ସତ୍ୟନାରାୟଣ ଗନ୍ତାୟତ

ଏମିତିରେ ‘ଭବ’ ମାନେ ଆମେ ଆତଯାତ ହୋଇ ଯାବତ ଲୀଳାଖେଳା ଚଳାଇଥିବା ପୃଥିବୀ ବୋଲି ଯଦି ଭାବି ବସିବା, ତେବେ ତ’ ଜାଣ ଯେ ଏହାର ପାଖାପାଖି ଦୁଇ ତୃତୀୟାଂଶରୁ ଊର୍ଦ୍ଧ୍ଵ ଜଳଭାଗ ଓ ଏକ ତୃତୀୟାଂଶ ହିଁ ସ୍ଥଳଭାଗ । ପୁନଶ୍ଚ ସେହି ଜଳଭାଗର ପ୍ରାୟ ଛୟାନବେ ପ୍ରତିଶତ କେବଳ ବିଭିନ୍ନ ସାଗର ଓ ମହାସାଗରଙ୍କ ସମାହାର । ଏସବୁକୁ ଯଦି ବିଚାରକୁ ନେବେ, ପୃଥିବୀର ସ୍ଥଳଭାଗର ବାସିନ୍ଦା ଭାବେ ଖୁବ୍ ବେଶୀ ଉଚ୍ଚାଟିତ ହେବେ ନାହିଁ ।
ଏଥର ଏହାଠୁ ବଳି ଗମ୍ଭୀର ଭାବନା କେମିତି ଭରପୁର ରହିଛି ଭବସାଗର ଅର୍ଥାତ ଏହି ଭବ ସଂସାରରେ ! ଏହି ଭବ ସଂସାର ଭବଭୂମିରେ ହିଁ ଥାଏ, ଶୂନ୍ୟ ଅଥଚ ବେଶ୍ ଅନୁଭୂତ ଭାବରେ । ଜନମି ଭୂମି ଛୁଇଁବା ପରଠୁ ଅବଶେଷେ ଭୂମିରେ ମିଶିବା ଯାଏ ଏହି ଯେଉଁ ଜୀବନ, ତା’କୁ ଅନୁଭବିବା ମାଧ୍ୟମରେ ହିଁ ଭବସାଗର ବିଷୟକ ଭାବନା ପ୍ରାଞ୍ଜଳ ହୋଇ ଯାଇଥାଏ ।
ଏହି ଭବଭୂମିରେ ଜୀବନ ନିର୍ବାହ ସତରେ ନାଟକୀୟ ! କାରଣ ଏହା କୁଆଡ଼େ ମାୟା, ମଞ୍ଚ ଓ ମୁକ୍ତି ସହ ଜଡ଼ିତ ଏକ ନାଟ୍ୟାଭିନୟର କ୍ଷେତ୍ର, ଯେଉଁଠି ସଭିଏଁ କିୟତ କାଳର ଅତିଥି ହୋଇ ନିଜନିଜ ଅଭିନୟ ମାନ ସମ୍ପାଦନାନ୍ତେ ବାହୁଡ଼ି ଯିବାକୁ ବାଧ୍ୟ । ବୋଇଲା ପରା : “କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂଇଁ ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ ।”
ଏଠି ଯବନିକା ପତନ ଯାଏ ସବୁ ସତ ଭଳି ପ୍ରତୀୟମାନ ହେଉଥାଏ । ଜୀବନ ନାଟକର ହସ, କାନ୍ଦ, ମାନ, ଅଭିମାନ, କ୍ରୋଧ, ସନ୍ଦେହ, ମିଳନ ଓ ବିରହ ସବୁ କିଛି ଯେ ସୁଦ୍ଦୁ ଅଭିନୟ, କ୍ୱଚିତ କାହା ଅନୁଭବ ଭିତରେ ପ୍ରବେଶି ଥାଏ । ଏମିତି