ବିନୟ ମହାପାତ୍ର

ଜୀବନଟା ବନ୍ଦୀ, ସମୟର ପଞ୍ଜୁରୀରେ
ସମୟର ଚାବି, ଅଛି କା’ ହାତରେ ?
ନିଶ୍ୱାସର ଟିକ୍ ଟିକ୍ ସାଥେ
ସମୟର ଘଡ଼ି ମାଡ଼ି ଚାଲେ
ଜୀବନର ପରିଧି ଭିତରେ ।
ବଳିତା ଜଳିଜଳି
ଏବେ ଦୀପର ଗର୍ଭ ଜଳୁଛି
ଜଳିବାର ବେଦନା କେତେ
କେବଳ ଦୀପ ହିଁ ଜାଣିଛି,
ବେଦନାକୁ ପିଇଯାଏ,
ନୀଳକଣ୍ଠ ସାଜି,
ଅନ୍ଧକାରେ ଆଉ କିଏ ରହିଗଲା
ଦେଖିବାକୁ ଏବେ ବି ଜଳୁଛି ।
କିଛି ଘଡ଼ି ପରେ ଲିଭିଯିବ
ଦୀପର ସେ ଶେଷ ଶିଖା,
ତଥାପି କରିଛି ପ୍ରତୀକ୍ଷା,
କାଳେ ମିଳିଯିବ ନୂଆ ଦୀପଟିଏ
ତ୍ରସ୍ତ ଦୁନିଆରେ ଜଳାଇ ରଖିବାକୁ
ମାନବିକତାର ଆଲୋକ ବର୍ତ୍ତିକା ।
ଆଜି ବି ଜଳୁଛି କେତେ,
ହେଲେ ଦୀପ ନୁହଁ,
ଘୃଣାର ବହ୍ନି ଜଳେ
ଚଉଦିଗେ ଦିଶେ ଖାଲି
ଲେଲିହାନ ଶିଖା,
ଏ ଯେ ନୁହେଁ,
ପ୍ରେମର ଆଲୋକ ବର୍ତ୍ତିକା,
ଏ ଆଲୋକ ନାଶେନି ତିମିର,
କେବଳ ଜାଳି ଯାଏ,
ଲକ୍ଷଲକ୍ଷ ଆଶାର କୁଟୀର
ଧର୍ମର କଥା କହେ,
ପ୍ରେମ ଭୁଲିଯାଏ,
କିନ୍ତୁ ମନ୍ଦିର ତୋଳେ ।
ନିର୍ଦ୍ଦୟୀ ଶାସକ
ନିରୀହ ମଣିଷକୁ କଥାରେ ଭୁଲାଇ
ତାର ଭରସାର ଫାଇଦା ଉଠାଏ,
ଛଳନାରେ,
ଶେଷ ଆଶ୍ରୟ ଉଜାଡ଼ି ଦିଏ ।
ଜନତାର କ୍ଷୁଧା ଦିଶେ ନାହିଁ,
କିନ୍ତୁ ଧର୍ମର ଧ୍ୱଜା ତୋଳି ଧରେ,
ଶୃଗାଳ ମେଳିରେ ତ୍ରସ୍ତ ମନୁଷ୍ୟ
ଶୃଗାଳ ସର୍ଦ୍ଦାରର ଜୟଗାନ କରେ ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।
