୀ କଳର ଗୋଲକ ଧନ୍ଦା ଓ ଶାସନ ବ୍ୟବସ୍ଥାର ଅସୁମାରୀ ଆଇନ-କାନୁନର ମୂକସାକ୍ଷୀ ଭାବେ ସେ ଆରମ୍ଭ କଲା ଏହି ଷଡ଼ଯନ୍ତ୍ରର ତର୍ଜ୍ଜମା । ଅଭିଯୋଗକାରୀ ଇନ୍ଡ଼ୋର୍ କି ଆଉଟଡ଼ୋର୍ ରୋଗୀ, ପ୍ରମାଣପତ୍ର ନାହିଁ । ସରକାରୀ ବ୍ୟବସ୍ଥା ଅନୁସାରେ ଏକ ହସ୍ପିଟାଲ୍ରେ ଇନ୍ଡ଼ୋର୍ ରୋଗୀମାନଙ୍କର କେବଳ ସେବିକା ମାନଙ୍କ ସହିତ ଚିକିତ୍ସା ସେବା ଯୋଗାଣର ସଂପର୍କ । ଆଉଟ୍ଡ଼ୋର୍ ରୋଗୀମାନଙ୍କର ଫାର୍ମାସିଷ୍ଟ ମାନଙ୍କ ସହିତ । ଅଭିଯୁକ୍ତ ତିନିଜଣ ମିଶି କିପରି ଜଣେ ରୋଗୀ ପ୍ରତି ଅସଦ୍ ବ୍ୟବହାର କରିବେ ? ଏହା ଅସମ୍ଭବ । ଯଦିଓ ଅଭିଯୋଗକର୍ତ୍ତା ଜଣେ ଇନ୍ଡ଼ୋର୍ ରୋଗୀ, ଅସଦ୍ ବ୍ୟବହାର ବେଳେ କ’ଣ କେବଳ ଏହି ଦୁଇ ସେବିକା ଥିଲେ ? ଯଦିଓ ଅଭିଯୋଗକାରୀ ଆଉଟ୍ଡ଼ୋର ରୋଗୀ, ସେତେବେଳେ କ’ଣ ପାଖରେ ଆଉ କେହି ନଥିଲେ ? ଉଭୟ କ୍ଷେତ୍ରରେ ଯଦିଓ ଅସଦ୍ ବ୍ୟବହାର ସତରେ ହେଲା, ତେବେ ଅନ୍ୟ ରୋଗୀ, ସାଧାରଣ ଲୋକ, ଡ଼ାକ୍ତର, କର୍ମଚାରୀ ନିଶ୍ଚୟ ଦେଖିଥାନ୍ତେ ! ହସ୍ପିଟାଲ୍ରେ କାର୍ଯ୍ୟରତ ଡ଼ାକ୍ତର, ଡ୍ୟୁଟି ମେଡ଼ିକାଲ୍ ଅଫିସର୍ ଓ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଅଭିଯୋଗ ହେଲାନି କାହିଁକି ? ଯଦିଓ ଏମାନେ ନ୍ୟାୟ ଦେଇ ନଥାନ୍ତେ, ତେବେ ହୁଏତ ସେ ନିର୍ଦ୍ଦେଶକ, ପରେ ଶାସନ ସଚିବଙ୍କ ପାଖରେ ଅଭିଯୋଗ କରିଥାନ୍ତେ । କିନ୍ତୁ ଜଣେ ସାଧାରଣ ରୋଗୀଟି ଆଜିର ମଜଭୁତ ସିକ୍ୟୁରିଟୀ ଜାଲକୁ ଭେଦ କରି କିପରି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପର୍ଯ୍ୟନ୍ତ ଯାଇପାରିଲେ ? ପୁଣି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉକ୍ତ ଅଭିଯୋଗର ତର୍ଜ୍ଜମା ନକରି ସେହି ଏକା ଦିନ କିପରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଲେ ? ଏସବୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ନୁହେଁ କି ? ସରକାରୀ ନିୟମକୁ ନେଇ ଏମିତି ବ୍ୟାପକ ବିଶ୍ଲେଷଣ କରିବାରେ ଲାଗିଲା ସରୋଜ । ସଚିବାଳୟର କେତେକ ଅବସରପ୍ରାପ୍ତ ଓ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କର ପରାମର୍ଶ ନେଲା ।
ଇତି ମଧ୍ୟରେ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ଅଭିଯୋଗର ତଦନ୍ତ ପାଇଁ ଉକ୍ତ ହସ୍ପିଟାଲ୍ର କର୍ତ୍ତୂପକ୍ଷଙ୍କ ନିକଟରେ ଅଭିଯୋଗ ପତ୍ରଟି ପହଞ୍ଚି ସାରିଥିଲା । ଆରମ୍ଭ ହେଲା ତଦନ୍ତ । ଜଣାପଡ଼ିଲା ଯେ, ଅଭିଯୋଗକାରୀ ନାମଧାରୀ କୌଣସି ବ୍ୟକ୍ତି ଉକ୍ତ ହସ୍ପିଟାଲର ଇତିହାସରେ ଚିକିତ୍ସା ସେବା ପାଇଁ କେବେ ମଧ୍ୟ ଆସିନାହାନ୍ତି । ‘ଏହା ଏକ ଭତ୍ତିହୀନ ଓ ବେନାମୀ ଅଭିଯୋଗ ପତ୍ର । ଏଭଳି ପତ୍ର ଏଠାକୁ ନଆସୁ, କର୍ମଚାରୀ ମାନେ ଏତେ ଅସାଧୁ, ଅଜ୍ଞାନୀ ଓ ପାରିବାରିକ ଶିକ୍ଷାରୁ ବଂଚିତ ନୁହନ୍ତି । ସମସ୍ତେ ପ୍ରାୟ ନୈତିକ ଓ ସାଧାରଣ ଜ୍ଞାନରେ ପରିପୂର୍ଣ୍ଣ ବୋଲି ଚିକିତ୍ସାଧୀନ ରୋଗୀ ମାନଙ୍କ ବୟାନ୍ରୁ ସ୍ପଷ୍ଟ ହେଉଛି !’ ତଦନ୍ତ ରିପୋର୍ଟରେ ଲେଖା ହୋଇ ନପାରିବା କଥାର ଆଭାସରୁ ଜଣା ପଡ଼ୁଥିଲା ଯେ, ବରଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ର ଅଧିକାରୀଙ୍କ ଭିତରେ ପ୍ରଶାସନିକ ଜ୍ଞାନର ଘୋର ଅଭାବ ରହିଛି ! ସେମାନେ ଅସାମାଜିକତା ସହ ସାଲିସ୍ କରିଛନ୍ତି !
ତଦନ୍ତ ରିପୋର୍ଟ ଉପର ମହଲରେ ପହଞ୍ଚିଲା । ରାକେଶ ଭାଇ ଓ ଅକ୍ଷୟ ବାବୁଙ୍କ ସମେତ କେତେକ ଶୁଭେତ୍ସୁ ଏ ଘଟଣାର ପ୍ରତିବାଦ୍ କରିବାକୁ ପରାମର୍ଶ ଦେଲେ । ଏହା ପଛରେ ଶ୍ୟାମର ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଉପସଚିବଙ୍କୁ ପ୍ରଭାବିତ କରି ବେଆଇନ ଭାବେ ଗୁପ୍ତ ଚିଠି କରିବା, ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କ ଅଫିସ୍ରେ ପହଞ୍ଚି ଉକ୍ତ ଚିଠିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ୟାମ ପ୍ରବର୍ତ୍ତାଇ ଥିବା ଜଣା ପଡ଼ିଥିଲା ।
ଏ ବାବଦରେ ସରୋଜ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରକାଶ କଲା । ବିଷୟବସ୍ତୁ ଥିଲା, ‘ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେ ସଂପୂର୍ଣ୍ଣ ଅନଭିଜ୍ଞ ଉପସଚିବ ଏକ ଅସାମାଜିକ ର୍ୟାକେଟ୍ ସହ ମିଶି ନିଜେ ଏକ ଅଭିଯୋଗ ପତ୍ର ପ୍ରସ୍ତୁତ କରିଛନ୍ତି । ନୀରିହ ସେବିକା ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହୀନ ଉଦ୍ୟମ କରିଛନ୍ତି । କିନ୍ତୁ ତାହା ପଣ୍ଡ ହୋଇ ଯାଇଛି । ସମସ୍ୟା ଜର୍ଜ୍ଜରିତ ମଣିଷ ମାନଙ୍କର ଅଳି, ଆପତ୍ତି, ଦାବି ପତ୍ର ଗୁଡ଼ିକ ଡ଼ଷ୍ଟବିନ୍ରେ ଫିଙ୍ଗା ଯାଉଛି । ହେଲେ ବେନାମୀ ଚିଠିର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତତ୍ପର କାହିଁକି ? ଏହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ । ଏହା ଭାରତ ବର୍ଷରେ ଏକ ବିରଳ ଉଦାହରଣ । ଏଭଳି ବେନାମୀ ଚିଠିର ତଦନ୍ତ ପାଇଁ ରାଜକୋଷରୁ ବହୁ ଅର୍ଥ ବ୍ୟୟ ହେଉଛି । ଅଫିସର ଓ କର୍ମଚାରୀଙ୍କର ବହୁ ମୂଲ୍ୟ ସମୟ ନଷ୍ଟ ହେଉଛି । ମିଥ୍ୟା ଅଭିଯୁକ୍ତ କର୍ମଚାରୀ ମାନେ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।’
ଏହି ଖବର ହଇଚଇ ସୃଷ୍ଟି କଲା ସାରା ରାଜ୍ୟରେ । ସଂପୃକ୍ତ ଉପଶାସନ ସଚିବ ନିଜକୁ ନିର୍ମଳ ଭାବମୂର୍ତ୍ତିର ଦେଖେଇବାକୁ ନିଜ ଅଧୀନସ୍ତ କର୍ମଚାରୀଙ୍କୁ ବିଦା କରି ଦେଲେ । ଯେତେବେଳେ ସରୋଜ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲିଖିତ ଅଭିଯୋଗ କଲା, ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ।
ଗୋଟିଏ ସପ୍ତାହ ଭିତରେ ଶେଷ ହେଲା ତଦନ୍ତ । ତଦନ୍ତ ରିପୋର୍ଟ ସାଧାରଣରେ ପ୍ରକାଶ ପାଇଲା, ‘ଉକ୍ତ ଅଭିଯୋଗ ପତ୍ରଟି ନିଜେ ଶ୍ୟାମ ପ୍ରସ୍ତୁତ କରିଛି ! ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଉପ ଶାସନ ସଚିବ ସିଧା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱାସ୍ଥ୍ୟ ସଚିବ ଓ ସିଡ଼ିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିଥ୍ୟା ଅଭିଯୁକ୍ତ ମାନଙ୍କ ବଦଳି ପରେ ସେହି ସ୍ଥାନକୁ ବଦଳି କରାଇ ଆଣିବାକୁ ଅନ୍ୟ ତିନିଜଣ କର୍ମଚାରୀଙ୍କ ଠାରୁ ଶ୍ୟାମ ଦେଢ ଲକ୍ଷ ଟଙ୍କା ଆଦାୟ କରିଛି !’ ବେଆଇନ ଭାବେ ଚିଠି କରିଥିବାରୁ କାର୍ଯ୍ୟରୁ ନିଲମ୍ବନ କରାଗଲା ଅଭିଯୁକ୍ତ ଉପ ଶାସନ ସଚିିବଙ୍କୁ । ଶ୍ୟାମର ଗର୍ହିତ ଅପରାଧ ପାଇଁ ତା’ ବିରୁଦ୍ଧରେ ଥାନାରେ ଦିଆଗଲା ଏତଲା । ତାକୁ ଗିରଫ୍ କରାଯାଇ କୋର୍ଟ ଚାଲଣ କରାଗଲା ।
କବିତା କିଛିଦିନ ତଳୁ ଅନ୍ୟ ମନସ୍କ ଓ ଚିନ୍ତିତ ରହୁଛି । କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଯେ ସେ ଏକ ଅସାମାଜିକ ସାମ୍ରାଜ୍ୟକୁ ପଶି ଆସିଛି, ଜାଣି ପାରିନି ! ଚାହିଁଲେ ବି ମୁକୁଳି ପାରୁନି । ତିନିଟି ଜିଲ୍ଲା ପାର ହେଲେ ରାଜ୍ୟର ଶେଷ ସୀମାନ୍ତରେ ତା’ ଘର । ଗାଁରେ ଏକୁଟିଆ ମା’ ବୁଢୀଟି ଛଡ଼ା ତାର ଆଉ କେହି ନାହାନ୍ତି । ସେ ମୋଟେ ଜାଣିନି, ନିଜର ନିସ୍ୱ ପରିବାର ପାଇଁ ଜୀବନ ଉତ୍ସର୍ଗ କରିଥିବା ତା’ ଝିଅ ଯେ ଅସାମାଜିକ ଆଡ୍ଡା ଭିତରକୁ ପଶି ଯାଇ କାହାର ରକ୍ଷିତା ପାଲଟି ଯାଇଛି ଓ ସବୁ ଘଟଣାର ମୂକ ସାକ୍ଷୀ-ସବୁ ବଦନାମ୍ ର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି !
କବିତା ସହସା ଆଖି ବନ୍ଦ କରି ଆକାଶ ଆଡ଼କୁ ମୁହଁ କରି ପଡ଼ିଗଲା, ଯେମିତି ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି… କ’ଣ କହୁଥିଲା ସେ ନିରବ ପ୍ରାର୍ଥନାରେ ? କ’ଣ ଚାହୁଁଥିଲା ସେ ଈଶ୍ୱରଙ୍କଠାରୁ ? ତାହା ହୋଇପାରେ ଶ୍ୟାମକୁ ନିଜ ଅପରାଧର ଉଚିତ ଦଣ୍ଡ ପାଇଁ ଈଶ୍ୱରଙ୍କୁ ବିନତୀ ବା ନିଜର ପ୍ରାୟଶ୍ଚିତ ପାଇଁ କ୍ଷମା ଭିକ୍ଷା !
କୋରିଆପଲ୍ଲା, ଓଉପଦ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୩୩୭୩୬୯୪୪୮
ଲେଖକ ପରିଚୟ
ପେଶାରେ ଜଣେ ସାମ୍ବାଦିକ , କିନ୍ତୁ ବିଭିନ୍ନ ଖବରକାଗଜ ତଥା ପତ୍ରିକାରେ ନାନା କାହାଣୀ, କବିତା ଏବଂ ଅନୁବାଦ କରିବାରେ ଜଣେ ଲୋକପ୍ରିୟ ତଥା ନିୟମିତ ଲେଖକ । ଅନୁବାଦିତ କାହାଣୀ ସହିତ ଗୋଟିଏ ପୁସ୍ତକ ପ୍ରକାଶ ହୋଇଛି ।