ନିବେଦିତା ମିଶ୍ରଗୁରୁ

ଅନେକ କଷ୍ଟର ସହ
ସାଉଁଟି ନେଇ ପାରିଲି
ମ୍ଲାନ ଶିଉଳି ଫୁଲ ପରି
ଏଠିସେଠି ଝରି ପଡ଼ିଥିବା
ମୋ ଟୁକୁଡ଼ା ଖଣ୍ଡମାନଙ୍କୁ …

ବେଶ ଯନ୍ତ୍ରଣାଦାୟକ ଥିଲା
ପୁଣି ସେମାନଙ୍କୁ
ସିଲେଇ କରି ଯୋଡ଼ିବା
ଆଉ ନିଜକୁ ପୁଣି ଗଢ଼ିବା ବି…

ଯୋଡ଼ି ସାରିଲା ପରେ
ଯେତେବେଳେ ଚିହ୍ନି ପାରିଲି ନିଜକୁ
ଜାଣିଲି ମୁଁ କେତେ ଭଲ;
ସିଲେଇ କରିପାରେ
ଯୋଡ଼ିଯାଡ଼ି ନିଜକୁ ।

ଗଢ଼ିବା ଆଦୌ ସହଜ ନୁହେଁ
କେବେ କେବେ ନିଜର
ପ୍ରଶଂସା କରିବା ବି ସତରେ
ଖୁବ୍ ଜରୁରୀ ଆଜିକାଲି

ନିରେଖି ଦେଖିଲି !
ଏବେ ବି ବାକି ଅଛି
ସିଲେଇ କରିବାକୁ କିଛି ଫାଟ
ସେଇ ଫାଟ ଦେଇ
ଉଜ୍ଜଳି ଉଠୁଚି ଚିରୁଡ଼ାଏ ଆଲୁଅ
ଧୀରେ ଧୀରେ
ଫେରି ଯାଉଚି ଅନ୍ଧାର
ସେଇ ଚିରୁଡ଼ାଏ ଆଲୁଅରେ ।

ଏବେ ବେଶ୍ ସ୍ପଷ୍ଟ ଭାବେ
ଦେଖି ପାରୁଚି ମୁଁ
ନୂଆ କରି ପୁଣି ଗଢ଼ି ହେଉଥିବା ମତେ ।

ମାଲାଡ, ମୁମ୍ବାଇ

ଲେଖକ ପରିଚୟ

ମାଆ ଶିଶୁକୁ ଆଦରରେ ଆହାର ଯୋଗାଇଲା ପରି ଶୈଶବରେ ବାପା ବେଶ ଯତ୍ନର ସହିତ ଯୋଗାଇଥିଲେ ସାହିତ୍ୟର ଖୋରାକ । ସପ୍ତମ ଶ୍ରେଣୀରେ ପ୍ରଥମ କବିତା ଲେଖିଥିଲି । ସ୍କୁଲ, କଲେଜ ଓ ପରେ ଜଣେ ଗୃହିଣୀର ଜୀବନ ସହ ସାହିତ୍ୟ  ଛଳଛଳ ଛୋଟ ଏକ ଝରଣା ହେଇ ସଦା ଆଗେଇ ଚାଲିଚି ମୋ ସାଥିରେ । ‘ଅନ୍ଧାର ଓ କିଛି ନିଖୋଜ ମୁହୂର୍ତ୍ତ’ ଏକ ମାତ୍ର କବିତା ସଂକଳନ ଯାହା ପ୍ରକାଶିତ ହୋଇଛି । ଏକାନ୍ତ ସମୟରେ କେବେ କେମିତି ଲିଖିତ ମୁଷ୍ଟିମେୟ କବିତା ମୋର ପାଠକମାନଙ୍କୁ ଛୁଇଁ ପାରିଚି କି ନା ଜାଣେନା କିନ୍ତୁ  ଜୀବନକୁ ମୋର ଭରିଦେଇଛି ଅପୂର୍ବ ଆଲୋକରେ, ଆବେଗରେ, ତୃପ୍ତିରେ, ନିଜସ୍ଵ ଶିଶୁ ପରି । ସାହିତ୍ୟ ବିନା ଜୀବନ କାହିଁ ?

Related Posts

Leave a Reply

Your email address will not be published. Required fields are marked *