ଜୀବନର ଗତାନୁଗତିକ ଗତିଶୀଳତା ଭିତରେ କିନ୍ତୁ ଏ ଭବ ଆଉ ଭୂମି ହୋଇ ନରହି ଅବଲୀଳା କ୍ରମେ ନିଏ ତାର ବାସ୍ତବ ରୂପ । ଭବ ଅର୍ଥ ସଂସାର ବୋଲି ବାଧଗମ୍ୟ ହୋଇଯାଏ । ତା’ପରେ ଏଣିକି ଦୃଶ୍ୟମାନ ମାନ ହୁଏ ଗଭୀର ଓ ଗମ୍ଭୀର, ଅନନ୍ତ ଓ ଅସୀମ ଜଳରାଶିରେ ଭରପୁର ଭବସାଗର ! ସେତେବେଳେ ଅଚାନକ ଦୋହଲିଲା ପରି ଲାଗେ ଅସ୍ତିତ୍ଵ, ଯାହା ବିଷୟରେ ସେଯାବତ ହୁଏତ କ୍ୱଚିତ ଚିନ୍ତା କରା ଯାଇଥାଏ ।
ବେଶ୍ ଅନୁଭବି ହୁଏ ଯେ କେମିତି ଜୀବନ ନାଟକରେ ଅଭିନୟବେଳେ ଏହି ଭବସାଗରରେ ସାଇତା ବିଷୟ ବାସନା ହିଁ ନେଫଥ୍ୟରେ ନିୟନ୍ତ୍ରିତ କରୁଥାନ୍ତି । ମୋହ ମାୟାଦି ଲହରୀର ରୂପ ଗ୍ରହଣ ପୂର୍ବକ ବେଳୁବେଳ ଉତ୍ତାଳ ହେଉଥାନ୍ତି । ‘ମୁଁ’ କୈନ୍ଦ୍ରିକ ମୋହ ମୂହୁର୍ମୁହୁ କବଳିତ କରୁଥାଏ । ମଧ୍ୟେମଧ୍ୟେ କ୍ଷଣିକ ସୁଖ ସାଗରର ଲହରୀ ପାଦ ଛୁଇଁ ବିମୋହିତ କରୁଥିବା ଭଳି ଆସି ଆବୋରି ବସେ । ଫଳତଃ ତାହା ହିଁ ଚିରନ୍ତନ ମଣି ଆନନ୍ଦରେ ଅଧୀର ହୋଇ ଧରାକୁ ସରା ମଣିବାରମ୍ଭ କରୁକରୁ ତାହା ଚକ୍ରବତ ପରିବର୍ତ୍ତିତ ହୋଇ କୋଉ ଛଟକରେ ଦୁଃଖକୁ ଆଣି ଧରାଇଦିଏ, ଜଣାପଡ଼େ ନାହିଁ ! ତେବେ ମୋହ ସୃଷ୍ଟ “ମୋର ମୋର” ରୂପୀ ଭଉଁରୀରୁ ଛଟପଟ ହୋଇ ମୁକୁଳି କେମିତି ଆଶ୍ୱସ୍ତିଦାୟକ ପୋଷେ ପ୍ରଶାନ୍ତି ପାଇ ହେବ ସେନେଇ ଦହଗଞ୍ଜ ହେବା ହିଁ ସାର ହୋଇଥାଏ ।
ଭବସାଗରର ମାୟା ଲହରୀଙ୍କ ଭଳି ଇଚ୍ଛାମାନେ ମଧ୍ୟ ଅଗଣନ । ଏମାନେ ହିଁ ଆସକ୍ତିର ମୂଳକାରଣ । ପୋଷେ ମଧୁର ଜଳରେ ସିନା ପ୍ରାକୃତିକ ଓ ସୁକୁମାର ଇଛା ରୂପୀ ତୃଷ୍ଣାର ନିବାରଣ ସମ୍ଭବ । ହେଲେ ବିଷୟା ବିଷରେ ଭରା ଅହେତୁକ ଲାଳସାରେ ଜର୍ଜରିତ ହୋଇ ଭବସାଗରରୁ ତୃଷ୍ଣା ନିବାରଣ ଇଚ୍ଛିବା ଯେ ହାସ୍ୟାସ୍ପଦ ! ଅତଃ; ସଂସାରାଭିନୟ ବେଳେ ଆପଣା ଅସ୍ତିତ୍ଵ ପ୍ରତି ସଚେତନ ହେଲେ ଅନିତ୍ୟକୁ ନିତ୍ୟ ଭାବିବାର ଭ୍ରମ ଦୂରେଇ ହୁଏ । ଅଭିନୟ ଯେ ଅବାସ୍ତବ ସ୍ପଷ୍ଟ ହୋଇଯାଏ । ଯାହାଯାହା ଚିରନ୍ତନ ମଣିଥାଉ ସେସବୁ ଯେ ଅଳୀକ ଓ କ୍ଷଣିକ, ଅଚିରେ ଉପଲବ୍ଧି କରି ହୁଏ । ବେଳହୁଁ ଏତିକି ଅନୁଭବି ନପାରିଲେ ଏ ଭବସାଗର ଶୋକସନ୍ତାପ ଓ ଅସହାୟତାର ଅଥଳ ପାରାବାର ସାବ୍ୟସ୍ତ ହୋଇ ଜୀବନ ଦୁର୍ବିସହ ହୋଇଯାଏ ।
ସୁତରାଂ ଭବସାଗର ବିଷୟକ ଏମନ୍ତ ବିବିଧ ଭାବନାନ୍ତେ ଏହା ଭୀତିପ୍ରଦ ଲାଗେ ଓ ଏହାକୁ ପାରି ହେବା ନେଇ କିଂକର୍ତ୍ତବ୍ୟଂ ପ୍ରମୁଖ ଧ୍ୟେୟ ହୋଇ ଉଭା ହୁଏ । ତେବେ ଏନେଇ ବି ଅନେକ ଧର୍ମ, ଶାସ୍ତ୍ର ତଥା ଦର୍ଶନ ପ୍ରଦର୍ଶିତ ମାର୍ଗମାନ ରହିଛି । କେଉଁଠି ଶୁଦ୍ଧ ସମର୍ପିତ ପ୍ରତ୍ୟାଶା ରହିତ ଭକ୍ତି କଥା କୁହାଯାଇଥିବା ବେଳେ ଠାଏ ଯୁଗଧର୍ମାନୁସାରୀ ହୋଇ ଦିବ୍ୟନାମ ସ୍ମରଣ ଉଲ୍ଲେଖ ହୋଇଛି । ପୁଣି ସୁଖ, ଦୁଃଖ ଯେ ଦିନରାତି ପରି ଦୁନିଆର ରୀତି ମଣି ସ୍ୱାଭାବିକ ହୋଇ ରହିପାରିବା ଅର୍ଥାତ ସ୍ଥିତପ୍ରଜ୍ଞ ହେବା ହିଁ ଭବସାଗର ପାରି ହେବା ପାଇଁ କୁଆଡ଼େ ପ୍ରାଥମିକ ଆବଶ୍ୟକତା ଅଟେ । ସର୍ବୋପରି ଆମେ ପ୍ରତି କଥା ଶିଖିଥାଉ ଗୁରୁଙ୍କ ମାଧ୍ୟମରେ । ଏହି ଭବସାଗରରୁ ତାରିବା ପାଇଁ ବି ସମଭାବେ ଗୁରୁଙ୍କ ଆଜ୍ଞାବହ ହେବାକୁ ବାଧ୍ୟ । ଏଣୁ ତ’ ସଦଗୁରୁ ବନ୍ଦନା କ୍ରମରେ “ଭବ ସାଗର ତାରଣ କାରଣ ହେ…” ନିବିଷ୍ଟ ଚିତ୍ତରେ ଭକ୍ତି ଭରେ ଗାନ କରା ଯାଉଥିବା ଶୁଣିଥିବେ ନିଶ୍ଚୟ !
ହଁ ,ଅଟଳ ଭକ୍ତିର ନୌକା ସହ ସଦଗୁରୁ ରୂପୀ ନାବିକ ମହଜୁଦ ଥିଲେ ଏ ଭବସାଗର ପାରି ହେବା କଦାଚିତ ଦୁଷ୍କର ନୁହଁଇ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।
